ବିପିୟୁଟି କୁଳପତିଙ୍କୁ ଅଣ୍ଡା ଓ ଟମାଟୋ ମାଡ଼

ଭୁବନେଶ୍ୱର: ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ (ବିପିୟୁଟି) କୁଳପତି ଶ୍ୟାମ ସୁନ୍ଦର ପଟ୍ଟନାୟକଙ୍କ ଉପରକୁ ରବିବାର ଅଣ୍ଡା ଓ ଟମାଟୋ ମାଡ଼ କରାଯାଇଛି। ଭୁବନେଶ୍ୱରର ଏକ ହୋଟେଲରେ ବିଶ୍ୱବିଦ୍ୟାଳୟର ପ୍ରଥମ ଆଲୁମନି ମିଟ୍ ବେଳେ କିଛି ଛାତ୍ର ତାଙ୍କୁ କଳାପତାକା ଦେଖାଇବା ସହିତ ଅଣ୍ଡା ଓ ଟମାଟୋ ମାଡ଼ କରିଥିଲେ। ପରୀକ୍ଷାଫଳ ପ୍ରକାଶ କରିବାରେ ଓ ସାର୍ଟିଫିକେଟ୍ ଦେବାରେ ଅହେତୁକ ବିଳମ୍ବ କରାଯାଉଥିବା ପ୍ରତିବାଦରେ ଅସନ୍ତୁଷ୍ଟ ଛାତ୍ରମାନେ ତାଙ୍କ ଉପରକୁ ଅଣ୍ଡା ଓ ଟମାଟୋ ମାଡ଼ କରିଥିଲେ। […]

bput

Rakesh Mallick
  • Published: Sunday, 27 December 2015
  • , Updated: 27 December 2015, 03:47 PM IST

ଭୁବନେଶ୍ୱର: ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ (ବିପିୟୁଟି) କୁଳପତି ଶ୍ୟାମ ସୁନ୍ଦର ପଟ୍ଟନାୟକଙ୍କ ଉପରକୁ ରବିବାର ଅଣ୍ଡା ଓ ଟମାଟୋ ମାଡ଼ କରାଯାଇଛି। ଭୁବନେଶ୍ୱରର ଏକ ହୋଟେଲରେ ବିଶ୍ୱବିଦ୍ୟାଳୟର ପ୍ରଥମ ଆଲୁମନି ମିଟ୍ ବେଳେ କିଛି ଛାତ୍ର ତାଙ୍କୁ କଳାପତାକା ଦେଖାଇବା ସହିତ ଅଣ୍ଡା ଓ ଟମାଟୋ ମାଡ଼ କରିଥିଲେ। ପରୀକ୍ଷାଫଳ ପ୍ରକାଶ କରିବାରେ ଓ ସାର୍ଟିଫିକେଟ୍ ଦେବାରେ ଅହେତୁକ ବିଳମ୍ବ କରାଯାଉଥିବା ପ୍ରତିବାଦରେ ଅସନ୍ତୁଷ୍ଟ ଛାତ୍ରମାନେ ତାଙ୍କ ଉପରକୁ ଅଣ୍ଡା ଓ ଟମାଟୋ ମାଡ଼ କରିଥିଲେ। ପାଣି ପୋଫାଡ଼ି ଥିଲେ ଓ ଠେଲାପେଲା ମଧ୍ୟ କରିଥିଲେ। ପିଲାମାନେ ଶ୍ୟାମ ସୁନ୍ଦର ପଟ୍ଟନାୟକଙ୍କୁ କୁଳପତି ପଦରୁ ହଟାଇ ନୂଆ କୁଳପତି ନିଯୁକ୍ତି ଦେବାକୁ ଦାବି କରିଛନ୍ତି।

