ରମେଶଙ୍କ ନାଁରେ ଦାଦାବଟି ମାମଲା ରୁଜୁ

ବ୍ରହ୍ମପୁର: ଗିରଫ ପୂର୍ବତନ କଂଗ୍ରେସ ବିଧାୟକ ରମେଶ ଜେନାଙ୍କ ନାମରେ ଗୁରୁବାର ବ୍ରହ୍ମପୁର ଟାଉନ୍ ଥାନାରେ ଆଉ ଏକ ମାମଲା ରୁଜୁ ହୋଇଛି। ମଦ ବେପାରୀଙ୍କ ଠାରୁ ମାସିକିଆ ବଟି ଆଦାୟ କରୁଥିବା ଅଭିଯୋଗରେ ତାଙ୍କ ନାଁରେ ଏହି ମାମଲା ରୁଜୁ କରାଯାଇଛି। ଛତ୍ରପୁରର ଜଣେ ମଦ  ବେପାରୀଙ୍କ ଅଭିଯୋଗ ଆଧାରରେ ବ୍ରହ୍ମପୁର ଟାଉନ୍ ଥାନା ପୋଲିସ୍ ରମେଶଙ୍କ ସମେତ ତାଙ୍କ ବାପା ଅରକ୍ଷିତ ଜେନା, ଭଣଜା ପ୍ରଦୀପ ସ୍ୱାଇଁ ଓ କର୍ପୋରେଟର ମୁରଲୀ ମୋହନଙ୍କ ନାଁରେ […]

ramesh

Rakesh Mallick
  • Published: Thursday, 17 March 2016
  • , Updated: 20 March 2016, 10:41 AM IST

ବ୍ରହ୍ମପୁର: ଗିରଫ ପୂର୍ବତନ କଂଗ୍ରେସ ବିଧାୟକ ରମେଶ ଜେନାଙ୍କ ନାମରେ ଗୁରୁବାର ବ୍ରହ୍ମପୁର ଟାଉନ୍ ଥାନାରେ ଆଉ ଏକ ମାମଲା ରୁଜୁ ହୋଇଛି। ମଦ ବେପାରୀଙ୍କ ଠାରୁ ମାସିକିଆ ବଟି ଆଦାୟ କରୁଥିବା ଅଭିଯୋଗରେ ତାଙ୍କ ନାଁରେ ଏହି ମାମଲା ରୁଜୁ କରାଯାଇଛି। ଛତ୍ରପୁରର ଜଣେ ମଦ  ବେପାରୀଙ୍କ ଅଭିଯୋଗ ଆଧାରରେ ବ୍ରହ୍ମପୁର ଟାଉନ୍ ଥାନା ପୋଲିସ୍ ରମେଶଙ୍କ ସମେତ ତାଙ୍କ ବାପା ଅରକ୍ଷିତ ଜେନା, ଭଣଜା ପ୍ରଦୀପ ସ୍ୱାଇଁ ଓ କର୍ପୋରେଟର ମୁରଲୀ ମୋହନଙ୍କ ନାଁରେ ମାମଲା ରୁଜୁ କରିଛି। ରମେଶ, ଅରକ୍ଷିତ ଓ ମୁରଲୀ ପୂର୍ବରୁ ଜେଲରେ ଥିବା ବେଳେ ଆଜି ପ୍ରଦୀପ ସ୍ୱାଇଁଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।

