ରିଷି ମୃତ୍ୟୁ ମାମଲା: ହୋଇପାରିଲାନି ଇତିଶ ଓ ପ୍ରଦୀପଙ୍କ ବୟାନ ରେକର୍ଡ

ଭୁବନେଶ୍ୱର: ବିବାଦୀୟ ଭିଡିଓ ଓ ରିଷି ମୃତ୍ୟୁ ମାମଲାରେ ଆଜି ଛାତ୍ର କଂଗ୍ରେସ ସଭାପତି ଇତିଶ ପ୍ରଧାନ ଓ ନିଆଁଖୁଣ୍ଟା ଡଟ୍‌କମ୍‌ ପ୍ରୋପାଇଟର ପ୍ରଦୀପ ପାଣ୍ଡେଙ୍କ ବୟାନ ରେକର୍ଡ କରାଯିବାର ଥିଲା। ଏଥିପାଇଁ ସେମାନେ କ୍ୟାପିଟାଲ ଥାନାରେ ହାଜର ହୋଇଥିଲେ। ତେବେ ଆଇଓ ଅନୁପସ୍ଥିତ ଥିବାରୁ ସେମାନଙ୍କ ବୟାନ ରେକର୍ଡ ହୋଇପାରି ନାହିଁ। ଅନ୍ୟ ଏକ ଦିନ ଉଭୟଙ୍କର ବୟାନ ରେକର୍ଡ କରାଯିବ ବୋଲି କମିଶନରେଟ୍‌ ପୋଲିସ ପକ୍ଷରୁ କୁହାଯାଇଛି। ଇତିଶ କହିଛନ୍ତି,“ଆଜି ଆମକୁ ବୟାନ ରେକର୍ଡ […]

risi

Rakesh Mallick
  • Published: Tuesday, 27 December 2016
  • , Updated: 27 December 2016, 08:34 PM IST

ଭୁବନେଶ୍ୱର: ବିବାଦୀୟ ଭିଡିଓ ଓ ରିଷି ମୃତ୍ୟୁ ମାମଲାରେ ଆଜି ଛାତ୍ର କଂଗ୍ରେସ ସଭାପତି ଇତିଶ ପ୍ରଧାନ ଓ ନିଆଁଖୁଣ୍ଟା ଡଟ୍‌କମ୍‌ ପ୍ରୋପାଇଟର ପ୍ରଦୀପ ପାଣ୍ଡେଙ୍କ ବୟାନ ରେକର୍ଡ କରାଯିବାର ଥିଲା। ଏଥିପାଇଁ ସେମାନେ କ୍ୟାପିଟାଲ ଥାନାରେ ହାଜର ହୋଇଥିଲେ। ତେବେ ଆଇଓ ଅନୁପସ୍ଥିତ ଥିବାରୁ ସେମାନଙ୍କ ବୟାନ ରେକର୍ଡ ହୋଇପାରି ନାହିଁ। ଅନ୍ୟ ଏକ ଦିନ ଉଭୟଙ୍କର ବୟାନ ରେକର୍ଡ କରାଯିବ ବୋଲି କମିଶନରେଟ୍‌ ପୋଲିସ ପକ୍ଷରୁ କୁହାଯାଇଛି।

ଇତିଶ କହିଛନ୍ତି,“ଆଜି ଆମକୁ ବୟାନ ରେକର୍ଡ ପାଇଁ ଡକାଯାଇଥିଲା। ଆମକୁ ଡାକିଦେଇ ଆଇଓ ଅନୁପସ୍ଥିତ ଥିଲେ। ଏଥିରୁ ଜଣାପଡ଼ୁଛି ଓଡ଼ିଶା ପୋଲିସ ଏହି ଘଟଣାର ତଦନ୍ତ କିପରି କରୁଛି।”

ସେ କହିଛନ୍ତି,“ରିଷି ମୋର ଜଣେ ଭଲ ବନ୍ଧୁ ଥିଲେ। ସେ ଛାତ୍ର କଂଗ୍ରେସ ସହ ଜଡ଼ିତ ଥିଲେ। ତାଙ୍କୁ ୮ ପ୍ୟାକେଟ୍ ଡ୍ରଗ୍ସ ଦିଆଯାଇ ହତ୍ୟା କରାଯାଇଛି। ତଦନ୍ତ ଯେପରି ଚାଲିଛି ତାକୁ ନେଇ ଆମେ ସନ୍ତୁଷ୍ଟ ନୁହେଁ। ଏହି ମାମଲାକୁ ସିବିଆଇକୁ ହସ୍ତାନ୍ତର କରାଯାଉ।”

ସେ କହିଛନ୍ତି,“ଘଟଣାକୁ ଚପାଇବା ପାଇଁ  ରାଜ୍ୟ ସରକାର ଯେଉଁ ଉଦ୍ୟମ କରୁଛନ୍ତି ତାହାକୁ ବରଦାସ୍ତ କରାଯିବ ନାହିଁ। ମାମଲା ସିବିଆଇକୁ ହସ୍ତାନ୍ତର କରାଗଲେ ସତ୍ୟ ପଦାକୁ ଆସିବ। ମେୟର ଯଦି ଏହି ଘଟଣାରେ ସମ୍ପୃକ୍ତ ନାହାନ୍ତି, ନିଜକୁ ନିର୍ଦ୍ଦୋଷ ପ୍ରମାଣିତ କରିବାକୁ ସିବିଆଇ ତଦନ୍ତ ଦାବି କରନ୍ତୁ। ଭିଡ଼ିଓର ଯାଞ୍ଚ କେନ୍ଦ୍ରୀୟ ଫୋରେନସିକ୍‌ରେ କରାଗଲେ ସତ୍ୟ ପଦାକୁ ଆସିବ।”

ପ୍ରଦୀପ କହିଛନ୍ତି,“ମୁଁ ପୋଲିସକୁ ଯେଉଁ ତଥ୍ୟ ଦେବା କଥା ସାଙ୍ଗରେ ନେଇ ଆସିଥିଲି। ଏହି ତଥ୍ୟ ଆଗୁଆ ପ୍ରକାଶ ପାଇଲେ ତଦନ୍ତ ବାଟବଣା ହେବାର ଆଶଙ୍କା ରହିଛି। ବିବାଦୀୟ ଭିଡିଓ, ରିଷି ମୃତ୍ୟୁ ଓ ରିଷିଙ୍କ ପ୍ରେମିକା ଗୋଟିଏ ସରଳରେଖାର ୩ଟି ବିନ୍ଦୁ। ୭ ମାସ ପୂର୍ବରୁ ଯେଉଁମାନେ ତଦନ୍ତକୁ ଚପାଇ ଦେବାକୁ ଚେଷ୍ଟା କରିଥିଲେ ସେମାନଙ୍କୁ ପଚରାଉଚରା କରାଗଲେ ସତ୍ୟ ପଦାକୁ ନିଶ୍ଚିତ ଆସିବ।”

ଅନ୍ୟପକ୍ଷରେ ରିଷିଙ୍କ ମାଆ, ବାପା ଓ ଭଉଣୀଙ୍କୁ ପଚରାଉଚରା ପାଇଁ ହାଜର ହେବାକୁ ପୋଲିସ ଡାକିଥିଲା। ଆଜି ସେମାନେ ଖଣ୍ଡଗିରି ଥାନାରେ ହାଜର ହୋଇଥିଲେ।

ରିଷି ମୃତ୍ୟୁ ଓ ବିବାଦୀୟ ସିଡିକୁ ନେଇ ରାଜନୀତି ଜୋର ଧରିବାରେ ଲାଗିଛି। ଅଡିଓ ସିଡି ପରେ ରିଷିକୁ ନେଇ ବିଜେପି ଭିଡିଓ ସିଡି ପ୍ରସ୍ତୁତ କରୁଛି। ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି କହିଛନ୍ତି,“ନିଜେ ମୁଖ୍ୟମନ୍ତ୍ରୀ ଗୃହ ବିଭାଗ ଦାୟିତ୍ୱରେ ରହି ଏହି ଘଟଣାରେ ଅଭିଯୁକ୍ତଙ୍କୁ ସୁରକ୍ଷା ପ୍ରଦାନ କରୁଛନ୍ତି। ରିଷି ହତ୍ୟା ଘଟଣାକୁ ଭୁବନେଶ୍ୱରବାସୀଙ୍କ ପାଖରେ ପହଞ୍ଚାଇବା ପାଇଁ ଏହି ଅଡିଓ ସିଡି ପ୍ରସ୍ତୁତି ଏକ ପ୍ରୟାସ।”

ସେହିପରି କଂଗ୍ରେସ ମେୟରଙ୍କ ଇସ୍ତଫା ଦାବି ଦୋହରାଇଛି। ବରିଷ୍ଠ କଂଗ୍ରେସ ନେତା ସୁରେଶ କୁମାର ରାଉତରାୟ କହିଛନ୍ତି,“ନବୀନ ବାବୁ ନିଜେ ଗାଢ଼ ଖୋଳି ପଶି ପଶି ଯାଉଛନ୍ତି। ମେୟର ମାମଲାରେ ଖାଲି ମାଟି ଘୋଡାଯିବା ବାକି ରହିଛି। ମେୟର ନିଶ୍ଚିତ ଇସ୍ତଫା ଦେବେ। ତାଙ୍କ ବିରୋଧରେ ସମ୍ପୂର୍ଣ୍ଣ ପ୍ରମାଣ ଯୁବ କଂଗ୍ରେସ ପାଖରେ ରହିଛି।”

ବିଜେପି ଓ କଂଗ୍ରେସର ମନ୍ତବ୍ୟ ଉପରେ ବିଜେଡି ପ୍ରତିକ୍ରିୟା ରଖିଛି। ବିଜେଡି ମୁଖପାତ୍ର ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି,“କଂଗ୍ରେସ ଓ ବିଜେପି ଦଳ ପାଖରେ କୌଣସି ପ୍ରସଙ୍ଗ ନାହିଁ। ସାରା ଓଡ଼ିଶା ବୁଲି ବହୁ ଚେଷ୍ଟା କଲେ, ହେଲେ ଲୋକଙ୍କ ପାଖରେ ପହଞ୍ଚି ପାରିଲେ ନାହିଁ। ଏବେ ବିଚରା ମେୟରଙ୍କ ପଛରେ ପଡିଛନ୍ତି। ଆଇନ ତା’ ବାଟରେ ଯାଉଛି।”

Related story