ପାରାଦୀପରେ ମନ୍ତ୍ରୀଙ୍କ ଅଶୋଭନୀୟକାଣ୍ଡ ପାଇଁ ସ୍ପଷ୍ଟୀକରଣ ଦିଅନ୍ତୁ ମୁଖ୍ୟମନ୍ତ୍ରୀ: ବିଜୟ ମହାପାତ୍ର

ଭୁବନେଶ୍ୱର: ପାରାଦୀପକୁ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ବେଳେ ରାଜ୍ୟ ସରକାରଙ୍କ କିଛି ମନ୍ତ୍ରୀ, ସରକାରୀ ଅଫିସର ଓ ବରିଷ୍ଠ ପୋଲିସ୍ ଅଧିକାରୀ ଯେପରି ଅଶୋଭନୀୟକାଣ୍ଡ ଘଟାଇଲେ ସେ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ପଷ୍ଟୀକରଣ ଦେବା ଉଚିତ୍। ବୁଧବାର ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର ଏ କଥା କହିଛନ୍ତି। ତା’ସହିତ ପୂରା ଘଟଣାର ତଦନ୍ତ କରିବାକୁ ମଧ୍ୟ ସେ ଦାବି କରିଛନ୍ତି।ଅନ୍ୟପକ୍ଷେ ପାରାଦୀପରେ ଦଳୀୟ ମନ୍ତ୍ରୀ ଓ ନେତା ତାଙ୍କୁ ଅଣାଦେଖା କରିଥିବା ଅବକାରୀ ମନ୍ତ୍ରୀ ଦାମୋଦର […]

bijaya-mohapatra

Rakesh Mallick
  • Published: Wednesday, 10 February 2016
  • , Updated: 10 February 2016, 04:37 PM IST

ଭୁବନେଶ୍ୱର: ପାରାଦୀପକୁ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ବେଳେ ରାଜ୍ୟ ସରକାରଙ୍କ କିଛି ମନ୍ତ୍ରୀ, ସରକାରୀ ଅଫିସର ଓ ବରିଷ୍ଠ ପୋଲିସ୍ ଅଧିକାରୀ ଯେପରି ଅଶୋଭନୀୟକାଣ୍ଡ ଘଟାଇଲେ ସେ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ପଷ୍ଟୀକରଣ ଦେବା ଉଚିତ୍। ବୁଧବାର ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର ଏ କଥା କହିଛନ୍ତି। ତା’ସହିତ ପୂରା ଘଟଣାର ତଦନ୍ତ କରିବାକୁ ମଧ୍ୟ ସେ ଦାବି କରିଛନ୍ତି।ଅନ୍ୟପକ୍ଷେ ପାରାଦୀପରେ ଦଳୀୟ ମନ୍ତ୍ରୀ ଓ ନେତା ତାଙ୍କୁ ଅଣାଦେଖା କରିଥିବା ଅବକାରୀ ମନ୍ତ୍ରୀ ଦାମୋଦର ରାଉତ ଅଭିଯୋଗ କରିଛନ୍ତି।

ସେ କହିଛନ୍ତି,‘ପାରାଦୀପ ତୈଳ ବିଶୋଧନାଗାର ଲୋକାର୍ପଣ ଉତ୍ସବ ଅବସରରେ ରାଜ୍ୟ ସରକାରଙ୍କର କିଛି ମନ୍ତ୍ରୀ, ସରକାରୀ ଅଫିସର ଓ ବରିଷ୍ଠ ପୋଲିସ୍ ଅଧିକାରୀ ଯେଉଁ ଭଳି ଅଶୋଭନୀୟ ଆଚରଣ କାହିଁକି କଲେ? ତା’ର ଉତ୍ତର ମୁଖ୍ୟମନ୍ତ୍ରୀଙ୍କୁ ଦେବାକୁ ପଡ଼ିବ। କାରଣ ମୁଖ୍ୟମନ୍ତ୍ରୀଙ୍କ ବିନା ଅନୁମତିରେ ମନ୍ତ୍ରୀମାନେ ଏଭଳି ଅଶୋଭନୀୟକାଣ୍ଡ କରିବାକୁ କେବେ ବି ସାହାସ କରିବେ ନାହିଁ।’

