ବିଧାନସଭାରେ ଆଇନଶୃଙ୍ଖଳା ଉପରେ ଆଜି ଥିଲା ଗୁରୁତ୍ୱପୂର୍ଣ ମୁଲତବି ଆଲୋଚନା। ଗତ କିଛି ଦିନ ଧରି ରାଜ୍ୟରେ ଘଟିଥିବା ପୁଲିସ୍ ହିଂସାକାଣ୍ଡ ଓ ମହିଳାଙ୍କ ଉପରେ ବଢ଼ି ଚାଲିଥିବା ଅତ୍ୟାଚାର ଅଭିଯୋଗ କରି ବିରୋଧୀ ସରକାରଙ୍କୁ ଘେରିଥିଲେ। ଆଲୋଚନା ଆରମ୍ଭ କରି ବିରୋଧୀ ଦଳ ନେତା ନରସିଂହ ମିଶ୍ର ରାଜ୍ୟରେ ବଢ଼ି ଚାଲିଥିବା ମହିଳା ନିର୍ଯାତନା ଓ ପୁଲିସ ନିର୍ଯାତନା ଉପରେ ଆଲୋକପାତ କରିଥିଲେ। କେନ୍ଦ୍ରାପଡାରେ ପୋଲିସର ଦମନଲୀଳା, ବେଲବାହାଳି ଓ ନମତାରାରେ ପୋଲିସର ସାଧାରଣ ଲୋକଙ୍କ ଉପରେ ପୋଲିସ ଅତ୍ୟାଚାର ଉପରେ ବର୍ଷିଥିଲେ ନରସିଂହ। ପୂର୍ବତନ ପୋଲିସ ଡିଜିଙ୍କ ସପକ୍ଷରେ କୋର୍ଟ ଦେଇଥିବା ରାୟ ସଂପର୍କରେ ନରସିଂହ ଆଲୋଚନା ବେଳେ ସାମ୍ନାକୁ ଆଣିଥିବା ବେଳେ ପରେ ଏହା ଗୃହ ବିବରଣୀରୁ ବାଦ୍ ଦିଆଗଲା ବୋଲି ବାଚସ୍ପତି କହିଥିଲେ। ବିଜେପି ସଭାପତି କେଭି ସିଂହଦେଓ ଆଲୋଚନାରେ ଭାଗ ନେଇ ଶ୍ୱେତପତ୍ର ତଥ୍ୟ ଅନୁସାରେ ଧର୍ତ୍ତବ୍ୟ ଅପରାଧ ବଢ଼ିଛି ବୋଲି କହିଥିଲେ। ଏଥି ସହିତ ବାଣୀବିହାର, ବେଲବାହାଳି ଓ ବାରିମୂଳରେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଉପରେ କହିଥିଲେ। ଆଲୋଚନାର ଉତ୍ତରରେ ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟରେ ଆଇନଶୃଙ୍ଖଳା ନିୟନ୍ତ୍ରଣାଧୀନ ଅଛି। ୩ଟି ଜିଲ୍ଲାକୁ ଛାଡିଲେ ଅନ୍ୟ ଜିଲ୍ଲାରେ ମାଓବାଦୀ କାର୍ଯ୍ୟକଳାପ କମିଛି। ମାଓ ଅଧ୍ୟୁଷିତ ଅଂଚଳରେ ଯୋଗାଯୋଗ ସୁବିଧା ପାଇଁ ୨୫୩ଟି ଜାଗାରେ ନୂଆ ମୋବାଇଲ ଟାୱାର ତିଆରି କରାଯିବ ବୋଲି ସେ କହିଥିଲେ। ନିଜେ ତିଷ୍ଠି ରହିବା ପାଇଁ ବିରୋଧୀ କପୋଳକଳ୍ପିତ ଅଭିଯୋଗ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ତେବେ ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଉତ୍ତର ଦେବା ପୂର୍ବରୁ ବିରୋଧୀ କକ୍ଷତ୍ୟାଗ କରିଥିଲେ। ବାଚସ୍ପତି ଠିକ୍ ଭାବେ ଗୃହ ପରିଚାଳନା କରୁ ନାହାନ୍ତି ବୋଲି ଅଭିଯୋଗ କରି ବିରୋଧୀ କକ୍ଷତ୍ୟାଗ କରିଥିଲେ।