କୁନ୍ଦୁଲି ପାଇଁ କୁମ୍ଭୀର କାନ୍ଦଣା

ଭୁବନେଶ୍ୱର (ଦେବଦତ୍ତ ରଥ): ଏପରି ଏକ କାହାଣୀ ଥିଲା। ଥରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ହେଲା। ଯୁଦ୍ଧ ଘମାଘୋଟ ହେଲା। ବହୁ ସଂଖ୍ୟାରେ ସୈନ୍ୟ ମୃତାହତ ହେଲେ। ବହୁ ଆହତ ହେଲେ। ଆହତ ସୈନ୍ୟଙ୍କ ଚିକିତ୍ସା ପାଇଁ ସରକାର ଦକ୍ଷ ଡାକ୍ତରୀ ଦଳ ନିଯୁକ୍ତ କଲେ। ଏତେ ସଂଖ୍ୟାରେ ମୃତାହତ ହେଲେ ଯେ, ଡାକ୍ତରଙ୍କୁ କିଏ ମୃତ କିଏ ଜୀବିତ ଜାଣିବା କଷ୍ଟସାଧ୍ୟ ହୋଇ ପଡ଼ିଲା। ଡାକ୍ତର ଏକ ଉପାୟ କଲେ। ଆସୁଥିବା ସୈନ୍ୟଙ୍କୁ ପରୀକ୍ଷା କରି ଯିଏ ଆହତ ତାକୁ “ଚିକତ୍ସା”ର ଏକ ଷ୍ଟାମ୍ପ ମାରି ଚିକିତ୍ସା ପାଇଁ ପଠାଇ ଦେଲେ ଏବଂ ଯିଏ ମୃତ ତା’ଠାରେ “ମୃତ” ଷ୍ଟାମ୍ପ ମାରି ସତ୍କାର ପାଇଁ ପଠାଇ ଦେଲେ। ଏ ଭିତରେ ଜଣେ ଆହତ ସୈନ୍ୟଙ୍କୁ ଡାକ୍ତର ଭୁଲରେ ମୃତ ଷ୍ଟାମ୍ପ ମାରି ଦେଇଥିଲେ। ସେ ଯାଇ ପହଞ୍ଚିଲେ ସିଧା ଶ୍ମଶାନରେ। ଯେତେବେଳେ ତାଙ୍କୁ ଅଗ୍ନି ସଂଯୋଗ କରାଗଲା, ସେ ଚେଇଁ ଉଠିଲେ। ଚିତ୍କାର କରି କହିଲେ,“ମୁଁ ବଞ୍ଚିଛି।” କିନ୍ତୁ ତା’ କଥା କେହି ଶୁଣିଲେ ନାହିଁ। କହିଲେ, ତୁ ଜଣେ ସାଧାରଣ ସୈନିକଟିଏ। ସିଏ ଜଣେ ଏମ୍‌ବିବିଏସ୍‌ ଡାକ୍ତର। ସେ କହୁଛନ୍ତି ତୁ ମୃତ। ସେ କଣ ଭୁଲ କହୁଛନ୍ତି, ଆଉ ତୁ ଠିକ୍ କହୁଛୁ? ଏହା କହି ତାକୁ ଜିଅନ୍ତା ଜାଳିଦେଲେ। ଏହା ଏକ କାହାଣୀ ମାତ୍ର।

କୁନ୍ଦୁଲି ପୀଡ଼ିତାଙ୍କୁ ସେହିପରି ଜିଅନ୍ତା ଜାଳି ଦିଆଗଲା। ସେ କାନ୍ଦିଲା,ଚିତ୍କାର କରି କହିଲା ମୁଁ ଧର୍ଷିତା। ସରକାର ଶୁଣିଲେ ନାହିଁ। ସତ କହୁଛି ନାଁ ମିଛ କହୁଛି ଜାଣିବା ପାଇଁ ଡାକ୍ତରଙ୍କୁ ଦାୟିତ୍ୱ ଦେଲେ। ଡାକ୍ତର ପରୀକ୍ଷା କଲେ। କହିଲେ ଧର୍ଷଣ ହେଇନି। ସରକାର କହିଲେ ହେଇନି। ୧୦୦ ଦିନ କାଳ ପୀଡ଼ିତା ସଂଘର୍ଷ କଲା। ତା’ପରେ ହାରିଗଲା। ଜୀବନର ଶେଷ ସତ୍ୟକୁ ଆପଣେଇ ଆତ୍ମହତ୍ୟା କଲା। ପରୋକ୍ଷରେ ଏକ ପ୍ରକାର ତାକୁ ହତ୍ୟା କରି ଦିଆଗଲା।

