ଚିଟ୍‌ଫଣ୍ଡ୍ ପ୍ରସଙ୍ଗ: ଆଜି ବି ଗୃହ ଅଚଳ

ଭୁବନେଶ୍ୱର: ଚିଟ୍‌ଫଣ୍ଡ୍‌କୁ ନେଇ ଆଜି ବି ବିଧାନସଭାରେ ଅଚଳାବସ୍ଥା ଲାଗି ରହିଛି। ବିରୋଧୀ ଦଳଗୁଡ଼ିକ ଚିଟ୍‌ଫଣ୍ଡ୍‌ କମିଶନ୍ ଅଧ୍ୟକ୍ଷ ଜଷ୍ଟିସ୍ ଏମ୍‌.ଏମ୍‌ ଦାସଙ୍କ ବହିଷ୍କାର ଓ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ ଇସ୍ତଫା ଦାବି କରି ହଟ୍ଟଗୋଳ କରିଥିବା ବେଳେ ବିଜେଡି ଆକାଉଣ୍ଟ୍‌କୁ ଟଙ୍କା ଆସିବା ପ୍ରସଙ୍ଗରେ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ନିଃସର୍ତ୍ତ କ୍ଷମାପ୍ରାର୍ଥନା ଦାବି କରି ହୋହାଲ୍ଲା କରିଥିଲେ ସରକାରୀ ଦଳ ବିଧାୟକ। ଅଚଳାବସ୍ଥାକୁ ଦେଖି ବାଚସ୍ପତି ଗୃହକୁ ଦିନ ସାଢ଼େ ୧୨ଟା ପର୍ଯ୍ୟନ୍ତ ମୁଲତବି […]

assembly

Rakesh Mallick
  • Published: Wednesday, 04 May 2016
  • , Updated: 04 May 2016, 11:37 AM IST

ଭୁବନେଶ୍ୱର: ଚିଟ୍‌ଫଣ୍ଡ୍‌କୁ ନେଇ ଆଜି ବି ବିଧାନସଭାରେ ଅଚଳାବସ୍ଥା ଲାଗି ରହିଛି। ବିରୋଧୀ ଦଳଗୁଡ଼ିକ ଚିଟ୍‌ଫଣ୍ଡ୍‌ କମିଶନ୍ ଅଧ୍ୟକ୍ଷ ଜଷ୍ଟିସ୍ ଏମ୍‌.ଏମ୍‌ ଦାସଙ୍କ ବହିଷ୍କାର ଓ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ ଇସ୍ତଫା ଦାବି କରି ହଟ୍ଟଗୋଳ କରିଥିବା ବେଳେ ବିଜେଡି ଆକାଉଣ୍ଟ୍‌କୁ ଟଙ୍କା ଆସିବା ପ୍ରସଙ୍ଗରେ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ନିଃସର୍ତ୍ତ କ୍ଷମାପ୍ରାର୍ଥନା ଦାବି କରି ହୋହାଲ୍ଲା କରିଥିଲେ ସରକାରୀ ଦଳ ବିଧାୟକ। ଅଚଳାବସ୍ଥାକୁ ଦେଖି ବାଚସ୍ପତି ଗୃହକୁ ଦିନ ସାଢ଼େ ୧୨ଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଥିଲେ। ପରେ ଗୃହରେ ବିଜେଡି ଆକାଉଣ୍ଟ୍ ପ୍ରସଙ୍ଗରେ ଆଇନ୍ ମନ୍ତ୍ରୀ ଅରୁଣ ସାହୁ ବିବୃତି ରଖି ବିରୋଧୀ ଦଳ ନେତା ମିଥ୍ୟା ତଥ୍ୟ ଦେଇ  ଓଡ଼ିଶା ଓ ଗୃହକୁ ବିଭ୍ରାନ୍ତ କରିଛନ୍ତି ବୋଲି କହିଥିଲେ। ସେ ବିବୃତି ରଖିବା ବେଳେ ବିରୋଧୀ ଦଳ ବିଧାୟକମାନେ ହଙ୍ଗାମା କରିବାରୁ ବାଚସ୍ପତି ଗୃହକୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମୁଲତବି କରିଥିଲେ। ତା’ପରେ ବି ଗୃହ କାର୍ଯ୍ୟ ସ୍ୱାଭାବିକ ହୋଇପାରି ନ ଥିଲା। ଅପରାହ୍ନ ୩ଟା ପରେ ଦୁଇ ଥର କରି ବାଚସ୍ପତି ଗୃହକୁ ୫ଟା ପର୍ଯ୍ୟନ୍ତ ମୁଲତବି ରଖିଥିଲେ।

ଆଜି ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଉଭୟ କଂଗ୍ରେସ ଓ ବିଜେପି ବିଧାୟକମାନେ କଳା ଆପ୍ରୋନ୍ ପିନ୍ଧି ଗୃହର ମଧ୍ୟଭାଗକୁ ଚାଲି ଆସିଥିଲେ ଏବଂ ଜଷ୍ଟିସ୍ ଦାସଙ୍କ ବହିଷ୍କାର ଓ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ ଇସ୍ତଫା ଦାବି କରିଥିଲେ। ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି ରିପୋର୍ଟର ଟେବୁଲ୍ ଉପରେ ଚଢ଼ିଯାଇ ନାରା ଦେଇଥିଲେ। ଅନ୍ୟପକ୍ଷରେ ଆଜି ଶାସକ ଦଳ ସଭ୍ୟମାନେ ମଧ୍ୟ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ନିଃସର୍ତ୍ତ କ୍ଷମା ଦାବି କରିଥିଲେ। ବିଜେଡି ଆକାଉଣ୍ଟକୁ ୮ କୋଟି ଟଙ୍କା ଆସିଥିବା ନେଇ ସେ ଗତକାଲି ଯେଉଁ ପ୍ରସଙ୍ଗ ଉଠାଇଥିଲେ ତା’ରି ପ୍ରତିବାଦରେ ସରକାରୀ ଦଳ ବିଧାୟକମାନେ ତାଙ୍କର ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଥିଲେ। ଫଳରେ ଗୃହରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା। ଏହାକୁ ଦେଖି ବାଚସ୍ପତି ଗୃହକୁ ଦିନ ସାଢ଼େ ୧୨ଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଥିଲେ।

ପୁଣି ଥରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଉଠାଇଥିବା ବିଜେଡି ଆକାଉଣ୍ଟ୍ ପ୍ରସଙ୍ଗରେ ବିବୃତି ରଖିଥିଲେ ଆଇନମନ୍ତ୍ରୀ ଅରୁଣ ସାହୁ। ସେ କହିଥିଲେ,“ଯେଉଁ ଆକାଉଣ୍ଟ୍ କଥା କୁହାଯାଉଛି ତାହା ବିଜେଡିର। କିନ୍ତୁ ବିରୋଧୀ ଦଳ ନେତା ଯେଉଁ ପୂର୍ଣ୍ଣଚନ୍ଦ୍ର ପାଢ଼ୀଙ୍କ କଥା କହୁଛନ୍ତି ସେ ବିଜେଡିର ନୁହଁନ୍ତି। ତାଙ୍କ ତଥ୍ୟ ସତ୍ୟ ଭିତ୍ତିକ ନୁହେଁ। ସେ ଗୃହକୁ ଓ ସମଗ୍ର ଓଡ଼ିଶାକୁ ବିଭ୍ରାନ୍ତ କରିଛନ୍ତି। ଏହା ଏକ ଗର୍ହିତ ଅପରାଧ। ସେ ନିଃସର୍ତ୍ତ କ୍ଷମା ମାଗନ୍ତୁ।”

ସେ ଆହୁରି ମଧ୍ୟ କହିଥିଲେ,“୨୦୦୦ରୁ ୨୦୧୪ ମଧ୍ୟରେ ଜେନେରାଲ୍ ଇଲେକ୍‌ଟୋରାଲ୍ ଟ୍ରଷ୍ଟରୁ କଂଗ୍ରେସ ୧୦୦ କୋଟିରୁ ଅଧିକ ଟଙ୍କା ପାଇଥିବା ବେଳେ ବିଜେପି ୭୦ କୋଟିରୁ ଅଧିକ ଟଙ୍କା ନେଇଛି। ବିଜେଡି ୧୩ କୋଟି ଟଙ୍କା ପାଇଛି। ଏନେଇ ଅଡିଟ୍ ହୋଇଛି। ନିର୍ବାଚନ କମିଶନଙ୍କୁ ମଧ୍ୟ ସୂଚନା ଦିଆଯାଇଛି।”

ତେବେ ମନ୍ତ୍ରୀ ବିବୃତି ରଖୁଥିବା ବେଳେ ବିରୋଧୀ ଦଳ ସଭ୍ୟମାନେ ହଙ୍ଗାମା କରିଥିଲେ।  ତାରାପ୍ରସାଦ ବାହିନୀପତି ବାଚସ୍ପତିଙ୍କ ମାଇକ୍‌ ଭାଙ୍ଗି ଦେଇଥିଲେ। ଫଳରେ ବାଚସ୍ପତି ଗୃହକୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମୁଲତବି କରିଥିଲେ। ୩ଟା ପରେ ନରସିଂହଙ୍କ କ୍ଷମା ପ୍ରାର୍ଥନା କରି ସରକାରୀ ବିଧାୟକଙ୍କ ହଙ୍ଗାମା ଯୋଗୁଁ ବାଚସ୍ପତି ଦୁଇ ଥର କରି ଗୃହକୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ମୁଲତବି କରିଥିଲେ।

ବିଜେଡି ମୁଖପାତ୍ର ପ୍ରତାପ ଜେନା କହିଛନ୍ତି,“ବିରୋଧୀ ଦଳ ନେତା ବାରମ୍ବାର ଗୃହକୁ ଭୁଲ୍ ତଥ୍ୟ ଦେଉଛନ୍ତି। ତେଣୁ କ୍ଷମା ନ ମାଗିବା ପର୍ଯ୍ୟନ୍ତ ତାଙ୍କର ଗୃହରେ କହିବାର ଅଧିକାର ନାହିଁ।”

ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି,“ମୁଁ ମୁଖ୍ୟମନ୍ତ୍ରୀଙ୍କୁ କିଛି ନିର୍ଦ୍ଦିଷ୍ଟ ପ୍ରଶ୍ନ ପଚାରିଥିଲି। କିନ୍ତୁ ଉତ୍ତର ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କର ସତ୍‌ସାହସ ନାହିଁ। ସରକାରୀ ଦଳ ବିଧାୟକମାନେ ଗୃହରେ ପଶୁବଳ ଦେଖାଉଛନ୍ତି। ଏହା ଗଣତନ୍ତ୍ର ପାଇଁ ଭଲ ନୁହେଁ।”

ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି ଓ ବିଧାୟକ ନବ ଦାସ କହିଛନ୍ତି,“ବିରୋଧୀ ଦଳ ନେତା ବିଜେଡି ଆକାଉଣ୍ଟ୍‌କୁ ୮ କୋଟି ଟଙ୍କା ଗୋଟିଏ ଦିନରେ ଜମା ହେବା ନେଇ ଯେଉଁ ପ୍ରସଙ୍ଗ ଉଠାଇଛନ୍ତି ସେ ନେଇ ତାଙ୍କ ପାଖରେ ଯଥେଷ୍ଟ ପ୍ରମାଣ ରହିଛି। ଏନେଇ ସରକାରଙ୍କ ଚ୍ୟାଲେଞ୍ଜକୁ ଆମେ ଗ୍ରହଣ କରୁଛୁ। ବିରୋଧୀ ଦଳ ନେତା ଏନେଇ ଗୃହରେ ପ୍ରମାଣ ନ ଦେଇ ପାରିଲେ ତାଙ୍କ ପଦରୁ ଇସ୍ତଫା ଦେବେ।”

