ଭବାନୀପାଟଣା: କାନ୍ଧରେ ଶବ ବୁହା ହେବା ଘଟଣାରେ ମେଡିକାଲ କର୍ତ୍ତୃପକ୍ଷଙ୍କୁ କ୍ଲିନଚିଟ୍‌

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ କାନ୍ଧରେ ସ୍ତ୍ରୀର ମୃତଦେହ ବୋହିବା ଘଟଣାର ତଦନ୍ତ କରି ଉପଜିଲ୍ଲାପାଳ ଜିଲ୍ଳାପାଳଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି। ଏଥିରେ ସେ ମେଡିକାଲ କର୍ତ୍ତୃପକ୍ଷଙ୍କୁ କ୍ଲିନ୍‌ଚିଟ୍‌ ଦେଇଛନ୍ତି ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି। ଉପଜିଲ୍ଲାପାଳ ସୁକାନ୍ତ ତ୍ରିପାଠୀ ତଦନ୍ତ ବେଳେ ୧୦ ଜଣଙ୍କ ବୟାନ ନେଇଥିଲେ। ମୃତା ମହିଳାଙ୍କ ସ୍ୱାମୀ କାହାକୁ କିଛି ନ ଜଣାଇ ମେଡିକାଲରୁ ଶବ ନେଇ ଯାଇଥିବା ଉପଜିଲ୍ଲାପାଳ ତାଙ୍କ ରିପୋର୍ଟରେ ଦର୍ଶାଇଥିବା ଜଣାପଡିଛି। ରିପୋର୍ଟ ମିଳିବା ପରେ ସନ୍ଧ୍ୟାରେ ଜିଲ୍ଲାପାଳ ଘଟଣଶର […]

bhabanipatana

Rakesh Mallick
  • Published: Thursday, 25 August 2016
  • , Updated: 25 August 2016, 11:32 PM IST

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ କାନ୍ଧରେ ସ୍ତ୍ରୀର ମୃତଦେହ ବୋହିବା ଘଟଣାର ତଦନ୍ତ କରି ଉପଜିଲ୍ଲାପାଳ ଜିଲ୍ଳାପାଳଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି। ଏଥିରେ ସେ ମେଡିକାଲ କର୍ତ୍ତୃପକ୍ଷଙ୍କୁ କ୍ଲିନ୍‌ଚିଟ୍‌ ଦେଇଛନ୍ତି ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି।

ଉପଜିଲ୍ଲାପାଳ ସୁକାନ୍ତ ତ୍ରିପାଠୀ ତଦନ୍ତ ବେଳେ ୧୦ ଜଣଙ୍କ ବୟାନ ନେଇଥିଲେ। ମୃତା ମହିଳାଙ୍କ ସ୍ୱାମୀ କାହାକୁ କିଛି ନ ଜଣାଇ ମେଡିକାଲରୁ ଶବ ନେଇ ଯାଇଥିବା ଉପଜିଲ୍ଲାପାଳ ତାଙ୍କ ରିପୋର୍ଟରେ ଦର୍ଶାଇଥିବା ଜଣାପଡିଛି। ରିପୋର୍ଟ ମିଳିବା ପରେ ସନ୍ଧ୍ୟାରେ ଜିଲ୍ଲାପାଳ ଘଟଣଶର ସମୀକ୍ଷା କରିଛନ୍ତି।

ସିଡିଏମ୍‌ଓ ବ୍ରଜ କିଶୋର ବ୍ରହ୍ମା କହିଛନ୍ତି, “ଡାକ୍ତର ତାଙ୍କୁ ମୃତ ଘୋଷଣା କରି ନ ଥିଲେ କି ନେଇ ଯିବାକୁ କେହି କହି ନ ଥିଲେ। ରାତିରେ ପତ୍ନୀ ମରିଯାଇଥିବା ଭାବି ସେ ନେଇ ପଳାଇଥିଲେ। ଆମେ ପାଖ ବେଡର ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କୁ ପଚାରି ଥିଲୁ, ସେମାନେ କିଛି ଜାଣି ନ ଥିବା କହିଛନ୍ତି। ଏପରିକି ଡ୍ୟୁଟିରେ ଥିବା ଦିଦିଙ୍କୁ ମଧ୍ୟ ସେମାନେ କିଛି ଜଣାଇ ନାହାନ୍ତି। ଏପରି ଘଟଣା ଦୁଃଖଦାୟକ। କେଉଁଠି ନା କେଉଁଠି ନିଶ୍ଚିତ ତ୍ରୁଟି ରହିଛି। ଘଟଣାର ସମୀକ୍ଷା କରୁଛୁ, ଶୀଘ୍ର ପ୍ରକୃତ ସତ ପଦାକୁ ଆସିବ।”

