ଅକଲ୍ୟାଣ୍ଡ: ଟି-୨୦ ମହିଳା ବିଶ୍ୱକପ ଶେଷ ହେବା ପରେ ଆସନ୍ତାବର୍ଷ ଦିନିକିଆ ମହିଳା ବିଶ୍ୱକପ ଆରମ୍ଭ ହେବ। ଅଷ୍ଟ୍ରେଲିଆ ଟି-୨୦ ବିଶ୍ୱକପ ଆୟୋଜନ କରିଥିବା ବେଳେ ନ୍ୟୁଜିଲ୍ୟାଣ୍ଡ ଦିନିକିଆ ବିଶ୍ୱକପ ଆୟୋଜନ କରିବ। ତେବେ ଦିନିକିଆ ବିଶ୍ୱକପର ନକଆଉଟ ଅର୍ଥାତ ସେମି ଫାଇନାଲ ଏବଂ ଫାଇନାଲ ମ୍ୟାଚ୍ ପାଇଁ ସଂରକ୍ଷଣ ଦିବସ ରହିବ।
ଟି-୨୦ ବିଶ୍ୱକପ ବେଳେ ନକଆଉଟ ମ୍ୟାଚ୍ଗୁଡ଼ିକ ପାଇଁ କୌଣସି ସଂରକ୍ଷଣ ଦିବସ ରହି ନଥିଲା। ତେଣୁ ଭାରତ ଓ ଇଂଲଣ୍ଡ ସେମି ଫାଇନାଲ ମ୍ୟାଚରେ ବର୍ଷା ହେବାରୁ ପଏଣ୍ଟ ଆଧାରରେ ଟିମ୍ ଇଣ୍ଡିଆ ଫାଇନାଲରେ ପ୍ରବେଶ କରିଥିଲା। ବିଶ୍ୱକପ ଭଳି ଗୁରୁତ୍ୱପୂର୍ଣ୍ଣ ସେମି ଫାଇନାଲରେ ସଂରକ୍ଷଣ ଦିବସ ନ ରଖିବାକୁ ନେଇ ଆଇସିସି ତୀବ୍ର ସମାଲୋଚନାର ଶିକାର ହୋଇଥିଲା।
ବୁଧବାର ଆଇସିସି ଦିନିକିଆ ମହିଳା ବିଶ୍ୱକପ ପାଇଁ ମ୍ୟାଚ୍ ସୂଚୀ ଜାରି କରିଛି। ନ୍ୟୁଜିଲ୍ୟାଣ୍ଡର ୬ଟି ସ୍ଥାନରେ ସମସ୍ତ ମ୍ୟାଚ୍ ଖେଳାଯିବ। ଅକଲ୍ୟାଣ୍ଡ, ହାମିଲଟନ, ତଉରାଙ୍ଗ, ୱେଲିଙ୍ଗଟନ, କ୍ରାଇଷ୍ଟଚର୍ଚ୍ଚ ଓ ଡୁନେଡିନ୍ରେ ମ୍ୟାଚ୍ ଗୁଡ଼ିକ ଖେଳାଯିବ।
ମାର୍ଚ୍ଚ ୩ ଓ ୪ରେ ଯଥାକ୍ରମେ ପ୍ରଥମ ସେମିଫାଇନାଲରେ ତଉରାଙ୍ଗ ଏବଂ ହାମିଲଟନରେ ଖେଳାଯିବ। ସେହିପରି ଫାଇନାଲ ମ୍ୟାଚ୍ ମାର୍ଚ୍ଚ ୭ ତାରିଖରେ ହେଗଲେ ଓଭାଲରେ ଖେଳାଯିବ।
୨୦୧୨ ମସିହା ଫେବୃଆରୀ ୬ରେ ଆୟୋଜକ ନ୍ୟୁଜିଲ୍ୟାଣ୍ଡ ବିଶ୍ୱକପକୁ କ୍ୱାଲିଫାୟ କରିବାକୁ ଥିବା ଦଳ ସହ ମ୍ୟାଚ୍ ଖେଳିବ। ବର୍ତ୍ତମାନ ସୁଦ୍ଧା ମହିଳା ଦିନିକିଆ ବିଶ୍ୱକପ ଖେଳିବାକୁ ଅଷ୍ଟ୍ରେଲିଆ, ଡିଫେଣ୍ଡିଂ ଚାମ୍ପିୟନ ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା ଓ ଆୟୋଜକ ନ୍ୟୁଜିଲ୍ୟାଣ୍ଡ କ୍ୱାଲିଫାୟ କରିଛନ୍ତି। ବାକି ଟିମ୍ ଗୁଡ଼ିକ ମହିଳା ଚାମ୍ପିୟନଶିପ ଓ ଜୁଲାଇରେ ଶ୍ରୀଲଙ୍କାରେ ହେବାକୁ ଥିବା ଯୋଗ୍ୟତା ପର୍ଯ୍ୟାୟ ଦେଇ ବିଶ୍ୱକପ ଖେଳିବାକୁ କ୍ୱାଲିଫାୟ କରିବେ।
ଏହି ମ୍ୟାଚ୍ଗୁଡ଼ିକରେ ଭାରତୀୟ ମହିଳା ଟିମ୍ ମଧ୍ୟ ଖେଳିବ। ବିଶ୍ୱକପ ପୂର୍ବରୁ ଦଳକୁ ଏଥିପାଇଁ ଯୋଗ୍ୟତା ଅର୍ଜନ କରିବାକୁ ପଡ଼ିବ। ବର୍ତ୍ତମାନର ମ୍ୟାଚ୍ ସୂଚୀ ଅନୁଯାୟୀ, ଫେବୃଆରୀ ୧୩ରେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଲଢ଼େଇ ହେବ। ସେହିପରି ବିଶ୍ୱକପର ଦ୍ୱିତୀୟ ଦିନରେ ଡିଫେଣ୍ଡିଂ ଚାମ୍ପିୟନ ଇଂଲଣ୍ଡକୁ ଅଷ୍ଟ୍ରେଲିଆ ଭେଟିବ।
ହାମିଲଟନ୍ରେ ସେମିଫାଇନାଲ ସମେତ ସର୍ବାଧିକ ୭ଟି ମ୍ୟାଚ୍ ଖେଳାଯିବ। କ୍ରାଇଷ୍ଟଚର୍ଚ୍ଚ, ୱେଲିଙ୍ଗଟନ ଓ ତାଉରଙ୍ଗରେ ୬ଟି ଲେଖାଏ ମ୍ୟାଚ୍ ଖେଳାଯିବ। ସେହିପରି ଅକଲ୍ୟାଣ୍ଡରେ ୨ଟି ଓ ଡୁନେଡିନ୍ରେ ୪ଟି ମ୍ୟାଚ୍ ଆୟୋଜନ ହେବ।