ପ୍ରଦୀପ ମହାରଥୀଙ୍କୁ ଅଣ୍ଡାମାଡ଼, ପ୍ରଦୀପ ପାଣିଗ୍ରାହୀଙ୍କୁ କଳାପତାକା

ନୂଆପଡ଼ା/ବରଗଡ଼: ଜିଲ୍ଲା ଗସ୍ତରେ ଥିବା ମନ୍ତ୍ରୀମାନଙ୍କୁ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ବିରୋଧ ପ୍ରଦର୍ଶନ ଜାରି ରହିଛି। ମଙ୍ଗଳବାର ବଲାଙ୍ଗିରରେ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଥିବା କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ ଆଜି ପୁଣି ଥରେ ନୂଆପଡ଼ା ଜିଲ୍ଲାରେ ବିରୋଧର ସମ୍ମୁଖୀନ ହୋଇଛନ୍ତି। ସେ କଳାହାଣ୍ଡିରୁ ନୂଆପଡ଼ା ଆସୁଥିବା ବେଳେ ଖଡ଼ିଆଳର ବରପଦର ଠାରେ ବିଜେପି ଓ କଂଗ୍ରେସ କର୍ମୀମାନେ ତାଙ୍କୁ କଳାପତାକା ଦେଖାଇ ବିରୋଧ ପ୍ରଦର୍ଶନ କରିଥିଲେ। ବିକ୍ଷୋଭକାରୀଙ୍କ ମଧ୍ୟରୁ କେହି ପ୍ରଦୀପ ମହାରଥୀଙ୍କ ଗାଡ଼ି ଉପରକୁ […]

maharathinku birodhi

Rakesh Mallick
  • Published: Thursday, 05 November 2015
  • , Updated: 05 November 2015, 02:46 PM IST

ନୂଆପଡ଼ା/ବରଗଡ଼: ଜିଲ୍ଲା ଗସ୍ତରେ ଥିବା ମନ୍ତ୍ରୀମାନଙ୍କୁ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ବିରୋଧ ପ୍ରଦର୍ଶନ ଜାରି ରହିଛି। ମଙ୍ଗଳବାର ବଲାଙ୍ଗିରରେ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଥିବା କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ ଆଜି ପୁଣି ଥରେ ନୂଆପଡ଼ା ଜିଲ୍ଲାରେ ବିରୋଧର ସମ୍ମୁଖୀନ ହୋଇଛନ୍ତି। ସେ କଳାହାଣ୍ଡିରୁ ନୂଆପଡ଼ା ଆସୁଥିବା ବେଳେ ଖଡ଼ିଆଳର ବରପଦର ଠାରେ ବିଜେପି ଓ କଂଗ୍ରେସ କର୍ମୀମାନେ ତାଙ୍କୁ କଳାପତାକା ଦେଖାଇ ବିରୋଧ ପ୍ରଦର୍ଶନ କରିଥିଲେ। ବିକ୍ଷୋଭକାରୀଙ୍କ ମଧ୍ୟରୁ କେହି ପ୍ରଦୀପ ମହାରଥୀଙ୍କ ଗାଡ଼ି ଉପରକୁ ଲକ୍ଷ୍ୟ କରି ଅଣ୍ଡା ମାଡ଼ କରିଥିଲା। ତେବେ ଅଣ୍ଡା ମନ୍ତ୍ରୀଙ୍କ ଦେହରେ ବାଜି ନ ଥିଲା। ଏହି ଘଟଣାରେ ପୋଲିସ୍ ୫ ଜଣଙ୍କୁ ଅଟକ ରଖିଛି। ଜିଲ୍ଲାରେ ଫସଲହାନି ଯୋଗୁଁ ଆତ୍ମହତ୍ୟା କରିଥିବା ଚାଷୀମାନଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଓ ଇନ୍ଦିରା ଆବାସ ଇତ୍ୟାଦି ଯୋଗାଇ ଦେବାକୁ ବିଜେପି ଓ କଂଗ୍ରେସ କର୍ମୀମାନେ ଦାବି କରିଥିଲେ।

