୩ ବର୍ଷରେ ଓଡ଼ିଶାର ୩୦ ଲକ୍ଷ ବିପିଏଲ୍‌ ମହିଳାଙ୍କୁ ଏଲ୍‌ପିଜି ସଂଯୋଗ: ଧର୍ମେନ୍ଦ୍ର

ସମ୍ବଲପୁର: ଭୁବନେଶ୍ୱର, ବଲାଙ୍ଗିର, ଓ ଜୟପୁରରେ ନୂଆ ବଟଲିଂ ପ୍ଲାଣ୍ଟ ଖୋଲି ତଥା ଜଟଣୀ, ଝାରସୁଗୁଡ଼ା ଓ ବାଲେଶ୍ୱରରେ ଥିବା ବଟଲିଂ ପ୍ଲାଣ୍ଟର କ୍ଷମତା ବଢାଯିବ ବୋଲି ଆଜି ସମ୍ବଲପୁରରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ରାଜ୍ୟସ୍ତରୀୟ ଲୋକାର୍ପଣ ଉତ୍ସବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଘୋଷଣା କରିଛନ୍ତି। ଏହି ଅବସରରେ ସେ ୨୦ ଜଣ ହିତାଧିକାରୀଙ୍କୁ ଉଜ୍ଜ୍ୱଳା ଯୋଜନାରେ ଏଲ୍‌ପିଜି ଗ୍ୟାସ୍‌ ସଂଯୋଗ ପ୍ରଦାନ କରିବା ସହ ଆସନ୍ତା ୩ ବର୍ଷରେ ଓଡ଼ିଶାର ୩୦ ଲକ୍ଷ ବିପିଏଲ୍‌ ମହିଳାଙ୍କୁ […]

bjp

Rakesh Mallick
  • Published: Monday, 20 June 2016
  • , Updated: 20 June 2016, 08:30 PM IST

ସମ୍ବଲପୁର: ଭୁବନେଶ୍ୱର, ବଲାଙ୍ଗିର, ଓ ଜୟପୁରରେ ନୂଆ ବଟଲିଂ ପ୍ଲାଣ୍ଟ ଖୋଲି ତଥା ଜଟଣୀ, ଝାରସୁଗୁଡ଼ା ଓ ବାଲେଶ୍ୱରରେ ଥିବା ବଟଲିଂ ପ୍ଲାଣ୍ଟର କ୍ଷମତା ବଢାଯିବ ବୋଲି ଆଜି ସମ୍ବଲପୁରରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ରାଜ୍ୟସ୍ତରୀୟ ଲୋକାର୍ପଣ ଉତ୍ସବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଘୋଷଣା କରିଛନ୍ତି। ଏହି ଅବସରରେ ସେ ୨୦ ଜଣ ହିତାଧିକାରୀଙ୍କୁ ଉଜ୍ଜ୍ୱଳା ଯୋଜନାରେ ଏଲ୍‌ପିଜି ଗ୍ୟାସ୍‌ ସଂଯୋଗ ପ୍ରଦାନ କରିବା ସହ ଆସନ୍ତା ୩ ବର୍ଷରେ ଓଡ଼ିଶାର ୩୦ ଲକ୍ଷ ବିପିଏଲ୍‌ ମହିଳାଙ୍କୁ ଏହି ଯୋଜନାରେ ଏଲ୍‌ପିଜି ଗ୍ୟାସ୍‌ ସଂଯୋଗ ଦିଆଯିବ ବୋଲି କହିଛନ୍ତି।

ଧର୍ମେନ୍ଦ୍ର କହିଛନ୍ତି, “କେବଳ ବିପିଏଲ୍‌ ପରିବାର ନୁହେଁ, ଓଡ଼ିଶାରେ ୧୦ ଲକ୍ଷ ଅଣ ବିପିଏଲ୍‌ ଗ୍ରାହକଙ୍କୁ ଏଲ୍‌ପିଜି ଗ୍ୟାସ୍‌ ଯୋଗାଇ ଦିଆଯିବ। ଏବେ ଓଡ଼ିଶାର ୩୩ ପ୍ରତିଶତ ଲୋକଙ୍କ ଘରେ ଏଲ୍‌ପିଜି ସଂଯୋଗ ରହିଛି। ଆସନ୍ତା ୩ ବର୍ଷରେ ଏହାକୁ ୭୫ ପ୍ରତିଶତରେ ପହଞ୍ଚା ଯିବ।”

