[caption id="attachment_39062" align="alignleft" width="150"]
ଭୁବନେଶ୍ୱର: ବିଜେଡିର ‘ଜନସଂପର୍କ ପଦଯାତ୍ରା’ ଆଜି ଶେଷ ହୋଇଥିବା ବେଳେ ତିନି ଦିନ ପରେ ଆରମ୍ଭ ହେବ ଆଉ ଏକ ପଦଯାତ୍ରା। ଏ ଯାତ୍ରାର ଆୟୋଜକ ହେଉଛି ରାଜ୍ୟ କଂଗ୍ରେସ। ଯାତ୍ରାର ନାଁ ଦିଆଯାଇଛି ‘ଜାଗରଣ ଯାତ୍ରା’। ଅକ୍ଟୋବର ୧୪ ତାରିଖରୁ ଏହି ଯାତ୍ରା ଆରମ୍ଭ ହେବ। ପ୍ରଥମ ଦିନର ଯାତ୍ରା ଅନୁଗୋଳ ଜିଲ୍ଲାର ଧୋକୁଟାରୁ ବନ୍ତଳା ଯାଏଁ ହେବ। ଆଜି ଏନେଇ ଦଳର ଏକ ବୈଠକ ବସିଥିଲା। ବୈଠକ ପରେ ’ଜାଗରଣ ଯାତ୍ରା’ ସଂପର୍କରେ ଏହି ସୂଚନା ଦେଇଥିଲେ ପିସିସି ସଭାପତି ପ୍ରସାଦ ହରିଚନ୍ଦନ।
ପ୍ରସାଦ କହିଛନ୍ତି, ୧୦ଟି ପର୍ଯ୍ୟାୟରେ ରାଜ୍ୟରେ ‘ଜାଗରଣ ଯାତ୍ରା’ ଅନୁଷ୍ଠିତ ହେବ। ଅକ୍ଟୋବର ୧୪ରେ ଅନୁଗୋଳ ଜିଲ୍ଲାର ଧୋକୁଟାରୁ ବନ୍ତଳା ଯାଏଁ ପଦଯାତ୍ରା କରାଯିବ। ଅକ୍ଯୋବର ୧୫ ତାରିଖରେ ଢେଙ୍କାନାଳ ଜିଲ୍ଲା କୁରୁଣ୍ଡିରୁ ମାନପୁର ପର୍ଯ୍ୟନ୍ତ ପଦଯାତ୍ରା କରାଯିବ। ଦୁର୍ଗାପୂଜା ପରେ ଅକ୍ଟୋବର ଶେଷ ସପ୍ତାହରେ କୋରାପୁଟ, ରାୟଗଡ଼ା, ମାଲକାନଗିରି ଓ ନବରଙ୍ଗପୁରରେ ’ଜାଗରଣ ଯାତ୍ରା’ କରାଯିବ। ପରବର୍ତ୍ତୀ ସମୟରେ ରାଜ୍ୟର ଅନ୍ୟ ସ୍ଥାନଗୁଡ଼ିକରେ ଏହି ଯାତ୍ରା କରାଯିବ। ଭବିଷ୍ୟତରେ ବ୍ଲକ୍ ସ୍ତରକୁ ମଧ୍ୟ ଏହି ଯାତ୍ରାକୁ ନେବାକୁ ଯୋଜନା ରହିଛି। ‘ଜାଗରଣ ଯାତ୍ରା’ ସମୟରେ ଦଳ ପକ୍ଷରୁ ବିଜୁଳି ସତ୍ୟାଗ୍ରହ ମଧ୍ୟ କରାଯିବ।
‘ଜାଗରଣ ଯାତ୍ରା’ ପୂର୍ବରୁ ପିସିସି ସଭାପତି ଉଭୟ ବିଜେଡି ଓ ବିଜେପିକୁ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି, ରାଜ୍ୟର ବିଜେଡି ସରକାର କେନ୍ଦ୍ରୀୟ ଅବହେଳା କଥା କହୁଛନ୍ତି। ବିଜେପି କେନ୍ଦ୍ରୀୟ ଅନୁଦାନ କଥା କହୁଛି। ବିଜେଡି ଓ ବିଜେପିର ଏହି ଅବହେଳା ଓ ଅନୁଦାନ ସଲାକୁସ୍ତିରେ ଦୁର୍ଦ୍ଦଶା ଭୋଗୁଛନ୍ତି ରାଜ୍ୟବାସୀ। ସପ୍ତାହକ ମଧ୍ୟରେ ୮ ଜଣ ଚାଷୀ ଆତ୍ମହତ୍ୟା କରି ସାରିଲେଣି। ସେଥିପ୍ରତି ରାଜ୍ୟ ସରକାରଙ୍କର ନିଘା ନାହିଁ। ଏସବୁ ଆତ୍ମହତ୍ୟା ପାଇଁ ସରକାର ହିଁ ଦାୟୀ। ବର୍ଷକ ମଧ୍ୟରେ ମୋ କୁଡ଼ିଆ ଯୋଜନାରେ ମାତ୍ର ୧୮୩ଟି ଘର କରିଛନ୍ତି। ନିଜେ ସମୀକ୍ଷା କରି ଏଭଳି ରିପୋର୍ଟ ପ୍ରସ୍ତୁତ କରିଛନ୍ତି। କିନ୍ତୁ ରାଜ୍ୟସାରା ବୁଲି ନିଜ ସଫଳତା ଡିଣ୍ଡିମ ପିଟୁଛନ୍ତି।
ସୂଚନାଯୋଗ୍ୟ, ବିଜେଡି ଭଳି କଂଗ୍ରେସ ମଧ୍ୟ ଅକ୍ଟୋବର ୨ରେ ଗାନ୍ଧୀ ଜୟନ୍ତୀରୁ ପଦଯାତ୍ରା କରିବାକୁ ପ୍ରଥମେ ନିଷ୍ପତ୍ତି ନେଇଥିଲା। କିନ୍ତୁ ପରେ ଏହି ନିଷ୍ପତ୍ତି ବଦଳି ଥିଲା। ଅବଶ୍ୟ ଏଥିପାଇଁ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କୁ ସମାଲୋଚନାର ଶିକାର ହେବାକୁ ବି ପଡ଼ିଥିଲା। ସେ ପଛଘୁଞ୍ଚା ଦେଲେ ବୋଲି କୁହାଯାଇଥିଲା।
ଅନ୍ୟପଟେ ଆଜି ବିଜେଡିର ଜନସଂପର୍କ ପଦଯାତ୍ରାର ଉଦଯାପନୀ ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରର ପଥରବନ୍ଧ ବସ୍ତିରେ ଆୟୋଜିତ ସଭାରେ କେନ୍ଦ୍ରୀୟ ଅବହେଳା କଥା କହିଥିଲେ ଓ ଓଡ଼ିଶାର ହକ୍ ପାଇଁ ବିଜେଡି ଲଢେଇ ଜାରି ରଖିବ।