ମରୁଡି ଘୋଷଣାକୁ ୯ ମାସ ବିତିଲା, ମାତ୍ର ୪୭% ଚାଷୀଙ୍କୁ ମିଳିଛି ଇନ୍‌ପୁଟ୍‌ ସବ୍‌ସିଡି

ଭୁବନେଶ୍ୱର: ମରୁଡି ଘୋଷଣାର ୯ ମାସ ପରେ ବି ରାଜ୍ୟରେ ସବୁ ଚାଷୀଙ୍କୁ ମିଳିପାରିନି ଇନ୍‌ପୁଟ ସବ୍‌ସିଡି ବା ସରକାରୀ ସହାୟତା। ସରକାରଙ୍କ ରିପୋର୍ଟ ମୁତାବକ ଏବେ ସୁଦ୍ଧା ମାତ୍ର ୪୭ ପ୍ରତିଶତ ଚାଷୀଙ୍କୁ ମରୁଡି ସହାୟତା ପ୍ରଦାନ କରାଯାଇଛି। ମରୁଡି କ୍ଷତିଗ୍ରସ୍ତ ଅଞ୍ଚଳରେ ସରକାର ବାଣ୍ଟିଥିବା ଇନ୍‌ପୁଟ ସବ୍‌ସିଡିର ହିସାବ ଅନୁଯାୟୀ ନୟାଗଡରେ ମାତ୍ର ୨ ପ୍ରତିଶତ ଚାଷୀଙ୍କୁ ସହାୟତା ଦିଆଯାଇଥିବା ବେଳେ କଟକ ଓ ଯାଜପୁରରେ ମାତ୍ର ୫ ପ୍ରତିଶତ ଚାଷୀ ସହାୟତା ପାଇଛନ୍ତି। […]

input-sunsidy

Rakesh Mallick
  • Published: Tuesday, 12 July 2016
  • , Updated: 12 July 2016, 09:11 PM IST

ଭୁବନେଶ୍ୱର: ମରୁଡି ଘୋଷଣାର ୯ ମାସ ପରେ ବି ରାଜ୍ୟରେ ସବୁ ଚାଷୀଙ୍କୁ ମିଳିପାରିନି ଇନ୍‌ପୁଟ ସବ୍‌ସିଡି ବା ସରକାରୀ ସହାୟତା। ସରକାରଙ୍କ ରିପୋର୍ଟ ମୁତାବକ ଏବେ ସୁଦ୍ଧା ମାତ୍ର ୪୭ ପ୍ରତିଶତ ଚାଷୀଙ୍କୁ ମରୁଡି ସହାୟତା ପ୍ରଦାନ କରାଯାଇଛି।

ମରୁଡି କ୍ଷତିଗ୍ରସ୍ତ ଅଞ୍ଚଳରେ ସରକାର ବାଣ୍ଟିଥିବା ଇନ୍‌ପୁଟ ସବ୍‌ସିଡିର ହିସାବ ଅନୁଯାୟୀ ନୟାଗଡରେ ମାତ୍ର ୨ ପ୍ରତିଶତ ଚାଷୀଙ୍କୁ ସହାୟତା ଦିଆଯାଇଥିବା ବେଳେ କଟକ ଓ ଯାଜପୁରରେ ମାତ୍ର ୫ ପ୍ରତିଶତ ଚାଷୀ ସହାୟତା ପାଇଛନ୍ତି। ଗଜପତିରେ ୨୦ ପ୍ରତିଶତ, ଖୋର୍ଦ୍ଧାରେ ୨୪ ପ୍ରତିଶତ ଓ ଦେବଗଡରେ ୨୫ ପ୍ରତିଶତ ଚାଷୀଙ୍କୁ ସହାୟତା ରାଶି ପ୍ରଦାନ କରିଛନ୍ତି ସରକାର। ଚଳିତ ମାସ ୩୧ ସୁଦ୍ଧା ସବୁ କ୍ଷତିଗ୍ରସ୍ତ ଚାଷୀଙ୍କୁ ଇନ୍‌ପୁଟ ସବ୍‌ସିଡି ବାଣ୍ଟିବାକୁ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସରକାର।

ଏସ୍‌ଆରସି ପ୍ରଦୀପ୍ତ ମହାପାତ୍ର କହିଛନ୍ତି,“ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ ମୁତାବକ ସରକାରୀ ସହାୟତା ପ୍ରଦାନ କାର୍ଯ୍ୟ ଚଳିତ ମାସ ଶେଷ ସୁଦ୍ଧା ଶେଷ କରିବାକୁ ଆଜି ସଚିବାଳୟରେ ବସିଥିବା ବୈଠକରେ ନିଷ୍ପତ୍ତି ହୋଇଛି। କିଛି ଜିଲ୍ଲାରେ ଇନ୍‌ପୁଟ ସବ୍‌ସିଡି ପ୍ରଦାନ କାର୍ଯ୍ୟ ନୈରାଶ୍ୟଜନକ ରହିଛି। ସେହିସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ଏନେଇ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ସେହି ଜିଲ୍ଲାଗୁଡିକର ସହାୟତା ଅର୍ଥ ପ୍ରାୟ ୯୨୬ କୋଟି ଟଙ୍କା ରିଲିଫ୍‌ କମିଶନରଙ୍କ କାର୍ଯ୍ୟାଳୟକୁ ଚାଲି ଯାଇଛି। ରାଜ୍ୟରେ ମାତ୍ର ୪୭ ପ୍ରତିଶତ ସବ୍‌ସିଡି ଅର୍ଥ ବଣ୍ଟନ କରାଯାଇଛି। ଖୁବ୍‌ଶୀଘ୍ର ସହାୟତା ରାଶି ସବୁ ଜିଲ୍ଲାର ସବୁ ବ୍ଲକକୁ ଦିଆଯିବ।”