ନବ ଦାସ କହିଛନ୍ତି,“ଆମେ ଯେଉଁ ପ୍ରସଙ୍ଗ ଉଠାଇଛୁ ତାହାକୁ ପ୍ରମାଣିତ କରି ନ ପାରିଲେ ବିରୋଧୀ ଦଳ ନେତା ତାଙ୍କ ପଦରୁ ଇସ୍ତଫା ଦେବେ। କିନ୍ତୁ ପ୍ରମାଣିତ କରି ଦେଲେ ସରକାରୀ ଦଳର ମୁଖ୍ୟ କ’ଣ ତାଙ୍କ ପଦରୁ ଇସ୍ତଫା ଦେବେ କି?”

ବିଜେପି ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି,“ଚିଟ୍‌ଫଣ୍ଡ୍‌ କମିଶନ୍ ଅଧ୍ୟକ୍ଷ ଜଷ୍ଟିସ୍ ଦାସ ଓ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ ପ୍ରସଙ୍ଗରେ ସରକାର ଗୃହରେ ସ୍ପଷ୍ଟୀକରଣ ଦେବାକୁ ରୁଲିଂ ଦେବାକୁ ଆମେ ବାଚସ୍ପତିଙ୍କ ନିକଟରେ ଦାବି କରି ଆସୁଛୁ। କିନ୍ତୁ ବାଚସ୍ପତି ଏନେଇ ରୁଲିଂ ଦେଉ ନାହାନ୍ତି। ପୁଣି ଗତକାଲି ବିରୋଧୀ ଦଳ ନେତା ବିଜେଡି ଆକାଉଣ୍ଟକୁ ଗୋଟିଏ ଦିନରେ ୮ କୋଟି ଟଙ୍କା ଆସିଥିବା କଥା ଉଲ୍ଲେଖ କରିଥିଲେ। ଏହି ଟଙ୍କା ମଧ୍ୟ ଚିଟ୍‌ଫଣ୍ଡରୁ ଆସିଥିବା ନେଇ ସନ୍ଦେହ ପ୍ରକାଶ ପାଇଛି। ଆମେ ଏ ପ୍ରସଙ୍ଗରେ ବି ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟୀକରଣ ଚାହୁଁଛୁ। ଏ ସବୁ ପ୍ରସଙ୍ଗରେ ଗୃହରେ ସରକାର ସ୍ପଷ୍ଟୀକରଣ ଦେବାକୁ ବାଚସ୍ପତି ରୁଲିଂ ଦେବାକୁ ଆମେ ପୁଣି ଥରେ ଅନୁରୋଧ କରିଛୁ।”

ଜଷ୍ଟିସ୍ ଦାସଙ୍କ ପ୍ରସଙ୍ଗ ନେଇ ଗତ ଶୁକ୍ରବାରଠାରୁ ଗୃହରେ ଅଚଳାବସ୍ଥା ଲାଗି ରହିଛି। ସେ ବିଜେଡିର ଆଇନଜୀବୀ ସାମ୍ମୁଖ୍ୟ କାର୍ଯ୍ୟକ୍ରମରେ ଯୋଗ ଦେବା ଓ ସରକାର କାହିଁକି ଠକେଇର ଶିକାର ହୋଇଥିବା ଚିଟ୍‌ଫଣ୍ଡ୍ ଜମାକାରୀଙ୍କୁ ଟଙ୍କା ଦେବେ ବୋଲି ଦେଇଥିବା ମନ୍ତବ୍ୟକୁ ବିରୋଧୀମାନେ କଡ଼ା ବିରୋଧ କରିଛନ୍ତି।

Related story