ବିଜୟ ମହାପାତ୍ର କହିଛନ୍ତି, ‘ମନ୍ତ୍ରୀ ଯୋଗେନ୍ଦ୍ର ବେହେରା ମଧ୍ୟ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସେ ମୋ ଆଗରେ ବସିଥିଲେ। ସେ ଏସବୁ ଅଶୋଭନୀୟକାଣ୍ଡରେ ଜଡ଼ିତ ନ ଥିଲେ। ମନ୍ତ୍ରୀ ଭାବେ ସେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ଶେଷ ହେବା ପରେ ଚାଲି ଯାଇଥିଲେ। ଏଣୁ ଅନ୍ୟ ମନ୍ତ୍ରୀମାନଙ୍କର ଗସ୍ତ କାର୍ଯ୍ୟକ୍ରମ ଇସ୍ୟୁ ହୋଇଥିବ। କିନ୍ତୁ ଟ୍ୟୁର୍ ପ୍ରୋଗ୍ରାମ୍ କ’ଣ ଇସ୍ୟୁ ହୋଇଥିଲା ରାତି ୨ଟାରୁ ସକାଳ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବସି ଲୋକଙ୍କୁ ଖାଇବାପିଇବାକୁ ଦେଇ ବିଶୃଙ୍ଖଳା ସୃଷ୍ଟି କରିବାକୁ? ପ୍ରଧାନମନ୍ତ୍ରୀ କାର୍ଯ୍ୟକ୍ରମରେ ଏଭଳି ବିଶୃଙ୍ଖଳା ଶୋଭନୀୟ ନୁହେଁ। ଓଡ଼ିଶା ଇତିହାସରେ ଏମିତି କେବେ ହୋଇନି। ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଇନ୍ଦିରା ଗାନ୍ଧିଙ୍କୁ ଲୋକେ ବିରୋଧ କରୁଥିଲେ। କିନ୍ତୁ ଏମିତି ବ୍ୟବହାର କେବେ କରାଯାଇନାହିଁ। ଏଣୁ ମୁଖ୍ୟମନ୍ତ୍ରୀ ସ୍ପଷ୍ଟୀକରଣ ଦିଅନ୍ତୁ ଯେ ସେ ଏଭଳି ଅଶୋଭନୀୟକାଣ୍ଡ ପାଇଁ ଅନୁମତି ଦେଇଥିଲେ। ନ ହେଲେ ଘୋଷଣା କରନ୍ତୁ ଯେ ସେ ଏଭଳି କୌଣସି ନିର୍ଦ୍ଦେଶ ଦେଇ ନ ଥିଲେ। ମୁଖ୍ୟମନ୍ତ୍ରୀ ଏହି ସ୍ପଷ୍ଟୀକରଣ ଦେବାର ଆବଶ୍ୟକତା ରହିଛି।’

ସେ କହିଛନ୍ତି, ପାରାଦୀପ ତୈଳ ବିଶୋଧନାଗାର ଲୋକାର୍ପଣ ଉତ୍ସବ ଦଳୀୟ କାର୍ଯ୍ୟକ୍ରମ ନ ଥିଲା। ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରି ଯିବାକୁ କାହାରିକୁ ମନା ନାହିଁ। କିନ୍ତୁ ସେଦିନ ବିଜେଡି ପକ୍ଷରୁ କାହିଁକି ଅଶୋଭନୀୟ କାଣ୍ଡ ଘଟାଗଲା ତାହା ଚିନ୍ତାର ବିଷୟ।

ବିଜୟ କହିଛନ୍ତି ଯେ ପାରାଦୀପରେ ଘଟି ଯାଇଥିବା ଅଶୋଭନୀୟ ଘଟଣାର ପୂର୍ଣ୍ଣାଙ୍ଗ ତଦନ୍ତ କରାଯାଉ। ଯଦି କୌଣସି ମନ୍ତ୍ରୀମାନଙ୍କର ଗସ୍ତ କାର୍ଯ୍ୟସୂଚୀ କ’ଣ ରହିଥିଲା ତାହା ବର୍ତ୍ତମାନ ମୁଖ୍ୟ ପ୍ରଶ୍ନ। ବିଜେପି କର୍ମୀ ସେଠାରେ ବିଶୃଙ୍ଖଳା ସୃଷ୍ଟି କରିଥିବେ, ତା’ହେଲେ ତାଙ୍କୁ ମଧ୍ୟ ଦଣ୍ଡିତ କରାଯାଉ।

