ବିକାଶ ହିଁ ସବୁ ସମସ୍ୟାର ସମାଧାନ: ପ୍ରଧାନମନ୍ତ୍ରୀ

ବାଲେଶ୍ୱର: ବିକାଶ ହିଁ ସବୁ ସମସ୍ୟାର ସମାଧାନ ବୋଲି ଆଜି ବାଲେଶ୍ୱରଠାରେ ରାଜ୍ୟ ବିଜେପି ପକ୍ଷରୁ ଆୟୋଜିତ ‘ବିକାଶ ଉତ୍ସବ’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ପ୍ରଧାନମନ୍ତ୍ରୀ କହିଲେ,“ଗରିବୀରୁ ମୁକ୍ତି ପାଇଁ ବିକାଶ ଆବଶ୍ୟକ। ରୋଗରୁ ମୁକ୍ତି ପାଇଁ ବିକାଶ ଆବଶ୍ୟକ। ବେକାରୀ ସମସ୍ୟାରୁ ମୁକ୍ତି ପାଇଁ ବିକାଶ ଦରକାର। ଜୀବନ ଯାପନ ଶୈଳୀରେ ପରିବର୍ତ୍ତନ ଆଣିବା ପାଇଁ ବିକାଶ ଦରକାର। ଏଣୁ ବିକାଶ ହିଁ ସବୁ ସମସ୍ୟାର ସମାଧାନ।” ମୋଦି କହିଲେ,“ମୋ ସରକାର ଦେଶର ଗରିବଙ୍କ […]

modi

Rakesh Mallick
  • Published: Thursday, 02 June 2016
  • , Updated: 02 June 2016, 09:47 AM IST

ବାଲେଶ୍ୱର: ବିକାଶ ହିଁ ସବୁ ସମସ୍ୟାର ସମାଧାନ ବୋଲି ଆଜି ବାଲେଶ୍ୱରଠାରେ ରାଜ୍ୟ ବିଜେପି ପକ୍ଷରୁ ଆୟୋଜିତ ‘ବିକାଶ ଉତ୍ସବ’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି।

ପ୍ରଧାନମନ୍ତ୍ରୀ କହିଲେ,“ଗରିବୀରୁ ମୁକ୍ତି ପାଇଁ ବିକାଶ ଆବଶ୍ୟକ। ରୋଗରୁ ମୁକ୍ତି ପାଇଁ ବିକାଶ ଆବଶ୍ୟକ। ବେକାରୀ ସମସ୍ୟାରୁ ମୁକ୍ତି ପାଇଁ ବିକାଶ ଦରକାର। ଜୀବନ ଯାପନ ଶୈଳୀରେ ପରିବର୍ତ୍ତନ ଆଣିବା ପାଇଁ ବିକାଶ ଦରକାର। ଏଣୁ ବିକାଶ ହିଁ ସବୁ ସମସ୍ୟାର ସମାଧାନ।”

ମୋଦି କହିଲେ,“ମୋ ସରକାର ଦେଶର ଗରିବଙ୍କ ପାଇଁ ସମର୍ପିତ। ମୋର ସିଧାସଳଖ ଉଦ୍ଦେଶ୍ୟ ହେଉଛି ଯେପରି ଦେଶର କୌଣସି ରାଜ୍ୟ ବା କୌଣସି ଅଞ୍ଚଳ ବିକାଶରେ ପଛରେ ପଡ଼ି ନ ଯାଏ। ଦେଶର ସବୁ ଅଞ୍ଚଳର ସନ୍ତୁଳିତ ବିକାଶ ହେବା ଆବଶ୍ୟକ। ବିକାଶ ଧାରାରେ ସାମିଲ ହେବା ପାଇଁ ସମସ୍ତଙ୍କୁ ସୁଯୋଗ ମିଳିବା ଉଚିତ। ଦେଶର ସମସ୍ତ ନାଗରିକଙ୍କୁ ବିକାଶର ଲାଭ ମିଳିବା ଉଚିତ।”

ସେ କହିଲେ,“ସରକାର ଧନୀମାନଙ୍କ ପାଇଁ ନୁହେଁ, ଗରିବମାନଙ୍କ ପାଇଁ। ଜଣେ ଧନୀ ଲୋକ ଅସୁସ୍ଥ ହେଲେ ତାଙ୍କୁ ଚିକିତ୍ସା କରିବା ପାଇଁ ତାଙ୍କ ଘର ଆଗରେ ଡାକ୍ତରଙ୍କ ଲମ୍ବା ଲାଇନ୍ ଲାଗି ଯାଏ। କିନ୍ତୁ ଜଣେ ଗରିବ ଲୋକ ରୋଗରେ ପଡ଼ିଲେ ସରକାରୀ ଡାକ୍ତରଖାନା ଯାଇ ଲାଇନ୍‌ରେ ଛିଡ଼ା ହୁଏ। ଧନୀ ବ୍ୟକ୍ତିଙ୍କ ଛୁଆମାନଙ୍କୁ ପଢ଼ାଇବା ପାଇଁ ସେମାନଙ୍କ ଘର ଆଗରେ ଶିକ୍ଷକମାନଙ୍କ ଲମ୍ବା ଲାଇନ୍ ଲାଗେ। କିନ୍ତୁ ଗରିବ ଲୋକଙ୍କ ପିଲାମାନଙ୍କ ଏକମାତ୍ର ଭରସା ହେଉଛି ସରକାରୀ ସ୍କୁଲ୍। ତେଣୁ ସରକାରଙ୍କ ସବୁ ଯୋଜନାର କେନ୍ଦ୍ର ବିନ୍ଦୁରେ ଗରିବ ଲୋକମାନେ ରହିବା ଉଚିତ୍।”

