ବାଜିବ ଇଞ୍ଜିନିୟରିଂ କଲେଜର ଘଣ୍ଟି: ୫ ବର୍ଷ ଧରି ଲଗାତାର ୩୦% ସିଟ୍‌ ପୂରଣ ନହେଲେ ପଡ଼ିବ ତାଲା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଇଞ୍ଜିନିୟରିଂ ଓ ପ୍ରଫେସନାଲ୍ କୋର୍ସ କଲେଜ ଗୁଡ଼ିକ ପାଇଁ ସତର୍କ ଘଣ୍ଟି। ୫ ବର୍ଷ ଧରି ଗୋଟିଏ ବ୍ରାଞ୍ଚରେ ଅନୁମୋଦିତ ସିଟ୍‌ରେ ୩୦ ପ୍ରତିଶତ ଆଡମିଶନ ହେଉନଥିଲେ ସମ୍ପୃକ୍ତ କଲେଜରେ ସେହି ବ୍ରାଞ୍ଚଗୁଡିକୁ ବନ୍ଦ କରିଦିଆଯିବ। ଚଳିତ ଶିକ୍ଷା ବର୍ଷ ଏଆଇସିଟିଇ ହ୍ୟାଣ୍ଡବୁକ୍‌ରେ ଏହା ଉଲ୍ଲେଖ ରହିଛି। ଆସନ୍ତା ବର୍ଷଠାରୁ ଏହାକୁ ଲାଗୁ କରିବାକୁ ଏଆଇସିଟିଇ ଅଣ୍ଟା ଭିଡିଛି। ଯେଉଁଥିରେ ସ୍ପଷ୍ଟ କରାଯାଇଛି ଯେ ଅନୁମୋଦିତ ସିଟ୍‌ରେ ୩୦ ପ୍ରତିଶତ ଲଗାତର ଭାବେ […]

Rakesh Mallick
  • Published: Saturday, 26 August 2017
  • , Updated: 26 August 2017, 07:54 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଇଞ୍ଜିନିୟରିଂ ଓ ପ୍ରଫେସନାଲ୍ କୋର୍ସ କଲେଜ ଗୁଡ଼ିକ ପାଇଁ ସତର୍କ ଘଣ୍ଟି। ୫ ବର୍ଷ ଧରି ଗୋଟିଏ ବ୍ରାଞ୍ଚରେ ଅନୁମୋଦିତ ସିଟ୍‌ରେ ୩୦ ପ୍ରତିଶତ ଆଡମିଶନ ହେଉନଥିଲେ ସମ୍ପୃକ୍ତ କଲେଜରେ ସେହି ବ୍ରାଞ୍ଚଗୁଡିକୁ ବନ୍ଦ କରିଦିଆଯିବ। ଚଳିତ ଶିକ୍ଷା ବର୍ଷ ଏଆଇସିଟିଇ ହ୍ୟାଣ୍ଡବୁକ୍‌ରେ ଏହା ଉଲ୍ଲେଖ ରହିଛି।

ଆସନ୍ତା ବର୍ଷଠାରୁ ଏହାକୁ ଲାଗୁ କରିବାକୁ ଏଆଇସିଟିଇ ଅଣ୍ଟା ଭିଡିଛି। ଯେଉଁଥିରେ ସ୍ପଷ୍ଟ କରାଯାଇଛି ଯେ ଅନୁମୋଦିତ ସିଟ୍‌ରେ ୩୦ ପ୍ରତିଶତ ଲଗାତର ଭାବେ ୫ ବର୍ଷ ପୂରଣ ନ ହେଲେ ବ୍ରାଞ୍ଚ ବନ୍ଦ ହେବ। ନିୟମ ଲାଗୁ ପୂର୍ବରୁ ଏଆଇସିଟିଇ ଏ ବାବଦରେ ସବୁ ରାଜ୍ୟର ମତାମତ ଲୋଡ଼ିଛି। ଏପଟେ ଓଡ଼ିଶା ଘରୋଇ ଇଞ୍ଜିନିୟରିଂ କଲେଜ ସଂଘ (ଓପେକା) ଏ ନେଇ ଏଆଇସିଟିଇକୁ ପତ୍ର ଲେଖିଛି। ବିଗତ ୫ ବର୍ଷର ଆଡମିଶନକୁ ନଦେଖି ଆସନ୍ତା ୩ ବର୍ଷର ଆଡମିଶନ ଭିତ୍ତିରେ ବ୍ରାଞ୍ଚ ବନ୍ଦ କରାଯାଉ ବୋଲି ଓପେକା ଦାବି କରିଛି।

