ମହାନଦୀ ପ୍ରସଙ୍ଗରେ ଆସନ୍ତାକାଲି ରାଷ୍ଟ୍ରପତିଙ୍କୁ ଭେଟିବ କଂଗ୍ରେସ ପ୍ରତିନିଧି ଦଳ

ଭୁବନେଶ୍ୱର: ମହାନଦୀ ଉପରମୁଣ୍ଡରେ ବ୍ୟାରେଜ ନିର୍ମାଣକୁ ନେଇ ଦେଖା ଦେଇଥିବା ବିବାଦୀୟ ସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି। କେନ୍ଦ୍ର ସରକାର, ଓଡ଼ିଶା ଓ ଛତିଶଗଡ଼ ସରକାର ଏହି ପ୍ରସଙ୍ଗରେ ପରସ୍ପରକୁ ଦୋଷ ଦେବାକୁ ଲାଗିଛନ୍ତି। ରାଜନୈତିକ ଛକାପଞ୍ଝା ମଧ୍ୟରେ ସମାଧାନର ବାଟ ବାହାରି ପାରୁନାହିଁ। ଓଡ଼ିଶାରେ ଏହି ପ୍ରସଙ୍ଗକୁ ନେଇ ବେଶ କିଛିଦିନ ହେବ ରାଜନୀତି ସରଗରମ ରହିଛି। ଏପରି ସ୍ଥିତି ପାଇଁ ବିଜେଡି କେନ୍ଦ୍ର ଓ ଛତିଶଗଡ଼ ସରକାରଙ୍କୁ ଦାୟୀ କରୁଛି। ଅନ୍ୟପକ୍ଷରେ […]

niranjana

Rakesh Mallick
  • Published: Wednesday, 12 October 2016
  • , Updated: 13 October 2016, 08:08 AM IST

ଭୁବନେଶ୍ୱର: ମହାନଦୀ ଉପରମୁଣ୍ଡରେ ବ୍ୟାରେଜ ନିର୍ମାଣକୁ ନେଇ ଦେଖା ଦେଇଥିବା ବିବାଦୀୟ ସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି। କେନ୍ଦ୍ର ସରକାର, ଓଡ଼ିଶା ଓ ଛତିଶଗଡ଼ ସରକାର ଏହି ପ୍ରସଙ୍ଗରେ ପରସ୍ପରକୁ ଦୋଷ ଦେବାକୁ ଲାଗିଛନ୍ତି। ରାଜନୈତିକ ଛକାପଞ୍ଝା ମଧ୍ୟରେ ସମାଧାନର ବାଟ ବାହାରି ପାରୁନାହିଁ। ଓଡ଼ିଶାରେ ଏହି ପ୍ରସଙ୍ଗକୁ ନେଇ ବେଶ କିଛିଦିନ ହେବ ରାଜନୀତି ସରଗରମ ରହିଛି। ଏପରି ସ୍ଥିତି ପାଇଁ ବିଜେଡି କେନ୍ଦ୍ର ଓ ଛତିଶଗଡ଼ ସରକାରଙ୍କୁ ଦାୟୀ କରୁଛି। ଅନ୍ୟପକ୍ଷରେ ବିରୋଧୀ କଂଗ୍ରେସ ଓ ବିଜେପି ରାଜ୍ୟ ସରକାରଙ୍କ ଅବହେଳା ପାଇଁ ଏପରି ସମସ୍ୟା ଉପୁଜିଥିବା ଅଭିଯୋଗ କରୁଛନ୍ତି। ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ଓଡ଼ିଶା ସରକାର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଆବେଦନ କରି ବସି ଯାଇଥିବା ବେଳେ କଂଗ୍ରେସର ଏକ ପ୍ରତିନିଧି ଦଳ ଆସନ୍ତାକାଲି ରାଷ୍ଟ୍ରପତିଙ୍କୁ ଭେଟି ଦାବି ଜଣାଇବ ବୋଲି କହିଛି।

ଆସନ୍ତାକାଲି ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ନେତୃତ୍ୱରେ ଦଳର ବିଧାୟକମାନେ ଦିଲ୍ଲୀ ଯାଇ ରାଷ୍ଟ୍ରପତିଙ୍କୁ ମହାନଦୀ ପ୍ରସଙ୍ଗରେ ଅବଗତ କରିବେ। ଛତିଶଗଡ଼ ମହାନଦୀ ଉପରମୁଣ୍ଡରେ ବେଆଇନ ଭାବେ ବ୍ୟାରେଜ ନିର୍ମାଣ କରୁଥିବାରୁ ଓଡ଼ିଶାରେ ଜଳ ସଙ୍କଟ ଦେଖା ଦେବ। ତେଣୁ ଏଥିରେ ତୁରନ୍ତ ହସ୍ତକ୍ଷେପ କରି ଏହାର ନିର୍ମାଣ ବନ୍ଦ କରିବାକୁ ନିର୍ଦ୍ଦେଶ ଦେବାକୁ କଂଗ୍ରେସ ପ୍ରତିନିଧି ଦଳ ରାଷ୍ଟ୍ରପତିଙ୍କୁ ଅନୁରୋଧ କରିବେ।

