କଟକ ସିଡିଏରେ ଅଗ୍ନିକାଣ୍ଡ ଘଟଣା: ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି,କିରୋସିନି ଢାଳି ନିଆଁ ଲଗାଇଥିଲେ ଅନାଦି

କଟକ: କଟକ ସିଡିଏ ସେକଟର୍-୭ରେ ଅଗ୍ନିକାଣ୍ଡ ଘଟଣାରେ ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି ପାଇଛି। ଏଥିରେ ଗୁରୁତର ଆହତ ଅନାଦି ସାହୁ ଓ ତାଙ୍କ ଝିଅ ଅନୀତାଙ୍କ ଆଜି କଟକ ବଡ଼ମେଡିକାଲରେ ମୃତ୍ୟୁ ଘଟିଛି। ପ୍ରଥମେ ଅନୀତାଙ୍କ ମୃତ୍ୟୁ ହୋଇଥିଲା। ତା’ପରେ ଅନାଦି ପ୍ରାଣ ହରାଇଥିଲେ। ଅନୀତାଙ୍କ ଶରୀରର ୭୦ ପ୍ରତିଶତ ପୋଡ଼ି ଯାଇଥିଲା। ଗତକାଲି ରାତିରେ ଘଟିଥିବା ଏହି ଘଟଣାରେ ୩ ଶିଶୁ ଓ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିଲା। ତେବେ ଅନୀତା ମୃତ୍ୟୁକାଳୀନ ଜମାନବନ୍ଦୀରେ ଦେଇଥିବା […]

katak-podi

Rakesh Mallick
  • Published: Friday, 04 December 2015
  • , Updated: 05 December 2015, 05:41 AM IST

କଟକ: କଟକ ସିଡିଏ ସେକଟର୍-୭ରେ ଅଗ୍ନିକାଣ୍ଡ ଘଟଣାରେ ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି ପାଇଛି। ଏଥିରେ ଗୁରୁତର ଆହତ ଅନାଦି ସାହୁ ଓ ତାଙ୍କ ଝିଅ ଅନୀତାଙ୍କ ଆଜି କଟକ ବଡ଼ମେଡିକାଲରେ ମୃତ୍ୟୁ ଘଟିଛି। ପ୍ରଥମେ ଅନୀତାଙ୍କ ମୃତ୍ୟୁ ହୋଇଥିଲା। ତା’ପରେ ଅନାଦି ପ୍ରାଣ ହରାଇଥିଲେ। ଅନୀତାଙ୍କ ଶରୀରର ୭୦ ପ୍ରତିଶତ ପୋଡ଼ି ଯାଇଥିଲା। ଗତକାଲି ରାତିରେ ଘଟିଥିବା ଏହି ଘଟଣାରେ ୩ ଶିଶୁ ଓ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିଲା।

ତେବେ ଅନୀତା ମୃତ୍ୟୁକାଳୀନ ଜମାନବନ୍ଦୀରେ ଦେଇଥିବା ସୂଚନା ଅନୁଯାୟୀ କଟକ ଡିସିପି କହିଛନ୍ତି ଯେ ମୃତ ଅନାଦି ସାହୁ କିରୋସିନି ଢାଳି ନିଆଁ ଲଗାଇଥିଲେ। ସେ ଅନୀତାଙ୍କ ଉପରକୁ କିରୋସିନି ଢାଳି ପ୍ରଥମେ ନିଆଁ ଲଗାଇଥିଲେ ଓ ପରେ ଏହା ଅନ୍ୟମାନଙ୍କ ଉପରକୁ ମାଡ଼ି ଯାଇଥିଲା। ପାରିବାରିକ ଅଶାନ୍ତିକୁ ନେଇ ଅନାଦି ଏଭଳି କରିଥିଲେ। ଏହା ଜଣାପଡ଼ିବା ପରେ ପୋଲିସ୍ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ଛାନଭିନ୍ ଆରମ୍ଭ କରି ଦେଇଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଘଟଣାସ୍ଥଳରୁ ଏକ ହାତଲେଖା ଚିଠି ମିଳିଛି। ଏହାକୁ ଅନାଦି ଲେଖିଥିବା ଜଣାପଡ଼ିଛି। ଏହା ଏକ ସୁସାଇଡାଲ୍ ନୋଟ୍ ଭଳି ମନେ ହେଉଛି। ଏ ଦିଗରେ ବି ତଦନ୍ତ ଚାଲିଛି।

ମିଳିଥିବା ସୂଚନା ଅନୁଯାୟୀ, ଅନାଦି ସାହୁ ଦ୍ୱିତୀୟ ବିବାହ କରିଥିଲେ। ପ୍ରଥମ ସ୍ତ୍ରୀଙ୍କ ମୃତ୍ୟୁ ପରେ ସେ ଦ୍ୱିତୀୟ ବିବାହ କରିଥିଲେ। ତେବେ ତାଙ୍କର ପିଲାମାନେ ଏହାକୁ ବିରୋଧ କରି ଆସୁଥିଲେ। ଏହାକୁ ନେଇ ତାଙ୍କ ଘରେ ଅଶାନ୍ତି ଲାଗି ରହୁଥିଲା। ତେବେ ତାଙ୍କର ଦ୍ୱିତୀୟ ପତ୍ନୀଙ୍କ ସଂପର୍କରେ କୌଣସି ସୂଚନା ମିଳି ନାହିଁ।

ଗତକାଲି ରାତି ପ୍ରାୟ ସାଢେ ୭ଟା ବେଳେ ସେକଟର୍ ୭ରେ ଥିବା ଏକ ଘରର ଉପର ମହଲାରୁ ହଠାତ୍ ଧୂଆଁ ବାହାରୁଥିବା ଲୋକେ ଦେଖିବାକୁ ପାଇଥିଲେ। ନିଆଁ ଲାଗିଥିବା ଖବର ପାଇ ଅଗ୍ନିଶମ ବିଭାଗ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ । ନିଆଁକୁ ଆୟତ୍ତ କରିବା ପରେ ଘର ଭିତରୁ ୩ ଜଣ ଶିଶୁ ଓ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଅଗ୍ନିଶମ କର୍ମଚାରୀ ଅନ୍ୟ ଏକ ରୁମରୁ ଜଣେ ବୟସ୍କ ବ୍ୟକ୍ତି ଓ ଜଣେ ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ। ଏହି ଘରେ ଅରୁଣ କୁମାର ସାହୁ ନାମକ ଜଣେ ବ୍ୟକ୍ତି ନିଜ ବାପା ଓ ଅବିବାହିତ ଭଉଣୀଙ୍କ ସହ ଭଡାରେ ରହୁଥିଲେ। ନିକଟରେ ବାଲିଯାତ୍ରା ଦେଖିବା ପାଇଁ ତାଙ୍କ ପିଉସୀ ଝିଅ ଭଉଣୀ ଓ ତାଙ୍କର ୩ ଜଣ ଶିଶୁ ତାଙ୍କ ଘରକୁ ଆସିଥିଲେ। ତେବେ ଅଗ୍ନିକାଣ୍ଡରେ ପିଉସୀ ଝିଅ ଭଉଣୀ ଓ ତାଙ୍କର ୩ ସନ୍ତାନ ପ୍ରାଣ ହରାଇଛନ୍ତି ।  ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇ ନ ଥିବା ବେଳେ ଘରୁ ପୋଲିସକୁ ଏକ ହାତଲେଖା ଚିଠି ମିଳିଛି। ସେପଟେ ଅଗ୍ନିଶମ ବିଭାଗ ଅଧିକାରୀଙ୍କ କହିବା ଅନୁଯାୟୀ ନିଆଁର ତୀବ୍ରତା ଅଧିକ ଥିଲା। ଖବର ପାଇ ଜିଲ୍ଲାପାଳ ନିର୍ମଳ ଚନ୍ଦ୍ର ମିଶ୍ର, କଟକ ଡିସିପି ସଞ୍ଜୀବ ଆରୋରା ଘଟଣାସ୍ଥଳ ପରିଦର୍ଶନ କରିଥିଲେ।

Related story