ହତ୍ୟା ଉଦ୍ୟମରୁ ଗାନ୍ଧିଙ୍କୁ ରକ୍ଷା କରିଥିବା ସ୍ୱାଧୀନତା ସଂଗ୍ରାମୀଙ୍କ ପରଲୋକ: ଛୁରୀ ଧରି ମାରିବାକୁ ଆସିଥିଲେ ନାଥୁରାମ  

ପୁନେ: ଏକ ହତ୍ୟା ଉଦ୍ୟମରୁ ମହାତ୍ମା ଗାନ୍ଧିଙ୍କୁ ରକ୍ଷା କରିଥିବା ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଭିକୁ ଦାଜି ଭିଲାରେଙ୍କ ବୁଧବାର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୮ ବର୍ଷ ହୋଇଥିଲା। ଭିଲାରେଙ୍କ ମୃତ ଦେହକୁ ନିଜ ପୈତୃକ ଗ୍ରାମ ଭିଲାରରେ ଶେଷ କୃତ୍ୟ କରାଯାଇଛି। ଭିଲାରେ ୧୯୧୯ ନଭେମ୍ବର ୨୬ରେ ମହାରାଷ୍ଟ୍ରର ସତରା ଜିଲ୍ଲାର ଭିଲାର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ଶାରିରୀକ ଅସୁସ୍ଥତା ଏବଂ ବାର୍ଦ୍ଧକ୍ୟ ଜନିତ କାରଣରୁ ତାଙ୍କ ଦେହାନ୍ତ ହୋଇଥିବା ପରିବାର ସୂତ୍ରରୁ […]

gandhi

Rakesh Mallick
  • Published: Thursday, 20 July 2017
  • , Updated: 20 July 2017, 11:38 AM IST

ପୁନେ: ଏକ ହତ୍ୟା ଉଦ୍ୟମରୁ ମହାତ୍ମା ଗାନ୍ଧିଙ୍କୁ ରକ୍ଷା କରିଥିବା ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଭିକୁ ଦାଜି ଭିଲାରେଙ୍କ ବୁଧବାର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୮ ବର୍ଷ ହୋଇଥିଲା। ଭିଲାରେଙ୍କ ମୃତ ଦେହକୁ ନିଜ ପୈତୃକ ଗ୍ରାମ ଭିଲାରରେ ଶେଷ କୃତ୍ୟ କରାଯାଇଛି। ଭିଲାରେ ୧୯୧୯ ନଭେମ୍ବର ୨୬ରେ ମହାରାଷ୍ଟ୍ରର ସତରା ଜିଲ୍ଲାର ଭିଲାର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ଶାରିରୀକ ଅସୁସ୍ଥତା ଏବଂ ବାର୍ଦ୍ଧକ୍ୟ ଜନିତ କାରଣରୁ ତାଙ୍କ ଦେହାନ୍ତ ହୋଇଥିବା ପରିବାର ସୂତ୍ରରୁ ଜଣାପଡ଼ିଛି। ଯୁବାବସ୍ଥାରେ ସ୍ୱାଧୀନତା ଆନ୍ଦୋଳନରେ ନିଜକୁ ସାମିଲ କରି ଭିଲାରେ ଜେଲ ମଧ୍ୟ ଯାଇଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ ୧୯୪୪ରେ ମହାରାଷ୍ଟ୍ରର ପଞ୍ଚଗଣିରେ ଏକ ପ୍ରାର୍ଥନା ସଭାରେ ମହାତ୍ମା ଗାନ୍ଧି ଯୋଗଦେଇଥିଲେ।  ଏହି ସଭାରେ ଉଷା  ମେହେଟ୍ଟା, ଅରୁଣ ଆସାଫ୍‌ ଅଲ୍ଲୀଙ୍କ ଭଳି ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ। ଏହି ସମୟରେ ନାଥୁରାମ ଗଡ଼ସେ ଏକ ଛୁରୀ ଧରି ପ୍ରାର୍ଥନା ସଭାକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ତେବେ ଗେଟ୍‌ ମୁହଁରେ ଥିବା ଭିଲାରେଙ୍କ ନଜର ନାଥୁରାମଙ୍କ ଉପରେ ପଡ଼ିଥିଲା। ସେ ସଙ୍ଗେ ସଙ୍ଗେ ନାଥୁରାମଙ୍କୁ ଅଟକାଇବା ପାଇଁ ଉଦ୍ୟମ କରିଥିଲେ। ପଚାରିବାରୁ ଗାନ୍ଧିଜୀଙ୍କୁ ତାଙ୍କର କିଛି ପ୍ରଶ୍ନ ଥିଲା ବୋଲି ନାଥୁରାମ କହିଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା ଏବଂ ନାଥୁରାମ ଧରିଥିବା ଛୁରୀକୁ ଭିଲାରେ ଛଡ଼ାଇ ଆଣିଥିଲେ। ଏହି ଘଟଣା ଗାନ୍ଧିଜୀଙ୍କ ଦୃଷ୍ଟିକୁ ଆସିବା ପରେ ତାଙ୍କୁ(ନାଥୁରାମ) ଯିବାକୁ ଦିଅ କହି ଛାଡ଼ିଦେଇଥିଲେ। ଆଉ ସେଦିନ ଗାନ୍ଧି ବିପଦରୁ ବର୍ତ୍ତି ଯାଇଥିଲେ।

ତେବେ ଭିଲାରେ ଜୀବିତ ଥିବା ବେଳେ ତାଙ୍କ ଇଣ୍ଟର୍ଭ୍ୟୁକୁ  ଆଧାର କରି ଏମିତି ତଥ୍ୟ ବିଭିନ୍ନ ମାଗାଜିନ୍‌ ଏବଂ ଗଣମାଧ୍ୟମରେ  ପ୍ରକାଶ ପାଇଛି। ଏପରିକି ଗାନ୍ଧିଜୀଙ୍କ ନାତି ତୁଷାର ଗାନ୍ଧି ତାଙ୍କ ବହିରେ ମଧ୍ୟ ଏ ସମ୍ପର୍କରେ ଉଲ୍ଲେଖ କରିଛନ୍ତି।  ହେଲେ ପଞ୍ଚଗଣି ଘଟଣାକୁ ନେଇ ଇତିହାସ ନିରବ । ଏପରିକି ଭିଲାରେଙ୍କ ଦାବି  ସମ୍ପର୍କରେ ଇତିହାସରେ କୌଣସି ତଥ୍ୟ ନାହିଁ।  ହେଲେ ଉପରୋକ୍ତ  ତଥ୍ୟ ସମ୍ପର୍କରେ ଚର୍ଚ୍ଚା ହେବା ପରେ ଗାନ୍ଧି ହତ୍ୟା ପଛର ଷଡ଼ଯନ୍ତ୍ରକୁ ନେଇ ତଦନ୍ତ ପାଇଁ ୧୯୬୫ରେ ସୁପ୍ରମିକୋର୍ଟ ଜେ.କେ. କାପୁର କମିଶନ ବସାଇଥିଲେ। ହେଲେ ଗାନ୍ଧିଙ୍କୁ ଯେତେଥର ହତ୍ୟା ଉଦ୍ୟମ ହୋଇଥିଲା ସେଥିରେ ପଞ୍ଚଗଣି ଘଟଣା ସମ୍ପର୍କରେ କୌଣସି ପ୍ରମାଣ ନ ଥିବା କମିଶନ ରିପୋର୍ଟ ଦେଇଥିଲେ।

Related story