ପୁରୀ: ବାଟରେ ଅଟକିଲେ ଜଗନ୍ନାଥ ଓ ସୁଭଦ୍ରାଙ୍କ ରଥ

ପୁରୀ: ପ୍ରାୟ ୧୫ ଲକ୍ଷ ଭକ୍ତିଙ୍କ ଉପସ୍ଥିତିରେ ଆଜି ସୁରୁଖୁରୁରେ ସମାପନ ହୋଇଛି ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା। ତେବେ କେବଳ ବଳଭଦ୍ରଙ୍କ ରଥ ତାଳଧ୍ୱଜ ହିଁ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚି ପାରିଛି। ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ବଡ଼ଶଙ୍ଖଠାରେ ଅଟକି ଥିବା ବେଳେ ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ବଳଗଣ୍ଡି ଠାରେ ଅଟକି ଯାଇଛି। ଆସନ୍ତାକାଲି ପୁଣି ଥରେ ଏହି ଦୁଇ ରଥ ଟଣା ଆରମ୍ଭ କରାଯିବ। ଶ୍ରୀଜିଉମାନଙ୍କର ଆଜିର ବାକି ନୀତିକାନ୍ତି ରଥ ଉପରେ […]

ratha

ratha

Rakesh Mallick
  • Published: Saturday, 18 July 2015
  • Updated: 19 July 2015, 01:04 AM IST

Sports

Latest News

ପୁରୀ: ପ୍ରାୟ ୧୫ ଲକ୍ଷ ଭକ୍ତିଙ୍କ ଉପସ୍ଥିତିରେ ଆଜି ସୁରୁଖୁରୁରେ ସମାପନ ହୋଇଛି ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା। ତେବେ କେବଳ ବଳଭଦ୍ରଙ୍କ ରଥ ତାଳଧ୍ୱଜ ହିଁ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚି ପାରିଛି। ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ବଡ଼ଶଙ୍ଖଠାରେ ଅଟକି ଥିବା ବେଳେ ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ବଳଗଣ୍ଡି ଠାରେ ଅଟକି ଯାଇଛି। ଆସନ୍ତାକାଲି ପୁଣି ଥରେ ଏହି ଦୁଇ ରଥ ଟଣା ଆରମ୍ଭ କରାଯିବ। ଶ୍ରୀଜିଉମାନଙ୍କର ଆଜିର ବାକି ନୀତିକାନ୍ତି ରଥ ଉପରେ ହିଁ ସମାପନ କରାଯିବ। ସକାଳ ୮ଟା ରୁ ସାଢ଼େ ଆଠଟା ସୁଦ୍ଧା ସବୁ ନୀତିକାନ୍ତି ଶେଷ ହୋଇଯିବା ପରେ ପୁଣି ରଥଟଣା ଆରମ୍ଭ କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି।

vlcsnap-2015-07-18-12h10m25s880

ଗଜପତି ମହାରାଜ ଦିବ୍ୟସିଂହ ଦେବ ଛେରାପହଁରା କରି ଯିବା ପରେ ଅପରାହ୍ନ ୩ଟା ୩୫ ମିନିଟରୁ ଆରମ୍ଭ ହୋଇଥିଲା ରଥ ଟଣା। ଛେରାପହଁରା ଶେଷ ହେବା ପରେ ଗୋଟି ଘୋଟି କରି ତିନି ରଥର ଚାରମାଳ ଖୋଲି ଦିଆଯାଇଥିଲା ଓ ଘୋଡ଼ା ଯୋଚା ଯାଇଥିଲା ଏବଂ ସାରଥୀ ଲଗାଯାଇଥିଲା। ଏହା ପରେ ପ୍ରଥମେ ଶ୍ରୀବଳଭଦ୍ରଙ୍କ ରଥକୁ ଟଣା ଯାଇଥିଲା। ଅପରାହ୍ନ ୩ଟା ୩୫ ମିନିଟରେ ଶ୍ରୀବଳଭଦ୍ରଙ୍କ ରଥ ଟଣା ଯାଇଥିଲା। କଡ଼ା ସୁରକ୍ଷା ବଳୟ ମଧ୍ୟରେ ଶ୍ରୀବଳଭଦ୍ରଙ୍କ ରଥ ଟଣା ହେବାର ପ୍ରାୟ ୪୫ ମିନିଟ୍ ପରେ ବଡ଼ଦାଣ୍ଡରେ ଗଡ଼ିଥିଲା ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ। ଅପରାହ୍ନ ପ୍ରାୟ ୪ଟା ୨୦ ମିନିଟରେ ମା’ ସୁଭଦ୍ରାଙ୍କ ରଥ ଟଣା ହୋଇଥିଲା। ମହାପ୍ରଭୁ ଜଗନ୍ନାଥଙ୍କ ରଥ ଗଡ଼ିବାର ଦୃଶ୍ୟକୁ ଦେଖିବାକୁ ଲକ୍ଷ ଲକ୍ଷ ଭକ୍ତଙ୍କୁ ଆହୁରି ପ୍ରାୟ ଘଣ୍ଟାଏ ଅପେକ୍ଷା କରିବାକୁ ପଡ଼ିଥିଲା। ପ୍ରାୟ ୫ଟା ୧୦ ମିନିଟରେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟଣା ଆରମ୍ଭ କରାଯାଇଥିଲା।

