କେନ୍ଦ୍ର ବିରୋଧରେ ବିଜେଡିର ରଣହୁଙ୍କାର

ଭୁବନେଶ୍ୱର: ମହାନଦୀ ସମସ୍ୟା, ଇଣ୍ଡଷ୍ଟ୍ରିଆଲ କରିଡରରେ ଓଡ଼ିଶା ନ ରହିବା, ସ୍ୱତନ୍ତ୍ର ରାଜ୍ୟପାହ୍ୟା, ମରୁଡ଼ି ସହାୟତା ପ୍ରଦାନରେ ପାତର ଅନ୍ତର ଓ କେନ୍ଦ୍ରୀୟ ଅନୁଦାନ ହ୍ରାସ ପ୍ରତିବାଦରେ ପୁଣି ଥରେ କେନ୍ଦ୍ର ସରକାରଙ୍କୁ ବିଜେଡି ଟାର୍ଗେଟ କରିଛି। ଆଜି ଭୁବନେଶ୍ୱରରେ ବସିଥିବା ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକର୍ତ୍ତା ବୈଠକରେ ଏହି ସବୁ ପ୍ରସଙ୍ଗ ଉଠାଇ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି। ଏହାସହ ରାଜ୍ୟ ସରକାରଙ୍କ ସଫଳ ଯୋଜନାର ବାର୍ତ୍ତା ଲୋକଙ୍କ […]

bjd

Rakesh Mallick
  • Published: Sunday, 10 July 2016
  • , Updated: 11 July 2016, 08:32 AM IST

ଭୁବନେଶ୍ୱର: ମହାନଦୀ ସମସ୍ୟା, ଇଣ୍ଡଷ୍ଟ୍ରିଆଲ କରିଡରରେ ଓଡ଼ିଶା ନ ରହିବା, ସ୍ୱତନ୍ତ୍ର ରାଜ୍ୟପାହ୍ୟା, ମରୁଡ଼ି ସହାୟତା ପ୍ରଦାନରେ ପାତର ଅନ୍ତର ଓ କେନ୍ଦ୍ରୀୟ ଅନୁଦାନ ହ୍ରାସ ପ୍ରତିବାଦରେ ପୁଣି ଥରେ କେନ୍ଦ୍ର ସରକାରଙ୍କୁ ବିଜେଡି ଟାର୍ଗେଟ କରିଛି। ଆଜି ଭୁବନେଶ୍ୱରରେ ବସିଥିବା ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକର୍ତ୍ତା ବୈଠକରେ ଏହି ସବୁ ପ୍ରସଙ୍ଗ ଉଠାଇ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି। ଏହାସହ ରାଜ୍ୟ ସରକାରଙ୍କ ସଫଳ ଯୋଜନାର ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚାଇବାକୁ କାର୍ଯ୍ୟକର୍ତ୍ତାଙ୍କୁ ସେ ପରାମର୍ଶ ଦେଇଛନ୍ତି।

କେବଳ ମୁଖ୍ୟମନ୍ତ୍ରୀ ନୁହନ୍ତି ଦଳର ହେବିୱେଟ୍‌ ନେତା, ସାଂସଦ, ମନ୍ତ୍ରୀ ଓ ବିଧାୟକ ବୈଠକରେ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି। ରାଜ୍ୟକୁ କେନ୍ଦ୍ର ଅବହେଳା ନେଇ ହୋଇଥିବା ଆଲୋଚନାରେ ମହାନଦୀ ବିବାଦ, ସ୍ୱତନ୍ତ୍ର ରାଜ୍ୟପାହ୍ୟା ଓ କେନ୍ଦ୍ରୀୟ ଅନୁଦାନ ହ୍ରାସକୁ ନେଇ ନବୀନ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି, “ଓଡ଼ିଶାର ବିକାଶ ଓ ସ୍ୱାଭିମାନ ରକ୍ଷା ପାଇଁ ଆମେ କାମ କରି ଆସୁଛୁ। କୃଷି ଓ କୃଷକଙ୍କ ସହିତ ଆମ ସରକାର ଅଛି। ସେମାନଙ୍କ ବିକାଶ ପାଇଁ ଓଡ଼ିଶାକୁ ଜାତୀୟ ସ୍ତରରେ ସ୍ୱୀକୃତି ମିଳିଛି। ମହାନଦୀ ଉପରେ ଛତିଶଗଡ଼ର କବଜା ଅତ୍ୟନ୍ତ ନିନ୍ଦନୀୟ। ଏହାର ଜବାବ ଓଡ଼ିଶାବାସୀ ଦେବେ। କେନ୍ଦ୍ର ସରକାର ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମିଳିନାହିଁ।”

