ଟିମ୍‌ ନବୀନର ନବକଳେବର: ଇନ୍‌ଆଉଟ୍‌ ରାଜନୀତିରେ ସସ୍‌ପେନ୍‌ସ ଜାରି

ଭୁବନେଶ୍ୱର: ରାଜ୍ୟ ମନ୍ତ୍ରିମଣ୍ଡଳ ଅଦଳବଦଳ ନେଇ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇଙ୍ଗିତ ଦେଇଥିଲେ। ଏହାକୁ ନେଇ ରାଜ୍ୟ ରାଜନୀତିରେ ହଲ୍‌ଚଲ୍‌ ସୃଷ୍ଟି ହୋଇଥିଲା। କିଏ ଇସ୍ତଫାଦେବେ ଏବଂ କିଏ ନୂଆମୁହଁ ମନ୍ତ୍ରିମଣ୍ଡଳରେ ସାମିଲ ହେବେ ତାକୁ ନେଇ ପାୱାର କରିଡରରେ ସସ୍‌ପେନ୍ସ ଜାରି ରହିଥିଲା। ଆଜି ବାଚସ୍ପତି ନିରଞ୍ଜନ ପୂଜାରୀଙ୍କ ଇସ୍ତଫାରୁ ଆରମ୍ଭ ହୋଇଛି ଇସ୍ତଫା ପର୍ବ। ଆସନ୍ତାକାଲି ରାଜ୍ୟପାଳ ଏସ୍‌ସି ଜମିର ଆସିବା ପରେ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିପାରେ। ଆଜି ସନ୍ଧ୍ୟାରେ ଶକ୍ତିମନ୍ତ୍ରୀ […]

ARUN

Rakesh Mallick
  • Published: Friday, 05 May 2017
  • , Updated: 05 May 2017, 09:00 PM IST

ଭୁବନେଶ୍ୱର: ରାଜ୍ୟ ମନ୍ତ୍ରିମଣ୍ଡଳ ଅଦଳବଦଳ ନେଇ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇଙ୍ଗିତ ଦେଇଥିଲେ। ଏହାକୁ ନେଇ ରାଜ୍ୟ ରାଜନୀତିରେ ହଲ୍‌ଚଲ୍‌ ସୃଷ୍ଟି ହୋଇଥିଲା। କିଏ ଇସ୍ତଫାଦେବେ ଏବଂ କିଏ ନୂଆମୁହଁ ମନ୍ତ୍ରିମଣ୍ଡଳରେ ସାମିଲ ହେବେ ତାକୁ ନେଇ ପାୱାର କରିଡରରେ ସସ୍‌ପେନ୍ସ ଜାରି ରହିଥିଲା। ଆଜି ବାଚସ୍ପତି ନିରଞ୍ଜନ ପୂଜାରୀଙ୍କ ଇସ୍ତଫାରୁ ଆରମ୍ଭ ହୋଇଛି ଇସ୍ତଫା ପର୍ବ। ଆସନ୍ତାକାଲି ରାଜ୍ୟପାଳ ଏସ୍‌ସି ଜମିର ଆସିବା ପରେ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିପାରେ।

ଆଜି ସନ୍ଧ୍ୟାରେ ଶକ୍ତିମନ୍ତ୍ରୀ ପ୍ରଣବପ୍ରକାଶ ଦାସ ଓ ଖାଦ୍ୟ ଯୋଗାଣ ଓ ଆଇଟି ମନ୍ତ୍ରୀ ସଞ୍ଜୟ ଦାସବର୍ମା ସଚିବାଳୟ ଯାଇଥିଲେ। ସେମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚ୍ୟାମ୍ୱରକୁ ଯାଇ ଆଲୋଚନା କରିଥିଲେ। କିନ୍ତୁ କେଉଁ ପ୍ରସଙ୍ଗରେ ଆଲୋଚନା ହୋଇଛି ତାହା ଜଣାପଡ଼ିନି। ତେବେ ବିଜେପିର ଆଗ୍ରେସିଭ୍‌ ମୁଡ୍‌କୁ ଦେଖି ନବୀନ ଯୁବ ବାହିନୀକୁ ମଇଦାନକୁ ପଠାଇବାର ବହୁ ସମ୍ଭାବନା ରହିଛି। ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା ଗୁଡ଼ିକୁ ଏହି ଯୁବନେତାଙ୍କ ମାଧ୍ୟମରେ ଲୋକଙ୍କ ପାଖରେ ପହଞ୍ଚାଇବାକୁ ନବୀନ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିବା ଆଲୋଚନା ହେଉଛି।

ବରିଷ୍ଠ ମନ୍ତ୍ରୀ ଦାମୋଦର ରାଉତ କହିଛନ୍ତି,“ମନ୍ତ୍ରିମଣ୍ଡଳ ଗଠନ ହେବାକୁ ୩ ବର୍ଷରୁ ଅଧିକ ସମୟ ହେଲାଣି। ହେଲେ ଏପର୍ଯ୍ୟନ୍ତ ଅଦଳ ବଦଳ ହୋଇନି। ଏହା ଭିତରେ କେନ୍ଦ୍ର ମନ୍ତ୍ରିମଣ୍ଡଳ ବହୁବାର ଅଦଳ ବଦଳ ହୋଇଛି। ଯଦି ମୁଖ୍ୟମନ୍ତ୍ରୀ ନିଜକୁ ସହାୟତା କରିବା ପାଇଁ କିଛି ଅଦଳବଦଳ କରୁଛନ୍ତି ତାହା ଉପରେ ପ୍ରଶ୍ନ ପଚାରିବା ଠିକ୍‌ ନୁହେଁ।”

ମିଳିଥିବା ସୂଚନା ମୁତାବକ ଶକ୍ତିମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ, ଆଇନ୍‌ ମନ୍ତ୍ରୀ ଅରୁଣ ସାହୁ, ଖାଦ୍ୟ ଯୋଗାଣମନ୍ତ୍ରୀ ସଞ୍ଜୟ ଦାସବର୍ମା, ଗଣଶିକ୍ଷାମନ୍ତ୍ରୀ ଦେବୀ ମିଶ୍ର, ନଗର ଉନ୍ନୟନ ମନ୍ତ୍ରୀ ପୁଷ୍ପନ୍ଦ୍ର ସିଂ, ବୟନଶିଳ୍ପ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ ଲାଲବିହାରୀ ହିମିରିକା, କ୍ରୀଡ଼ାମନ୍ତ୍ରୀ ସୁଦାମ ମାରାଣ୍ଡି ପ୍ରମୁଖ ଇସ୍ତଫା ଦେଇପାରନ୍ତି।

ନବୀନଙ୍କ ନୂଆ ଟିମ୍‌ରେ ଶଶୀଭୂଷଣ ବେହେରା, ପ୍ରତାପ ଜେନା, ଅମର ପ୍ରସାଦ ଶତପଥୀ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ସୁଶାନ୍ତ ସିଂ, ସୂର୍ଯ୍ୟନାରାୟଣ ପାତ୍ର ଓ ଅନନ୍ତ ଦାସଙ୍କୁ ସାମିଲ ହୋଇପାରନ୍ତି। ତେବେ ଆସନ୍ତାକାଲି ରାଜ୍ୟପାଳ ଭୁବନେଶ୍ବରରେ ପହଞ୍ଚିବା ପରେ ସବୁ ସ୍ପଷ୍ଟ ହେବ।

Related story