ଦେଶରୁ ଗରିବୀ ହଟାଇବା ନେଇ ପୂର୍ବ ସରକାରଙ୍କ ନୀତିକୁ ପ୍ରଧାନମନ୍ତ୍ରୀ ସମାଲୋଚନା କରିଥିଲେ। ସେ କହିଲେ,“ଗରିବୀ ହଟାଇବା ନେଇ ପୂର୍ବରୁ ବହୁ ନାରାବାଜି ହୋଇଛି। ମୁଁ କହୁ ନାହିଁ ଯେ ଗରିବୀ ହଟାଓ ନେଇ ସେମାନଙ୍କ (ପୂର୍ବ ସରକାରର) ଇଚ୍ଛାଶକ୍ତିର ଅଭାବ ଥିଲା, କିନ୍ତୁ ସେମାନେ ଏହି ଲକ୍ଷ୍ୟ ହାସଲ କରିବା ପାଇଁ ଯେଉଁ ରାସ୍ତା ଆପଣାଇ ଥିଲେ ତାହା ଭୁଲ୍ ଥିଲା। ସେମାନଙ୍କ ଭୁଲ୍ ନୀତି ଯୋଗୁଁ ଦେଶରୁ ଗରିବୀ ହଟିବା ବଦଳରେ ବଢ଼ିଯାଇଛି।”

ପ୍ରଧାନମନ୍ତ୍ରୀ କହିଲେ,“ଗରିବୀ ହଟାଇବା ପାଇଁ ଆମେ ଯୋଜନା ପରେ ଯୋଜନା କରୁଛୁ। ଦେଶକୁ ଗରିବୀ ମୁକ୍ତ କରିବା ପାଇଁ ଉଦ୍ୟମ ଚାଲିଛି। ଗରିବୀରୁ ମୁକ୍ତି ପାଇବା ପାଇଁ ଗରିବଙ୍କୁ ସାମର୍ଥ୍ୟ ଯୋଗାଇ ଦିଆଯାଉଛି। ଦେଶକୁ ଗରିବୀ ମୁକ୍ତ କରିବା ପାଇଁ ଗରିବ ଲୋକମାନେ ସରକାରଙ୍କ ସହିତ କାନ୍ଧରେ କାନ୍ଧ ମିଳାଇ ଚାଲିବା ଉଚିତ।”

ମୋଦି କହିଲେ,“ଦେଶର ପଶ୍ଚିମ ରାଜ୍ୟଗୁଡ଼ିକରେ ଆର୍ଥିକ ବିକାଶ ଧାରା ତ୍ୱରାନ୍ୱିତ ହୋଇଛି। କିନ୍ତୁ ପୂର୍ବରେ ଥିବା ରାଜ୍ୟଗୁଡ଼ିକରେ ସେଭଳି ବିକାଶ ଦେଖିବାକୁ ମିଳି ନାହିଁ। ଓଡ଼ିଶା ସମେତ ବିହାର, ପଶ୍ଚିମବଙ୍ଗ, ଆସାମ ଓ ଅନ୍ୟ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ସେଭଳି ବିକାଶ ହୋଇନାହିଁ। ଓଡ଼ିଶା ପ୍ରାକୃତିକ ସଂପଦରେ ଭରପୂର। କିନ୍ତୁ ଏହା ଏବେବି ଗରିବ ରାଜ୍ୟ ଭାବେ ପରିଗଣିତ ହେଉଛି। ସେଥିପାଇଁ ଆମ ସରକାର ଯେକୌଣସି ଯୋଜନା ପ୍ରସ୍ତୁତ କଲା ବେଳେ ଓଡ଼ିଶା ସମେତ ପୂରା ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକୁ ପ୍ରାଥମିକତା ଦେଇ ଆସିଛି। ରେଳ, ରାସ୍ତା, ବନ୍ଦର, ସ୍ୱାସ୍ଥ୍ୟ ଓ ଶିକ୍ଷା ସବୁଥିରେ ଏହି ରାଜ୍ୟଗୁଡ଼ିକୁ ପ୍ରାଧାନ୍ୟ ଦିଆଯାଉଛି।”

ବିଜେପି ଶାସିତ ରାଜ୍ୟଗୁଡ଼ିକରେ ଅଧିକ ମାତ୍ରାରେ ବିକାଶ ହେଉଥିବା ଦେଖିବାକୁ ମିଳୁଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସେ କହିଲେ,“ମହାରାଷ୍ଟ୍ର, ଗୁଜରାଟ, ରାଜସ୍ଥାନ, ଛତିଶଗଡ଼, ଗୋଆ, ହରିଆଣା ଆଦି ବିଜେପି ଶାସିତ ରାଜ୍ୟଗୁଡ଼ିକରେ ଭଲ ବିକାଶ ହେଉଛି। ଯେଉଁ ସ୍ଥାନରେ ଲୋକେ ବିଜେପି ଉପରେ ଭରସା କରିଛନ୍ତି ସେହି ସ୍ଥାନରେ ଭଲ ବିକାଶ ହୋଇଛି। କିନ୍ତୁ ଯେଉଁଠି ସେବା କରିବା ପାଇଁ ବିଜେପି ସୁଯୋଗ ପାଇନି ସେଠାରେ ବିକାଶର ଧାରା ଭଲ ନୁହେଁ। ଓଡ଼ିଶାରେ ଆମେ ଏଯାଏଁ ସେ ସୁଯୋଗ ପାଇନୁ। ତେଣୁ ଓଡ଼ିଶାର ଅବସ୍ଥା କ’ଣ ତାହା ଆପଣମାନେ ଭଲ ଭାବେ ଜାଣିଛନ୍ତି। ଏବେ ତ ବିଜେପି ଓ ବିକାଶ ପରସ୍ପର ପରିପୂରକ ହୋଇଗଲେଣି। ଲୋକେ ବିକାଶ କହିଲେ ବିଜେପି ବୁଝୁଛନ୍ତି ଓ ବିଜେପି କହିଲେ ବିକାଶ ବୁଝୁଛନ୍ତି।”

ଦେଶର ବିକାଶରେ ବିଦ୍ୟୁତ୍ ଶକ୍ତିର ଆବଶ୍ୟକତା ସଂପର୍କରେ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ ଏ ଦିଗରେ ତାଙ୍କ ସରକାର ଉଠାଇଥିବା ବିଭିନ୍ନ ପଦକ୍ଷେପ ବିଷୟରେ କହିଥିଲେ। ସେ କହିଥିଲେ,“ମୋ ସରକାର ଆସିବା ପରେ ହଜାରେ ଦିନରେ ଅଠର ହଜାର ଗାଁକୁ ବିଦ୍ୟୁତ୍ ସଂଯୋଗ କରିବାକୁ ଲକ୍ଷ୍ୟ ରଖାଯାଇଥିଲା। ତିନି ଶହ ଦିନ ମଧ୍ୟରେ ସାତ ହଜାର ଗାଁକୁ ବିଦ୍ୟୁତ୍ ସଂଯୋଗ ଦିଆଯାଇଛି। ବିଦ୍ୟୁତ୍‌ ଶକ୍ତି ଏକ ଅଞ୍ଚଳକୁ ସଶକ୍ତ କରାଏ। ବିଦ୍ୟୁତ୍ ସଂଯୋଗ ହେଲେ ଲୋକେ ଗାଁରେ ଛୋଟମୋଟ ବ୍ୟବସାୟ ଆରମ୍ଭ କରିପାରନ୍ତି। ଶିକ୍ଷା କ୍ଷେତ୍ରରେ ଉନ୍ନତି ଆସେ।”

ବାଲେଶ୍ୱରରେ ‘ବିକାଶ ଉତ୍ସବ’ରେ ପ୍ରଧାନମନ୍ତ୍ରୀ ତାଙ୍କ ସରକାରଙ୍କ ବିଭିନ୍ନ ଯୋଜନା ଯେପରିକି ‘ବେଟି ବଚାଓ ବେଟି ପଢ଼ାଓ’,‘ସୁକନ୍ୟା’,‘ଇନ୍ଦ୍ରଧନୁଷ’, ଓ ‘ଜନ ଧନ ଯୋଜନା’ ଆଦି ବିଷୟରେ ଆଲୋକପାତ କରିଥିଲେ। ଏ ସବୁ ବିଷୟରେ ତାଙ୍କ ସରକାରର ସଫଳତା ସଂପର୍କରେ ସୂଚନା ଦେବା ବେଳେ ସେ କହିଥିଲେ,“ଗତ ଦୁଇ ବର୍ଷରେ ମୋ ସରକାର ଯାହା ସବୁ କାମ କରିଛି ତା’ର ହିସାବ ଦେବାକୁ ମୁଁ ଆଜି ଏଠାକୁ ଆସିଛି। ମୁଁ ଦିଲ୍ଲୀରେ ବସି ହିସାବ ଦେଉନି। ଲୋକଙ୍କ ଗହଣରେ ହିସାବ ଦେଉଛି। ଆପଣଙ୍କର ଏଠିକାର ସରକାର (ରାଜ୍ୟ ସରକାର) କେବେ ଆପଣମାନଙ୍କ ପାଖକୁ ଆସି ତାଙ୍କ କାର୍ଯ୍ୟର ହିସାବ ଦେଇଛନ୍ତି କି?”

ଏହି ସଭାରେ କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ, କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂ, ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କ ସମେତ ଦଳର ସମସ୍ତ ନେତୃବୃନ୍ଦ ଉପସ୍ଥିତ ଥିଲେ।

Related story