ସେ କହିଛନ୍ତି, “ଓଡ଼ିଶା କେନ୍ଦ୍ରର ରାଜନୈତିକ ବିଭେଦର ଶିକାର ହେଉଛି। କେନ୍ଦ୍ରୀୟ ଅନୁଦାନ ହ୍ରାସ କରିଦିଆଯାଉଛି। ଫଳରେ ବହୁ ଯୋଜନା ଠିକ୍‌ ଭାବେ କାର୍ଯ୍ୟକାରୀ ହୋଇପାରୁନାହିଁ। ରାଜ୍ୟର ବିକାଶ କିପରି ହେବ ଏହା କେନ୍ଦ୍ରର ଦାୟିତ୍ୱ। କେନ୍ଦ୍ର ଏହାକୁ ମନେ ରଖିବା ଉଚିତ। କେନ୍ଦ୍ରର ଅବହେଳାକୁ ବରଦାସ୍ତ କରାଯିବ ନାହିଁ। ସେମାନେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ଓଡ଼ିଶାବାସୀ ଏହା ଜାଣି ସାରିଲେଣି, ଠିକଣା ସମୟରେ ଏହାର ଉଚିତ୍‌ ଜବାବ ଦେବେ।”

ସମବାୟ ମନ୍ତ୍ରୀ ଦାମୋଦର ରାଉତ କହିଛନ୍ତି, “ରାଜ୍ୟର ହକ୍‌ କେନ୍ଦ୍ର ସରକାର ଦେଉନାହାନ୍ତି। ଏହାକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଏଠାରେ ଯାହା ବି ଉନ୍ନୟନ କାର୍ଯ୍ୟ ହେଉଛି ରାଜ୍ୟ ପଇସାରେ ହେଉଛି, କେନ୍ଦ୍ର ଦେଉନାହିଁ।”

ବିଜେଡି ଭଳି ଆଞ୍ଚଳିକ ଦଳକୁ ଭାଙ୍ଗିବାକୁ କେନ୍ଦ୍ର ଷଡ଼ଯନ୍ତ୍ର ଆରମ୍ଭ କରିଥିବା ମନ୍ତ୍ରୀ ସଞ୍ଜୟ ଦାସବର୍ମା ଅଭିଯୋଗ କରିଥିବା ବେଳେ ଦଳର ଉପ ସଭାପତି ତଥା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ବେଳ ହୁଁ ବନ୍ଧ ବାନ୍ଧିବାକୁ ଆହ୍ୱାନ ଦେଇଛନ୍ତି।

ଆଚାର୍ଯ୍ୟ କହିଛନ୍ତି, “ଦଳ ଅଧିକ ସମୟ କ୍ଷମତାରେ ରହିବା ପରେ ସାଂଗଠନିକ ସ୍ଥିତି, ନେତାଠାରୁ କର୍ମୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କର ରାଜନୈତିକ ଚରିତ୍ର ସ୍ଖଳନ ହୋଇନାହିଁ ତ ବୋଲି ନିଜକୁ ପଚାରିବାର ସମୟ ଆସିଯାଇଛି। ବେଳ ଥାଉ ଆମକୁ ସଚେତନ ହେବାକୁ ପଡ଼ିବ।”

ବିଜେଡି କେନ୍ଦ୍ରକୁ ଟାଗ୍ରେର୍ଟ କରିବାକୁ ନେଇ ବିଜେପି ପକ୍ଷରୁ ସମାଲୋଚନା କରାଯାଇଛି। ବରିଷ୍ଠ ବିଜେପି ନେତା ସୁରେଶ ପୂଜାରୀ କହିଛନ୍ତି, “ବିପଦରେ ଥିବା ବେଳେ ଇସ୍ୟୁକୁ ଅନ୍ୟ ଆଡ଼କୁ ନେବାକୁ ମଝିରେ ମଝିରେ କେନ୍ଦ୍ରୀୟ ଅବହେଳା କଥା ଉଠାଇଥାନ୍ତି। ବିଭିନ୍ନ ପ୍ରସଙ୍ଗକୁ ନେଇ ଲୋକଙ୍କ ମନରେ ଯେଉଁ ଅସନ୍ତୋଷ ଅଛି ତାକୁ ଭିନ୍ନ ଦିଗ ଦେବାକୁ ଅସତ୍ୟ ପ୍ରସଙ୍ଗ ଉଠାଉଛନ୍ତି।”

Related story