ଅନ୍ୟପକ୍ଷରେ ବରଗଡ଼ ଗସ୍ତରେ ଥିବା ଉଚ୍ଚ ଶିକ୍ଷା ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ ମଧ୍ୟ ଆଜି ବିରୋଧର ସମ୍ମୁଖୀନ ହୋଇଥିଲେ। କଂଗ୍ରେସ କର୍ମୀମାନେ ତାଙ୍କୁ କଳାପତାକା ଦେଖାଇଥିଲେ।

ସେହିପରି ଗତକାଲି ନୂଆପଡ଼ ଆସିଥିବା ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କୁ ମଧ୍ୟ ବିରୋଧ ପ୍ରଦର୍ଶନ କରାଯାଇଥିଲା। ନୂଆପଡ଼ା ସର୍କିଟ ହାଉସରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଫେରିବା ବେଳେ ତାଙ୍କୁ କଳାପତାକା ପ୍ରଦର୍ଶନ କରିଥିଲେ ଯୁବ କଂଗ୍ରେସ କର୍ମୀ। ମରୁଡ଼ି ଯୋଗୁଁ ଚାଷୀ ଆତ୍ମହତ୍ୟା କରୁଥିବା ବେଳେ ଜିଲ୍ଲା ଗସ୍ତରେ ଆସୁଥିବା ମନ୍ତ୍ରୀମାନେ ଏହାକୁ ଗୁରୁତ୍ୱ ଦେଉ ନାହାନ୍ତି ବୋଲି ଯୁବ କଂଗ୍ରେସ କର୍ମୀମାନେ ଅଭିଯୋଗ କରିଥିଲେ। ଗତକାଲି ବୌଦ୍ଧରେ ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ଦେବୀ ମିଶ୍ର ଏବଂ ଶକ୍ତି ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସଙ୍କୁ ବିଜେପି କର୍ମୀମାନେ କଳାପତାକା ଦେଖାଇଥିଲେ। ତା’ପୂର୍ବରୁ ମଙ୍ଗଳବାର ବଲାଙ୍ଗିରରେ କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ ଓ ଗଞ୍ଜାମରେ କ୍ରୀଡ଼ା ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କୁ ବିରୋଧ ପ୍ରଦର୍ଶନ କରାଯାଇଥିଲା।

ସୂଚନାଯୋଗ୍ୟ, ସରକାରୀ ଯୋଜନା ଓ ଉନ୍ନୟନମୂଳକ କାମର ସମୀକ୍ଷା ପାଇଁ ମନ୍ତ୍ରୀ ଓ ସଚିବମାନେ ବିଭିନ୍ନ ଜିଲ୍ଲା ଗସ୍ତ କରିବାକୁ ଗତମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଥିଲେ। ମାସର ପ୍ରଥମ ସପ୍ତାହର ୪ ଦିନ ମନ୍ତ୍ରୀ ଓ ସଚିବମାନେ ବଭିନ୍ନ ଜିଲ୍ଲା ଗସ୍ତ କରି ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିବେ। ତେବେ ମନ୍ତ୍ରୀମାନେ ନିଜ ଜିଲ୍ଲାକୁ ନ ଯାଇ ଅଲଗା ଅଲଗା ଜିଲ୍ଲାକୁ ଯାଇ କାର୍ଯ୍ୟର ତଦାରଖ କରିବେ। ମଙ୍ଗଳବାରଠାରୁ ମନ୍ତ୍ରୀମାନେ ବିଭିନ୍ନ ଜିଲ୍ଲା ଗସ୍ତ କରି କାର୍ଯ୍ୟ ସମୀକ୍ଷା କରୁଥିବା ବେଳେ ମରୁଡ଼ି ଓ ଚାଷୀମୃତ୍ୟୁ ପ୍ରସଙ୍ଗରେ ସେମାନଙ୍କୁ ବିରୋଧୀଦଳ କର୍ମୀଙ୍କ ବିରୋଧର ସମ୍ମୁଖୀନ ହେବାକୁ ପଡୁଛି।

Related story