ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଟୁଇଟର ଆକାଉଣ୍ଟକୁ ନେଇ ରାଜନୈତିକ ଝଡ଼। ଶସ୍ତା ଲୋକପ୍ରିୟତା ପାଇଁ ଟଙ୍କା ଖର୍ଚ୍ଚ କରି ମୁଖ୍ୟମନ୍ତ୍ରୀ ନକଲି ଟୁଇଟର ଫଲୋଅର ସୃଷ୍ଟି କରିଛନ୍ତି ବୋଲି ଅଭିଯୋଗ କରିଛି ବିଜେପି। ଗତ ୨ ମାସ ଭିତରେ ମୁଖ୍ୟମନ୍ତ୍ରୀଙ୍କୁ ଫଲୋ କରୁଥିବା ୬,୦୦୦ ଆକାଉଣ୍ଟର ତଥ୍ୟ ଉପସ୍ଥାନ କରି ଏଗୁଡିକ ନକଲି ବୋଲି ସାଂଘାତିକ ଅଭିଯୋଗ କରିଛି ବିଜେପି।
ଆଜି ଦିନ ୧ଟା ୪୬ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଟୁଇଟର ଫଲୋଅର ଥିଲେ ୬ ଲକ୍ଷ ୭୩ ହଜାର। ସାଢେ ୩ ଟାରେ ସଂଖ୍ୟା ପହଁଞ୍ଚିଲା ୬ ଲକ୍ଷ ୭୪ ହଜାର। ୨ ଘଣ୍ଟା ଭିତରେ ହଜାରେ ଲୋକ ମୁଖ୍ୟମନ୍ତ୍ରୀଙ୍କୁ ଫଲୋ କରୁଛନ୍ତି। ପ୍ରତି ମୁହୂର୍ତ୍ତରେ ବଢୁଛି ଫଲୋଅରଙ୍କ ସଂଖ୍ୟା। ସୋସିଆଲ ମଡିଆରେ ମୁଖ୍ୟମନ୍ତ୍ରୀଙ୍କ ଏ ଲୋକପ୍ରିୟତାକୁ ଦେଖି ଘାବରାଇ ଯାଇଛି ବିରୋଧୀ ବିଜେପି। ଦଳର ଅଭିଯୋଗ, ଟୁଇଟରରେ ମୁଖ୍ୟମନ୍ତ୍ରୀଙ୍କ ଫଲୋ କରୁଥିବା ଲୋକ ଅସଲି ନୁହନ୍ତି, ନକଲି। ସାମ୍ବାଦିକ ସମ୍ମିଳନୀ କରି ଦଳ କିଛି ତଥ୍ୟ ବି ଉପସ୍ଥାପନ କରିଛି। ଜୁଲାଇ ଓ ଅଗଷ୍ଟ ମାସରେ ୬୧୬୫ ଜଣଙ୍କର ନାଁ ବାହାର କରି ଏଥିରୁ ୮୬ଟି ଅସଲି ଓ ବାକି ୫,୯୭୯ ନକଲି ଆକାଉଣ୍ଟ ବୋଲି କହିଛି ବିଜେପି। ଯେମିତି ନିକ୍ ୯୭୭୯, ବିଗ୍ ଗାଏଜସ ୬, ବିବେକ –ଏମ୍ ୯୫୮୨। ଏମିତି ଅନେକ ନାଁରେ ନମ୍ବର ଯୋଡି ନକଲି ଆକାଉଣ୍ଟରେ ଫଲୋଅର ସଂଖ୍ୟା ବଢାଯାଇଛି ବୋଲି ଦଳ ଅଭିଯୋଗ କରିଛି। ଏଥିରେ ରୁଷ ଓ ଆରବିକ ଭାଷାରେ ବି ଲେଖା ଥିବା ଆକାଉଣ୍ଟ ରହିଛି। ସବୁଠାରୁ ବଡକଥା ହେଉଛି ଆକାଉଣ୍ଟ ଖୋଲି ନବୀନଙ୍କୁ ଫଲୋ କରିବା ପରେ ଏସବୁ ଲୋକ ଉଭାନ ହୋଇଯାଇଛନ୍ତି। ଅର୍ଥାତ ଏମାନେ ଆଉ କାହାକୁ ଫଲୋ କରୁନାହାଁନ୍ତି କି ଗୋଟିଏ ବି ଟୁଇଟ କରିନାହାନ୍ତି। ଏମାନଙ୍କୁ ବି କେହି ଫଲୋ କରୁନାହାଁନ୍ତି। ଶସ୍ତା ଲୋକପ୍ରିୟତା ପାଇଁ ନବୀନ ଲକ୍ଷ ଲକ୍ଷ ଟଙ୍କା ଦେଇ ମେସିନ ମାଧ୍ୟମରେ ନକଲି
୨୦୧୫ ସେପ୍ଟେମ୍ବରରେ ସୋସିଆଲ ମେଡିଆରେ ସକ୍ରିୟ ହୋଇ ନବୀନ ଖୋଲିଥିଲେ ଟୁଇଟର ଆକାଉଣ୍ଟ। ଜୁନ ୧୭ ଭିତରେ ଫଲୋଏର ଥିଲେ ଦେଢ ଲକ୍ଷ। ତେବେ ଜୁଲାଇ ଓ ଅଗଷ୍ଟ ୨ ମାସରେ ହଟାତ ୫ ଲକ୍ଷ ୫୦ ହଜାର ଅଧିକ ଲୋକ ନବୀନଙ୍କୁ ଫଲୋ କଲେ। ତେବେ ଏଥିରେ କିଛି ଅସ୍ୱାଭାବିକତା ନାହିଁ ବୋଲି କହିଛି ବିଜେଡି। ନବୀନଙ୍କ ଲୋକପ୍ରିୟତାରେ ହତାଶ ହୋଇ ବିଜେପି ଏପରି ମିଛ ଅଭିଯୋଗ କରୁଛି ବୋଲି ବିଜେଡି ମୁଖପାତ୍ର ଅମର ଶତପଥୀ କହିଛନ୍ତି।