ନରସିଂହ କହିଛନ୍ତି,“ପୂର୍ବ ନିଷ୍ପତ୍ତି ଅନୁଯାୟୀ ଆସନ୍ତାକାଲି ଆମ ବିଧାୟକ ଦଳ ଦିଲ୍ଲୀ ଯିବ। ସେଠାରେ ଆମେ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରି ମହାନଦୀକୁ ସୁରକ୍ଷା ଦେବାକୁ ଅନୁରୋଧ କରିବୁ। ଏହାସହ ଓଡ଼ିଶାର ସ୍ୱାର୍ଥ ରକ୍ଷା କରିବାକୁ ଜଣାଇବୁ।”

ମହାନଦୀ ପ୍ରସଙ୍ଗକୁ ନେଇ ବିଜେପି ମଧ୍ୟ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି। ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର କହିଛନ୍ତି,“ରାଜ୍ୟ ସରକାର ମହାନଦୀ ବିବାଦର ସମାଧାନ ଚାହୁଁନାହାନ୍ତି। ସରକାର ଆଇନଗତ ଲଢେଇ ପାଇଁ କହୁଥିବା ବେଳେ କାହିଁକି ଚୁପ ହୋଇ ବସିଛନ୍ତି?”

ସେ କହିଛନ୍ତି,“ରାଜ୍ୟ ସରକାର ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ କରୁନାହାନ୍ତି। ସରକାର ମହାନଦୀ ପ୍ରସଙ୍ଗକୁ ଯେପରି ଭାବେ ନେଉଛନ୍ତି ଅଣ ମୌସୁମୀ ସମୟରେ ମହାନଦୀ ଉପରେ ନିର୍ଭର କରୁଥିବା ରାଜ୍ୟବାସୀ ଏହାର ପରିଣାମ ଭୋଗିବେ।”

ମହାନଦୀ ବଞ୍ଚାଅ ଅଭିଯାନ ମହାନଦୀକୁ ନେଇ ଆଇନଗତ ପ୍ରକ୍ରିୟା ଆରମ୍ଭ କରିଛି। ମହାନଦୀ ବଞ୍ଚାଅ ଅଭିଯାନ ସଦସ୍ୟ ପଞ୍ଚାନନ କାନୁନଗୋ କହିଛନ୍ତି,“ସବୁ ପ୍ରକାର ପ୍ରକ୍ରିୟା ସରିଗଲେ କୋର୍ଟରେ ଆମେ ଆବେଦନ କରିବା ବେଳେ କ’ଣ ପଦକ୍ଷେପ ନେଇଛୁ କହିପାରିବା। ସେଠାରେ ଆମେ କହିପାରିବା ଯେ ଆମେ କୌଣସି ଜାଗାରୁ ନ୍ୟାୟ ପାଇଲୁ ନାହିଁ।”

ବିଜେଡି ମୁଖପାତ୍ର ଅମର ଶତପଥୀ କହିଛନ୍ତି,“ଦଳୀୟ କାର୍ଯ୍ୟକ୍ରମ ଲୋକଙ୍କ ପାଖରେ ପହଞ୍ଚାଇବା ସହ ଆଇନଗତ ଓ ପ୍ରଶାସନିକ ଦିଗ ପ୍ରତି ତର୍ଜମା ଚାଲିଛି। ଆଇନଗତ ଦିଗରେ ଯାହା ନିଷ୍ପତ୍ତି ହେବ ତାକୁ ନେଇ ଆମେ କୋର୍ଟଙ୍କ ଆଶ୍ରୟ ନେବୁ।”

ଅନ୍ୟପକ୍ଷରେ ମହାନଦୀ ବିବାଦ ନ୍ୟାସନାଲ ଗ୍ରୀନ ଟ୍ରିବୁନାଲ (ଏନ୍‌ଜିଟି)ରେ ପହଞ୍ଚିବା ପରେ ଓଡ଼ିଶାକୁ ଏ ନେଇ ନୋଟିସ୍‌ ଜାରି ହୋଇଛି। ରାଜ୍ୟ ସରକାର ମହାନଦୀ ପ୍ରସଙ୍ଗରେ ଏନ୍‌ଜିଟିରେ ଶୀଘ୍ର ସତ୍ୟପାଠ ଦାଖଲ କରିପାରନ୍ତି।

Related story