ବିପିୟୁଟି କର୍ତ୍ତୃପକ୍ଷ ଆଜି ଭୁବନେଶ୍ୱରରେ ଏକ ହୋଟେଲରେ ପ୍ରଥମ ଆଲୁମନି ମିଟର ଆୟୋଜନ କରିଥିଲେ। ଏଥିରେ ପ୍ରାୟ ୪୦୦ରୁ ୪୫୦ ଛାତ୍ର ଯୋଗ ଦେଇଥିଲେ। ଏଥିରେ ବିପିୟୁଟି କର୍ତ୍ତୃପକ୍ଷ ସେମାନଙ୍କୁ ମଧ୍ୟ କହିବାକୁ ସୁଯୋଗ ଦେଇଥିଲେ। ତେବେ ପିଲାମାନେ ପରୀକ୍ଷାଫଳ ପ୍ରକାଶ କରାଯିବା ଓ ସାର୍ଟିଫିକେଟ୍ ପ୍ରଦାନରେ ବିଳମ୍ବ କରାଯାଉଥିବା ନେଇ ଅସନ୍ତୋଷ ଜାହିର କରିଥିଲେ। ନିଯୁକ୍ତି ମେଳା ପାଇଁ ବିଶ୍ୱବିଦ୍ୟାଳୟରେ ଫଣ୍ଡ୍ ବ୍ୟବସ୍ଥା ରହିଥିଲେ ସୁଦ୍ଧା କର୍ତ୍ତୃପକ୍ଷ ନିଯୁକ୍ତି ମେଳା କରୁ ନାହାନ୍ତି ବୋଲି ପିଲାମାନେ ଅଭିଯୋଗ କରିଥିଲେ। ହଠାତ୍ କିଛି ପିଲା କଳାପତାକା ଦେଖାଇବା ସହିତ ଷ୍ଟେଜ୍ ଆଡକୁ ମାଡ଼ି ଆସିଥିଲେ ଓ ପାଟିତୁଣ୍ଡ କରିଥିଲେ। କିଛି ପିଲା ପ୍ଲାକାର୍ଡ ଧରି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ କୁଳପତି ସେମାନଙ୍କୁ ବୁଝାଶୁଝା କରିବା ପାଇଁ ଉଦ୍ୟମ କରୁଥିବା ବେଳେ କିଛି ପିଲା ତାଙ୍କୁ ଘେରି ଯାଇ ଠେଲାପେଲା ମଧ୍ୟ କରିଥିଲେ। କୁଳପତିଙ୍କୁ ପିଲାମାନେ ପ୍ରାୟ ୨୦ରୁ ୨୫ ମିନିଟ୍ ଧରି ଘେରି ରହିଥିଲେ। ପରେ ପୋଲିସ୍ ଆସି ତାଙ୍କୁ ସେଠାରୁ ବାହାର କରିଥିଲେ। ଏହି ଘଟଣା ପରେ କର୍ତ୍ତୃପକ୍ଷ କାର୍ଯ୍ୟକ୍ରମକୁ ବାତିଲ କରି ଦେଇଥିଲେ।

ଅସନ୍ତୁଷ୍ଟ ଛାତ୍ରଛାତ୍ରୀମାନେ କହିଛନ୍ତି ଯେ ଏହା କେବଳ ଟ୍ରେଲର୍ ଥିଲା। ସେମାନଙ୍କ ଦାବି ପ୍ରତି ଗୁରୁତ୍ୱ ଦିଆ ନ ଗଲେ ପୂରା ପିକଚର ଦେଖାଯିବ। ଜୋରଦାର ଆନ୍ଦୋଳନ କରାଯିବ। ଜଣେ ଅସନ୍ତୁଷ୍ଟ ଛାତ୍ର କହିଛନ୍ତି ଯେ ପରୀକ୍ଷାଫଳ ଠିକ୍ ସମୟରେ ପ୍ରକାଶ ପାଉ ନାହିଁ। ପରୀକ୍ଷା ଫଳ ବାହାରିଲେ ସାର୍ଟିଫିକେଟ୍ ମିଳିବାରେ ବିଳମ୍ବ କରାଯାଉଛି। ପୁଣି ଫଣ୍ଡ୍ ଥାଇ ସୁଦ୍ଧା ନିଯୁକ୍ତି ମେଳା କରାଯାଉ ନାହିଁ। ନିଯୁକ୍ତି ମେଳା ପାଇଁ ପ୍ରତି ପିଲାଙ୍କଠାରୁ ଶହେ ଟଙ୍କା ଲେଖାଏଁ ଆଦାୟ କରାଯାଉଛି। ଏ ବାବଦକୁ ବିଶ୍ୱବିଦ୍ୟାଳୟ ଫଣ୍ଡରେ ୪୮ ଲକ୍ଷ ଟଙ୍କା ଜମା ହୋଇ ସାରିଲାଣି। କିନ୍ତୁ ନିଯୁକ୍ତି ମେଳା କରାଯାଉନାହିଁ। ଆଦାୟ ଟଙ୍କା ବି ଫେରସ୍ତ କରାଯାଉ ନାହିଁ। ବିପିୟୁଟିରେ ବିଭିନ୍ନ ପ୍ରକାରର ଅନିୟମିତତା ହେଉଛି। ଦଲାଲଙ୍କ ପେଣ୍ଠସ୍ଥଳୀ ପାଲଟି ଯାଇଛି ବିପିୟୁଟି। ସରକାର ତୁରନ୍ତ ଭିସିଙ୍କୁ ବଦଳାଇ ନୂଆ ଭିସି ନିଯୁକ୍ତ କରନ୍ତୁ।

ସେହିପରି ଆଉ ଜଣେ ଛାତ୍ର କହିଛନ୍ତି ଯେ ଆଜି ଯାହା ଘଟିଗଲା ତାହା କିଛି ନୁହେଁ। ଆଜି କେବଳ ଗୋଟିଏ ଇସ୍ୟୁକୁ ନେଇ ଟ୍ରେଲର୍ ଦେଖାଇ ଦିଆଗଲା। ଆହୁରି ୭ଟି ପ୍ରସଙ୍ଗ ଅଛି। ଆଗାମୀ ୭ ଦିନରେ ଏସବୁକୁ ଗୋଟି ଗୋଟି କରି ଖୋଲା ଯିବ।

