‘ଓ’ ପଜିଟିଭ୍ ବଦଳରେ ଦିଆଗଲା ‘ଏ’ ପଜିଟିଭ୍‌; ରୋଗୀଙ୍କ ମୃତ୍ୟୁ, ସିଡିଏମ୍‌ଓଙ୍କ ନାଁରେ ଏତଲା

କେନ୍ଦୁଝର: ଜଣେ ମହିଳା ରୋଗୀଙ୍କ ମୃତ୍ୟୁକୁ ନେଇ ଆଜି କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା ଦେଖାଯାଇଛି। ଅଲଗା ଗ୍ରୁପ୍‌ର ରକ୍ତ ଦିଆଯାଇଥିବା ଯୋଗୁଁ ତାଙ୍କର ମୃତ୍ୟୁ ଘଟିଲା ବୋଲି ତାଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ। ଏହା ସହିତ ସେମାନେ ଏନେଇ କେନ୍ଦୁଝର ଟାଉନ୍ ଥାନାରେ ସିଡିଏମ୍‌ଓ ଓ ଏଡିଏମ୍‌ଓଙ୍କ ନାଁରେ ଏତଲା ଦେଇଥିଲେ। ମୃତ ମହିଳାଙ୍କ ନାମ ସୁକାନ୍ତି ନାୟକ(୫୦)। ତାଙ୍କ ଘର କେନ୍ଦୁଝରର ସହରର ପୁରୁଣା ବଜାରରେ। ସେ କିଡ୍‌ନୀ ରୋଗରେ ପୀଡ଼ିତ […]

keonjharmedical

Rakesh Mallick
  • Published: Wednesday, 14 December 2016
  • , Updated: 14 December 2016, 03:39 PM IST

କେନ୍ଦୁଝର: ଜଣେ ମହିଳା ରୋଗୀଙ୍କ ମୃତ୍ୟୁକୁ ନେଇ ଆଜି କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା ଦେଖାଯାଇଛି। ଅଲଗା ଗ୍ରୁପ୍‌ର ରକ୍ତ ଦିଆଯାଇଥିବା ଯୋଗୁଁ ତାଙ୍କର ମୃତ୍ୟୁ ଘଟିଲା ବୋଲି ତାଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ। ଏହା ସହିତ ସେମାନେ ଏନେଇ କେନ୍ଦୁଝର ଟାଉନ୍ ଥାନାରେ ସିଡିଏମ୍‌ଓ ଓ ଏଡିଏମ୍‌ଓଙ୍କ ନାଁରେ ଏତଲା ଦେଇଥିଲେ।

ମୃତ ମହିଳାଙ୍କ ନାମ ସୁକାନ୍ତି ନାୟକ(୫୦)। ତାଙ୍କ ଘର କେନ୍ଦୁଝରର ସହରର ପୁରୁଣା ବଜାରରେ। ସେ କିଡ୍‌ନୀ ରୋଗରେ ପୀଡ଼ିତ ଥିଲେ। ଗତକାଲି ଅପରାହ୍ନ ପ୍ରାୟ ୪ଟା ବେଳେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କୁ ରକ୍ତ ଦେବା ପାଇଁ  ଡାକ୍ତର ପରାମର୍ଶ ଦେଇଥିଲେ। ଏହା ପରେ ସୁକାନ୍ତିଙ୍କ ପରିବାର ଲୋକେ ବ୍ଲଡ୍‌ବ୍ୟାଙ୍କରୁ ରକ୍ତ ଆଣି ଦେଇଥିଲେ। ତେବେ ସୁକାନ୍ତିଙ୍କ ରକ୍ତ ‘ଓ’ ପଜିଟିଭ୍ ହୋଇଥିବା ବେଳେ ତାଙ୍କୁ ‘ଏ’ ପଜିଟିଭ୍‌ ରକ୍ତ ଦିଆଯାଇଥିବା ତାଙ୍କ ପରିବାର ଲୋକେ କହିଛନ୍ତି। ବ୍ଲଡ୍‌ବ୍ୟାଙ୍କ୍‌ ଦେଇଥିବା ରକ୍ତକୁ ଡାକ୍ତର କିମ୍ବା ନର୍ସ ମଧ୍ୟ ଯାଞ୍ଚ କରି ନ ଥିବା ସେମାନେ କହିଛନ୍ତି।

