ସାଧାରଣ ଚାଲାଣ ନୁହେଁ, ଭୁବନେଶ୍ୱରରେ ଏଣିକି କଟାଯିବ ଇ-ଚାଲାଣ

ଭୁବନେଶ୍ୱର: ସ୍ମାର୍ଟସିଟି ଭୁବନେଶ୍ୱରରେ ଏବେ ସାଧାରଣ ଚାଲାଣ ବଦଳରେ ଇ-ଚାଲାଣ କାଟିବ କମିଶନରେଟ୍‌ ପୋଲିସ। ପରିବହନ ବିଭାଗରୁ ଡ୍ରାଇଭିଂ ଲାଇସେନ୍ସରେ ଲାଗିଥିବା ଚିପ୍‌ ରିଡର ପାଇବା ପରେ ରାଜ୍ୟରେ ପ୍ରଥମଥର ପାଇଁ ଏହି ଅଭିଯାନ ଖୁବ୍‌ ଶୀଘ୍ର ଆରମ୍ଭ ହେବ। ଏହାଦ୍ୱାରା ସମ୍ପୃକ୍ତ ଲାଇସେନ୍ସଧାରୀଙ୍କ ବିଗତ ଦିନର ତଥ୍ୟ ତୁରନ୍ତ ଉପଲବ୍ଧ ହୋଇପାରିବ ଓ ସେହି ଅନୁଯାୟୀ ତାଙ୍କୁ ସ୍ପଟ୍‌ରେ ଜରିମାନା କରାଯାଇ ପାରିବ। ସେହିଭଳି ଜାତୀୟ ରାଜପଥରେ ଦୁର୍ଘଟଣାକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟରେ ପ୍ରଥମ […]

trafficjam-in bbsr

Rakesh Mallick
  • Published: Thursday, 26 May 2016
  • , Updated: 26 May 2016, 03:35 PM IST

ଭୁବନେଶ୍ୱର: ସ୍ମାର୍ଟସିଟି ଭୁବନେଶ୍ୱରରେ ଏବେ ସାଧାରଣ ଚାଲାଣ ବଦଳରେ ଇ-ଚାଲାଣ କାଟିବ କମିଶନରେଟ୍‌ ପୋଲିସ। ପରିବହନ ବିଭାଗରୁ ଡ୍ରାଇଭିଂ ଲାଇସେନ୍ସରେ ଲାଗିଥିବା ଚିପ୍‌ ରିଡର ପାଇବା ପରେ ରାଜ୍ୟରେ ପ୍ରଥମଥର ପାଇଁ ଏହି ଅଭିଯାନ ଖୁବ୍‌ ଶୀଘ୍ର ଆରମ୍ଭ ହେବ। ଏହାଦ୍ୱାରା ସମ୍ପୃକ୍ତ ଲାଇସେନ୍ସଧାରୀଙ୍କ ବିଗତ ଦିନର ତଥ୍ୟ ତୁରନ୍ତ ଉପଲବ୍ଧ ହୋଇପାରିବ ଓ ସେହି ଅନୁଯାୟୀ ତାଙ୍କୁ ସ୍ପଟ୍‌ରେ ଜରିମାନା କରାଯାଇ ପାରିବ। ସେହିଭଳି ଜାତୀୟ ରାଜପଥରେ ଦୁର୍ଘଟଣାକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟରେ ପ୍ରଥମ ଥର ପାଇଁ ଇଣ୍ଟରସେପ୍ଟର ନିୟୋଜିତ କରିବାକୁ ଯାଉଛି କମିଶନରେଟ୍‌ ପୋଲିସ।

ଏନେଇ ପୋଲିସ କମିଶନର ଯୋଗେଶ ବାହାଦୂର ଖୁରାନିଆ କହିଛନ୍ତି,“ଆସନ୍ତା ୪ରୁ ୫ ମାସ ମଧ୍ୟରେ ଇ-ଚାଲାଣ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ଯୋଜନା କରୁଛୁ। ଜାତୀୟ ରାଜପଥରେ ଇଣ୍ଟରସେପ୍ଟର ମୁତୟନ କରାଯିବ। ଏହାର ମୁଖ୍ୟ କାର୍ଯ୍ୟ ହେବ ଯେଉଁମାନେ ଦ୍ରୁତ ଗାଡି ଚଳାଉଛନ୍ତି ସେମାନଙ୍କୁ ଧରିବା। ଆମେ ଦେଖୁଛୁ ଯେ ଜାତୀୟ ରାଜପଥରେ ବେଶୀ ଦୁର୍ଘଟଣା ଘଟୁଛି ଯାହାଫଳରେ ଅକାଳରେ ଲୋକଙ୍କର ପ୍ରାଣବାୟୁ ଉଡିଯାଉଛି। ସ୍ପିଡ୍‌ ଚେକ୍‌ କରିବାକୁ ଇ-ଚାଲାଣ ନିତାନ୍ତ ଆବଶ୍ୟକ।”

‘ରୋଡ ସେପ୍ଟି ମୁଭ୍‌ମେଣ୍ଟ’ ସଭାପତି ସୟଦ ମକ୍‌ବୁଲ ଅଲ୍ଲୀ କହିଛନ୍ତି,“ଇ-ଚାଲାଣ ମାଧ୍ୟମରେ ପେମେଣ୍ଟ ସୁବିଧା ହୋଇଯିବ। ଏହାସହ ଚାଳକଙ୍କ ତଥ୍ୟ ବି ଲୋଡ ହେବ। ଏହି ବ୍ୟବସ୍ଥା ଯଥାଶୀଘ୍ର ଆରମ୍ଭ କରାଗଲେ ଲୋକଙ୍କୁ ସୁବିଧା ହେବ।”

ତଥ୍ୟ ଅନୁଯାୟୀ କମିଶନରେଟ୍‌ ପୋଲିସ ୨୦୧୫ ମସିହାରେ୧,୪୮,୦୫୭ ଜଣ ଟ୍ରାଫିକ୍‌ ନିୟମ ଉଲ୍ଲଙ୍ଘନକାରୀଙ୍କ ଠାରୁ ୩,୧୧,୬୭,୯୯୦ ଟଙ୍କା ଜରିମାନା ଆଦାୟ କରିଛି। ଇଣ୍ଟରସେପ୍ଟର ଓ ଇ-ଚାଲାଣ ମାଧ୍ୟମରେ ସୁବିଧାରେ ଜରିମାନା ଆଦାୟ ସହ ରାସ୍ତାକୁ ପୂର୍ବପେକ୍ଷା ସୁରକ୍ଷିତ କରାଯାଇପାରିବ ବୋଲି ଆଶା କରାଯାଉଛି।

Related story