ରାସ୍ତା ନ ଥିବାରୁ ଆସିପାରିଲାନି ଆମ୍ବୁଲାନ୍ସ; ଖଟିଆରେ ତିନି କିଲୋମିଟର ବୁହା ହେଲେ ପ୍ରସୂତି

ଉମରକୋଟ: ସରକାର ଯୋଜନା ପରେ ଯୋଜନା କରି ଚାଲିଛନ୍ତି। ସେଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ଆଦିବାସୀ ଅଧ୍ୟୁଷିତ ଅନେକ ଅଞ୍ଚଳରେ ଏବେବି ଖଣ୍ଡେ ଭଲ ରାସ୍ତା ନାହିଁ। ଫଳରେ ଗରିବ ଲୋକମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗାଁକୁ ରାସ୍ତା ନ ଥିବାରୁ  କେଉଁଠି ପିଲାମାନେ ଶିକ୍ଷାରୁ ବଞ୍ଚିତ ହେଉଥିବା ବେଳେ କେଉଁଠି ରୋଗୀଙ୍କୁ ହନ୍ତସନ୍ତ ହେବାରୁ ପଡ଼ୁଛି। ଏପରି ଏକ ଅଭିଯୋଗ ଆସିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଚକଲାପଦର ପଞ୍ଚାୟତର […]

bb

Rakesh Mallick
  • Published: Saturday, 19 August 2017
  • , Updated: 19 August 2017, 02:11 PM IST

ଉମରକୋଟ: ସରକାର ଯୋଜନା ପରେ ଯୋଜନା କରି ଚାଲିଛନ୍ତି। ସେଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ଆଦିବାସୀ ଅଧ୍ୟୁଷିତ ଅନେକ ଅଞ୍ଚଳରେ ଏବେବି ଖଣ୍ଡେ ଭଲ ରାସ୍ତା ନାହିଁ। ଫଳରେ ଗରିବ ଲୋକମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗାଁକୁ ରାସ୍ତା ନ ଥିବାରୁ  କେଉଁଠି ପିଲାମାନେ ଶିକ୍ଷାରୁ ବଞ୍ଚିତ ହେଉଥିବା ବେଳେ କେଉଁଠି ରୋଗୀଙ୍କୁ ହନ୍ତସନ୍ତ ହେବାରୁ ପଡ଼ୁଛି। ଏପରି ଏକ ଅଭିଯୋଗ ଆସିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଚକଲାପଦର ପଞ୍ଚାୟତର ଭାରୁଆମୁଣ୍ଡା ଗାଁରୁ। ଗାଁକୁ ଭଲ ରାସ୍ତା ନ ଥିବାରୁ ଜଣେ ପ୍ରସୂତି ମହିଳାଙ୍କୁ ଖଟିଆରେ ଡାକ୍ତରଖାନାକୁ ବୁହା ହୋଇ ନିଆଯାଇଛି।

ଭାରୁଆମୁଣ୍ଡା ଗାଁରେ ଦୁଷ୍ମନ୍ତ ମାଝୀଙ୍କ ପତ୍ନୀ ଶାନ୍ତିଙ୍କର ପ୍ରସବ ଯନ୍ତ୍ରଣା ଅନୁଭବ କରିବାରୁ ପରିବାର ଲୋକେ ଆମ୍ବୁଲାନ୍ସକୁ ଫୋନ କରିଥିଲେ। ହେଲେ ଗାଁକୁ ଯୋଗାଯୋଗ କରୁଥିବା ରାସ୍ତା ଖାଲ ଢିପ ଓ କାଦୁଅରେ ଭର୍ତ୍ତି ହୋଇଥିବାରୁ ଆମ୍ବୁଲାନ୍ସ ଆସି ପାରି ନଥିଲା। ଶେଷରେ ବାଧ୍ୟ ହୋଇ ପରିବାର ଲୋକ ପ୍ରସୂତିଙ୍କୁ ଏକ ଖଟିଆରେ ବୋହି ୩କିଲୋମିଟର ଦୂର ହଳଦିଗୁଣ୍ଡି ଛକ ଯାଏଁ ନେଇଥିଲେ। ହଳଦିଗୁଣ୍ଡି ଛକରୁ ଏକ ଏକ ଅଟୋ ସାହାଯ୍ୟରେ ତାଙ୍କୁ ଇଚ୍ଛାପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ତାଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଛି।

ଜିଲ୍ଲାରେ ଏହି ପ୍ରକାର ଘଟଣା ବାରମ୍ବାର ଘଟୁଥିଲେ ମଧ୍ୟ ପ୍ରଶାସନ ଏଥିପ୍ରତି ଦୃଷ୍ଟି ନ ଦେବା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି। ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ ସ୍ଲୋଗାନ ‘ଗାଁକୁ କାମ ଓ ମାକୁ ସମ୍ମାନ’ ବାସ୍ତବରେ କେତେ ଦୂର କାର୍ଯ୍ୟକାରୀ ହେଉଛି ତାହା କ୍ୟାବିନେଟ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀଙ୍କ ନିର୍ବାଚନ ମଣ୍ଡଳୀକୁ ଦେଖିଲେ ସ୍ପଷ୍ଟ ବାରି ହୋଇ ପଡ଼ୁଛି।

 

Related story