ବ୍ରହ୍ମପୁର ଏସ୍‌ପି ସାର୍ଥକ ଷଡ଼ଙ୍ଗୀ କହିଛନ୍ତି,“ବ୍ରହ୍ମପୁର ଅଞ୍ଚଳରେ ଥିବା ମଦ ଦୋକାନଗୁଡ଼ିକରୁ ରମେଶ ମାସିକିଆ ଦାଦାବଟି ଆଦାୟ କରୁଥିବା ନେଇ ଆଜି ଅଭିଯୋଗ ହୋଇଛି। ଛତ୍ରପୁର ଅଞ୍ଚଳର ଜଣେ ମଦ ବ୍ୟବସାୟୀ ଏହି ଅଭିଯୋଗ କରିବା ପରେ ରମେଶଙ୍କ ସହିତ ତାଙ୍କ ବାପା ଅରକ୍ଷିତ, ଭଣଜା ପ୍ରଦୀପ ଓ କର୍ପୋରେଟର୍ ମୁରଲୀଙ୍କ ନାଁରେ ମାମଲା ରୁଜୁ କରାଯାଇଛି। ରମେଶ, ତାଙ୍କ ବାପା ଓ ମୁରଲୀ ଜେଲରେ ଥିବା ବେଳେ ଅଭିଯୋଗ ପାଇବା ପରେ ପ୍ରଦୀପକୁ ଗିରଫ କରାଯାଇଛି। ଏହି ମାମଲାରେ ରମେଶ, ତାଙ୍କ ବାପା ଓମୁରଲୀଙ୍କୁ ରିମାଣ୍ଡରେ ଆଣି ଜେରା କରିବା ପାଇଁ ଆବେଦନ କରାଯିବ।”

ଏସ୍‌ପି କହିଛନ୍ତି,“ଅଭିଯୋଗ ଅନୁଯାୟୀ ରମେଶ ମଦ ବ୍ୟବସାୟୀଙ୍କୁ ସେମାନଙ୍କ ଆୟର ୨୦ ରୁ ୪୦ ପ୍ରତିଶତ ବଟି ଆକାରରେ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ବଟି ନଦେଲେ ଧମକଚମକ ଦେଉଥିଲେ। ମଦ ବ୍ୟବସାୟୀମାନେ ମାସକୁ ପ୍ରାୟ ୩ ଲକ୍ଷ ଟଙ୍କା ରମେଶଙ୍କ ଭଣଜା ପ୍ରଦୀପ ସ୍ୱାଇଁ ଅବା ମୁରଲୀଙ୍କୁ ନେଇ ଦେଉଥିଲେ। ପ୍ରଦୀପଙ୍କର ମଧ୍ୟ ଏକ ମଦ ଦୋକାନ ରହିଛି। ଏହି ଦାଦାବଟି ଟଙ୍କାରେ ରମେଶ ଗାଡ଼ି ଓ ଘର ଆଦି କରିଥିବା ସ୍ପଷ୍ଟ ହେଉଛି।”

ବିଶାଖାପାଟଣାରେ ରମେଶଙ୍କ ଗୁଟଖା ବ୍ୟବସାୟ ସଂପର୍କରେ ତଥ୍ୟ ସଂଗ୍ରହ ପାଇଁ ବୁଧବାର ଯାଇଥିବା ଏକ ପୋଲିସ୍ ଟିମ୍‌କୁ ବହୁ ତଥ୍ୟ ମିଳିଛି ବୋଲି ବ୍ରହ୍ମପୁର ଏସପି କହିଛନ୍ତି। ସେ କହିଛନ୍ତି,“ସେଠାରେ ଏକ ଘର ଓ ଗାଡ଼ି ଠାବ କରାଯାଇଛି। ରମେଶଙ୍କ ସହଯୋଗୀମାନେ ଏଠାରେ କୌଣସି ଅପରାଧ ଘଟାଇବା ପରେ ସେଠାରେ ଯାଇ ରହୁଥିଲେ। ଉକ୍ତ ଘରକୁ ସିଲ୍ କରି ଦିଆଯାଇଛି।  ଏହା ସହିତ ଗୁଟଖା କାରବାରରେ ତାଙ୍କୁ ସହଯୋଗ କରୁଥିବା ଭେଙ୍କଟ ପାତ୍ର ନାମକ ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ଜେରା କରାଯାଉଛି।”

