ଚିକିତ୍ସା ଅବହେଳାରୁ ଏସବୁ ମୃତ୍ୟୁ ଘଟିଛି ବୋଲି ଅଭିଭାବକମାନେ ଅଭିଯୋଗ କରୁଥିବା ବେଳେ ଏଯାଏଁ ଏହାର ସଠିକ୍ କାରଣ ଜଣାପଡ଼ିନାହିଁ। ଏ ନେଇ ତଦନ୍ତ ଚାଲିଥିବା ବେଳେ ଆଜି ସ୍ୱାସ୍ଥ୍ୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କଟକ ଶିଶୁ ଭବନ ଆସି ସ୍ଥିତିର ସମୀକ୍ଷା କରିଛନ୍ତି ଓ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରିଛନ୍ତି। ସ୍ଥିତି ଅନୁଧ୍ୟାନ ପରେ ମେଡିକାଲର ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ୱ ଦିଆଯିବ ବୋଲି ସେ କହିଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, ଡାକ୍ତରଖାନାର ଭିତ୍ତିଭୂମି ବିକାଶ ପାଇଁ ୧୦ କୋଟି ଟଙ୍କା ମଞ୍ଜୁର କରାଯାଇଛି। ତା’ସହ ଏସ୍ଏନସିୟୁ ସଂଖ୍ୟା ୩୬ରୁ ୩୮କୁ ବୃଦ୍ଧି କରାଯାଇଛି। ଆଗକୁ ୧୫ଜଣ ନୂଆ ଟିଚିଂ ଷ୍ଟାଫ୍ ନିଯୁକ୍ତ କରାଯିବ। ଶିଶୁମୃତ୍ୟୁ ଘଟଣାର ଅନୁଧ୍ୟାନ ପାଇଁ ଡିଏମ୍ଇଟି ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଛି। ଚିକିତ୍ସାରେଅବହେଳା ଅଭିଯୋଗ ପ୍ରମାଣିତ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି। ସେପଟେ ଡିଏମ୍ଇଟିଙ୍କ ନେତୃତ୍ୱରେ ଗଠିତ ଏକ ଟିମ୍ ଆଜି ଘଟଣାର ତଦନ୍ତ କରିଛି। ତଦନ୍ତ ପରେ ରାଜ୍ୟ ସରକାରଙ୍କୁ ଆଜି ହିଁ ଏହି ଟିମ୍ ରିପୋର୍ଟ ଦେବ।