ବିଜେପି ଓ କଂଗ୍ରେସ ଆଦି ବିରୋଧୀ ଦଳ ଏହାକୁ ନେଇ ହୋ’ ହାଲା କଲେ। ବିଶେଷ ଭାବରେ ବିଜେପି ଏହାକୁ ନେଇ ତୀବ୍ର ଆନ୍ଦୋଳନ କଲା। କୁଶପୁତ୍ତଳିକା ଦାହ କଲା, ଦୀପଦାନ କଲା, କୋକେଇ ଶୋଭା ଯାତ୍ରା କଲା। ଡାକ୍ତରୀ ରିପୋର୍ଟରେ ଭୁଲଭାଲ ହୋଇଥିବା କହିଲା। ତଦନ୍ତ ପ୍ରକ୍ରିୟାରେ ତ୍ରୁଟି ରହିଥିବା ନେଇ ସନ୍ଦେହ ସୃଷ୍ଟି ହେବାରେ ରାଜ୍ୟ ସରକାର ଜିଲ୍ଲା ପୁଲିସରୁ କ୍ରାଇମ ବ୍ରାଞ୍ଚ, ବିଚାର ବିଭାଗୀୟ, ଓ ଏସଆଇଟି ତଦନ୍ତ ଯାଏଁ ଗଲେ। ଏବେ ଯେତେବେଳେ ତଦନ୍ତ ପ୍ରକ୍ରିୟାରେ ସାମାନ୍ୟ ଅଗ୍ରଗତି ଦେଖାଗଲା,ଏତେ ଚିତ୍କାର କରୁଥିବା ବିଜେପି ଟିକେ ଶିଥିଳ ପଡ଼ି ଯାଇଛି। କଂଗ୍ରେସ ତ’ ସହଜରେ ମୌନ। କାରଣ ଏବେ ବିଜେପୁର ସେମାନଙ୍କର ମୁଖ୍ୟ ପ୍ରସଙ୍ଗ। ଏହା ଦେଖିଲେ ଲାଗୁଛି ସତେ ଯେପରି କୁନ୍ଦୁଲି ନେଇ ଏମାନେ ସବୁ କୁମ୍ଭୀର କାନ୍ଦଣା କାନ୍ଦୁଥିଲେ।କାରଣ ପୀଡ଼ିତା ଆତ୍ମହତ୍ୟା କରିବା ପୂର୍ବରୁ ଦୁଷ୍କର୍ମ ଘଟଣା ନେଇ ଯଦି ବିରୋଧୀ ଦଳ ଏପରି ତୀବ୍ର ଆନ୍ଦୋଳନ କରିଥାଆନ୍ତା, ହୁଏତ ପୀଡ଼ିତାର ଆତ୍ମହତ୍ୟାକୁ ବନ୍ଦ କରିଦିଆ ଯାଇପାରି ଥାଆନ୍ତା।

ଏପରି ସବୁ ଘଟଣାରେ ନିଜକୁ ସେକୁଲାର୍ ବୋଲାଉଥିବା ନେତା, ବୁଦ୍ଧିଜୀବୀ ମାନଙ୍କର ଆଚରଣ ଭିନ୍ନ ପ୍ରକାର ଦେଖାଯାଏ। ଏହିପରି ଘଟଣା ଘଟିବା ପରେ ସେମାନେ ତୁରନ୍ତ ପୀଡ଼ିତାର ନାମ ପଛରେ ସାଙ୍ଗିଆ ଖୋଜି ବସନ୍ତି। ପୀଡ଼ିତା ହିନ୍ଦୁ ନାଁ ମୁସଲିମ? ହିନ୍ଦୁ ହୋଇଥିଲେ ସାଧାରଣ ବର୍ଗର ନାଁ ଦଳିତ କି, ଆଦିବାସୀ ଏମାନେ ଖୋଜି ବସନ୍ତି। ଏବଂ ସେମାନଙ୍କର ପ୍ରତିକ୍ରିୟା ସେହି ଅନୁଯାୟୀ ହୋଇଥାଏ।

କୁନ୍ଦୁଲି ପୀଡ଼ିତାଙ୍କୁ ନ୍ୟାୟ କଥା ଆଲୋଚନା କରୁଛେ। ଇତିଶ୍ରୀ କଥା କ’ଣ ହେଲା? ମାମଲା ସିବିଆଇ ହାତକୁ ଗଲା ଏବଂ ଶେଷରେ ସିବିଆଇ କୁଆଡ଼େ କେସ୍ ବନ୍ଦ କରିଦେଲା? ଓଡ଼ିଶାରେ ସେବେ ଚହଳ ସୃଷ୍ଟି କରିଥିବା ଅଞ୍ଜନା ଘଟଣା କ’ଣ ହେଲା? କିଏ ସବୁ ପୀଡ଼ିତା ନ୍ୟାୟ ପାଇଲେ? କୋଉ ଅପରାଧୀ ଦଣ୍ଡ ପାଇଲା? ଏସବୁ ଘଟଣାକୁ ଦେଖିଲେ ମନେ ପଡ଼େ ଛବିରାଣୀ ହତ୍ୟାକାଣ୍ଡ। କି’ ବିଭତ୍ସ କାଣ୍ଡ? ତାକୁ ନେଇ ସେବେ ବହୁ ରାଜନୀତି ହେଲା। କେତେ କୁମ୍ଭୀର କାନ୍ଦଣା କାନ୍ଦିଲେ। କିନ୍ତୁ ଶେଷରେ ରାଜନୀତି ପରେ ବ୍ୟବସାୟ ତଥା ମନୋରଞ୍ଜନର ଏକ ମାଧ୍ୟମ ହୋଇ “ଛବିରାଣୀ ହତ୍ୟାକାଣ୍ଡ” ନାମରେ ଏକ ଯାତ୍ରା ପ୍ରସ୍ତୁତ ହୋଇଗଲା। ଲଜ୍ଜା! ନୁହେଁ କି?

(ଏ ମତାମତ ସଂପୂର୍ଣ୍ଣ ଭାବେ ଲେଖକଙ୍କର ନିଜସ୍ୱ)