ମରୁଡି ସହାୟତାକୁ ନେଇ ପୂର୍ବରୁ ରାଜ୍ୟ ଓ କେନ୍ଦ୍ର ଭିତରେ ତୁତୁ ମେଁମେଁ ଦେଖିବାକୁ ମିଳିଥିଲା। କେନ୍ଦ୍ର ବିରୋଧରେ ବିଜେଡି ରାଜରାସ୍ତାକୁ ଓହ୍ଲେଇ ଥିଲା। ଓଡ଼ିଶା ୨୩୪୪.୯୯ କୋଟି ଟଙ୍କାର ସହାୟତା ମାଗିଥିଲେ। କେନ୍ଦ୍ର ସରକାର ୮୧୫ କୋଟି ଟଙ୍କା ସହାୟତା ଦେଇଥିଲେ। ଏଥିମଧ୍ୟରୁ ଏବେ ସୁଦ୍ଧା ସରକାରଙ୍କ ତହବିଲ୍‌ରେ ଜମା ହୋଇଛି ୬୦୦କୋଟି ଟଙ୍କା।

ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର କହିଛନ୍ତି,“ମରୁଡିକୁ ଏକ ବର୍ଷ ପୂରିବାକୁ ଯାଉଥିବା ବେଳେ ଏହି ସରକାର କେନ୍ଦ୍ର ଦେଇଥିବା ଅର୍ଥକୁ ଠିକ୍‌ରେ ବାଣ୍ଟିପାରି ନାହିଁ। ଏ ସରକାର କେବଳ ଚାଟୁ ବାକ୍ୟ କହିବାରେ ଧୁରନ୍ଧର। କିପରି ନିଜର ପ୍ରଦର୍ଶନକୁ ବଢାଯାଇପାରିବ, କିପରି ଲୋକଙ୍କ ସମସ୍ୟା ସମାଧାନ କରାଯିବ ସେନେଇ ଏ ସରକାର ଯେ ଚେଷ୍ଟିତ ନୁହେଁ ତାହା ପ୍ରମାଣିତ ହୋଇଯାଉଛି।”

କଂଗ୍ରେସ ବିଧାୟକ ପ୍ରଫୁଲ ମାଝୀ କହିଛନ୍ତି,“ପ୍ରଶାସକଙ୍କ ହାତରେ ଯଦି ଶାସନ ନ୍ୟସ୍ତ ହୁଏ ତେବେ ରାଜ୍ୟରେ କି ପରିସ୍ଥିତି ହେବ ତାହା ସମସ୍ତଙ୍କୁ ଜଣା। କେବେଠାରୁ କେନ୍ଦ୍ର ସରକାର ଇନ୍‌ପୁଟ ସବ୍‌ସିଡି ଦେଇସାରିଲେଣି। କିନ୍ତୁ ରାଜ୍ୟ ସରକାର ଏହାକୁ କାର୍ଯ୍ୟରେ ନ ଲଗାଇ ବାହାନାବାଜୀ ଓ କେନ୍ଦ୍ରୀୟ ଅବହେଳା ନାରା ଦେବା ଉଚିତ ହେଉନାହିଁ। ଏ ସରକାର ଅପାରଗ। ଏ ସରକାରର ପାରିବାପଣିଆ ଏଇଥିରୁ ସ୍ପଷ୍ଟ ବାରି ହେଉଛି।”

ବିରୋଧୀଙ୍କ ଅଭିଯୋଗର ଉତ୍ତର ଦେଇ ବିଜେଡି ମୁଖପାତ୍ର ସମୀର ଦାଶ କହିଛନ୍ତି,“ଇନ୍‌ପୁଟ ସବ୍‌ସିଡି ରାଜ୍ୟର ପ୍ରକୃତ ଚାଷୀଙ୍କୁ ଦେବାକୁ ସରକାରଙ୍କର ନିର୍ଦ୍ଦେଶ ରହିଛି। ୨୭ଟି ଜିଲ୍ଲାର ୨୩୩ଟି ବ୍ଲକରେ ପ୍ରକୃତ ଚାଷୀ ଚୟନରେ କିଛି କିଛି ସ୍ଥାନରେ ସମସ୍ୟା ଉପୁଜିଛି। ଏହାର ସମାଧାନ କରି ଜୁଲାଇ ୩୧ ସୁଦ୍ଧା ସବୁ ଜିଲ୍ଲାକୁ ସବ୍‌ସିଡି ଅର୍ଥ ବାଣ୍ଟିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି।”

ଗତବର୍ଷ ମରୁଡି ଯୋଗୁଁ ରାଜ୍ୟର ୨୭ଟି ଜିଲ୍ଲାର ୨୩୩ଟି ବ୍ଲକରେ ଫସଲ ନଷ୍ଟ ହୋଇଥିଲା।

Related story