ବଡ଼ଦାଣ୍ଡ ମରାମତି କାର୍ଯ୍ୟ ଏପର୍ଯ୍ୟନ୍ତ ଆରମ୍ଭ ହୋଇପାରି ନାହିଁ, ବାକି କଥା ଛାଡ଼ନ୍ତୁ: ପ୍ରସାଦ ହରିଚନ୍ଦନ

ଭୁବନେଶ୍ୱର: ନବକଳେବର ପାଇଁ ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ଭିତ୍ତିଭୂମିର ଉଦଘାଟନ କରିବେ। ଆଉ ଏହା ପୂର୍ବରୁ ଶୁକ୍ରବାର କଂଗ୍ରେସ ପକ୍ଷରୁ ନବକଳେବର ଭିତ୍ତିଭୂମି ନେଇ ସରକାରଙ୍କୁ ତୀବ୍ର ସମାଲୋଚନା କରାଯାଇଛି। ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି ଯେ ବାକି କଥା ଛାଡ଼ନ୍ତୁ, ଏଯାଏଁ ବଡ଼ଦାଣ୍ଡର ମରାମତି କାର୍ଯ୍ୟ ଆରମ୍ଭ ହୋଇନାହିଁ। ଶେଷ ହେବା ତ ଦୂର କଥା। ପ୍ରସାଦ କହିଛନ୍ତି, ପ୍ରଥମେ ସରକାର କହିଥିଲେ ନବକଳେବର ପାଇଁ ଭିତ୍ତିଭୂମି କାର୍ଯ୍ୟ ମାର୍ଚ୍ଚ […]

prasadharichandan

prasadharichandan

Rakesh Mallick
  • Published: Friday, 03 July 2015
  • Updated: 04 July 2015, 01:29 AM IST

Sports

Latest News

ଭୁବନେଶ୍ୱର: ନବକଳେବର ପାଇଁ ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ଭିତ୍ତିଭୂମିର ଉଦଘାଟନ କରିବେ। ଆଉ ଏହା ପୂର୍ବରୁ ଶୁକ୍ରବାର କଂଗ୍ରେସ ପକ୍ଷରୁ ନବକଳେବର ଭିତ୍ତିଭୂମି ନେଇ ସରକାରଙ୍କୁ ତୀବ୍ର ସମାଲୋଚନା କରାଯାଇଛି। ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି ଯେ ବାକି କଥା ଛାଡ଼ନ୍ତୁ, ଏଯାଏଁ ବଡ଼ଦାଣ୍ଡର ମରାମତି କାର୍ଯ୍ୟ ଆରମ୍ଭ ହୋଇନାହିଁ। ଶେଷ ହେବା ତ ଦୂର କଥା।