ସେ କହିଛନ୍ତି, “ବର୍ତ୍ତମାନ ଓଡ଼ିଶାରେ ୬୫୦ ହଜାର ମେଟ୍ରିକ୍‌ ଟନ୍‌ର ବଟଲିଂ କ୍ଷମତା ରହିଛି। ଜଟଣୀ, ବାଲେଶ୍ୱର ଓ ଝାରସୁଗୁଡ଼ାରେ ଥିବା ବଟଲିଂ ପ୍ଲାଣ୍ଟର କ୍ଷମତା ବଢାଯିବ। ଭୁବନେଶ୍ୱରଠାରେ ଆଇଓସି ତରଫରୁ ନୂଆ ବଟଲିଂ ପ୍ଲାଣ୍ଟ କରାଯିବ। ଏଚ୍‌ପିସିଏଲ୍‌ ତରଫରୁ କୋରାପୁଟର ଜୟପୁରଠାରେ ଏବଂ ବିପିସିଏଲ୍‌ ତରଫରୁ ବଲାଙ୍ଗିର ସହରରେ ନୂଆ ବଟଲିଂ ପ୍ଲାଣ୍ଟ କରାଯିବ। ଓଡ଼ିଶାରେ ଆଗାମୀ ୩୦ରୁ ୪୦ ବର୍ଷର ବଜାରକୁ ଧ୍ୟାନରେ ରଖି ଏପରି ପଦକ୍ଷେପ ନିଆଯାଉଛି।”

ସେ କହିଛନ୍ତି, “ବର୍ତ୍ତମାନ ଓଡ଼ିଶାରେ ୫୬୫ ବିତରକ ଅଛନ୍ତି। ଆଉ ୧୮୦ ଜଣ ବିତରକଙ୍କ ଚୟନ ସରିଛି। ଦୁଇମାସ ମଧ୍ୟରେ ବିତରଣ କେନ୍ଦ୍ର ଖୋଲିବାକୁ ସେମାନେ ଅନୁମତି ପତ୍ର ପାଇଯିବେ। ଚଳିତବର୍ଷ ଆଉ ୨୫୦ ବିତରଣ କେନ୍ଦ୍ର ଖୋଲିବା ଲାଗି ପ୍ରକ୍ରିୟା ଆରମ୍ଭ କରାଯିବ। ରାଜ୍ୟରେ ୧୦୦୦ରୁ ଅଧିକ ବିତରଣ କେନ୍ଦ୍ର ପାଇଁ ଯୋଜନା ରହିଛି। ଆବଶ୍ୟକ ହେଲେ ଅଧିକ ବିତରଣ କେନ୍ଦ୍ର ଖୋଲାଯିବ। ଓଡ଼ିଶାରେ ଗ୍ୟାସ୍‌ର ସୁଷମ ବଣ୍ଟନ ଲାଗି ପାରାଦୀପଠାରେ ଏଲ୍‌ପିଜି ଆମଦାନୀ କରାଯାଇ ଟର୍ମିନାଲ ଜେଟି କରାଯିବ। ପାରାଦୀପ ତୈଳ ବିଶୋଧନାଗାରରୁ ମଧ୍ୟ ଏଲ୍‌ପିଜି ଅଣାଯିବ। ଓଡ଼ିଶା ବଜାରରେ ଏଲ୍‌ପିଜିର ଆବଶ୍ୟକତା, ବିତରକ ଓ ନୂଆ ସଂଯୋଗ ଉପରେ ବିଶେଷ ଧ୍ୟାନ ଦିଆଯିବ।”

କାର୍ଯ୍ୟକ୍ରମରେ ଯୋଗଦେବାକୁ ସମ୍ବଲପୁର ବିଧାୟକ ଓ ବରଗଡ଼ ସାଂସଦଙ୍କୁ ନିମନ୍ତ୍ରଣ କରାଯାଇଥିଲେ ମଧ୍ୟ ସେମାନେ ଆସି ନ ଥିଲେ। ଏହାକୁ ନେଇ ବିବାଦ ଦେଖା ଦେଇଛି। ତେବେ ସ୍ଥାନୀୟ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କୁ କାର୍ଯ୍ୟକ୍ରମରେ ଯୋଗଦେବାକୁ ନିମନ୍ତ୍ରଣ କରାଯାଇ ନ ଥିଲା। ବିଧାୟିକାଙ୍କୁ ନିମନ୍ତ୍ରଣ କରାଯାଇ ନ ଥିବାରୁ ଏହାର ପ୍ରତିବାଦରେ ଉତ୍ସବରେ ଯୋଗଦେବେ ନାହିଁ ବୋଲି ଗତକାଲି ସାଂସଦ ନଗେନ୍ଦ୍ର ପ୍ରଧାନ କହି ସାରିଥିଲେ। ସାଂସଦ ଓ ବିଧାୟକ ଯୋଗ ନ ଦେବା ନେଇ ଧର୍ମେନ୍ଦ୍ର କହିଛନ୍ତି, “ଗରିବ ଲୋକଙ୍କ ସ୍ୱାର୍ଥ ସହିତ ଜଡ଼ିତ ପ୍ରସଙ୍ଗରେ ରାଜନୀତି କରା ନ ଯିବା ଭଲ।”

ବିଧାୟିକା ପାଣିଗ୍ରାହୀ କହିଛନ୍ତି, “ମୋତେ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ନିମନ୍ତ୍ରଣ କଲେ ନାହିଁ। ତଥାପି ଯଦି ଗୋଟେ ଫୋନ କରିଥାନ୍ତେ, ନିଶ୍ଚିତ ଯାଇ ସେଠାରେ ପହଞ୍ଚିଥାନ୍ତି। ଆମେ ଗରିବଙ୍କ ସହ ସବୁ ବେଳେ ଥିଲୁ ଆଉ ସବୁ ବେଳେ ରହିବୁ।”

Related story