ଏମିତି ଚାଲିଛି ମୋଦିଙ୍କ ରାମରାଜ୍ୟ ! ଦୁଃଶାସନ କିଏ?

ଭୁବନେଶ୍ୱର, (ତାପସ ରଞ୍ଜନ ବେହେରା): ବଳାତ୍କାରୀଙ୍କୁ ଫାଶୀ ଦିଅ। ଏନଫ୍‌ ଇଜ୍‌ ‌ଏନଫ୍‌। ଆମେ ନ୍ୟାୟ ଚାହୁଁ। ବଳାତ୍କାରୀ ତୁମେ ଦେଶ ଛାଡ଼। ମୋ ଦେହର ମୁଁ ମାଲିକ। ସେଦିନ ଏମିତି କେତେକେତେ ସ୍ଲୋଗାନରେ ପ୍ରକମ୍ପିତ ହୋଇଥିଲା ଭାରତବର୍ଷ। ଦିଲ୍ଲୀରୁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ବାତ୍ୟା ପରି ପୁରପଲ୍ଲୀ ପର୍ଯ୍ୟନ୍ତ ବ୍ୟାପି ଯାଇଥିଲା। ୨୦୧୨ ଡିସେମ୍ୱର ୧୬ ରାତିରେ ଜାତୀୟ ରାଜଧାନୀ ଦିଲ୍ଲୀରେ ଘଟିଥିବା ନିର୍ଭୟା ଗଣଦୁଷ୍କର୍ମ ଓ ଲୋମହର୍ଷଣକାରୀ ହତ୍ୟାକାଣ୍ଡର ବର୍ବରତାକୁ ବରଦାସ୍ତ କରିପାରି ନଥିଲା ଦେଶ। ନିର୍ଭୟାକୁ ନ୍ୟାୟ ଦେବା ପାଇଁ ଏକ୍‌ ହୋଇଥିଲା ଭାରତବର୍ଷ।

ଏହି ଘଟଣାର ୬ ବର୍ଷ ପରେ ପୁଣି ସେମିତି ଏକ ବିଦ୍ରୋହର ସ୍ରୋତ ସାରା ଦେଶରେ ପ୍ରବାହିତ ହୋଇଛି। ଜମ୍ମୁକାଶ୍ମୀର କାଠୁଆର ଜଣେ ନିଷ୍ପାପ ଶିଶୁକନ୍ୟା ପ୍ରତି କରାଯାଇଥିବା କ୍ରୁର ପାଶବିକ ଅତ୍ୟାଚାର ଏହି ଜନବିପ୍ଲବକୁ ଜନ୍ମ ଦେଇଛି। କାଶ୍ମୀରଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଜାଗ୍ରତ ହୋଇଛି ଜନଆକ୍ରେଶ। ବ୍ୟାପୁଛି ବିପ୍ଲବ। ଦୋଷୀ ବିରୋଧରେ କିଏ ସୋସିଆଲ ମିଡିଆରେ ବିଷ ଓଗାଲୁଛି ତ’ ଆଉ କିଏ ସଭା ଶୋଭାଯାତ୍ରା କରି ପୀଡ଼ିତାଙ୍କ ପାଇଁ ନ୍ୟାୟ ଦାବି କରୁଛି। ଏହି ଆନ୍ଦୋଳନରେ ଯୋଡ଼ି ହୋଇଯାଇଛି, ଉତ୍ତର ପ୍ରଦେଶର ଉନ୍ନାଉ ଦୁଷ୍କର୍ମ ଘଟଣା। ଉନ୍ନାଉ ଘଟଣାରେ ପୀଡ଼ିତାଙ୍କ ବାପାଙ୍କ ଜୀବନ ଯାଇଥିବା ବେଳେ କାଶ୍ମୀର ଘଟଣାରେ ପୀଡ଼ତାଙ୍କୁ ହତ୍ୟା କରାଯାଇଛି।

ତେବେ ଜମ୍ମୁର କାଠୁଆ ଘଟଣାଟି ଯେତିକି ସମ୍ୱେଦନଶୀଳ ସେତିକି ସ୍ପର୍ଶକାତର। ଦେହଭୋଗୀ ଯୌନ ପିପାସୁମାନେ ଜଣେ ୮ ବର୍ଷର ଝିଅକୁ ମନ୍ଦିର ଭିତରେ ଯେଉଁଭଳି ଭାବେ ଗଣଦୁଷ୍କର୍ମ କରି ହତ୍ୟା କଲେ, ତାହା ସବୁ ବର୍ବରତାର ସୀମା ଲଙ୍ଘି ଯାଇଛି। ପ୍ରଥମେ ଅପହରଣ କରି ମନ୍ଦିର ଭିତରେ ୪ ଦିନ ଗଣବଳାତ୍କାର ପରେ ତା’ ମୁଣ୍ଡକୁ ପଥରରେ ଛେଚି  ହତ୍ୟା କରାଗଲା। ଖାଲି ସେତିକିରେ ମେଣ୍ଟି ନଥିଲା ଯୌନ ପିପାସୁଙ୍କ ଶୋଷ। ବଳାତ୍କାର ବେଳେ ନାବାଳିକାକୁ ନିଶା ଔଷଧ ଦିଆଯିବା ଭଳି ସଙ୍ଗୀନ ଅଭିଯୋଗ ମଧ୍ୟ ଆସିଛି। ତେବେ ପୀଡ଼ିତାଙ୍କୁ ନ୍ୟାୟ ଦେବା ବଦଳରେ ଘଟଣାକୁ ଚପାଇ ଦେବା ପାଇଁ ହେଉ, କିମ୍ୱା ମୋଡ଼ ବଦଳାଇବାକୁ ଉଦ୍ୟମ ହେଉ, ଏହି ଘଟଣାକୁ ଯେମିତି ରାଜନୀତି ଓ ଧର୍ମର ରଙ୍ଗ ଦିଆଗଲା, ତାହା ଦେଶବାସୀଙ୍କୁ ଅଧିକ ମର୍ମାହତ କରିଛି।

୧୭ ଜାନୁଆରୀରେ ପୀଡ଼ିତାଙ୍କୁ ହତ୍ୟା କରାଯାଇଥିବା ବେଳେ, ଏପ୍ରିଲ ୧୦ରେ ଜମ୍ମୁ କ୍ରାଇମବ୍ରାଞ୍ଚ ପକ୍ଷରୁ ୧୧ ପୃଷ୍ଠା ସମ୍ୱଳିତ ଚାର୍ଜସିଟ କୋର୍ଟରେ ଦାଖଲ କରିବାକୁ ନେଇ ଉଠିଥିଲା ଝଡ଼। କୋର୍ଟକୁ ଚାର୍ଜସିଟ ଦାଖଲ କରିବାକୁ ଯାଉଥିଲା ବେଳେ ଜମ୍ମୁର ଓକିଲମାନେ କ୍ରାଇମବ୍ରାଞ୍ଚର ବାଟ ଓଗାଳିଥିଲେ। ଏପରକି ଅଭିଯୁକ୍ତଙ୍କୁ ସୁରକ୍ଷା ଦେବାକୁ ଗୋଟିଏ ନିର୍ଦ୍ଦିଷ୍ଟ ସଙ୍ଗଠନ ଶୋଭାଯାତ୍ରା କରିବା, ହାତରେ ତ୍ରିରଙ୍ଗା ଧରି ଭାରତ ମାତାକୀ ଜୟ କହିବା, ଅଭିଯୁକ୍ତଙ୍କ ସପକ୍ଷରେ ଜୟ ଶ୍ରୀରାମ ନାରାବାଜି କରିବା, ଦୁଇଜଣ ବିଜେପି ବିଧାୟକ ଅଭିଯୁକ୍ତଙ୍କ ସପକ୍ଷର ଅଣ୍ଟାଭିଡ଼ିବା ଆଦି ଘଟଣା ବୟାନ କରୁଛି ଯେ, ଏଦେଶର  ଶାସନ ବ୍ୟବସ୍ଥା କେମିତି ଅସହାୟ ହୋଇପଡ଼ିଛି। ଖାଲି ସେତିକି ନୁହେଁ, କ୍ରାଇମ୍‌ବ୍ରାଞ୍ଚ ଦାଖଲ କରିଥିବା ଦସ୍ତାବିଜ୍‌କୁ ଓକିଲମାନେ ଗ୍ରହଣ କରିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି। ଦରକାର ପଡ଼ିଲେ ହାତରେ ବନ୍ଧୁକ ଧରିବେ ବୋଲି ଚେତାବନୀ ଦେଇଛନ୍ତି। ପୀଡ଼ିତାଙ୍କ ପାଇଁ ମାମଲା ଲଢୁଥିବା ଓକିଲଙ୍କୁ ଏକଘରିଆ ମଧ୍ୟ କରିଦେଇଛନ୍ତି।

ଅଭିଯୁକ୍ତଙ୍କ ପକ୍ଷର କହିବା କଥା ହେଲା, ଯେଉଁ ମନ୍ଦିରରେ ୩ଟି ଝରକା ଓ ୪ଟି ଦ୍ୱାର ଅଛି, ସେଠାକୁ ପ୍ରତିଦିନ ସ୍ଥାନୀୟ ଲୋକେ ମନ୍ଦିରକୁ ପୂଜା କରିବାକୁ ଆସୁଥିଲା ବେଳେ ଅପହୃତ ନାବାଳିକାକୁ କେମିତି ଦେଖିପାରିଲେ ନାହିଁ। ଯଦି ଏ ଅଭିଯୋଗର ସତ୍ୟତା ଥାଏ, ତେବେ ଏହା କୋର୍ଟରେ ବିଚାର ହେବ। ଆଇନକୁ ତା’ବାଟରେ ନଛାଡ଼ି ଏହାର ରାସ୍ତା ଓଗାଳିବା କେତେଦୂର ଯୁକ୍ତିଯୁକ୍ତ? ଏସବୁ ଘଟଣାକୁ ତର୍ଜମା କଲେ ମହାଭାରତର ଦୁଃଶାସନଙ୍କ ଚରିତ୍ର କଥା ମନେ ପଡ଼ିଯାଉଛି। କୁରୁସଭା ତଳେ ଯେତେବେଳେ ଦ୍ରୌପଦୀଙ୍କ ବସ୍ତ୍ରହରଣ ହେଉଥିଲା, ସେତେବେଳେ କୌରବମାନେ ଅଟ୍ଟହାସ୍ୟ କରୁଥିଲେ। ପ୍ରଭୁ ଶ୍ରୀକୃଷ୍ଣ ଚକ୍ର ପେସି ଦ୍ରୌପଦୀଙ୍କ ଇଜ୍ଜତ ରକ୍ଷା କରିଥିଲେ। ଏଠି କିନ୍ତୁ ଭଗବାନଙ୍କ ଆଖି ସାମ୍ନାରେ ଇଜ୍ଜତ ଲୁଟ୍ ହୋଇଥିଲେ ମଧ୍ୟ ସେମିତି ପଥର ହୋଇ ହିଁ ବସିଥିଲେ ଭଗବାନ। ଆରପାରିକୁ ଚାଲିଗଲେ ପୀଡ଼ିତା। ମୃତ୍ୟୁ ପରେ ମଧ୍ୟ ସେ ନ୍ୟାୟ ପାଇବେ କି ନାହିଁ ସନ୍ଦେହ ସୃଷ୍ଟି ହେଲାଣି।

ଅବଶ୍ୟ କାଠୁଆ ମାମଲାକୁ ଅନ୍ୟତ୍ର ଶୁଣାଣି ପାଇଁ ପୀଡ଼ିତାଙ୍କ ପରିବାର ପକ୍ଷରୁ କରାଯାଇଥିବା ଆବେଦନକୁ ସୁପ୍ରିମକୋର୍ଟ ଗ୍ରହଣ କରିନେଇଛନ୍ତି। ହେଲେ ପୀଡ଼ିତାଙ୍କ ପରିବାର ନିଜକୁ ଅସୁରକ୍ଷିତ ମଣୁଛନ୍ତି। ଉତ୍ତରପ୍ରଦେଶ ଘଟଣାରେ ମଧ୍ୟ ସମାନ ଚିତ୍ର ସାମ୍ନାକୁ ଆସିଥିଲା। ପ୍ରଥମେ ଅଭିଯୁକ୍ତଙ୍କୁ ଯୋଗୀ ସରକାର ସୁରକ୍ଷା ଦେଇଥିବା ଅଭିଯୋଗ ହୋଇଛି। ପୀଡ଼ିତା ଯୋଗୀଙ୍କ ବାସଭବନରେ ନ୍ୟାୟ ପାଇଁ ଧାରଣା ଦେଇଥିଲେ। କିନ୍ତୁ କେହି ଶୁଣି ନଥିଲେ। କିନ୍ତୁ ଥାନା ହାଜତରେ ପୀଡ଼ିତାଙ୍କ ବାପାଙ୍କ ମୃତ୍ୟୁ ପରେ ପରିସ୍ଥିତି ଅସମ୍ଭାଳ ହେଲାରୁ ମାମଲା ସିବିଆଇକୁ ଦିଆଗଲା। ଏଥିରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ବେଟି ବଚାଓ ବେଟି ପଢାଓ’ ଯୋଜନା କେମିତି କାର୍ଯ୍ୟକାରୀ ହେଉଛି ତାହା ମଧ୍ୟ ସ୍ପଷ୍ଟ ବାରି ହେଉଛି।

ଜାତୀୟ କ୍ରାଇମ ରେକର୍ଡ଼ ବ୍ୟୁରୋର ସୂଚନା ଅନୁଯାୟୀ, ଦେଶରେ ବର୍ଷକୁ ୩୬ ହଜାର ବଳାତ୍କାର ହେଉଛି। ଏହି ହିସାବକୁ ଦେଖିଲେ ପ୍ରତି ୨ ମିନିଟ୍‌ରେ ଜଣେ ମହିଳା ଯୌନ ରାକ୍ଷସଙ୍କ ଶିକାର ହେଉଛନ୍ତି। ଇଏତ ସରକାରୀ ହିସାବ। ଲୋକଲଜ୍ଜା, ଭୟ ଓ ଚାପରେ ଅନେକ ଅଭିଯୋଗର ଅପମୃତ୍ୟୁ ବି ହେଉଛି। ଭାରତରେ ବଳାତ୍କାର ଏକ ବ୍ୟାଧି ରୂପରେ ମାଡ଼ି ଚାଲିଥିବା ବେଳେ ଏହାକୁ ରୋକିବା ପାଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଅତ୍ୟନ୍ତ ନିରାଶଜନକ। କାରଣ ଜଣେ କୋମଳମତି ଶିଶୁକନ୍ୟାକୁ ବଳାତ୍କାର କରି ହତ୍ୟା କରିବା ଅଭିଯାଗରେ ଶେଷଥର ପାଇଁ ୨୦୦୪ରେ ଅଭିଯୁକ୍ତ ଧନଞ୍ଜୟ ଚାଟାର୍ଜୀକୁ ଫାଶୀ ଦିଆ ଯାଇଥିଲା। ଏହାପରେ ୨୦୧୨ ନିର୍ଭୟା ଘଟଣାରେ ରାମସିଂଙ୍କୁ ଛାଡ଼ି ଅକ୍ଷୟ, ପବନ, ବିନୟ ଶର୍ମା ଓ ମୁକେଶ ନାମକ ଅଭିଯୁକ୍ତର ଫାଶୀ ଦଣ୍ଡାଦେଶକୁ ସୁପ୍ରିମକୋର୍ଟ କାଏମ ରଖିଥିଲେ। ଇତି ମଧ୍ୟରେ ନିର୍ଭୟାକାଣ୍ଡକୁ ୬ ବର୍ଷ ବିତିଯାଇଥିଲେ ମଧ୍ୟ ଦୋଷୀଙ୍କୁ ଫାଶୀ ହୋଇନାହିଁ। ୟୁପିଏ ସରକାରରେ ଦୁର୍ନୀତି, ଅରାଜକତା ଓ ନାରୀ ନିର୍ଯାତନା ବୃଦ୍ଧି ପାଇଛି ବୋଲି ଅଭିଯୋଗ କରି ରାମରାଜ୍ୟର ପ୍ରତିଶ୍ରୁତି ଦେଇ ସରକାରକୁ ଆସିଥିଲା ବିଜେପି। କିନ୍ତୁ ବିଭିନ୍ନ ଘଟଣାରେ ବଳାତ୍କାରୀଙ୍କୁ ଉଚିତ୍ ଦଣ୍ଡ ନମିଳିବା, ଅଭିଯୁକ୍ତଙ୍କ ସପକ୍ଷରେ ବିଜେପି ନେତା ବାହାରିବା ଆଦି ଘଟଣାକୁ ଅନୁଧ୍ୟାନ କଲେ, ମୋଦିଙ୍କ ଶାସନରେ କେମିତି ରାମରାଜ୍ୟ ଚାଲୁଛି ତାହା ଜଳଜଳ ହୋଇ ଦିଶୁଛି।