କେନ୍ଦ୍ରମନ୍ତ୍ରୀଙ୍କ ଗାଡ଼ି ଭଙ୍ଗାରୁଜା ଘଟଣାରେ ବିଜେପିର ରାଜଭବନ ସମ୍ମୁଖରେ ବିକ୍ଷୋଭ

ଭୁବନେଶ୍ୱର: ବରଗଡ଼ରେ କେନ୍ଦ୍ରମନ୍ତ୍ରୀ ସନ୍ତୋଷ ଗଙ୍ଗୱାରଙ୍କ ଗାଡ଼ି ଉପରେ ଆକ୍ରମଣ ଘଟଣାରେ ବିଜେପି ଆଜି ରାଜଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି। ଏହି ଘଟଣାରେ ସଂପୃକ୍ତ ବ୍ୟକ୍ତିଙ୍କ ଉପରେ ଦଳ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି । ଏଥିସହ ଡାକ୍ତର ମୋତିଲାଲ୍ ଓ ଅଭିନେତାରୁ ନେତା ସାଜିଥିବା ପପୁ ପମ୍‌ପମ୍‌ ପ୍ରସଙ୍ଗରେ ମଧ୍ୟ ଦଳ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରିଛି। ବିକ୍ଷୋଭରେ ରାଜ୍ୟ ବିଜେପିର ସବୁ ଆଗଧାଡିର ନେତା ଏକାଠି ହୋଇ ଏହି ଘଟଣା ପାଇଁ ମୁଖ୍ୟମନ୍ତ୍ରୀ, […]

bbsr

Rakesh Mallick
  • Published: Monday, 04 July 2016
  • , Updated: 04 July 2016, 10:23 PM IST

ଭୁବନେଶ୍ୱର: ବରଗଡ଼ରେ କେନ୍ଦ୍ରମନ୍ତ୍ରୀ ସନ୍ତୋଷ ଗଙ୍ଗୱାରଙ୍କ ଗାଡ଼ି ଉପରେ ଆକ୍ରମଣ ଘଟଣାରେ ବିଜେପି ଆଜି ରାଜଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି। ଏହି ଘଟଣାରେ ସଂପୃକ୍ତ ବ୍ୟକ୍ତିଙ୍କ ଉପରେ ଦଳ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି । ଏଥିସହ ଡାକ୍ତର ମୋତିଲାଲ୍ ଓ ଅଭିନେତାରୁ ନେତା ସାଜିଥିବା ପପୁ ପମ୍‌ପମ୍‌ ପ୍ରସଙ୍ଗରେ ମଧ୍ୟ ଦଳ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରିଛି।

ବିକ୍ଷୋଭରେ ରାଜ୍ୟ ବିଜେପିର ସବୁ ଆଗଧାଡିର ନେତା ଏକାଠି ହୋଇ ଏହି ଘଟଣା ପାଇଁ ମୁଖ୍ୟମନ୍ତ୍ରୀ, ବରଗଡ଼ ବିଧାୟକ, ମନ୍ତ୍ରୀ ଏବଂ ସାଂସଦଙ୍କୁ ଟାର୍ଗେଟ କରିଥିଲେ। ଦଳ ପକ୍ଷରୁ ଅଭିଯୋଗ କରାଯାଇଛି, ମୁଖ୍ୟମନ୍ତ୍ରୀଙ୍କ ଇଙ୍ଗିତରେ ବିଜେଡିର ଏହି ୩ ନେତା କେନ୍ଦ୍ରମନ୍ତ୍ରୀଙ୍କ ଉପରେ ଆକ୍ରମଣ ଘଟଣାକୁ ସଫଳ ରୂପାୟନ କରିଥିଲେ। ଜିଲ୍ଲା ଏସ୍‌ପି ଓ ପୋଲିସ ଡିଜିଙ୍କୁ ମଧ୍ୟ ବିଜେପି ଛାଡିନାହିଁ। ପୋଷ୍ଠର, ବ୍ୟାନର ଓ ସ୍ୱତନ୍ତ୍ର ଗୀତ ମାଧ୍ୟମରେ ଆକ୍ରମଣକୁ ଶାଣିତ କରିଥିଲା। ସରକାର ଓ ପୋଲିସ କାର୍ଯ୍ୟାନୁଷ୍ଠାନ ନେଉ ନ ଥିବାର ଅଭିଯୋଗ କରି ରାଜ୍ୟପାଳଙ୍କ ପାଖରେ ଫେରାଦ ହୋଇଛି। ସ୍ଥିତି ନ ବଦଳିଲେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ପାଇଁ ବାଟ ଫିଟିଯିବ ବୋଲି ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂ ପୁଣି ଥରେ ଚେତାଇଛନ୍ତି।