festivemood1

ଆଜି ସକାଳ ୬ଟାରୁ ଆରମ୍ଭ ହୋଇଥିଲା ଶ୍ରୀବିଗ୍ରହମାନଙ୍କ ରୀତିକାନ୍ତି। ସକାଳ ୬ଟାରେ ମଙ୍ଗଳ ଆଳିତରୁ ଏହା ଆରମ୍ଭ ହୋଇଥିଲା। ତା’ପରେ ମଇଲମ, ତଡ଼ପଲାଗି ଓ ରୋଷହୋମ ନୀତି, ଅବକାଶ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା ଓ ବେଶ, ଗୋପାଳବଲ୍ଲଭ, ସକାଳ ଧୂପ ଓ ଖୋଚୁଡ଼ି ଭୋଗ ଲାଗି ହେବା ପରେ ରଥ ପ୍ରତିଷ୍ଠା ଓ ମଙ୍ଗଳାର୍ପଣ କାର୍ଯ୍ୟ ସଂପନ୍ନ ହୋଇଥିଲା। ତା’ପରେ ଆରମ୍ଭ ହୋଇଥିଲା ପହଣ୍ଡି ବିଜେ। ପ୍ରଥମେ ସୁଦର୍ଶନଙ୍କୁ ପହଣ୍ଡି ବିଜେରେ ଅଣାଯାଇ ମା’ସୁଭାଦ୍ରାଙ୍କ ଦେବଦଳନ ରଥରେ ବିଜେ କରାଯାଇଥିଲା। ଏହା ପରେ ଶ୍ରୀବଳଭଦ୍ରଙ୍କୁ ପହଣ୍ଡିରେ ଅଣାଯାଇ ତାଳଧ୍ୱଜ ରଥରେ ବିଜେ କରାଯାଇଥିଲା। ତା’ପରେ ଦେବୀ ସୁଭଦ୍ରା ଓ ମହାପ୍ରଭୁ ଶ୍ରୀଜଗନ୍ନାଥ ରଥାରୂଢ଼ ହୋଇଥିଲେ। ନିର୍ଦ୍ଧାରିତ ସମୟ ପୂର୍ବରୁ ସୁରୁଖୁରୁରେ ପହଣ୍ଡି ବିଜେ ଶେଷ କରାଯାଇଥିଲା। ମଦନମୋହନ ଓ ରାମକୃଷ୍ଣ ରଥରେ ବିଜେ ହେବା ପରେ ଚିତାଲାଗି ନୀତି ସହିତ ବେଶ ଆଦି ସଂପନ୍ନ କରାଯାଇଥିଲା। ପ୍ରାୟ ୩ଟା ବେଳକୁ ଗଜପତି ମହାରାଜା ଦିବ୍ୟସିଂହ ଦେବ ଆସି ତିନି ରଥରେ ଛେରାପହଁରା କରିଥିଲେ।

festivemood4

ଅନ୍ୟପକ୍ଷରେ ପୂର୍ବ ବର୍ଷ ଗୁଡ଼ିକ ଅପେକ୍ଷା ପୁରୀ ରଥଯାତ୍ରା ଦେଖିବା ପାଇଁ ବଡ଼ଦାଣ୍ଡରେ ଅଧିକ ସଂଖ୍ୟକ ଭକ୍ତଙ୍କ ସମାଗମ ହୋଇଥିଲା। ପ୍ରାୟ ୧୫ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥିଲା ବୋଲି କୁହାଯାଉଛି। ସକାଳୁ ହିଁ ଭିଡ଼ ଲାଗିଥିଲା। ଖୋଦ୍ ଗଜପତି ଦିବ୍ୟସିଂହ ଦେବ କହିଥିଲେ ଯେ ରଥଟଣା ବେଳେ ଯେଉଁ ଭିଡ଼ ଦେଖାଯାଏ ସେ ଭିଡ଼ ଆଜି ସକାଳୁ ଦେଖିବାକୁ ମିଳିଥିଲା। କୌଣସି ବର୍ଷ ଏମିତି ଭିଡ଼ ଦେଖିବାକୁ ମିଳି ନଥିଲା। ଓଡ଼ିଶୀ ନୃତ୍ୟ, ଗୋଟି ପୁଅ ନାଚ, ବନାଟୀ ଖେଳ ଆଦି ବଡ଼ଦାଣ୍ଡରେ ଦେଖିବାକୁ ମିଳିଥିଲା। ସେହିପରି ମୃଦଙ୍ଗ ଆଦିରେ ପ୍ରକମ୍ପିତ ହୋଇଥିଲା ବଡ଼ଦାଣ୍ଡ।

festivemood3

ପାଗ ଭଲ ଥିଲା। ବର୍ଷା ହୋଇ ନଥିଲା କି ଖରା ବି ହୋଇ ନଥିଲା। ତେବେ ଗୁଳୁଗୁଳି ହେଉଥିଲା। ପ୍ରଶାସନ ପକ୍ଷରୁ ପାଣି ଛିଞ୍ଚା ଯାଉଥିଲା। ତଥାପି ୫୦୦ରୁ ଅଧିକ ଲୋକ ମୂର୍ଚ୍ଛା ଯାଇଥିଲା। ପୁଣି ରଥଟଣା ବେଳେ ମାର୍କେଟ ଛକଠାରୁ ବଳଗଣ୍ଡି ଛକ ମଧ୍ୟରେ ଓ ମରଚୀକୋଟ ନିକଟସ୍ଥ ହିନ୍ଦୀ ସ୍କୁଲ ପାଖରେ ଠେଲାପେଲାରେ ଦୁଇ ଜଣ ମହିଳାଙ୍କ ମୃତ୍ୟୁ ହୋଇଛି। ଆଉ ୪ରୁ୫ ଆହତ ହୋଇଛନ୍ତି। ଏହା ବ୍ୟତୀତ ଆଜି ନବକଳେବର ରଥଯାତ୍ରା ବେଳେ ଆଉ କିଛି ଅଘଟଣ ଘଟି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos