କେଲୋ ପ୍ରକଳ୍ପ ପାଇଁ ୨୦୦୬ରେ ଡିପିଆର ପଠାଇଛି ଛତିଶଗଡ଼

ଭୁବନେଶ୍ୱର: କେଲୋ ପ୍ରକଳ୍ପକୁ ନେଇ ରାଜ୍ୟ ସରକାରଙ୍କ ଅଡ଼ୁଆ ଦିନକୁ ଦିନ ବଢିବାରେ ଲାଗିଛି। ଗତକାଲି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢ଼ୀ ଏ ପ୍ରକଳ୍ପ ସମ୍ପର୍କରେ ଛତିଶଗଡ଼ ସରକାର କୌଣସି ସୂଚନା ଦେଇ ନାହାନ୍ତି ବୋଲି ଦୃଢ଼ୋକ୍ତି କରିଥିବା ବେଳେ ଆଜି ହସ୍ତଗତ ହୋଇଥିବା ଏକ ପତ୍ରରୁ ସ୍ପଷ୍ଟ ଜଣାପଡୁଛି ଯେ ୨୦୦୬ରେ ଛତିଶଗଡ଼ ସରକାର ଓଡ଼ିଶା ସରକାରଙ୍କୁ ଏ ସମ୍ପର୍କରେ ଅବଗତ କରିଥିଲେ। ୨୦୦୬ ଡିସେମ୍ବର ୧୯ରେ କେଲୋ ପ୍ରୋଜେକ୍ଟ ସର୍ଭେ ଡିଭିଜନର କାର୍ଯ୍ୟନିର୍ବାହୀ […]

madanadi

Rakesh Mallick
  • Published: Tuesday, 02 August 2016
  • , Updated: 02 August 2016, 10:32 PM IST

ଭୁବନେଶ୍ୱର: କେଲୋ ପ୍ରକଳ୍ପକୁ ନେଇ ରାଜ୍ୟ ସରକାରଙ୍କ ଅଡ଼ୁଆ ଦିନକୁ ଦିନ ବଢିବାରେ ଲାଗିଛି। ଗତକାଲି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢ଼ୀ ଏ ପ୍ରକଳ୍ପ ସମ୍ପର୍କରେ ଛତିଶଗଡ଼ ସରକାର କୌଣସି ସୂଚନା ଦେଇ ନାହାନ୍ତି ବୋଲି ଦୃଢ଼ୋକ୍ତି କରିଥିବା ବେଳେ ଆଜି ହସ୍ତଗତ ହୋଇଥିବା ଏକ ପତ୍ରରୁ ସ୍ପଷ୍ଟ ଜଣାପଡୁଛି ଯେ ୨୦୦୬ରେ ଛତିଶଗଡ଼ ସରକାର ଓଡ଼ିଶା ସରକାରଙ୍କୁ ଏ ସମ୍ପର୍କରେ ଅବଗତ କରିଥିଲେ।

୨୦୦୬ ଡିସେମ୍ବର ୧୯ରେ କେଲୋ ପ୍ରୋଜେକ୍ଟ ସର୍ଭେ ଡିଭିଜନର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଓଡ଼ିଶା ଜଳ ସମ୍ପଦ ସଚିବଙ୍କୁ ଚିଠି ଲେଖିଛନ୍ତି। ସିଡବ୍ଲ୍ୟୁସିର ପରାମର୍ଶ କ୍ରମେ ପଠା ଯାଇଥିବା ଏହି ଚିଠି ସହ କେଲୋ ପ୍ରକଳ୍ପର ପ୍ରୋଜେକ୍ଟ ରିପୋର୍ଟ ସଲଗ୍ନ ରହିଥିବା ଏଥିରେ ଉଲ୍ଲେଖ ରହିଛି। ହେଲେ ଓଡ଼ିଶା ସରକାର କେଲୋ ପ୍ରକଳ୍ପ ନେଇ କୌଣସି ଚିଠି ପାଇ ନ ଥିବା ପୂର୍ବରୁ କହି ଆସୁଛି।

ଲୋକସଭାରେ କେନ୍ଦ୍ର ଜଳସମ୍ପଦ ରାଷ୍ଟ୍ରମନ୍ତ୍ରୀ ସଞ୍ଜୀବ ବାଲିୟାନ କହିଥିଲେ ୨୦୦୬ରେ ଛତିଶଗଡ଼ ସରକାର ଓଡ଼ିଶାକୁ ପ୍ରୋଜେକ୍ଟ ରିପୋର୍ଟ ପଠାଇଥିଲା। ଏହାକୁ ବିଜେଡି ଖଣ୍ଡନ କରିବା ସହ ବାଲିୟାନ ଗୃହରେ ଭୁଲ ତଥ୍ୟ ରଖିଥିବା ଅଭିଯୋଗ କରି ସ୍ୱାଧିକାର ଭଙ୍ଗ ନୋଟିସ୍‌ ଆଣିଛି।

ଏବେ ଏହି ଚିଠି ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଚିଠି ରାଜ୍ୟ ସରକାର ପାଇଛନ୍ତି କି ନାହିଁ? ଯଦି ପାଇନାହାନ୍ତି ଛତିଶଗଡ଼ ସରକାର ଏତେ ଆଗକୁ ବଢିଲେ କେମିତି? ପ୍ରକୃତରେ ଓଡ଼ିଶା ସରକାର ଚିଠି ପାଇନାହାନ୍ତି ନା ଜାଣିଶୁଣି ଏହାକୁ ଚାପି ଦେଇଛନ୍ତି ତାହା ଏବେ ପ୍ରଶ୍ନ ହୋଇ ଛିଡା ହୋଇଛି।

୨୦୦୮ରେ ଛତିଶଗଡ଼ ସରକାର ନୋ ଅବଜେକ୍ସନ ସାର୍ଟିଫିକେଟ୍‌ ପାଇଁ ଓଡ଼ିଶାକୁ ପଠାଇ ଥିବା ଚିଠି ପାଇ ନ ଥିବା ରାଜ୍ୟ ସରକାର କହୁଛନ୍ତି। ହେଲେ ଛତିଶଗଡ଼ ଜଳ ସମ୍ପଦ ମନ୍ତ୍ରୀ କହୁଛନ୍ତି ତାଙ୍କ ପାଖରେ ପ୍ରାପ୍ତି ସ୍ୱୀକାର ଅଛି।

କେଲୋ ପ୍ରକଳ୍ପ ସମ୍ପର୍କରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଅଜ୍ଞ ଥିବା କହୁଥିବା ବେଳେ ବରିଷ୍ଠ ନେତା ଦାମୋଦର ରାଉତ ସରକାରଙ୍କ ଦୃଢ଼ୋକ୍ତିରେ ସନ୍ଦେହ ପ୍ରକାଶ କରିଛନ୍ତି। ସେ କହିଛନ୍ତି, “ଛତିଶଗଡ଼ ସରକାର କହୁଛନ୍ତି ଚିଠି ଦେଇଛନ୍ତି ଓ ରସିଦ୍‌ ବି ପାଇଛନ୍ତି। ମୁଖ୍ୟ ଶାସନ ସଚିବ କହୁଛନ୍ତି ସେ କୌଣସି ଚିଠି ପାଇନାହାନ୍ତି। ଏଠାରେ କାହା କଥାକୁ ବିଶ୍ୱାସ କରାଯିବ। ହୁଏତ ଚିଠି ବାଟମାରଣା ହୋଇଯାଇଥିବ।”

Related story