ଗତକାଲି ଜଣେ ବ୍ୟକ୍ତି କାନ୍ଧରେ ନିଜ ପତ୍ନୀଙ୍କ ଶବ ବୋହି ନେଉଥିବା ପ୍ରଚାରିତ ହେବା ପରେ ଜିଲ୍ଲାପାଳ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଆଜି ସନ୍ଧ୍ୟା ସୁଦ୍ଧା ଏହାର ତଦନ୍ତ ଶେଷ କରି ରିପୋର୍ଟ ଦେବାକୁ ଜିଲ୍ଲାପାଳ ଉପ ଜିଲ୍ଲାପାଳଙ୍କୁ କହିଥିଲେ।

ଅନ୍ୟପକ୍ଷରେ ଏଭଳି ସମ୍ବେଦନଶୀଳ ଘଟଣାକୁ ନେଇ ସବୁ ସ୍ତରରେ ଉଦ୍‌ବେଗ ପ୍ରକାଶ ପାଇବାରେ ଲାଗିଛି। ବିରୋଧୀ ଦଳ ଏଥିପାଇଁ ସରକାରଙ୍କୁ ଦାୟୀ କରିଛନ୍ତି। ବିଜେପି ବିଧାୟିକା ରାଧାରାଣୀ ପଣ୍ଡା କହିଛନ୍ତି, “ସରକାରଙ୍କ ଯୋଜନା କେବଳ କାଗଜକଲମରେ ଚାଲିଛି। ଯୋଜନା କେବଳ ନିର୍ବାଚନକୁ ଆଖି ଆଗରେ ରଖି କରାଯାଉଛି। ସ୍ୱାମୀ କାନ୍ଧରେ ସ୍ତ୍ରୀର ଶବ ବୁହା ଯିବା ଏହାର ଉଦାହରଣ।”

ପୂର୍ବତନ କଂଗ୍ରେସ ସାଂସଦ ପ୍ରଦୀପ ମାଝି କହିଛନ୍ତି, “ସେ ଜଣେ ଆଦିବାସୀ ମହିଳା ଥିଲେ। ଏହି ଘଟଣା ସରକାରଙ୍କ ଆଉ ଏକ ଆଦିବାସୀ ମାରଣ ନୀତିକୁ ପଦାରେ ପକାଇଛି। ଏହାକୁ ନେଇ ଆଦିବାସୀ ସେଲ୍‌ ଆଗାମୀ ଦିନରେ ଆନ୍ଦୋଳନ କରିବ।”

ନଗର ଉନ୍ନୟନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସଂହଦେଓ କହିଛନ୍ତି, “ତଦନ୍ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ତଦନ୍ତ ରିପୋର୍ଟ ଆସିବା ପରେ ଯାହା ପଦକ୍ଷେପ ନିଆଯିବ।”

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, “କାହାର ମୃତ୍ୟୁ ହେବା ପରେ ଶବବାହକ ଗାଡ଼ି ଦେବା ପାଇଁ ଯୋଜନା ରହିଛି। ସବୁ ପ୍ରକାର ସମ୍ବେଦନଶୀଳତାକୁ ପାର କରି ଅପାରଗତାର ଚରମ ନିଦ୍ଦର୍ଶନ ଦେଖିବାକୁ ମିଳିଛି। ଏହାକୁ ନିନ୍ଦା କରାଯିବ ଦରକାର।”

ଅଭିଯୋଗ ହୋଇଥିଲା ଡାକ୍ତରଖାନାରେ ସ୍ତ୍ରୀର ମୃତ୍ୟୁ ପରେ ମୃହଦେହ ଘରକୁ ନେବା ପାଇଁ ଦାନ ମାଝି ଏକ ଗାଡ଼ି ଯୋଗାଡ କରିଦେବାକୁ ନେହୁରା ହୋଇଥିଲେ ମଧ୍ୟ ଡାକ୍ତରଖାନା କର୍ତ୍ତୃପକ୍ଷ ଶୁଣି ନ ଥିଲେ। ଅର୍ଥାଭାବରୁ ଶେଷରେ ଦାନ ପତ୍ନୀ ଆମାଙ୍ଗ ଦେଇଙ୍କ ଶବକୁ କାନ୍ଧରେ ବୋହି ୬୦ କି.ମି. ଦୂର ଥୁଆମୁଳ ରାମପୁର ବ୍ଲକ ନାକରୁଣ୍ଡି ପଞ୍ଚାୟତ ମେଲଘରା ଗାଁର ନିଜ ଘରକୁ ଆଣୁଥିଲେ। ସାଥିରେ ତାଙ୍କର ୧୨ ବର୍ଷର ଝିଅ ମଧ୍ୟ ଥିଲେ। ଏହି ହୃଦୟ ବିଦାରକ ଦୃଶ୍ୟ ପ୍ରଚାରିତ ହେବା ପରେ ଶଗଡ଼ା ଗାଁ ନିକଟରେ କିଛି ଲୋକ ସେମାନଙ୍କୁ ଅଟକାଇ ଶବ ନେବାକୁ ଗାଡ଼ିର ବ୍ୟବସ୍ଥା କରିବା ସହ ଆର୍ଥିକ ସହାୟତା କରିଥିଲେ।

Related story