ବିଜେପି ନେତା ଭୃଗୁ ବକ୍ସିପାତ୍ର  କହିଛନ୍ତି,“ଗତ ୨୪ ତାରିଖରେ ବରଗଡ଼ରେ ଯେଉଁ ଘଟଣା ଘଟିଲା ଏହା କେବଳ କେନ୍ଦ୍ରମନ୍ତ୍ରୀ ଓ ଭାରତୀୟ ଜନତା ପାର୍ଟିର ନେତାଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇ ନାହିଁ ବରଂ ଏହା ଓଡିଶାର ଐତିହ୍ୟ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ମନ୍ତ୍ରୀ, ବିଧାୟକ, ସାଂସଦ, ପୋଲିସ୍ ଏସ୍‌ପି ଓ ଜିଲ୍ଳାପାଳଙ୍କ ଷଡ଼ଯନ୍ତ୍ରରେ କେନ୍ଦ୍ରମନ୍ତ୍ରୀଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା। ମୁଖ୍ୟମନ୍ତ୍ରୀ ଏହି ଘଟଣାରେ ଆର୍‌ଡିସି ତଦନ୍ତ ଘୋଷଣା କଲେ। କିନ୍ତୁ ଯେଉଁ ଆର୍‌ଡିସିଙ୍କୁ ତଦନ୍ତର ଦାୟିତ୍ୱ ଦିଆଗଲା ତାଙ୍କୁ ଦୁଇ ଦିନ ମଧ୍ୟରେ ବଦଳି କରାଗଲା।  ମୁଖ୍ୟମନ୍ତ୍ରୀ ଏହି ତଦନ୍ତକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛନ୍ତି। ଭାରତୀୟ ଜନତା ପାର୍ଟିର କେନ୍ଦ୍ରମନ୍ତ୍ରୀଙ୍କ ଉପରେ ଯେଉଁଭଳି ଭାବରେ ରାଜ୍ୟ ସରକାର ଆକ୍ରମଣ କରିଛନ୍ତି ସାରା ଓଡ଼ିଶାରେ ଏହା ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି।”

ବିଜେଡି ମୁଖପାତ୍ର ସମୀର ଦାସ କହିଛନ୍ତି,“ ବର୍ତ୍ତମାନ କଂଗ୍ରେସ ଓ ବିଜେପି ମଧ୍ୟରେ ଲଢେଇ ଚାଲିଛି। କଂଗ୍ରେସ ମୁଖ୍ୟ ବିରୋଧୀ ଦଳ ହୋଇ ରହିଥିବାରୁ ବିଜେପି କିପରି ମୁଖ୍ୟ ବିରୋଧୀ ଦଳ ହୋଇ ପାରିବ ସେ ନେଇ ରାଜନୈତିକ ଡ୍ରାମା ଚାଲିଛି। ବରଗଡ଼ ଘଟଣାରେ କାର୍ଯ୍ୟାନୁଷ୍ଠାନ ନିଆ ସରିଛି। ପପୁ ପମ୍‌ ପମ୍‌ ହେଉକି ମୋତିଲାଲ୍‌ ଗୌଡ ସବୁ ଘଟଣାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।  ଯେଉଁ ଧନଶାଳୀ ଲୋକ ରାସନକାର୍ଡ ହାତେଇଛନ୍ତି ତାଙ୍କ ବିରୋଧରେ ମାମଲା ରୁଜୁ ହେଉଛି। ସେମାନଙ୍କୁ ଗିରଫ କରାଯାଉଛି। ବିଜେପି କେବଳ ରାଜନୈତିକ ଭାଷଣବାଜି କରୁଛି।”

Related story