ଜୋରଜବରଦସ୍ତି ଶସ୍ତାରେ ଜମି କିଣିବା ନେଇ ଗତକାଲି ଜଣେ ବ୍ୟକ୍ତି ଅଭିଯୋଗ କରିବା ପରେ ସେହିଭଳି ଆଉ କିଛି ଅଭିଯୋଗ ମଧ୍ୟ ରମେଶଙ୍କ ବିରୁଦ୍ଧରେ ଆସିଛି। ସେହି ଆଧାରରେ ସନାତନ ଜେନାଙ୍କ ସମେତ ଦୁଇଜଣ ବିଲଡରଙ୍କୁ ବ୍ରହ୍ମପୁର ପୋଲିସ୍ ଅଟକ ରଖି ପଚରାଉଚରା କରୁଛି।

ବ୍ରହ୍ମପୁର ଏସ୍‌ପି କହିଛନ୍ତି ଯେ ରମେଶ ଓ ତାଙ୍କ ସହଯୋଗୀମାନେ ଲୋକଙ୍କୁ ଧମକଚମକ ଦେଇ ଶସ୍ତାରେ ଜମି କିଣୁଥିଲେ। ଏ ନେଇ ଗତକାଲି ଜଣେ ବିଲ୍‌ଡର ଗିରଫ ହୋଇଥିବା ବେଳେ ଆଉ ଦୁଇ ଜଣ ବିଲ୍‌ଡରଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି।

ସେହିପରି ଭୁବନେଶ୍ୱରରେ ଗିରଫ ହୋଇଥିବା ଡକାୟତ ଗ୍ୟାଙ୍ଗର ସଦସ୍ୟ ସନ୍ତୋଷ ବେହେରାକୁ ୭ ଦିନିଆ ରିମାଣ୍ଡରେ ଆଣବା ପାଇଁ ବ୍ରହ୍ମପୁର ଏସଡିଜେଏମ୍ କୋର୍ଟରେ ଆବେଦନ କରାଯାଇଛି ବୋଲି ବ୍ରହ୍ମପୁର ଏସ୍‌ପି କହିଛନ୍ତି। ସନ୍ତୋଷଙ୍କ ସହିତ ରମେଶଙ୍କର ସଂପର୍କ ଥିବା ନେଇ କମିଶନରେଟ୍ ପୋଲିସ୍‌ ପ୍ରମାଣ ପାଇଛି। ସନ୍ତୋଷ ମାଧ୍ୟମରେ ରମେଶ ଭୁବନେଶ୍ୱରରେ ଟେଣ୍ଡର ଫିକ୍ସିଂ କରୁଥିଲେ ବୋଲି ଅଭିଯୋଗ ହୋଇଛି।

ସୂଚନାଯୋଗ୍ୟ, ରମେଶଙ୍କ ନାଁରେ ଦିନକୁ ଦିନ ମାମଲା ବଢ଼ି ଚାଲିଛି। ଗତକାଲି ଜମି ହଡ଼ପ ନେଇ ତାଙ୍କ ନାଁରେ ଏକ ମାମଲା ରୁଜୁ ହୋଇଥିଲା। ତା’ପୂର୍ବରୁ  ମାର୍ଚ୍ଚ ୧୨ ତାରିଖରେ ତାଙ୍କ ନାଁରେ ହତ୍ୟା ଓ ହତ୍ୟା ଉଦ୍ୟମ ଭଳି ଦୁଇଟି ସଙ୍ଗୀନ ମାମଲା ରୁଜୁ ହୋଇଥିଲା। ବେଆଇନ୍ ଅସ୍ତ୍ରଶସ୍ତ୍ର ରଖିବା ଓ ଅପରାଧୀଙ୍କୁ ଆଶ୍ରୟ ଦେବା ଅଭିଯୋଗରେ ମାର୍ଚ୍ଚ ୬ ତାରିଖରେ ରମେଶଙ୍କୁ ବ୍ରହ୍ମପୁର ପୋଲିସ୍ ଭୁବନେଶ୍ୱରରୁ ଉଠାଇ ନେବା ପରେ ଗିରଫ କରିଥିଲା।

Related story