ନବୀନ ନିବାସ ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କରିଥିବା ବହିଷ୍କୃତ ହୋମ୍‌ଗାର୍ଡଙ୍କ ମୃତ୍ୟୁ

କଟକ: ଗତ ୨ ତାରିଖରେ ନବୀନ ନିବାସ ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କରିଥିବା ବହିଷ୍କୃତ ହୋମ୍‌ଗାର୍ଡ ସନ୍ଦୀପ ହାତୀଙ୍କର ଆଜି ଭୋର୍‌ରେ ମୃତ୍ୟୁ ହୋଇଯାଇଛି। ତାଙ୍କ ଶରୀରର ୬୫ ଭାଗ ପୋଡ଼ି ଯାଇଥିଲା। ଏସ୍‌ସିବି ମେଡିକାଲ୍‌ର ପ୍ଲାଷ୍ଟିକ୍ ସର୍ଜରୀ ବିଭାଗରେ ତାଙ୍କର ଚିକିତ୍ସା ଚାଲିଥିଲା। ତେବେ ଗତକାଲି ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଟ୍ରମା ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଆଜି ଭୋରରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଶବବ୍ୟବଚ୍ଛେଦ ପରେ ସନ୍ଦୀପଙ୍କ ମୃତଦେହକୁ ତାଙ୍କ ଗାଁ […]

sandeep-hati

Rakesh Mallick
  • Published: Sunday, 11 September 2016
  • , Updated: 11 September 2016, 03:36 PM IST

କଟକ: ଗତ ୨ ତାରିଖରେ ନବୀନ ନିବାସ ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କରିଥିବା ବହିଷ୍କୃତ ହୋମ୍‌ଗାର୍ଡ ସନ୍ଦୀପ ହାତୀଙ୍କର ଆଜି ଭୋର୍‌ରେ ମୃତ୍ୟୁ ହୋଇଯାଇଛି। ତାଙ୍କ ଶରୀରର ୬୫ ଭାଗ ପୋଡ଼ି ଯାଇଥିଲା। ଏସ୍‌ସିବି ମେଡିକାଲ୍‌ର ପ୍ଲାଷ୍ଟିକ୍ ସର୍ଜରୀ ବିଭାଗରେ ତାଙ୍କର ଚିକିତ୍ସା ଚାଲିଥିଲା। ତେବେ ଗତକାଲି ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଟ୍ରମା ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଆଜି ଭୋରରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଶବବ୍ୟବଚ୍ଛେଦ ପରେ ସନ୍ଦୀପଙ୍କ ମୃତଦେହକୁ ତାଙ୍କ ଗାଁ ପୁରୀ ଜିଲ୍ଲା କଣାସ ବ୍ଲକ୍ ଅନ୍ତର୍ଗତ ହଳଦିଆପଡ଼ାକୁ ନିଆଯାଇଥିଲା। ତେବେ କ୍ଷତିପୂରଣ ଓ ପରିବାରର ଜଣଙ୍କୁ ଚାକିରି ଦାବି କରି ତାଙ୍କ ପରିବାର ଲୋକେ ଶବ ଗ୍ରହଣ କରି ନ ଥିଲେ। ବୁଝାବୁଝି କଲା ପରେ ସେମାନେ ସନ୍ଦୀପଙ୍କ ମୃତଦେହକୁ ଗ୍ରହଣ କରିଥିଲେ। ଶବସତ୍କାର ପାଇଁ ରେଡକ୍ରସ ପାଣ୍ଠିରୁ ୨୫,୦୦୦ ଟଙ୍କା ପ୍ରଦାନ କରାଯାଇଛି। ସେହିପରି ଭୁବନେଶ୍ୱର ଡିସିପି ୨୫,୦୦୦ ଟଙ୍କା ପ୍ରଦାନ କରିଛନ୍ତି। ବିଧାୟକ ଉମା ସାମନ୍ତରାୟ ୩ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ସନ୍ଦୀପଙ୍କ ପରିବାରକୁ ପ୍ରତିଶ୍ରୁତି ଦେଇଛନ୍ତି।

ମୃତ ସନ୍ଦୀପଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତି ପୂରଣ ସହିତ ତାଙ୍କ ସ୍ତ୍ରୀଙ୍କୁ ସରକାରୀ ଚାକିରି ଦେବାକୁ ହୋମଗାର୍ଡ ସଂଘ ଦାବି କରିଛି। ଏହା ସହିତ କେଉଁ କାରଣରୁ ସନ୍ଦୀପଙ୍କ ସମେତ ଆଉ ଯେଉଁ ୬୫ ହୋମଗାର୍ଡଙ୍କୁ ତିନି ବର୍ଷ ତଳେ ଚାକିରିରୁ ବହିଷ୍କାର କରାଯାଇଥିଲା ତାର ତଦନ୍ତ କରିବାକୁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିବାକୁ ସଂଘ ଦାବି କରିଛି। ବହିଷ୍କୃତ ଅନ୍ୟ ହୋମଗାର୍ଡଙ୍କୁ ପୁନଃନିଯୁକ୍ତି ଦେବାକୁ ସଂଘ ଦାବି କରିଛି।

ଡିଜିପି କେ.ବି ସିଂହ କହିଛନ୍ତି,“ସନ୍ଦୀପଙ୍କ ଶବ ସଂସ୍କାର ପାଇଁ ତାଙ୍କ ପରିବାରକୁ ପଚିଶି ହଜାର ଟଙ୍କା ଦିଆଯାଇଛି। ତାଙ୍କ ପରିବାରର ଜଣେ ସଦସ୍ୟଙ୍କୁ ଚାକିରି ଦେବା ପାଇଁ ବିଚାର କରାଯାଉଛି। ତା’ସହିତ ପୂରା ଘଟଣାର ତଦନ୍ତ କରାଯାଉଛି।”

ସନ୍ଦୀପଙ୍କୁ କେଉଁ ପରିସ୍ଥିତିରେ ଓ କାହିଁକି ବହିଷ୍କାର କରାଯାଇଥିଲା ତା’ର ତଦନ୍ତ ଭୁବନେଶ୍ୱର ଡିସିପି କରୁଛନ୍ତି।

ଚାକିରିରୁ ବହିଷ୍କାର ପ୍ରତିବାଦରେ ୨ ତାରିଖ ରାତିରେ ସନ୍ଦୀପ ପଳାସପଲ୍ଲୀ ପଟୁ ଆସି ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନିକଟରେ  ନିଜ ଦେହରେ  କିରୋସିନି ଢାଳି ନିଆଁ ଲଗାଇ ଦେଇଥିଲେ। ପରେ ମୁଖ୍ୟମନ୍ତ୍ରୀ ବାସଭବନ ଆଡକୁ ଦୌଡ଼ିଥିଲେ। ସୁରକ୍ଷା ଦାୟିତ୍ୱରେ ଥିବା ପୋଲିସ୍‌ ତାଙ୍କୁ ମୁମୂର୍ଷୁ ଅବସ୍ଥାରେ କାବୁ କରିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ କଟକ ଏସ୍‌ସିବି ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା।

Related story