ପୂର୍ବତନ ମୁଖ୍ୟନ୍ତ୍ରୀ ରମେଶ ଚନ୍ଦ୍ର ତ୍ରିପାଠୀ କହିଛନ୍ତି, “ବ୍ୟାରେଜ ହେଲେ ହୀରାକୁଦର ଜଳଧାରଣ କ୍ଷମତା ହ୍ରାସ ହେବା ସହ ଜଳସେଚନ ଓ ବିଦ୍ୟୁତ୍ ଉତ୍ପାଦନ ମଧ୍ୟ ପ୍ରଭାବିତ ହେବ। ବ୍ୟାରେଜ ଓ ଇନ୍ଟେକ ୱେଲର ଗଭୀରତା ଓ ସଂରକ୍ଷଣ ଜଳର ପରିମାଣ, ବର୍ଷାଦିନେ ଜଳ ପରିଚାଳନା ନେଇ ଦୁଇ ରାଜ୍ୟ ମଧ୍ୟରେ ବୁଝାମଣା ହେବା ଜରୁରୀ। ନ ହେଲେ ବନ୍ୟା ଆଶଙ୍କାକୁ ଏଡାଇ ଦେଇହେବ ନାହିଁ।”
ଜଳ ଜୀବନ ଅଧିକାର କର୍ମୀ ରଞ୍ଜନ ପଣ୍ଡା କହିଛନ୍ତି, “ଭାରତ ସରକାରଙ୍କ କର୍ତ୍ତବ୍ୟ ହେଉଛି, ଗୋଟେ ମନୁମତି ପତ୍ର ଗଲେ ଏହା ଆନ୍ତଃରାଜ୍ୟ ପ୍ରସଙ୍ଗ ହୋଇଥିଲେ ଦୁଇ ରାଜ୍ୟ ସହ ଆଲୋଚନା କରିବା କଥା। ଓଡ଼ିଶା ସରକାର ଉଚିତ ପଦକ୍ଷେପ ନେଇଛନ୍ତି। କେବଳ ଗୋଟିଏ ଚିଠି ଦେଇ ବସି ଗଲେ ହେବ ନାହିଁ, ଆହୁରି ଗୁରୁତ୍ୱର ସହ ଏହି ଘଟଣାକୁ ନେବା ଦରକାର।”
ଏହାକୁ ନେଇ ରାଜନୀତି ମଧ୍ୟ ଆରମ୍ଭ ହୋଇଯାଇଛି। ବିଜେପି ଶାସିତ ଛତିଶଗଡ଼ ସରକାର କେନ୍ଦ୍ର ସରକାରଙ୍କ ସହ ମିଶି ଓଡ଼ିଶା ବିରୋଧରେ ଚକ୍ରାନ୍ତ କରିଛି ବୋଲି ବିଜେଡି ଅଭିଯୋଗ କରିଛି। ଏହାର ପ୍ରତିବାଦରେ ଦଳ ଆନ୍ଦୋଳନକୁ ଓହ୍ଲାଇବ ବୋଲି ବିଜେଡି ବିଧାୟକ ରୋହିତ ପୂଜାରୀ କହିଥିବା ବେଳେ ରାଜ୍ୟ ସରକାର ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେଉଛନ୍ତି ବୋଲି ରାଜ୍ୟସଭା ସଦସ୍ୟ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି।
ବିଜେଡି ଆଣିଥିବା ଅଭିଯୋଗର ଜବାବ ବିଜେପି ଦେଇଛି। ବିଜେପି ରାଷ୍ଟ୍ରୀୟ ସମ୍ପାଦକ ସୁରେଶ ପୂଜାରୀ କହିଛନ୍ତି, “ଓଡ଼ିଶା ସରକାରଙ୍କ କୌଣସି ରାଜ୍ୟ ସାଙ୍ଗରେ କି କେନ୍ଦ୍ର ସାଙ୍ଗରେ କିଛି ସମ୍ପର୍କ ନାହିଁ। ଯେଉଁ ଫୋରମ୍ରେ ଏ ସମସ୍ୟାର ଆଲୋଚନା ହେବା କଥା ତାହା ଏ ସରକାର କରିପାରୁ ନାହାନ୍ତି। ଦୃର୍ବଳ ନେତୃତ୍ୱ ପାଇଁ ଓଡ଼ିଶାର ଏ ଦଶା। ବିଳମ୍ବ ହେଲେ ମଧ୍ୟ ରାଜ୍ୟ ସରକାର ଏହାର ହିସାବ କରିବା ଦରକାର ଯେ ଏହାଦ୍ୱାରା ରାଜ୍ୟର କେତେ କ୍ଷତି ହେବ।”
ମହାନଦୀ ଉପରମୁଣ୍ଡରେ ଜଳସେଚନ ପ୍ରକଳ୍ପ ନିର୍ମାଣ ସମ୍ପର୍କରେ ଜାଣିବା ପରେ ଓଡ଼ିଶା ଜଳସମ୍ପଦ ବିଭାଗ ପ୍ରତିପକ୍ଷଙ୍କୁ ଚିଠି ମାଧ୍ୟମରେ ଅବଗତ କରାଇଛନ୍ତି। ଏ ନେଇ ଜୁଲାଇ ୧୦ ସୁଦ୍ଧା ଏକ ଡିଟେଲଡ ରିପୋର୍ଟ ପ୍ରସ୍ତୁତ ପାଇଁ ଜଳସମ୍ପଦ ମୁଖ୍ୟ ଯାନ୍ତ୍ରୀଙ୍କୁ ମଧ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।