ପୁଣି ଇଲେକ୍ଟ୍ରିକ୍‌ ସକ୍‌ ଖାଇପାରନ୍ତି ବିଦ୍ୟୁତ୍‌ ଉପଭୋକ୍ତା : ଆଉଥରେ ଶୁଳ୍କ ବୃଦ୍ଧି ପାଇଁ ଆସିଲାଣି ଦାବି

ଭୁବନେଶ୍ୱର: ରାଜ୍ୟରେ ପୁଣି ବଢିପାରେ ବିଦ୍ୟୁତ ଶୁଳ୍କ। ଉପଭୋକ୍ତାଙ୍କ ଉପରେ ବଢିପାରେ ଆର୍ଥିକ ବୋଝ। ଗ୍ରୀଡକୋ ଭଳି କିଛି ସଂସ୍ଥା ଓଡିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆର୍‌ସି) ନିକଟରେ ପିଟିସନ୍ ଦାଖଲ ପରେ ଏଭଳି ଆଶଙ୍କା ପ୍ରକାଶ ପାଇଛି। ଓଇଆରସି ପକ୍ଷରୁ  ଜାରି ହୋଇଥିବା ନୋଟିସ୍‌ରେ ଗତ ମାର୍ଚ୍ଚ ୩ ତାରିଖରେ ଧାର୍ଯ୍ୟ ହୋଇଥିବା ବିଦ୍ୟୁତ ଶୁଳ୍କର ସମୀକ୍ଷା ଓ ସଂଶୋଧନ ସଂପର୍କରେ ଉଲ୍ଲେଖ ରହିଛି।  ଏନେଇ ଗ୍ରୀଡକୋ ସମେତ ସମସ୍ତ ପକ୍ଷ ସେମାନଙ୍କ ଯୁକ୍ତି ରଖିବେ। […]

energycosts

Rakesh Mallick
  • Published: Saturday, 12 August 2017
  • , Updated: 12 August 2017, 07:22 PM IST

ଭୁବନେଶ୍ୱର: ରାଜ୍ୟରେ ପୁଣି ବଢିପାରେ ବିଦ୍ୟୁତ ଶୁଳ୍କ। ଉପଭୋକ୍ତାଙ୍କ ଉପରେ ବଢିପାରେ ଆର୍ଥିକ ବୋଝ। ଗ୍ରୀଡକୋ ଭଳି କିଛି ସଂସ୍ଥା ଓଡିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆର୍‌ସି) ନିକଟରେ ପିଟିସନ୍ ଦାଖଲ ପରେ ଏଭଳି ଆଶଙ୍କା ପ୍ରକାଶ ପାଇଛି। ଓଇଆରସି ପକ୍ଷରୁ  ଜାରି ହୋଇଥିବା ନୋଟିସ୍‌ରେ ଗତ ମାର୍ଚ୍ଚ ୩ ତାରିଖରେ ଧାର୍ଯ୍ୟ ହୋଇଥିବା ବିଦ୍ୟୁତ ଶୁଳ୍କର ସମୀକ୍ଷା ଓ ସଂଶୋଧନ ସଂପର୍କରେ ଉଲ୍ଲେଖ ରହିଛି।  ଏନେଇ ଗ୍ରୀଡକୋ ସମେତ ସମସ୍ତ ପକ୍ଷ ସେମାନଙ୍କ ଯୁକ୍ତି ରଖିବେ। ଏହି ମାମଲାରେ ଓଇଆର୍‌ସି ଆସନ୍ତା ୧୬ ତାରିଖରେ ଶୁଣାଣି କରିବେ।

ଗତ ମାର୍ଚ୍ଚରେ ସାଧାରଣ ଉପଭୋକ୍ତା ତଥା ସମସ୍ତଙ୍କ ପାଇଁ ୟୁନିଟ୍ ପିଛା ୧୦ ପଇସା ବିଦ୍ୟୁତ୍‌ ଶୁଳ୍କ ବଢିଥିଲା। ଏପ୍ରିଲ୍ ୧ରୁ ଏହା ଲାଗୁ ବି ହୋଇଥିଲା। ୨୦୧୭-୧୮ ବର୍ଷ ପାଇଁ ଓଇଆରସି ଦର ବୃଦ୍ଧି କରିବା ପରେ ପୁଣି ଥରେ ଦର ବୃଦ୍ଧି ହେବାର ସମ୍ଭାବନା ରହିଛି। ୪ ମାସ ପରେ ପୁନର୍ବାର ବିଦ୍ୟୁତ ମୂଲ୍ୟ ୟୁନିଟ୍ ପିଛା ହାରାହାରି ୨ ଟଙ୍କା ଲେଖାଁଏ ବୃଦ୍ଧି କରିବାକୁ ଗ୍ରୀଡକୋ, ଓଏଚ୍‌ପିସି, ଓପିଜିସି ଓ ଓପିଟିସିଏଲ୍, ଓଇଆର୍‌ସି ପାଖରେ ପିଟିସନ୍ ଫାଇଲ୍ କରିଛନ୍ତି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ବିଦ୍ୟୁତ ଉପଭୋକ୍ତ ମହାସଂଘର ସଭାପତି ରମେଶ ଚନ୍ଦ୍ର ଶତପଥୀ। ଏହାକୁ ଆମେ ବିରୋଧ କରିବୁ ବୋଲି ସେ କହିଛନ୍ତି।

ସେପଟେ ବିଦ୍ୟୁତ ଦର ବୃଦ୍ଧି ଆଶଙ୍କା ପରେ ସବୁ ସ୍ତରରେ ଉଦବେଗ ପ୍ରକାଶ ପାଇଛି। ଶକ୍ତି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ କହିଛନ୍ତି ବିଦ୍ୟୁତ ଦେୟ ବଢିବା ନେଇ କିଛି ନିଷ୍ପତ୍ତି ହୋଇ ନାହିଁ।

ସେ କହିଛନ୍ତି-“ବିଦ୍ୟୁତ ଶୁଳ୍କ ବୃଦ୍ଧି ନେଇ ସେମାନେ ଅପିଲ କରିପାରନ୍ତି। ମାତ୍ର ଶୁଳ୍କ ବୃଦ୍ଧି ନେଇ ସରକାରଙ୍କର କୌଣସି ପ୍ରସ୍ତାବ ନାହିଁ।”

ଚଳିତ ବର୍ଷ ବିଦ୍ୟୁତ ଦେୟ ୟୁନିଟ୍ ପିଛା ୧୦ ପଇସା ବୃଦ୍ଧି ହେବାପରେ ଉପଭୋକ୍ତା ଅସନ୍ତୋଷ ପ୍ରକାଶ କରିଥିଲେ। ୪ ମାସ ପରେ ପୁଣି ଯଦି ଦେୟ ବଢେ ଉପଭୋକ୍ତାଙ୍କ ମଧ୍ୟରେ ଅସନ୍ତୋଷ ଆହୁରି ବଢ଼ିବ।

Related story