କୁଳପତି ଶ୍ୟାମ ସୁନ୍ଦର ପଟ୍ଟନାୟକ କହିଛନ୍ତି ଯେ ସେ ମାତ୍ର ୮ ମାସ ହେଲା ଦାୟିତ୍ୱ ଗ୍ରହଣ କରିଛନ୍ତି। ବିଶ୍ୱବିଦ୍ୟାଳୟର ବିଭିନ୍ନ ସମସ୍ୟା ରହିଛି। ସେଗୁଡ଼ିକୁ ସେ ଆସିବା ପରେ ଗୋଟିଏ ପରେ ଗୋଟିଏର ସମାଧାନ କରୁଛନ୍ତି। ପିଲାମାନେ ଚାହୁଁଛନ୍ତି ଗୋଟିଏ ଦିନରେ ସବୁ ସମସ୍ୟାର ସମାଧାନ ହୋଇଯାଉ। କିନ୍ତୁ ସେମିତି ଅସମ୍ଭବ।

ନିଯୁକ୍ତି ମେଳା ନେଇ ସେ କହିଛନ୍ତି ଯେ ଏସଆରଡିରେ ପଇସା ଅଛି। ସବୁ ସରକାରୀ କାର୍ଯ୍ୟକ୍ରମରେ ନିର୍ଦ୍ଦିଷ୍ଟ ପ୍ରକ୍ରିୟା ରହିଛି। ସେହି ଅନୁସାରେ କାର୍ଯ୍ୟ କରାଯାଏ। ନିଯୁକ୍ତି ମେଳା ପାଇଁ ଟେଣ୍ଡର ଡକା ଯାଇଥିଲା। ୭ଟି କଂପାନୀ ଏଥିପାଇଁ ଆବେଦନ କରିଥିଲେ। ଗୋଟିଏ କଂପାନୀକୁ ସର୍ଟଲିଷ୍ଟ୍ କରାଯାଇଛି। ତେବେ ଉକ୍ତ କଂପାନୀ ଏପର୍ଯ୍ୟନ୍ତ ସ୍ପଷ୍ଟ ଭାବେ କହିପାରୁନି କେତେ ପିଲାଙ୍କୁ ନିଯୁକ୍ତି ଦେବ। ନିଯୁକ୍ତି ମେଳା ପାଇଁ  ପାଖାପାଖି ୨.୫ କୋଟି ଟଙ୍କା ଖର୍ଚ୍ଚ କରାଯିବ। ତେଣୁ ତା’ର କିଛି ଆଖିଦୃଶିଆ ଫଳାଫଳ ବି ଆସିବା ଦରକାର। ପ୍ଲେସମେଣ୍ଟ୍ ଡାଇରେକ୍ଟର ଏନେଇ ପ୍ରକ୍ରିୟା ଜାରି ରଖିଛନ୍ତି।

କୁଳପତି ଆହୁରି ମଧ୍ୟ କହିଛନ୍ତି ଯେ ବିପିୟୁଟିର ଛାତ୍ରମାନଙ୍କର ବିଭିନ୍ନ ଫୋରମ୍ ରହିଛି। ତେବେ ସେମାନଙ୍କୁ ଏକାଠି ଆଣି ବିପିୟୁଟିର ଶକ୍ତିକୁ ପ୍ରଦର୍ଶନ କରିବାର ଲକ୍ଷ୍ୟ ରଖାଯାଇ ଆଲୁମନି ମିଟର ଆୟୋଜନ କରାଯାଇଥିଲା। ଏଥିରେ ବିଶ୍ୱବିଦ୍ୟାଳୟର ବର୍ତ୍ତମାନର ଛାତ୍ରଛାତ୍ରୀମାନଙ୍କ ସହିତ ପୂର୍ବତନ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ଡାକାଯାଇଥିଲା। କିନ୍ତୁ କିଛି ଛାତ୍ର ଭୁଲ୍ ବୁଝାମଣାର ଶିକାର ହୋଇ ଗଣ୍ଡଗୋଳ କରିଥିଲେ।

ବିପିୟୁଟି କୁଳପତିଙ୍କୁ ଅଣ୍ଡା ଓ ଟମାଟୋ ମାଡ଼ ଘଟଣା ପ୍ରତିବାଦରେ ଓଡ଼ିଶା ବିପିୟୁଟି ଛାତ୍ର ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଛାତ୍ରମାନେ ମାଷ୍ଟର କ୍ୟାଣ୍ଟିନ୍ ଠାରେ ରାସ୍ତାରୋକ କରିବା ସହ ବିକ୍ଷୋଭ କରିଥିଲେ। ଗଣ୍ଡଗୋଳରେ ସାମିଲ ଛାତ୍ର ଓ ଅଣଛାତ୍ରଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ରାସ୍ତାରେ ଟାୟାର ଜାଳି ଆନ୍ଦୋଳନ କରିଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣକୁ ନେଇଥିଲା।

ବିପିୟୁଟି ପ୍ରଶ୍ନପତ୍ର ଲିକ୍ ଘଟଣା ନେଇ ବିବାଦ ଥମି ନ ଥିବା ବେଳେ ଆଜି ଏହି ଘଟଣା ବିଶ୍ୱବିଦ୍ୟାଳୟର ପରିଚାଳନା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Related story