ହନୁମାନ ଜୟନ୍ତୀ ଶୋଭାଯାତ୍ରା: କଟକଣା ସତ୍ତ୍ୱେ ଖଣ୍ଡା ବୁଲାଇଲେ ଜୟନାରାୟଣ

ସମ୍ବଲପୁର: ପ୍ରଶାସନିକ କଟକଣା ଓ ପୋଲିସ୍‌ର ଉପସ୍ଥିତି ସତ୍ତ୍ୱେ ଆଜି ସମ୍ବଲପୁରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ଖଣ୍ଡା ବୁଲାଇଛନ୍ତି ବିଜେପି ନେତା ତଥା ପୂର୍ବତନ ବିଧାୟକ ଜୟନାରାୟଣ ମିଶ୍ର। ଏହାକୁ ନେଇ ଶୋଭାଯାତ୍ରାରେ କିଛି ସମୟ ଧରି ଉତ୍ତେଜନା ପ୍ରକାଶ ପାଇଥିଲା। ପୋଲିସ୍ ତାଙ୍କ ହାତରୁ ଖଣ୍ଡା ଛଡ଼ାଇବାକୁ ଉଦ୍ୟମ କଲା ବେଳେ ପ୍ରଦର୍ଶନକାରୀ ଓ ପୋଲିସ୍ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଜୟନାରାୟଣ କହିଛନ୍ତି,“ଖଣ୍ଡା ନେଇ କୌଣସି କଟକଣା ଜାରି କରାଯାଇଥିବା ମୁଁ ଜାଣି ନାହିଁ। ମୁଁ […]

jayanarayan

Rakesh Mallick
  • Published: Wednesday, 13 April 2016
  • , Updated: 13 April 2016, 04:29 PM IST

ସମ୍ବଲପୁର: ପ୍ରଶାସନିକ କଟକଣା ଓ ପୋଲିସ୍‌ର ଉପସ୍ଥିତି ସତ୍ତ୍ୱେ ଆଜି ସମ୍ବଲପୁରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ଖଣ୍ଡା ବୁଲାଇଛନ୍ତି ବିଜେପି ନେତା ତଥା ପୂର୍ବତନ ବିଧାୟକ ଜୟନାରାୟଣ ମିଶ୍ର। ଏହାକୁ ନେଇ ଶୋଭାଯାତ୍ରାରେ କିଛି ସମୟ ଧରି ଉତ୍ତେଜନା ପ୍ରକାଶ ପାଇଥିଲା। ପୋଲିସ୍ ତାଙ୍କ ହାତରୁ ଖଣ୍ଡା ଛଡ଼ାଇବାକୁ ଉଦ୍ୟମ କଲା ବେଳେ ପ୍ରଦର୍ଶନକାରୀ ଓ ପୋଲିସ୍ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା।

ଜୟନାରାୟଣ କହିଛନ୍ତି,“ଖଣ୍ଡା ନେଇ କୌଣସି କଟକଣା ଜାରି କରାଯାଇଥିବା ମୁଁ ଜାଣି ନାହିଁ। ମୁଁ କୌଣସି କଟକଣା ସଂପର୍କରେ ଜାଣିନାହିଁ। ମୁଁ କହିବାକୁ ଚାହେଁ ଯେ ସମ୍ବଲପୁରରେ ୭ ଜଣ ଆତଙ୍କବାଦୀ ଆସି ରହିଥିଲେ। କିନ୍ତୁ ସମ୍ବଲପୁର ପୋଲିସ୍ ଜାଣିପାରିଲା ନାହିଁ। ଆଜି ସମ୍ବଲପୁରର ନିରୀହ ଜନତା ହନୁମାନ ଜୟନ୍ତୀ ପାଳନ କରିବା ବେଳେ ଶହ ଶହ ବର୍ଷର ପରମ୍ପରାକୁ ନିଭାଉ ଥିବା ବେଳେ ପୋଲିସ୍ ସେମାନଙ୍କୁ ବାଧା ଦେଉଛି। ଏହା ନିନ୍ଦନୀୟ।”

ଅନ୍ୟପକ୍ଷରେ ସମ୍ବଲପୁର ଏସ୍‌ପି କହିଛନ୍ତି ଯେ ଏନେଇ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସୂଚନାଯୋଗ୍ୟ, ଗତବର୍ଷ  ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ମଧ୍ୟ ଜୟନାରାୟଣ ମିଶ୍ର ଖଣ୍ଡା ଚାଳନା କରି ଗିରଫ ହୋଇଥିଲେ।

ହନୁମାନ ଜୟନ୍ତୀ ଆଖଡ଼ା ଶୋଭାଯାତ୍ରାର ଅବ୍ୟବହିତ ପୂର୍ବରୁ ଆଜି ସମ୍ବଲପୁର ସହର ପୋଲିସ୍ ଛାଉଣୀରେ ପରିଣତ ହୋଇଥିଲା। ସହରରେ ପ୍ରାୟ ୪୭ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇଥିଲା। ପ୍ରତିଷେଧକ ବ୍ୟବସ୍ଥା ସ୍ୱରୂପ ହନୁମାନ ଜୟନ୍ତୀ ସମନ୍ୱୟ ସମିତିର ୪ ଜଣ ସଦସ୍ୟଙ୍କୁ ପୋଲିସ୍ ଶୋଭାଯାତ୍ରା ପୂର୍ବରୁ ଗିରଫ କରି ଥିଲା। ଏହାକୁ ନେଇ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା।

ଗତକାଲି ଏକ ସର୍ବଧର୍ମ ସମନ୍ୱୟ ସଦ୍‌ଭାବନା ବାଇକ୍‌ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା। ଏହାକୁ ପ୍ରୋଗ୍ରେସିଭ୍‌ ସମ୍ବଲପୁର ପକ୍ଷରୁ ଆୟୋଜନ କରାଯାଇଥିଲା। ଶୋଭାଯାତ୍ରା ବିର୍ସାମୁଣ୍ଡା ଛକରୁ ବାହାରି ସହର ପରିକ୍ରମା କରିବା ପରେ ଏସ୍‌ପିଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚି ଶାନ୍ତି ବଜାୟ ରଖିବା ପାଇଁ ଦାବି ଜଣାଇଥିଲେ। ଶୋଭାଯାତ୍ରାରେ ବିଭିନ୍ନ ସମ୍ପ୍ରଦାୟର ଲୋକେ ସାମିଲ ହୋଇଥିଲେ। ସଂସ୍ଥାର ସଦସ୍ୟମାନେ ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ଖଣ୍ଡା କିମ୍ବା ଅସ୍ତ୍ରଶସ୍ତ୍ର ପ୍ରଦର୍ଶନକୁ ବିରୋଧ କରିଥିଲେ।

Related story