ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟି-ଟ୍ୱେଣ୍ଟି ସିରିଜ୍ରେ ଇଂଲଣ୍ଡକୁ ମାତ୍ ଦେବା ପରେ ଆଜିଠାରୁ ଆରମ୍ଭ ହେବାକୁ ଥିବା ଦିନିକିଆ ସିରିଜ ଉପରେ ଭାରତର ନଜର। ତିନି ଟିକିଆ ଦିନିକିଆ ସିରିଜକୁ ମଧ୍ୟ କବ୍ଜା କରିବାକୁ ଚେଷ୍ଟା କରିବ ବିରାଟ ବାହିନୀ। ଆଜି ଟେଣ୍ଟବ୍ରିଜରେ ଖେଳାଯିବ ପ୍ରଥମ ଦିନିକିଆ। ଭାରତ ଦିନିକିଆ ସିରିଜକୁ ଜିତି ମନୋବଳ ଦୃଢ କରିବା ଆଶାରେ ପଡ଼ିଆକୁ ଓହ୍ଲାଇବ। ଦିନିକିଆ ସିରିଜ୍ରେ ଘରୋଇ ଇଂଲଣ୍ଡକୁ ହରାଇବା ପାଇଁ ଟିମ୍ ଇଣ୍ଡିଆକୁ ବେଶ୍ ପରିଶ୍ରମ କରିବାକୁ ପଡିବ। ଅଷ୍ଟ୍ରେଲିଆକୁ ୫-୦ରେ ହରାଇ କ୍ଲିନ ସୁଇପ କରିଥିବା ଇଂଲିସ୍ ଟିମ୍ ଏବେ ଶ୍ରେଷ୍ଠ ଫର୍ମରେ ରହିଛି। ଦଳର ଶକ୍ତିଶାଳୀ ବ୍ୟାଟିଂ ଲାଇନ ସହ ବୋଲିଂ ବିଭାଗ ବି ମଜବୁତ୍ ରହିଛି। ସିରିଜର ଦ୍ୱିତୀୟ ଓ ତୃତୀୟ ମ୍ୟାଚ ଖେଳାଯିବ ୧୪ ଓ ୧୭ରେ ତା ପରେ ଆରମ୍ଭ ହେବ ଟେଷ୍ଟ ସିରିଜ।
ପୂର୍ବରୁ ଭାରତ ଟି-ଟ୍ୱେଣ୍ଟି ସିରିଜକୁ ୨-୧ରେ ଜିତିନେଇଥିଲା। ଯେଉଁଥିରେ ଅଧିନାୟକ ବିରାଟ କୋହଲି ବ୍ୟାଟିଂ କ୍ରମରେ ଅନେକ ପରିବର୍ତ୍ତନ କରିଥିବା ନଜର ଆସିଥିଲେ। ଏବେ ଏହି ପ୍ରୟୋଗ ଦିନିକିଆ ସିରିଜରେ ମଧ୍ୟ ଜାରି ରହିବ ବୋଲି ଆଶା କରାଯାଉଛି। ଆଜି ମ୍ୟାଚ୍ରେ ୩ୟ ସ୍ଥଆନରେ କେଏଲ୍ ରାହୁଲଙ୍କୁ ସୁଯୋଗ ମିଳିବ ବୋଲି ଆଶା କରାଯାଉଛି। ଯଦି ଏଭଳି ହୁଏ ତେବେ ୪ର୍ଥ ସ୍ଥାନରେ ଅଧିନାୟକ କୋହଲି ବ୍ୟାଟିଂ କରିବାରୁ ପଡ଼ିଆକୁ ଓହ୍ଲାଇବେ। ଟି-ଟ୍ୱେଣ୍ଟି ସିରିଜର ପ୍ରଥମ ମ୍ୟାଚ୍ରେ ରାହୁଲ ୩ ନମ୍ବର୍ରେ ବ୍ୟାଟିଂ କରିବାକୁ ଆସିଥିବା ବେଳେ ବିରାଟ ୪ ନମ୍ବର୍ରେ ବ୍ୟାଟିଂ କରିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।