ପାରଳା ମହାରାଜା ନଜରବନ୍ଦୀ ନ ଥିଲେ: ଏସ୍‌ପି

ପାରଳାଖେମୁଣ୍ଡି: ପାରଳା ମହାରାଜା ଗୋପୀନାଥ ଗଜପତି ନଜରବନ୍ଦୀ ଥିବା ସମ୍ପର୍କରେ କୌଣସି ତଥ୍ୟ ନ ଥିବା ଗଜପତି ଏସ୍‌ପି କହିଛନ୍ତି। ଜମିଜମା ବିବାଦକୁ ନେଇ ମହାରାଜାଙ୍କୁ ଗତ ଜାନୁଆରୀରୁ ସୁରକ୍ଷାକର୍ମୀ ଯୋଗାଇ ଦିଆଯାଇଥିଲା ବୋଲି ସେ କହିଛନ୍ତି। ପାରଳା ମହାରାଜାଙ୍କୁ ନଜରବନ୍ଦୀ କରାଯିବା ଘଟଣା କେବଳ ଓଡ଼ିଶା ନୁହେଁ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ନଜରବନ୍ଦୀ ଓ ମହାରାଜାଙ୍କ ସମ୍ପତ୍ତି ହଡ଼ପ ଘଟଣାକୁ ନେଇ ତାଙ୍କ ପୂର୍ବତନ ମ୍ୟାନେଜର, ପିଏଙ୍କ ସମେତ ୪ ଜଣ ଆତ୍ମହତ୍ୟା […]

parala maharaja

Rakesh Mallick
  • Published: Thursday, 25 August 2016
  • , Updated: 25 August 2016, 09:29 PM IST

ପାରଳାଖେମୁଣ୍ଡି: ପାରଳା ମହାରାଜା ଗୋପୀନାଥ ଗଜପତି ନଜରବନ୍ଦୀ ଥିବା ସମ୍ପର୍କରେ କୌଣସି ତଥ୍ୟ ନ ଥିବା ଗଜପତି ଏସ୍‌ପି କହିଛନ୍ତି। ଜମିଜମା ବିବାଦକୁ ନେଇ ମହାରାଜାଙ୍କୁ ଗତ ଜାନୁଆରୀରୁ ସୁରକ୍ଷାକର୍ମୀ ଯୋଗାଇ ଦିଆଯାଇଥିଲା ବୋଲି ସେ କହିଛନ୍ତି।

ପାରଳା ମହାରାଜାଙ୍କୁ ନଜରବନ୍ଦୀ କରାଯିବା ଘଟଣା କେବଳ ଓଡ଼ିଶା ନୁହେଁ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ନଜରବନ୍ଦୀ ଓ ମହାରାଜାଙ୍କ ସମ୍ପତ୍ତି ହଡ଼ପ ଘଟଣାକୁ ନେଇ ତାଙ୍କ ପୂର୍ବତନ ମ୍ୟାନେଜର, ପିଏଙ୍କ ସମେତ ୪ ଜଣ ଆତ୍ମହତ୍ୟା ମଧ୍ୟ କରିସାରିଛନ୍ତି। ଏବେ ଗଜପତି ଏସ୍‌ପିଙ୍କ ଏପରି ବୟାନ ଘଟଣାକୁ ନୂଆ ମୋଡ଼ ଦେଇଛି।

ଏସ୍‌ପି ସୁଶୀଲ ପାଣିଗ୍ରାହୀ କହିଛନ୍ତି, “ଗତ ଡିସେମ୍ବର ୨୯ ତାରିଖରେ ପାରଳା ମହାରାଜା ପୋଲିସ ସୁରକ୍ଷା ମାଗିଥିଲେ। ଜାନୁଆରୀ ୪ ତାରିଖରୁ ରାଜନଅରରେ ୬ଜଣ ସଶସ୍ତ୍ର ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଥିଲା। ମହାରାଜା, ତାଙ୍କ ପରିବାର ଓ କର୍ମଚାରୀଙ୍କ ସୁରକ୍ଷା ଦାୟିତ୍ୱରେ ଏହି କର୍ମଚାରୀମାନେ ଥିଲେ। ରାଜା ନଜରବନ୍ଦୀ ଥିବା ସମ୍ପର୍କରେ ଆମ ପାଖରେ କିଛି ଖବର ନାହିଁ।”

ଅନ୍ୟପକ୍ଷରେ ପାରଳା ମହାରାଜାଙ୍କ ପ୍ରତିଷ୍ଠାନର ପୂର୍ବତନ ମ୍ୟାନେଜର ମୃତା ଅନଙ୍ଗ ମଞ୍ଜରୀ ପାତ୍ର, ତାଙ୍କ ଭାଇ ତଥା ମହାରାଜାଙ୍କ ପିଏ ସଞ୍ଜୟ ପାତ୍ର ଏବଂ ମହାରାଜାଙ୍କ ଆକାଉଣ୍ଟରେ ବିଶେଷ ଟଙ୍କା ନ ଥିବା ଜଣାପଡିଛି।

ଆଜି କ୍ରାଇମବ୍ରାଞ୍ଚର ଏସ୍‌ଆଇଟି ଟିମ୍‌ ଜମି ଓ ଟଙ୍କା କାରବାରର ତଦନ୍ତ କରିଥିଲା। ଏସ୍‌ଆଇଟିର ୩ ଜଣିଆ ଟିମ୍‌ ସ୍ଥାନୀୟ ଷ୍ଟେଟ୍‌ବ୍ୟାଙ୍କକୁ ଯାଇ ମୃତା ଅନଙ୍ଗମଞ୍ଜରୀ, ତାଙ୍କ ଭାଇ ତଥା ରାଜାଙ୍କ ପିଏ ସଞ୍ଜୟ ଏବଂ ମହାରାଜାଙ୍କ ଆକାଉଣ୍ଟ ଯାଞ୍ଚ କରିଥିଲା। ଏହାସହ ତଦନ୍ତକାରୀ ଟିମ୍‌ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଠାରୁ ଷ୍ଟେଟ୍‌ମେଣ୍ଟ ମଧ୍ୟ ସଂଗ୍ରହ କରିଛି। ଏଥିରୁ ଏମାନଙ୍କ ଆକାଉଣ୍ଟରେ ବିଶେଷ ଟଙ୍କା ନ ଥିବା ଓ ଦେଣନେଣ ମଧ୍ୟ ହୋଇ ନ ଥିବା ଜଣାପଡିଛି।

ଆଜି ମହାରାଜାଙ୍କ ଜମିଜମା ସମ୍ପର୍କରେ ତଦନ୍ତ ବେଳେ ମଧ୍ୟ ଏକ ବଡ଼ ସୂଚନା ପଦାକୁ ଆସିଛି। ଗତ ୮ରୁ ୧୦ ଭିତରେ ସେଭଳି ଜମିଜମା କାରବାର ହୋଇ ନ ଥିବା ଏସ୍‌ଆଇଟି ଟିମ୍‌ ତହସିଲରୁ ଜାଣିବାକୁ ପାଇଛି।

Related story