ପୋଲିସ୍ ମାଡ଼ରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ

କଟକ: କଟକ ଜିଲ୍ଲା ନରସିଂହପୁର ଥାନାରେ ପୋଲିସ୍‌ର ମାଡ଼ ପରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ହୋଇଛି। ମୃତକ ଜଣଙ୍କ ହେଲେ ମାଳିସାହି ଗାଁର ଆକୁଳ ସେନାପତି। ଗତକାଲି ରାତିରେ କଟକ ବଡ଼ ମେଡିକାଲର ଆଇସିୟୁରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଏ ସମ୍ପର୍କରେ ପରିବାର ଲୋକଙ୍କ ପକ୍ଷରୁ ମଙ୍ଗଳାବାଗ ଥାନାରେ ଏତଲା ଦିଆଯାଇଛି। ନରସିଂହପୁର ଏଏସ୍‌ଆଇଙ୍କ ସମେତ ୫ ଜଣଙ୍କ ନାଁରେ ଏତଲା ଦିଆଯାଇଛି। ଅନ୍ୟପକ୍ଷରେ କ୍ଷତିପୂରଣ ଓ ପରିବାରର ଜଣକୁ ଚାକିରି […]

narsinghpur

Rakesh Mallick
  • Published: Monday, 12 December 2016
  • , Updated: 12 December 2016, 10:37 PM IST

କଟକ: କଟକ ଜିଲ୍ଲା ନରସିଂହପୁର ଥାନାରେ ପୋଲିସ୍‌ର ମାଡ଼ ପରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ହୋଇଛି। ମୃତକ ଜଣଙ୍କ ହେଲେ ମାଳିସାହି ଗାଁର ଆକୁଳ ସେନାପତି। ଗତକାଲି ରାତିରେ କଟକ ବଡ଼ ମେଡିକାଲର ଆଇସିୟୁରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଏ ସମ୍ପର୍କରେ ପରିବାର ଲୋକଙ୍କ ପକ୍ଷରୁ ମଙ୍ଗଳାବାଗ ଥାନାରେ ଏତଲା ଦିଆଯାଇଛି। ନରସିଂହପୁର ଏଏସ୍‌ଆଇଙ୍କ ସମେତ ୫ ଜଣଙ୍କ ନାଁରେ ଏତଲା ଦିଆଯାଇଛି। ଅନ୍ୟପକ୍ଷରେ କ୍ଷତିପୂରଣ ଓ ପରିବାରର ଜଣକୁ ଚାକିରି ଦାବିରେ ପରିବାର ଏବଂ ସ୍ଥାନୀୟ ଲୋକେ ରାସ୍ତାରୋକ କରିଥିଲେ।

ବିଲରେ ଗାଈ ଧାନ ଖାଇବାକୁ କେନ୍ଦ୍ର କରି ଆକୁଳଙ୍କ ସହ ତାଙ୍କ ଗାଁର ଜଣଙ୍କର ଝଗଡ଼ା ହୋଇଥିଲା। ଉକ୍ତ ବ୍ୟକ୍ତିଙ୍କ ଅଭିଯୋଗ ଆଧାରରେ ନରସିଂହପୁର ଥାନା ପୋଲିସ୍ ଗତ ୯ ତାରିଖ ରାତିରେ ଆକୁଳଙ୍କୁ ଘରୁ ଉଠାଇ ନେଇଥିଲା। ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେ ଥାନାରେ ତାଙ୍କୁ ପ୍ରବଳ ମାଡ଼ ମରାଯାଇଥିଲା। ମାଡ଼ ଖାଇ ତାଙ୍କ ଅବସ୍ଥା ଗୁରୁତର ହୋଇଯାଇଥିଲା। ତାଙ୍କ ଛାତି ଓ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଆକୁଳଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଦୋଷୀ ପୋଲିସ୍ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ପରିବାର ଲୋକେ।

ତେବେ ଏହି ଅଭିଯୋଗକୁ କଟକ ଗ୍ରାମାଞ୍ଚଳ ଏସ୍‌ପି ମାଧକ ସାହୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି,“ହାଜତରେ ଆକୁଳଙ୍କୁ ମାଡ଼ ମରାଯିବା ଅଭିଯୋଗ ଠିକ୍ ନୁହେଁ। ତାଙ୍କୁ ଥାନାକୁ ଅଣାଯାଇ ନ ଥିଲା। ଜଣେ ମହିଳାଙ୍କ ଅଭିଯୋଗ କ୍ରମେ ତାଙ୍କୁ ଧରିବାକୁ ରେଡ୍ କରାଯାଇଥିଲା। ରେଡ୍ ବେଳେ ସେ ପୋଲିସ୍ ଉପରକୁ ଆକ୍ରମଣ କରିଥିଲେ। ଏଥିରେ ଏଏସ୍‌ଆଇ ଭଗବାନ ସାହୁ ରକ୍ତାକ୍ତ ହୋଇଥିଲେ। ଆକୁଳ ପୂର୍ବରୁ ଅସୁସ୍ଥ ଥିବାରୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଏନେଇ ତାଙ୍କ ଘର ଲୋକଙ୍କୁ ଜଣାଇ ଦିଆଯାଇଥିଲା। ସେମାନେ ଆସି ନ ଥିଲେ। ଡାକ୍ତରଙ୍କ ପରାମର୍ଶକ୍ରମେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା।”

ଘଟଣାର ତଦନ୍ତ କରିବାକୁ କଟକ ଗ୍ରାମାଞ୍ଚଳ ଏସ୍‌ପି ନିର୍ଦ୍ଦେଶ ଦେଇଛନ୍ତି।  ଡିଏସ୍‌ପି ରାଙ୍କର ଜଣେ ଅଧିକାରୀ ଏହାର ତଦନ୍ତ କରିବେ।

Related story