ପ୍ରସାଦ କହିଛନ୍ତି, ପ୍ରଥମେ ସରକାର କହିଥିଲେ ନବକଳେବର ପାଇଁ ଭିତ୍ତିଭୂମି କାର୍ଯ୍ୟ ମାର୍ଚ୍ଚ ୩୧ ସୁଦ୍ଧା ସରିଯିବ। ପରେ କହିଲେ ମାର୍ଚ୍ଚ ନୁହେଁ, ମେ ୧୫ ତାରିଖ ସୁଦ୍ଧା ସବୁ କାର୍ଯ୍ୟ ଶେଷ ହୋଇଯିବ। କିଛି ଦିନ ପରେ ପୁଣି କହିଲେ ଭିତ୍ତିଭୂମି କାର୍ଯ୍ୟର ଶେଷ ତାରିଖ ଜୁନ୍ ୩୦କୁ କରି ଦିଆଯାଇଛି। ଆଉ ଏହା ସମୟ ମଧ୍ୟରେ ସବୁ ସଂପୂର୍ଣ୍ଣ ହୋଇଯିବ। ତିନି ଦିନ ତଳେ ସରକାର କହିଥିଲେ ୯୫ ଭାଗ କାମ ସରି ଯାଇଛି। କିନ୍ତୁ ଗତକାଲି ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ସମୀକ୍ଷା ବୈଠକ ପରେ କୁହାଗଲା ଜୁଲାଇ ୧୦ ତାରିଖ ସୁଦ୍ଧା ସବୁ କାମ ସରିଯିବ। ରଥଯାତ୍ରାକୁ ଆଉ ଦୁଇ ସପ୍ତାହ ରହିଥିବା ବେଳେ ସରକାର ଭିତ୍ତିଭୂମି କାର୍ଯ୍ୟ ଶେଷ ନେଇ ତାରିଖ ପରେ ତାରିଖ ଗଡ଼ାଇ ଚାଲିଛନ୍ତି। ପୁଣି କାର୍ଯ୍ୟ ଶେଷ ହେବା ନେଇ ଯେଉଁ ତଥ୍ୟ ଦେଉଛନ୍ତି ତାହା ବି ଭୁଲ୍। ବାସ୍ତବ ଚିତ୍ରକୁ ସରକାର ଚପାଇ ରଖିଛନ୍ତି। ରଥଯାତ୍ରା ପୂର୍ବରୁ ଭିତ୍ତିଭୂମି କାର୍ଯ୍ୟ ସରିପାରିବ ନାହିଁ। ସରକାର ଭିତ୍ତିଭୂମି କାର୍ଯ୍ୟ ଶେଷ ହୋଇଯିବା କଥା କହୁଛନ୍ତି କିନ୍ତୁ ଏଯାଏଁ ବଡ଼ଦାଣ୍ଡ ମରାମତି କାର୍ଯ୍ୟ ଆରମ୍ଭ ହୋଇପାରିଲା ନାହିଁ। ସେହିପରି ମାଉସୀ ମା’ ମନ୍ଦିର ନିକଟସ୍ଥ ବସ୍ ଷ୍ଟାଣ୍ଡର ଉନ୍ନୀତକରଣ କାର୍ଯ୍ୟ ଏଯାଏଁ ଆରମ୍ଭ ହୋଇପାରିଲା ନାହିଁ। ଏଥିପାଇଁ ୨କୋଟି ୪୦ ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଥିଲା। କିନ୍ତୁ ପଇସାଟିଏ ଖର୍ଚ୍ଚ କରାଯାଇ ନାହିଁ।

ପ୍ରସାଦ କହିଛନ୍ତି ଯେ ରାସ୍ତା, ବିଦ୍ୟୁତ, ପରିମଳ, ପାଣି ଓ ସ୍ୱାସ୍ଥ୍ୟ ସହିତ ସବୁ କ୍ଷେତ୍ରରେ ସରକାର ବିଫଳ ହୋଇଛନ୍ତି। ନବକଳେବକୁ ଦୃଷ୍ଟିରେ ରଖି କେବଳ ବିଦ୍ୟୁତ ବିଭାଗକୁ ସରକାର ୩୦୫ କୋଟି ଟଙ୍କା ଦେଇଥିଲେ। କିନ୍ତୁ ଏବେବି ପୁରୀ ସହରରେ ଦିନକୁ ୧୪ ଥର ବିଦ୍ୟୁତ୍ କାଟ ହେଉଛି। ସରକାର ଜବାବ ରଖିବା ଉଚିତ୍ କେତେ ପଇସା ଖର୍ଚ୍ଚ କରିଛନ୍ତି ଓ କେଉଁଠି ଖର୍ଚ୍ଚ କରିଛନ୍ତି।

ପାଣି କଥା ତହୁଁ ବଳି। ଖାସ୍ ନବକଳେବରକୁ ଦୃଷ୍ଟିରେ ରଖି ସାମଙ୍ଗରୁ ଜଳଯୋଗାଣ ପାଇଁ ୩୦୦ କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଥିଲା। ବର୍ତ୍ତମାନ ଏହି ପ୍ରକଳ୍ପର ଅଗ୍ରଗତି ଯେତିକି ତାହା ଦେଖିଲେ ଜଣାପଡୁଛି ଆସନ୍ତା ଦୁଇ ବର୍ଷ ପର୍ଯ୍ୟନ୍ତ ଏହା ଶେଷ ହୋଇପାରିବ ନାହିଁ। ପୁଣି କେବଳ ପୁରୀ ସହରରେ ୧୩୬୮ଟି ନଳକୂପ ଅଚଳ ହୋଇପଡ଼ିଛି। ସେଗୁଡ଼ିକର ମରାମତି ଏଯାଏଁ ହୋଇପାରିଲା ନାହିଁ।

