ପଞ୍ଚାୟତିରାଜ ମନ୍ତ୍ରୀ ଅରୁଣ ସାହୁଙ୍କ ବାସଭବନ ଘେରିଲା ଓଡ଼ିଶା ଗ୍ରାମ ପଞ୍ଚାୟତ କର୍ମଚାରୀ ସଂଘ

ଭୁବନେଶ୍ୱର: ଦୁଇ ଦଫା ଦାବି କରି ଓଡ଼ିଶା ଗ୍ରାମ ପଞ୍ଚାୟତ କର୍ମଚାରୀ ସଂଘ ପକ୍ଷରୁ ସୋମବାର ପଞ୍ଚାୟତିରାଜ ତଥା ଆଇନ ମନ୍ତ୍ରୀ ଅରୁଣ ସାହୁଙ୍କ ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନ ଘେରାଉ କରାଯାଇଥିଲା। ସ୍ଥାୟୀ ନିଯୁକ୍ତି ଓ ଦରମା ବୃଦ୍ଧି ଦାବିରେ ଓଡ଼ିଶା ଗ୍ରାମ ପଞ୍ଚାୟତ କର୍ମଚାରୀ ସଂଘର ପ୍ରାୟ ୩୦୦ କର୍ମଚାରୀ ଏହି ଘେରାଉ କରିଥିଲେ। ତେବେ ମନ୍ତ୍ରୀଙ୍କ ପ୍ରତିଶ୍ରୁତି ପରେ ବିକ୍ଷୋଭକାରୀମାନେ ବିକ୍ଷୋଭରୁ ଓହରି ଥିଲେ। ଓଡ଼ିଶା ଗ୍ରାମ ପଞ୍ଚାୟତ କର୍ମଚାରୀ ସଂଘ ସଭାପତି କନିଷ୍କ […]

arun-sahu

Rakesh Mallick
  • Published: Monday, 11 January 2016
  • , Updated: 11 January 2016, 06:20 AM IST

ଭୁବନେଶ୍ୱର: ଦୁଇ ଦଫା ଦାବି କରି ଓଡ଼ିଶା ଗ୍ରାମ ପଞ୍ଚାୟତ କର୍ମଚାରୀ ସଂଘ ପକ୍ଷରୁ ସୋମବାର ପଞ୍ଚାୟତିରାଜ ତଥା ଆଇନ ମନ୍ତ୍ରୀ ଅରୁଣ ସାହୁଙ୍କ ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନ ଘେରାଉ କରାଯାଇଥିଲା। ସ୍ଥାୟୀ ନିଯୁକ୍ତି ଓ ଦରମା ବୃଦ୍ଧି ଦାବିରେ ଓଡ଼ିଶା ଗ୍ରାମ ପଞ୍ଚାୟତ କର୍ମଚାରୀ ସଂଘର ପ୍ରାୟ ୩୦୦ କର୍ମଚାରୀ ଏହି ଘେରାଉ କରିଥିଲେ। ତେବେ ମନ୍ତ୍ରୀଙ୍କ ପ୍ରତିଶ୍ରୁତି ପରେ ବିକ୍ଷୋଭକାରୀମାନେ ବିକ୍ଷୋଭରୁ ଓହରି ଥିଲେ।

ଓଡ଼ିଶା ଗ୍ରାମ ପଞ୍ଚାୟତ କର୍ମଚାରୀ ସଂଘ ସଭାପତି କନିଷ୍କ ବୋଧିସତ୍ତ୍ୱ କହିଛନ୍ତି, ପଞ୍ଚାୟତିରାଜ ମନ୍ତ୍ରୀଙ୍କ ସହିତ ବୈଠକ ସଫଳ ହୋଇଛି। ଦୁଇ ତିନି ଦିନ ପରେ ଆଉ ଏକ ବୈଠକ କରିବାକୁ ସେ ଡାକିଛନ୍ତି। ସମସ୍ୟାର ସମାଧାନ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ତାଙ୍କ ଉପରେ ସଂଘର ବିଶ୍ୱାସ ରହିଛି। ତେଣୁ ସଂଘ ଆନ୍ଦୋଳନକୁ ସଂଘ ବର୍ତ୍ତମାନ ପାଇଁ ସ୍ଥଗିତ ରଖିଛି।

ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି ଯେ ସଂଘର କର୍ମକର୍ତ୍ତାଙ୍କୁ ସେ ଆଉ ଏକ ପର୍ଯ୍ୟାୟ ଆଲୋଚନା ପାଇଁ ଆମନ୍ତ୍ରଣ କରିଛନ୍ତି। ଦୁଇ ତିନି ଦିନ ମଧ୍ୟରେ ଏହି ବୈଠକ ହେବ। ସେମାନଙ୍କର ଦାବିକୁ ସରକାର ସହୃଦୟତାର ସହିତ ବିଚାର କରୁଛନ୍ତି। ବିଧିବ୍ୟବସ୍ଥା ମଧ୍ୟରେ ରହି ସେମାନଙ୍କ ଦାବି ପୂରଣ କରାଯିବା ନେଇ ପଦକ୍ଷେପ ନିଆଯିବ।

ରାଜ୍ୟର ଗ୍ରାମ ପଞ୍ଚାୟତ ଅଫିସଗୁଡ଼ିକରେ ୬୦୦୦ରୁ ଅଧିକ ପିଅନ କାମ କରୁଛନ୍ତି। ସେମାନଙ୍କୁ ମାସିକ ୧୫ ଶହ ଟଙ୍କା ଲେଖାଏଁ ଅନୁଦାନ ଦେବାକୁ ଗତ ବର୍ଷ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। କିନ୍ତୁ ବର୍ତ୍ତମାନ ସୁଦ୍ଧା ସେମାନଙ୍କୁ ଏହି ଟଙ୍କା ପ୍ରଦାନ କରାଯାଇ ନାହିଁ। ପଚାରିଲେ ବିଭାଗୀୟ ଅଧିକାରୀମାନେ କହୁଛନ୍ତି ନିୟମ ବଦଳି ଯାଇଛି। ନୂଆ ନିୟମରେ ସେମାନଙ୍କୁ ଟଙ୍କା ଦେବା ନେଇ କୌଣସି ବ୍ୟବସ୍ଥା ନାହିଁ। ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି ଯେ ଗତ ଡିସେମ୍ବର ୧୭ରେ ସରକାର ସେମାନଙ୍କ ଦାବି ନେଇ ୧୫ ଦିନ ମଧ୍ୟରେ ନିଷ୍ପତ୍ତି ନିଆଯିବ ବୋଲି କହିଥିଲେ। କିନ୍ତୁ ୧୫ରୁ ଅଧିକ ଦିନ ବିତି ଯାଇଥିଲେ ସୁଦ୍ଧା ସରକାର କୌଣସି ନିଷ୍ପତ୍ତି ନେଇ ନାହାନ୍ତି।

ଓଡ଼ିଶା ଗ୍ରାମ ପଞ୍ଚାୟତ କର୍ମଚାରୀ ସଂଘ ସଭାପତି କନିଷ୍କ ବୋଧିସତ୍ତ୍ୱ କହିଛନ୍ତି, ରାଜ୍ୟର ୬୨୦୪ ଗ୍ରାମ ପଞ୍ଚାୟତରେ କାର୍ଯ୍ୟ କରୁଥିବା ପିଅନମାନଙ୍କୁ ୧୫୦୦ ଟଙ୍କା ଲେଖାଏଁ ଅନୁଦାନ ଦେବାକୁ ୨୦୧୪ ଜୁଲାଇ ମାସରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଏନେଇ ପଞ୍ଚାୟତଗୁଡ଼ିକୁ ଅନୁଦାନ ବି ଆସିଛି। କିନ୍ତୁ ପିଅନମାନଙ୍କୁ ସେହି ଟଙ୍କା ଦିଆଯାଉ ନାହିଁ। କୁହାଯାଉଛି ପଞ୍ଚାୟତିରାଜ ନିୟମରେ ପରିବର୍ତ୍ତନ ହୋଇଛି। ନୂଆ ନିୟମରେ  ପିଅନଙ୍କୁ ଦରମା ଦେବା ନେଇ କୌଣସି ସ୍ପଷ୍ଟ ନୀତି ନାହିଁ। ଏହା ପରେ ଡିସେମ୍ବର ୨ରୁ ପିଅନମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଡିସେମ୍ବର ୧୭ ତାରିଖରେ ପଞ୍ଚାୟତିରାଜ ମନ୍ତ୍ରୀ ସଂଘର ଏକ ପ୍ରତିନିଧି ଦଳ ସହିତ ବୈଠକ କରି ଥିଲେ। ୧୫ ଦିନ ମଧ୍ୟରେ ଦାବି ପୂରଣ କରାଯିବା ନେଇ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଏଯାଏଁ ପ୍ରତିଶ୍ରୁତି ପୂରଣ ହୋଇନାହିଁ। ପ୍ରତିଶ୍ରୁତି ପୂରଣ ନ ହେଲେ ଆନ୍ଦୋଳନ ଜୋରଦାର ହେବ।

Related story