ସେ କହିଛନ୍ତି,“ସେହି ଦିନ ଭୁବନେଶ୍ୱର ସ୍ଥିତ କେନ୍ଦ୍ରୀୟ ଜଳ ଆୟୋଗ (ସିଡବ୍ଲ୍ୟୁସି)ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମଧ୍ୟ ରିଲେ ଅନଶନ କରାଯିବ।”
ଦେବୀ ମିଶ୍ର କହିଛନ୍ତି,“ଛତିଶଗଡ଼ ସରକାର ମହାନଦୀ ପ୍ରସଙ୍ଗରେ ବିଭ୍ରାନ୍ତିକର ତଥା ଚଞ୍ଚକତାପୂର୍ଣ୍ଣ ତଥ୍ୟ ଅବତାରଣା କରିବା ସହିତ ଓଡ଼ିଶାର ସ୍ୱାର୍ଥହାନୀ ପାଇଁ କିଭଳି ଅଭିସନ୍ଧି କରୁଛନ୍ତି, ତା’ର ନିରପେକ୍ଷ ତଦନ୍ତ କରାଯିବା ପାଇଁ ବିଜେଡି ଦାବି କରୁଛି।”
ସାମ୍ବାଦିକ ସମ୍ମିଳନୀରେ ବିଜେଡି ପକ୍ଷରୁ ମହାନଦୀ ପ୍ରସଙ୍ଗରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଡାକିଥିବା ସର୍ବଦଳୀୟ ବୈଠକରେ ଯୋଗ ଦେବାକୁ ମନା କରି ଦିଆଯାଇଛି।
ସାଧାରଣ ସଂପାଦକ ଦେବୀ ମିଶ୍ର କହିଛନ୍ତି,“ମହାନଦୀ ଉପରେ କେଲୋ ପ୍ରକଳ୍ପ ନିର୍ମାଣ ପାଇଁ ଛତିଶଗଡ଼ ସରକାରଙ୍କୁ ସିଡବ୍ଲ୍ୟୁସି ଅନୁମତି ଦେବା ବେଳେ କେନ୍ଦ୍ରରେ କଂଗ୍ରେସ ନେତୃତ୍ୱାଧୀନ ଉପା ସରକାର ଥିଲା। ତେଣୁ କଂଗ୍ରେସ ପ୍ରଥମେ ସ୍ପଷ୍ଟ କରୁ ଯେ ସେମାନ ସେତେବେଳେ କ’ଣ କରୁଥିଲେ? ସେମାନଙ୍କ ଦାୟିତ୍ୱହୀନତା ଓ ଅବହେଳାର ଯଥାର୍ଥ କାରଣ ରାଜ୍ୟବାସୀଙ୍କ ସମ୍ମୁଖରେ ରଖନ୍ତୁ।”
ସେ କହିଛନ୍ତି,“ନିଜ ମୁଖ ଲଜ୍ଜା ବଞ୍ଚାଇବା ପାଇଁ ସର୍ବଦଳୀୟ ବୈଠକ ଡାକିବା ପରିବର୍ତ୍ତେ ଉଭୟ କଂଗ୍ରେସ ଓ ବିଜେପି ଦଳର ରାଜ୍ୟ ନେତୃବୃନ୍ଦ କେନ୍ଦ୍ରରେ ଥିବା ସେମାନଙ୍କର ନେତାମାନେ ରାଜ୍ୟର ବୃହତ୍ତର ସ୍ୱାର୍ଥରେ କିଭଳି ବାଧା ପହଞ୍ଚାଇଛନ୍ତି, ସେ କଥା ପଚାରି ବୁଝନ୍ତୁ।”
ବିରୋଧୀ ଦଳ ନେତା ନରସିଂହ ମିଶ୍ର ଛତିଶଗଡ଼ ସରକାରଙ୍କ ଦ୍ୱାରା ମହାନଦୀ ଉପରେ ନିର୍ମାଣ କରାଯାଉଥିବା ପ୍ରକଳ୍ପକୁ ବିରୋଧ କରି କହିଛନ୍ତି,“ମହାନଦୀ ଉପରେ ପ୍ରକଳ୍ପ ନିର୍ମାଣ କରିବା ପାଇଁ ଶିଳ୍ପପତିମାନେ ଅର୍ଥ ଦେଉଛନ୍ତି। ଓଡ଼ିଶା ସରକାର ଏ କଥା ଜାଣି ବି ଚୁପ୍ ବସିଛନ୍ତି। ତେଣୁ ଓଡ଼ିଶାର ସ୍ୱାର୍ଥ ପାଇଁ ମୁଁ ସର୍ବଦଳୀୟ ବୈଠକ ଡାକିଛି ଓ ସବୁ ଦଳକୁ ଏଥିରେ ଯୋଗ ଦେବାକୁ ଆହ୍ୱାନ ଦେଇଛି। ଯିଏ ଏଥିରେ ଯୋଗ ନ ଦେବ ସେ ଓଡ଼ିଶାର ସ୍ୱାର୍ଥ ବିରୋଧୀ।”
ବିଜେପି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ମହାନଦୀ ପ୍ରସଙ୍ଗରେ ବିଜେଡିର ପ୍ରତିବଦ୍ଧତା ଉପରେ ପ୍ରଶ୍ନ ଉଠାଇଛି। ମହାନଦୀ ପ୍ରସଙ୍ଗରେ ବିଜେଡି ସରକାର ଆଇନଗତ ପଦକ୍ଷେପ ନ ନେଇ ଆନ୍ଦୋଳନ କାହିଁକି କରୁଛି ବୋଲି ଦଳ ପ୍ରଶ୍ନ କରିଛି। ସରକାରଙ୍କ ଅବହେଳା କାରଣରୁ ମହାନଦୀ ସଙ୍କଟ ଦେଖାଦେଇଛି ବୋଲି ବିଜେପି ଅଭିଯୋଗ କରିବା ସହିତ ବିରୋଧୀ ଦଳ ନେତାଙ୍କ ଦ୍ୱାରା ଆହୂତ ସର୍ବଦଳୀୟ ବୈଠକରେ ଯୋଗ ଦେବ ବୋଲି ସ୍ପଷ୍ଟ କରିଛି।