ସେ କହିଛନ୍ତି, ପୁରୀର ପରିମଳ ସ୍ଥିତି ନକହିଲେ ଭଲ। ସହର ମଧ୍ୟରେ ମୋଟ ୧୩୫ଟି ନଳା ରହିଛି। ଏଥିରୁ ଏଯାବତ ୬୫ଟିର ସଫେଇ କାର୍ଯ୍ୟ ସରିଛି। ବାକିଗୁଡ଼ିକ ସେମିତି ଆବର୍ଜନାରେ ଭର୍ତ୍ତି ହୋଇପଡ଼ିଛି। ରଥଯାତ୍ରା ବେଳେ ବର୍ଷା ହେଲେ ପୂରା ସହରରେ ସୃଷ୍ଟି ହେବ କୃତ୍ରିମ ବନ୍ୟା। ତାହା ପୁଣି ନାଳନର୍ଦ୍ଦମାର ପଚା ପାଣିର ବନ୍ୟା। ରଥଯାତ୍ରା ବେଳେ ଦୈନିକ ପୁରୀକୁ ୪ରୁ୫ ଲକ୍ଷ ଲୋକ ଆସିବେ ବୋଲି କୁହାଯାଉଛି। ତା’ହେଲେ କ’ଣ ହେବ ସେମାନଙ୍କ ଅବସ୍ଥା।

ପ୍ରସାଦ କହିଛନ୍ତି ଯେ ପାଣି ଓ ପରିମଳ ଅବବ୍ୟସ୍ଥା ଯୋଗୁ ଏବେ ପୁରୀ ସହରରେ କାମଳ ରୋଗର ଆତଙ୍କ ଦେଖାଯାଇଛି। କେବଳ ପୁରୀର ସରକାରୀ ଡାକ୍ତରଖାନାରେ ୩୫୦ କାମଳ ରୋଗୀ ଚିକିତ୍ସିତ ହେଉଛନ୍ତି। ପ୍ରକୃତ ଆକ୍ରାନ୍ତଙ୍କ ସଂଖ୍ୟା ୮୦୦ ଟପିଯିବ। ଏଭଳି ସ୍ଥିତିରେ ପୁରୀ ସଦର ମେଡିକାଲରେ ଖାଲି ଅଛି ୧୬ଟି ଡାକ୍ତର ପଦବୀ। ସେଗୁଡ଼ିକ ଏଯାଏଁ ପୂରଣ ହୋଇପାରିଲା ନାହିଁ। ପୂରା ଜିଲ୍ଲାର ବିଭିନ୍ନ ଡାକ୍ତରଖାନାରେ ୫୮ଟି ଡାକ୍ତର ପଦବୀ ଖାଲି ପଡ଼ିଛି। ପୁରୀରେ ତିନିଟି ନୂଆ ଡାକ୍ତରଖାନା ଖୋଲା ଯାଇଛି ବୋଲି କହି ନିଜକୁ ନିଜେ ବାଃ ବାଃ ଦେଉଛନ୍ତି ସରକାର। କିନ୍ତୁ ଏଯାଏଁ ଏହି ଡାକ୍ତରଖାନା ଗୁଡ଼ିକରେ ଡାକ୍ତର କିମ୍ବା ଅନ୍ୟ କର୍ମଚାରୀ ନିଯୁକ୍ତ ହୋଇପାରି ନାହାନ୍ତି।

ସେହିପରି ପୁରୀ ସହରର ରାସ୍ତାଗୁଡ଼ିକର ମରାମତି ଓ ଉନ୍ନୀତିକରଣ କାର୍ଯ୍ୟ ଏଯାଏଁ ଶେଷ ହୋଇନାହିଁ କି ହେବାର ସମ୍ଭାବନା ବି ନାହିଁ ବୋଲି ପିସିସି ସଭାପତି କହିଛନ୍ତି।

ରାଜ୍ୟ ସରକାରଙ୍କ ସହିତ କେନ୍ଦ୍ରର ବିଜେପି ସରକାରକୁ ବି ଟାର୍ଗେଟ୍ କରିଛନ୍ତି ପ୍ରସାଦ। ସେ କହିଛନ୍ତି, ପୁରୀକୁ ହେଉଥିବା ଜାତୀୟ ରାଜପଥ ସଂପ୍ରସାରଣ କାର୍ଯ୍ୟ ଶେଷ ହୋଇପାରିଲା ନାହିଁ। ଏହା ସଂପୂର୍ଣ୍ଣ ହୋଇପାରିବ ନାହିଁ ବୋଲି କେନ୍ଦ୍ର ସରକାରଙ୍କ ସଂସ୍ଥା ହାଇକୋର୍ଟରେ ହାତ ଟେକି ଦେଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos