ଆସନ୍ତାକାଲି ମାଲକାନଗିରି ଯିବେ ମୁଖ୍ୟମନ୍ତ୍ରୀ, ବିଜେପି ଓ କଂଗ୍ରେସର ବନ୍ଦ ଡାକରା

ଭୁବନେଶ୍ୱର/ମାଲକାନଗିରି: ବିଜେପି ଓ କଂଗ୍ରେସର ବନ୍ଦ ଡାକରା ସତ୍ତ୍ୱେ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଲକାନଗିରି ଜିଲ୍ଲା ଗସ୍ତରେ ଯିବେ। ଏହି ଗସ୍ତ ବେଳେ ସେ ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ସହ କିଛି ପ୍ରକଳ୍ପର ଉଦ୍‌ଘାଟନ କରିବେ। ଏହା ସହିତ ସାଧାରଣ ସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଜାପାନିଜ୍ ଏନ୍‌ସେଫାଲାଇଟିସ୍ ଆତଙ୍କ ଖେଳାଇ ଥିବା ବେଳେ ମୁଖ୍ୟମନ୍ତ୍ରୀ ମାଲକାନଗିରିକୁ ଯାଇ ନ ଥିଲେ। ସେଥିପାଇଁ ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରୁଛନ୍ତି ବିଜେପି ଓ […]

naveen

Rakesh Mallick
  • Published: Friday, 23 December 2016
  • , Updated: 24 December 2016, 07:44 AM IST

ଭୁବନେଶ୍ୱର/ମାଲକାନଗିରି: ବିଜେପି ଓ କଂଗ୍ରେସର ବନ୍ଦ ଡାକରା ସତ୍ତ୍ୱେ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଲକାନଗିରି ଜିଲ୍ଲା ଗସ୍ତରେ ଯିବେ। ଏହି ଗସ୍ତ ବେଳେ ସେ ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ସହ କିଛି ପ୍ରକଳ୍ପର ଉଦ୍‌ଘାଟନ କରିବେ। ଏହା ସହିତ ସାଧାରଣ ସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ଜାପାନିଜ୍ ଏନ୍‌ସେଫାଲାଇଟିସ୍ ଆତଙ୍କ ଖେଳାଇ ଥିବା ବେଳେ ମୁଖ୍ୟମନ୍ତ୍ରୀ ମାଲକାନଗିରିକୁ ଯାଇ ନ ଥିଲେ। ସେଥିପାଇଁ ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରୁଛନ୍ତି ବିଜେପି ଓ କଂଗ୍ରେସ।

କଂଗ୍ରେସ ନେତା ପ୍ରଦୀପ ମାଝି କହିଛନ୍ତି,“ଯେମିତି କି ଆଦିବାସୀ ଛୁଆ ଛୁଆ ନୁହଁନ୍ତି ଓ ମାଲକାନଗିରି ଜିଲ୍ଲା ଗୋଟିଏ ଜିଲ୍ଲା ନୁହେଁ। ଏହିଭଳି ବ୍ୟବହାର କରିଛନ୍ତି ମୁଖ୍ୟମନ୍ତ୍ରୀ। ଆସନ୍ତାକାଲି ସ୍କୁଲ୍, କଲେଜ ଓ ଦୋକାନ ବଜାର ସବୁ ବନ୍ଦ ରହିବ। ସଂପୂର୍ଣ୍ଣ ଭାବେ ରାସ୍ତାରୋକ କରାଯିବ। ବିଜୁ ଜନତା ଦଳ ବି ମୁଖ୍ୟମନ୍ତ୍ରୀଙ୍କ ଏ ଗସ୍ତକୁ ନେଇ ଦୁଇ ଭାଗ ହୋଇଛନ୍ତି। କାରଣ ଆଜି ସକାଳେ ତାଙ୍କର କିଛି ନେତା ବନ୍ଦକୁ ସମର୍ଥନ କରିବା ନେଇ ଆମକୁ କହିଛନ୍ତି।”

ବିଜେପି ରାଜ୍ୟ ସାଧାରଣ ସଂପାଦକ ଭୃଗୁ ବକ୍ସିପାତ୍ର କହିଛନ୍ତି,“ମାଲକାନଗିରିର ଆଦିବାସୀ ଛୁଆଙ୍କ ପ୍ରତି ରାଜ୍ୟ ସରକାର ଯେଉଁଭଳି ଅନ୍ୟାୟ କରିଛନ୍ତି ତାହାକୁ ସାଧାରଣ ସମାଜ କେବେ ବରଦାସ୍ତ କରିବ ନାହିଁ। ଆସନ୍ତାକାଲି ବିଜେପି ମାଲକାନଗିରି ବନ୍ଦ ଡାକରା ଦେଇଛି। ପୂରା ଜିଲ୍ଲାରେ ଦଳୀୟ କର୍ମୀମାନେ ରାଜ୍ୟ ସରକାରଙ୍କ କାର୍ଯ୍ୟକୁ ପ୍ରତିବାଦ କରିବେ।”

ଅନ୍ୟପକ୍ଷରେ ବିଜେଡି କହିଛି ପୂର୍ବରୁ ବିଭାଗୀୟ ମନ୍ତ୍ରୀ ଓ ସଚିବ ଜିଲ୍ଲା ଗସ୍ତରେ ଯାଇ ଜାପନିଜ୍ ଏନ୍‌ସେଫାଲାଇଟିସ୍ ସ୍ଥିତିର ସମୀକ୍ଷା କରିଥିଲେ।

ବିଜେଡି ମୁଖପାତ୍ର ପ୍ରଶାନ୍ତ ନନ୍ଦ କହିଛନ୍ତି,“ ସେଠି ସେତେବେଳେ (ମାଲକାନଗିରିରେ ଜାପାନୀ ଜ୍ୱର ଆତଙ୍କ ଚଳାଇଥିବା ବେଳେ) ମୁଖ୍ୟମନ୍ତ୍ରୀଙ୍କ ଆବଶ୍ୟକତା ଥିଲା ନା ଡାକ୍ତରଙ୍କ ଆବଶ୍ୟକତା ଥିଲା? ମୁଖ୍ୟମନ୍ତ୍ରୀ ୩୦ଟି ଜିଲ୍ଲାକୁ ରୁଟିନ୍ ଭିଜିଟ୍‌ରେ ଯାଉଛନ୍ତି। ସେହି କାର୍ଯ୍ୟସୂଚୀରେ ମାଲକାନଗିରି ଅଛି। ସେଥିପାଇଁ ସେ ସେଠାକୁ ଯାଉଛନ୍ତି।”

ବିରୋଧୀଙ୍କ ବନ୍ଦ ଡାକରା ସତ୍ତ୍ୱେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ସଫଳ କରାଇବାକୁ ମାଲକାନଗିରିରେ ଡେରା ପକାଇଛନ୍ତି ମନ୍ତ୍ରୀ ଓ ବରିଷ୍ଠ ବିଜେଡି ନେତା। ମାଲକାନଗିରି ଗସ୍ତରେ ମୁଖ୍ୟମନ୍ତ୍ରୀ ଆସୁଥିବାରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ସଭାସ୍ଥଳ ଡିଏନ୍‌କେ ଖେଳପଡ଼ିଆର ସୁରକ୍ଷା ବ୍ୟବସ୍ଥାକୁ ଅନୁଧ୍ୟାନ କରିଛନ୍ତି ଆଇଜି (ଅପରେସନ୍) ଆର.ପି କୋଚେ ଓ ଏସ୍‌ପି ମିତ୍ରଭାନୁ ମହାପାତ୍ର। ଜିଲ୍ଲାର ସୀମାକୁ ସିଲ୍ କରାଯାଇଛି। ମୋଟ ୩୨ ପ୍ଲାଟୁନ୍ ପୋଲିସ୍ ଫୋର୍ସକୁ ମୁତୟନ କରାଯାଇଛି।

Related story