ଓଡ଼ିଶା ଘରୋଇ ଇଞ୍ଜିନିୟରିଂ କଲେଜ ସଂଘ ସମ୍ପାଦକ ବିନୋଦ ଦାସ କହିଛନ୍ତି- “ସରକାରଙ୍କ ପ୍ରସ୍ତାବକୁ ଆମେ ବିରୋଧ କରୁନାହୁଁ। ଯଦି ପିଲା ହେଉନାହାଁନ୍ତି ତାହେଲେ ଆମେ କ’ଣ ପାଇଁ ବ୍ରାଞ୍ଚ ରଖିବୁ? ଏଥିପାଇଁ ଆମକୁ ୩ ବର୍ଷ (ଗତବର୍ଷ, ଚଳିତ ବର୍ଷ ଓ ଆସନ୍ତା ବର୍ଷ) ସମୟ ଦିଆଯାଉ। ଯଦି ୩ ବର୍ଷରେ ପିଲା ନାମ ଲେଖାଉ ନାହାଁନ୍ତି ତାହେଲେ ସଂପୃକ୍ତ ବ୍ରାଞ୍ଚକୁ ବନ୍ଦ କରି ଦିଆଯାଉ।”

ରାଜ୍ୟରେ ଇଞ୍ଜିନିୟରିଂ, ଏମ୍‌ବିଏ ଓ ଏମ୍‌ସିଏ ଆଦି କୋର୍ସରେ ବିଗତ ବର୍ଷ ଗୁଡିକରେ ଅଧିକ ସଂଖ୍ୟାରେ ସିଟ୍ ଖାଲି ରହୁଛି। ବିଶେଷ କରି ଇଞ୍ଜିନିୟରିଂରେ ଆଡମିଶନ ହ୍ରାସ ପାଇଛି। ଦୁଇ ଦୁଇଥର ଓଜେଇଇ ହେଲା ପରେ ବି ୬୦ ପ୍ରତିଶତରୁ ଅଧିକ ସିଟ୍‌ ଖାଲି ପଡୁଛି। ୨୦୧୪ରେ ଇଞ୍ଜିନିୟରିଂ ଶିକ୍ଷାରେ ସର୍ବାଧିକ ୬୭ ପ୍ରତିଶତ, ୨୦୧୫ରେ ୬୦ ପ୍ରତିଶତ ଓ ୨୦୧୬ରେ ୬୧ ପ୍ରତିଶତ ସିଟ ଖାଲି ପଡିଥିଲା। ଏ ବର୍ଷ ବି ସିଟ୍ ଖାଲି ପଡିଛି। ତେବେ ସିଟ୍ ଖାଲି ପଡିବା ପରେ ବ୍ରାଞ୍ଚଗୁଡିକୁ ବନ୍ଦ କରିବା ନିଷ୍ପତ୍ତିକୁ ବିପିୟୁଟି ବୋର୍ଡ ଅଫ୍ ମ୍ୟାନେଜମେଣ୍ଟ ସଦସ୍ୟ ନାପସନ୍ଦ କରିଛନ୍ତି।

ବିପିୟୁଟି ବୋର୍ଡ ଅଫ୍ ମ୍ୟାନେଜମେଣ୍ଟ ସଦସ୍ୟ ସୁନୀଲ ଷଡ଼ଙ୍ଗୀ କହିଛନ୍ତି-“ଗୋଟିଏ ପାରାମିଟରକୁ ଦେଖି ଏଆଇସିଟିଇ କୌଣସି ପ୍ରସ୍ତାବ ଦେବା ଠିକ୍‌ ନୁହେଁ। ମୋ’ ମତରେ କଲେଜ ଗୁଡ଼କୁ ବଞ୍ଚାଇ ରଖିବା ଉଚିତ। ଯେତେବେଳେ ଆବଶ୍ୟକତା ଥିବ ସେତେ ବେଳେ ଆମ ପାଖରେ କଲେଜ ନଥିବ କି ପିଲାମାନେ ଶିକ୍ଷା ପାଇବାରିବେ ନାହିଁ।”

Related story