ମହାନଦୀ ଭେଳିକି: କେନ୍ଦ୍ରଠୁ ରାଜ୍ୟ ଟଣାଓଟରା, ବର୍ଷେ ପରେ ବି ଗଠନ ହୋଇପାରିଲାନି ଟ୍ରିବ୍ୟୁନାଲ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାନଦୀ ଉପର ମୁଣ୍ଡରେ ଛତିଶଗଡ଼ ସରକାର ବନ୍ଧ ଓ ବ୍ୟାରେଜ ବାନ୍ଧୁଥିବାରୁ ଆପତ୍ତି ଉଠାଉଛି ଓଡ଼ିଶା ସରକାର। ଏପରିକି ବିବାଦ ସମାଧାନ ନହେଲା ପର୍ଯ୍ୟନ୍ତ ପ୍ରକଳ୍ପ କାମ ନକରିବା ପାଇଁ କେନ୍ଦ୍ର ଓ ଛତିଶଗଡ଼କୁ ଓଡ଼ିଶା ସରକାର ବାରମ୍ୱାର ଅନୁରୋଧ କରିଛି। ତେବେ କିଛି ସୁଫଳ ନମିଳିବାରୁ ରାଜ୍ୟ ସରକାର ଟ୍ରିବ୍ୟୁନାଲ ଗଠନ ପାଇଁ କେନ୍ଦ୍ର ସରକାରଙ୍କ ପାଖରେ ଆବେଦନ କରିଥିଲା। ପରେ ସୁପ୍ରିମକୋର୍ଟରେ ମଧ୍ୟ ମାମଲା ଦାୟର କରିଥିଲା। ଇତି ମଧ୍ୟରେ ଏକ […]

mahanadi-bridge

Rakesh Mallick
  • Published: Saturday, 18 November 2017
  • , Updated: 18 November 2017, 07:32 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାନଦୀ ଉପର ମୁଣ୍ଡରେ ଛତିଶଗଡ଼ ସରକାର ବନ୍ଧ ଓ ବ୍ୟାରେଜ ବାନ୍ଧୁଥିବାରୁ ଆପତ୍ତି ଉଠାଉଛି ଓଡ଼ିଶା ସରକାର। ଏପରିକି ବିବାଦ ସମାଧାନ ନହେଲା ପର୍ଯ୍ୟନ୍ତ ପ୍ରକଳ୍ପ କାମ ନକରିବା ପାଇଁ କେନ୍ଦ୍ର ଓ ଛତିଶଗଡ଼କୁ ଓଡ଼ିଶା ସରକାର ବାରମ୍ୱାର ଅନୁରୋଧ କରିଛି। ତେବେ କିଛି ସୁଫଳ ନମିଳିବାରୁ ରାଜ୍ୟ ସରକାର ଟ୍ରିବ୍ୟୁନାଲ ଗଠନ ପାଇଁ କେନ୍ଦ୍ର ସରକାରଙ୍କ ପାଖରେ ଆବେଦନ କରିଥିଲା। ପରେ ସୁପ୍ରିମକୋର୍ଟରେ ମଧ୍ୟ ମାମଲା ଦାୟର କରିଥିଲା। ଇତି ମଧ୍ୟରେ ଏକ ବର୍ଷ ବିତିଗଲାଣି। ହେଲେ ଏପର୍ଯ୍ୟନ୍ତ ଗଠନ ହେଲାନି ଟ୍ରିବ୍ୟୁନାଲ୍। ଯାହାଫଳରେ କେନ୍ଦ୍ର ସରକାରଙ୍କ ଆଭିମୂଖ୍ୟକୁ ନେଇ ଆପତ୍ତି ଉଠାଇଛି ବିଜେଡି ଓ କଂଗ୍ରେସ।

