ବ୍ରିଜମୋହନ କେବଳ କଥା ଛଳରେ ଏପରି ମନ୍ତବ୍ୟ ଦେଇନାହାନ୍ତି। ଛତିଶଗଡ଼ ସରକାର ଏ ଦିଗରେ କାମ ମଧ୍ୟ ଆରମ୍ଭ କରିଦେଇଛନ୍ତି। ଓଡ଼ିଶା ସରକାରଙ୍କୁ ନ ଜଣାଇ ମହାନଦୀର ଉପର ମୁଣ୍ଡରେ ୭ଟି ଜଳ ସେଚନ ପ୍ରକଳ୍ପର ନିର୍ମାଣ କାମ ଆରମ୍ଭ କରି ଦେଇଛି। ଶାଖାନଦୀ ଅରପା ଉପରେ ମଧ୍ୟ ସେଠିକାର ସରକାର ଏକ ବ୍ୟାରେଜ ନିର୍ମାଣ କରୁଛି। ଏକ ଷ୍ଟିଲପ୍ଲାଣ୍ଟକୁ ପାଣି ଦେବା ପାଇଁ ସାବରୀ (ମହାନଦୀ) ଉପରେ ଏକ ବିରାଟ ଇନ୍ଟେକ୍ ୱେଲ ନିର୍ମାଣ କରୁଛି। ଏଥିରେ ଘଣ୍ଟାକୁ ୧୦,୦୦୦ କ୍ୟୁସେକ ପାଣି ପଶିବ।
ଛତିଶଗଡ଼ ସରକାର ଏକପାଖିଆ ଭାବେ ଏହାକୁ ନିର୍ମାଣ କରୁଥିବା ବେଳେ ତାଙ୍କ ଜଳ ସମ୍ପଦ ମନ୍ତ୍ରୀ ଏହାକୁ ଠିକ୍ ବୋଲି ଦର୍ଶାଇଛନ୍ତି। ସେ କହିଛନ୍ତି, “ମହାନଦୀ ଛତିଶଗଡ଼ ଦେଇ ଓଡ଼ିଶାକୁ ପ୍ରବେଶ କରିଛି। ତେଣୁ ମହାନଦୀ ଉପରେ ପ୍ରଥମ ଅଧିକାର ଛତିଶଗଡ଼ର ରହିଛି। ଆମେ ମାନୁଛୁ ନଦୀର ପାଣି ଉପରେ ସାରା ଦେଶର ଲୋକଙ୍କ ଅଧିକାର ଅଛି। ଯାହା ପାଇଁ ଯେତେ ଆବଶ୍ୟକତା, ସେ ସେତେ ବ୍ୟବହାର କରିବା ଦରକାର।”
ମହାନଦୀର ଉପର ମୁଣ୍ଡରୁ ଛତିଶଗଡ଼ ପାଣି ଶୋଷିବା ପରେ ହୀରାକୁଦ ବନ୍ଧରେ ପାଣି କମିଯିବା ଆଶଙ୍କା ଦେଖା ଦେଇଛି। ଏହାଦ୍ୱାରା ଜଳସମ୍ପଦ ସହ ବେସିନ ମ୍ୟାନେଜମେଣ୍ଟ ଗୁରୁତର ଭାବେ ପ୍ରଭାବିତ ହେବା ସ୍ପଷ୍ଟ ଜଣାପଡୁଛି।
ଏ କଥା ଜଣାପଡିବା ପରେ ଓଡ଼ିଶା ଜଳ ସମ୍ପଦ ବିଭାଗ ପ୍ରତିପକ୍ଷଙ୍କୁ ଚିଠି ମାଧ୍ୟମରେ ଅବଗତ କରାଇଛନ୍ତି।
ମୁଖ୍ୟ ଯନ୍ତ୍ରୀ ଜାନକୀବଲ୍ଲଭ ମହାପାତ୍ର କହିଛନ୍ତି, “ପ୍ରଥମେ ଛତିଶଗଡ଼ ସରକାରଙ୍କୁ ଓଡ଼ିଶାର ଦାବି ନେଇ ଅବଗତ କରାଯିବ। ଏହାପରେ କେନ୍ଦ୍ର ଜଳ ଆୟୋଗ (ସିଡବ୍ଲ୍ୟୁସି)କୁ ଅବଗତ କରାଯିବ। ଏହା ଅନ୍ତଃରାଜ୍ୟ ନଦୀ ହୋଇଥିବାରୁ ସିଡବ୍ଲ୍ୟୁସିର ଅନୁମତି ନେବା ନିହାତି ଆବଶ୍ୟକ। ଛତିଶଗଡ଼ ସରକାର ସିଡବ୍ଲ୍ୟୁସିଙ୍କ ଅନୁମତି ନେଇଛନ୍ତି କି ବିନା ଅନୁମତିରେ କାମ ଆରମ୍ଭ କରିଛନ୍ତି ତାହା ଯାଞ୍ଚ କରାଯିବ।”
ଛତିଶଗଡ଼ ସରକାରଙ୍କ ମହାନଦୀ କବଜା ଉପରେ ଜୁଲାଇ ୧୦ ସୁଦ୍ଧା ଏକ ରିପୋର୍ଟ ପ୍ରସ୍ତୁତ କରିବାକୁ ବିଭାଗ ପକ୍ଷରୁ ମୁଖ୍ୟ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।