ସୁକାନ୍ତିଙ୍କ ଭାଇ ଶ୍ରୀଚରଣ ନାୟକ କହିଛନ୍ତି,“ବ୍ଲଡ୍ ଦିଆଯିବା ପରେ ମୋ ଭଉଣୀଙ୍କ ଦେହ କମ୍ପିବାକୁ ଲାଗିଲା। ଆମେ ସଙ୍ଗେ ସଙ୍ଗେ ନର୍ସଙ୍କୁ ଡାକିଲୁ। ସେ ଆସି ବ୍ଲଡ୍‌ଟିକୁ ଖୋଲି ଦେଲେ। ତା’ପରେ ସେ କେଉଁଆଡ଼େ ଚାଲି ଗଲେ ଯେ ଆମେ ପାଇଲୁ ନାହିଁ।”

ସୁକାନ୍ତିଙ୍କ ପରିବାର ଲୋକେ ଏଥିପାଇଁ କ୍ଷତିପୂରଣ ଦାବି କରିଛନ୍ତି।

ଏହି ଘଟଣାରେ ସିଡିଏମ୍‌ଓ ଲାବୋରେଟେରି ଟେକ୍ନିସିଆନ ଭାରତୀ ମହାନ୍ତ ଏବଂ ଷ୍ଟାପନର୍ସ ହେମଲତା ମହାନ୍ତଙ୍କୁ ବହିଷ୍କାର କରିଛନ୍ତି। ଏହାସହ ଜଣେ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସିଡିଏମ୍‌ଓ ସ୍ୱାସ୍ଥ୍ୟ ବିଭାଗକୁ ସୁପାରିଶ କରିଛନ୍ତି।

ଭୁଲ୍‌ ଗ୍ରୁପ୍‌ର ରକ୍ତ ସୁକାନ୍ତିଙ୍କୁ ଦିଆଯିବା କଥାକୁ କେନ୍ଦୁଝର ସିଡିଏମ୍‌ଓ କବୀନ୍ଦ୍ର ସାହୁ ସ୍ୱୀକାର କରିଛନ୍ତି। ସେ କହିଛନ୍ତି,“ରକ୍ତ ଦେବା ପୂର୍ବରୁ ସଂପୃକ୍ତ ନର୍ସ ରକ୍ତର ଗ୍ରୁପ୍ ଯାଞ୍ଚ କରିବା ଦରକାର ଥିଲା। ସେ ତାହା କରି ନାହାନ୍ତି। ତେଣୁ ଏହା ନିଶ୍ଚିତ ଭାବେ ଆମର ଭୁଲ୍। ଏହା ଏକ ଗର୍ହିତ ଅପରାଧ। ମୁଁ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛି। ତଦନ୍ତ ପରେ ଯିଏ ଦୋଷୀ ସାବ୍ୟସ୍ତ ହେବ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଭବିଷ୍ୟତରେ ଯେମିତି ଏଭଳି ଘଟଣା ନ ଘଟେ ସେଥିପ୍ରତି ମଧ୍ୟ ଦୃଷ୍ଟି ଦିଆଯିବ।”

ଏ ସଂପର୍କରେ ସୂଚନା ଦେଇ ସେ କହିଛନ୍ତି,“ମୃତ ସୁକାନ୍ତି ନାୟକ ମେଡିସିନ୍ ୱାର୍ଡରେ ଚିକିତ୍ସିତ ହେଉଥିବା ବେଳେ ଗାଇନିକ୍ ୱାର୍ଡରେ ମଧ୍ୟ ଜଣେ ସୁକାନ୍ତି ନାୟକ ଭର୍ତ୍ତି ହୋଇଥିଲେ। ଦୁହିଁଙ୍କର ରକ୍ତ ଦରକାର ଥିଲା। ଗାଇନିକ୍‌ ୱାର୍ଡରେ ଥିବା ସୁକାନ୍ତିଙ୍କୁ ଯେଉଁ ବ୍ଲଡ୍ ଦିଆଯିବାର ଥିଲା ତାହା ମେଡିସିନ୍ ୱାର୍ଡର ସୁକାନ୍ତିଙ୍କୁ ଦିଆଯାଇଥିଲା। ଏ ଭୁଲ୍‌କୁ ମୁଁ ମାନୁଛି।”

ସେ ଆହୁରି କହିଛନ୍ତି,“ମୃତ ମହିଳାଙ୍କୁ ଭୁଲ୍ ଗ୍ରୁପ୍‌ର ରକ୍ତ ଦିଆଯାଇଥିବା କଥାଟି ସତ। ତେବେ ସେ କିଡ୍‌ନୀ ରୋଗରେ ବି ପୀଡ଼ିତ ଥିଲେ। ତେଣୁ ସେ ପ୍ରକୃତରେ କେଉଁ କାରଣରୁ ତାଙ୍କର ମୃତ୍ୟୁ ଘଟିଛି ତା’ର ବି ତଦନ୍ତ କରାଯିବ।”

Related story