୨୦୧୭ ନଭେମ୍ୱର ୧୯ ତାରିଖରେ  ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଟ୍ରିବ୍ୟୁନାଲ୍ ଗଠନ ନେଇ କେନ୍ଦ୍ର ସରକାର ପାଖରେ ଆବେଦନ କରିଥିଲେ ରାଜ୍ୟ ସରକାର। ପରେ ସୁପ୍ରିମକୋର୍ଟରେ ମଧ୍ୟ ମାମଲା ଦାୟର କଲା। ଟ୍ରିବ୍ୟୁନାଲ୍ ପାଇଁ କେନ୍ଦ୍ର ପ୍ରସ୍ତୁତ କଲା କ୍ୟାବିନେଟ୍ ନୋଟ୍। ସୁପ୍ରିମକୋର୍ଟରେ ଶୁଣାଣିବେଳେ କେନ୍ଦ୍ର ଟ୍ରିବ୍ୟୁନାଲ୍ ଗଠନ ନେଇ କଥା ମଧ୍ୟ ଉଠାଇଥିଲେ। ତଥାପି କିଛି ସୁଫଳ ମିଳିନଥିଲା। ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରମ୍ବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟ୍ରିବ୍ୟୁନାଲ୍ ଗଠନ ନେଇ ଚିଠି ଲେଖିଲେ।  ଏହାପରେ ଗଠନ ହେଲାନି ଟ୍ରିବ୍ୟୁନାଲ୍। ଯାହାକୁ ନେଇ  ବିଜେଡି ଆପତ୍ତି ଉଠାଇବା ସହ କେନ୍ଦ୍ର ଓ ଛତିଶଗଡ ଉପରେ ବର୍ଷିଥିଲା।

ଆନ୍ତଃରାଜ୍ୟ  ନଦୀ ଜଳ ବିବାଦ ଆଇନକୁ ପୁଣି ଥରେ ସଂଶୋଧନ କରିବା ପାଇଁ କେନ୍ଦ୍ର ସରକାର ବିଚାର କରୁଛନ୍ତି। ଏନେଇ ସଂଶୋଧିତ ଆଇନ ସଂସଦରେ ଉପସ୍ଥାପିତ ହୋଇଥିଲା। ହେଲେ ବିଲ୍ ପାସ୍ ହୋଇପାରିଲା ନାହିଁ। ତେବେ ଏହି ସଂଶୋଧନ ବିଲ୍ ପାରିତ ହେଲେ ଦେଶର ସବୁ ନଦୀ ବିବାଦ ପାଇଁ ଗୋଟିଏ ଟ୍ରିବ୍ୟୁନାଲ୍ ରହିବ। ଖାସ ସେଥିପାଇଁ କେନ୍ଦ୍ର ଟ୍ରିବ୍ୟୁନାଲ୍ ପାଇଁ ପଦ୍ଣ ଘୁଂଚାଇ ଘିଚାଂଇ ଚାଲିଛି ବୋଲି ଚର୍ଚ୍ଚା ହେଉଛି।

କିଏ କ’ଣ କହୁଛନ୍ତି

ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି-“ଛତିଶଗଡ଼ ଓ କେନ୍ଦ୍ରରେ ବିଜେପି ସରକାର ଅଛି। ସେଥିପାଇଁ ୨୦୧୯ ପର୍ଯ୍ୟନ୍ତ କେନ୍ଦ୍ର ମାମଲାକୁ ଗଡ଼ାଇ ଚାଲିଛନ୍ତି। ଏଥିରୁ ଜଣାପଡ଼ୁଛି ଓଡ଼ିଶା ପ୍ରତି କେନ୍ଦ୍ର ସରକାରଙ୍କର ତିଳେ ମାତ୍ର ଧ୍ୟାନ ନାହିଁ।”

ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି-“ମହାନଦୀକୁ ସୁରକ୍ଷା ଦେବା ପାଇଁ ଓଡ଼ିଶା ସରକାର ଉଚିତ ପଦକ୍ଷେପ ନେଇପାରୁ ନାହାନ୍ତି। ବର୍ତ୍ତମାନ ଛତିଶଗଡ଼ ଓ କେନ୍ଦ୍ରରେ ବିଜେପି ସରକାର ରହିଛି। ତେଣୁ ଛତିଶଗଡ଼ର ସ୍ୱାର୍ଥ ରକ୍ଷା କରିବା ପାଇଁ କେନ୍ଦ୍ର ସରକାର ଚାହୁଁଛନ୍ତି।”

ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି-“ଛତିଶଗଡ଼ ସରକାର ନିଜ ରାଜ୍ୟବାସୀଙ୍କ ସ୍ୱାର୍ଥ ପାଇଁ କାମ କରୁଛି। ଓଡ଼ିଶାବାସୀଙ୍କ ପାଇଁ ଯଦି ରାଜ୍ୟ ସରକାର କାମ କରୁଥାଆନ୍ତେ, ତାହାହେଲେ ଏପରି ସ୍ଥିତି କେବେହେଲେ ଉପୁଜି ନଥାଆନ୍ତା। ରାଜ୍ୟ ସରକାର କେବଳ ଚିଠି ଲେଖିଦେଲେ ମହାନଦୀ ଜଳ ବିବାଦ ସମାଧାନ ହେବନାହିଁ।”

Related story