ଏହା ସହିତ ପାରାଦୀପ ତୈଳ ବିଶୋଧନାଗାର ଲୋକାର୍ପଣ ଉତ୍ସବରେ ରାଜ୍ୟ ସରକାର କରିଥିବା ସୁରକ୍ଷା ବ୍ୟବସ୍ଥାକୁ ସମାଲୋଚନା କରିଛନ୍ତି ବିଜୟ। ସେ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱରେ ଏସ୍‌ପିଜି ଥିଲା। ତେଣୁ ସେ ସୁରକ୍ଷିତ ଭାବେ କାର୍ଯ୍ୟକ୍ରମ ସାରି ଫେରି ଗଲେ। କିନ୍ତୁ ଲୋକଙ୍କ ସୁରକ୍ଷା ଦାୟିତ୍ୱ ରାଜ୍ୟ ସରକାରଙ୍କ ଉପରେ ଥିଲା। ଆଉ ସରକାର ଏଥିରେ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି। ଜଣେ ମନ୍ତ୍ରୀ ବା ବିଧାୟକ ସଭା କରିବାକୁ ଗଲେ ଯେତିକି ସୁରକ୍ଷା ବ୍ୟବସ୍ଥା କରାଯାଏ ସେଦିନ ବି ସେତିକି ସୁରକ୍ଷା କରାଯାଇଥିଲା। ଏହା ଠିକ୍ ନୁହେଁ।

ସେହିପରି ଏକ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ବିଜେପି ନେତା ସଜ୍ଜନ ଶର୍ମା କହିଛନ୍ତି ଯେ ତିର୍ତୋଲରେ ୧୩ ଜଣ ବିଜେପି କର୍ମକର୍ତ୍ତାଙ୍କୁ ଗିରଫ କରାଯାଇଛି। କିନ୍ତୁ ପ୍ରଧାନମନ୍ତ୍ରୀ ଗସ୍ତ ଦିନ ପାରାଦୀପ ଅଞ୍ଚଳରେ ଆତଙ୍କ ଖେଳାଇଥିବା ବିଜେଡିର ଦୁଇ ବିଧାୟକ ଦେବାଶିଷ ସାମନ୍ତରାୟ ଓ ଡାକ୍ତର ପ୍ରଫୁଲ୍ଲ ମଲ୍ଲିକଙ୍କୁ କାହିଁକି ଗିରଫ କରାଯାଇନାହିଁ? ନବୀନ ସରକାରଙ୍କର ଏଭଳି ଦୋମୁହାଁ ନୀତି ଚଳିବ ନାହିଁ।

ଅନ୍ୟପକ୍ଷରେ ପାରାଦୀପ କାର୍ଯ୍ୟକ୍ରମ ବେଳେ ବିଜେଡି ବିଧାୟକ ଦେବାଶିଷ ସାମନ୍ତରାୟ ଦୁର୍ବ୍ୟବହାର କରିଥିବା ନେଇ ରାଜ୍ୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଛି ବିଜେପି ମହିଳା ମୋର୍ଚ୍ଚା।

ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି ଯେ ଏ ଘଟଣାରେ ମୁଖ୍ୟମନ୍ତ୍ରୀ ସ୍ପଷ୍ଟୀକରଣ ଦେବାର କୌଣସି ଆବଶ୍ୟକତା ନାହିଁ। ପ୍ରଧାନମନ୍ତ୍ରୀଙ୍କ ପାରାଦୀପ ଗସ୍ତ ବେଳେ ବିଶୃଙ୍ଖଳା ଅଭିଯୋଗର ତଦନ୍ତ ପୋଲିସ୍ ଆରମ୍ଭ କରିଛି। ପୋଲିସ୍‌ର ତଦନ୍ତ ପ୍ରକାରେ ଦୋଷୀମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆଇନରୁ ଊର୍ଦ୍ଧ୍ୱରେ କେହି ନାହାନ୍ତି। ବିଜେପି ଅବା ବିଜେଡି- ଯେକୌଣସି ଦଳର ସଦସ୍ୟ ବିଶୃଙ୍ଖଳା ସୃଷ୍ଟି କରିଥିବେ, ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ରାଜ୍ୟ ସରକାରଙ୍କ ମନ୍ତ୍ରୀମାନେ ବିଶୃଙ୍ଖଳା କରିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ପ୍ରତାପ ଦେବ। ସେ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ପାଇଁ ଉଭୟ ଦଳ ପ୍ରସ୍ତୁତି କରୁଥିଲେ। ବିଭିନ୍ନ ଜିଲ୍ଲାରୁ ଓ ନିର୍ବାଚନମଣ୍ଡଳୀରୁ ଲୋକ ସେଠାକୁ ଆସିଥିଲେ। ତେଣୁ ସେମାନେ ଯେପରି ସଭାସ୍ଥଳରେ ଠିକଣା ଭାବେ ପହଞ୍ଚାଇବା ନେଇ ମନ୍ତ୍ରୀମାନଙ୍କର ଉତ୍ତରଦାୟିତ୍ୱ ରହିଛି। ସେଥିନେଇ ସେମାନେ ବ୍ୟସ୍ତ ରହିଲେ ସରକାରୀ ଗସ୍ତର ଆବଶ୍ୟକତା ପଡ଼ି ନ ଥାଏ। ତଥାପି ଯଦି ବିଜୟ ମହାପାତ୍ର ଅଭିଯୋଗ କରୁଛନ୍ତି, ତା’ହେଲେ ସେ ଜାଣି ରଖିବା ଉଚିତ୍ ଯେ ସେଦିନ ସେଠାରେ ଉପସ୍ଥିତ ମନ୍ତ୍ରୀମାନଙ୍କ ମଧ୍ୟରୁ ଦୁଇ ଜଣ ହେଉଛନ୍ତି ସ୍ଥାନୀୟ ବିଧାୟକ। ସେମାନେ ହେଲେ ଡାକ୍ତର ଦାମୋଦର ରାଉତ (ପାରାଦୀପ) ଓ ଅତନୁ ସବ୍ୟସାଚୀ ନାୟକ (ମହାକାଳପଡ଼ା)। ଅବିଭକ୍ତ କଟକ ଜିଲ୍ଲା ବହୁ ଜନସାଧାରଣ ସେଠାକୁ ଯାଇଥିବାରୁ ସେମାନଙ୍କୁ ସଂଚାଳନ କରିବାକୁ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ଓ ପ୍ରଣବ ପ୍ରକାଶ ଦାସ ଯାଇଥିଲେ। ସେମାନେ ଲୋକଙ୍କ ସୁବିଧା କରିବାକୁ ଯାଇଥିଲେ। ସେମାନେ କୌଣସି ବିଶୃଙ୍ଖଳା କରି ନାହାନ୍ତି।

ପାରାଦୀପ ତୈଳ ବିଶୋଧନାଗାର ଲୋକାର୍ପଣରେ ତାଙ୍କୁ ଅଣଦେଖା କରାଯାଇଥିବା ଅବକାରୀ ମନ୍ତ୍ରୀ ଦାମୋଦର ରାଉତ କହିଛନ୍ତି। ଏଥିପାଇଁ ସେ ବିଧାୟକ ଦେବାଶିଷ ସାମନ୍ତରାୟ ଏବଂ ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସଙ୍କୁ ଟାର୍ଗେଟ କରିଛନ୍ତି। ପାରାଦୀପ କାର୍ଯ୍ୟକ୍ରମକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, ମନ୍ତ୍ରୀ ଦାସ, ବିଧାୟକ ସାମନ୍ତରାୟ ଓ ଜିଲ୍ଲା ସଭାପତି ବିଷ୍ଣୁଦାସ ତାଙ୍କ ବିରୋଧୀ ଲୋକଙ୍କୁ ପୋଷ୍ଟର ଓ ବ୍ୟାନର ପ୍ରଦାନ କରିଥିଲେ। ସେ ପାରାଦୀପର ବିଧାୟକ ହୋଇଥିଲେ ବି ତାଙ୍କୁ ପଚରା ଯାଇ ନ ଥିଲା। ଏ ନେଇ ସେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଛନ୍ତି।

Related story