ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଭଣ୍ଡୁର ଉଦ୍ୟମ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲା ବିଜେପି

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇଦିନିଆ ଓଡ଼ିଶା ଗସ୍ତ ସାରି ଫେରିଗଲେ। ହେଲେ ବିଜେପି ଓ ବିଜେଡି ମଧ୍ୟରେ ଲାଗି ରହିଥିବା ତୁ ତୁ ମେଁ ମେଁ ବନ୍ଦ ହେବାର ନାଁ ନେଉନାହିଁ। ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଭଣ୍ଡୁର କରିବାକୁ ଉଦ୍ୟମ କରିବା, ସଭାସ୍ଥଳରେ ବିଶୃଙ୍ଖଳା ସୃଷ୍ଟି କରିବା ଓ ଥାନା ଉପରେ ଆକ୍ରମଣ କରିବା ଭଳି ଘଟଣାକୁ ନେଇ ବିଜେପି ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛି। ଆଇନ ଆଗରେ ସମସ୍ତେ ସମାନ ବୋଲି କହୁଥିବା ମୁଖ୍ୟମନ୍ତ୍ରୀ ଏଭଳି କାଣ୍ଡ […]

bjp-bjd1

Rakesh Mallick
  • Published: Tuesday, 09 February 2016
  • , Updated: 09 February 2016, 03:02 PM IST

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇଦିନିଆ ଓଡ଼ିଶା ଗସ୍ତ ସାରି ଫେରିଗଲେ। ହେଲେ ବିଜେପି ଓ ବିଜେଡି ମଧ୍ୟରେ ଲାଗି ରହିଥିବା ତୁ ତୁ ମେଁ ମେଁ ବନ୍ଦ ହେବାର ନାଁ ନେଉନାହିଁ। ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଭଣ୍ଡୁର କରିବାକୁ ଉଦ୍ୟମ କରିବା, ସଭାସ୍ଥଳରେ ବିଶୃଙ୍ଖଳା ସୃଷ୍ଟି କରିବା ଓ ଥାନା ଉପରେ ଆକ୍ରମଣ କରିବା ଭଳି ଘଟଣାକୁ ନେଇ ବିଜେପି ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛି। ଆଇନ ଆଗରେ ସମସ୍ତେ ସମାନ ବୋଲି କହୁଥିବା ମୁଖ୍ୟମନ୍ତ୍ରୀ ଏଭଳି କାଣ୍ଡ ଭିଆଇ ଥିବା ବିଧାୟକ ଦେବାଶିଷ ସାମନ୍ତରାୟ, ପ୍ରମୋଦ ମଲ୍ଲିକ ଏବଂ ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ନେଉ ନାହାନ୍ତି ବୋଲି ବିଜେପି ପ୍ରଶ୍ନ କରିଛି। ଅନ୍ୟପକ୍ଷେ ପ୍ରମୋଦଙ୍କୁ ବିଜେପି କର୍ମୀମାନେ ଯେପରି ଅମାନୁସିକ ନିର୍ଯାତନା ଦେଇଛନ୍ତି ଏଥିରୁ ସେମାନଙ୍କ କୁଚ୍ଛିତ ମାନସିକତାର ପ୍ରମାଣ ମିଳୁଛି ବୋଲି ବିଜେଡି ପକ୍ଷରୁ କୁହାଯାଇଛି।

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବାରୁ ପୋଷ୍ଟର ଓ ବ୍ୟାନର ଲଗାକୁ ନେଇ ଦୁଇଦଳ ମଧ୍ୟରେ ଆରମ୍ଭ ହୋଇଥିବା ବିବାଦ ଦିନକୁ ଦିନ ଉଗ୍ର ହେଉଛି। ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମକୁ ଭଣ୍ଡୁର କରିବାକୁ ଦେବାଶିଷ ସାମନ୍ତରାୟ ଉଦ୍ୟମ କରିଥିବା ନେଇ ବିଜେପି ତାଙ୍କ ନାଁରେ ଏତଲା ଦେଇଛି। ବିଧାୟକ ଦେବାଶିଷ ଏବଂ ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ ପୋଲିସ ବାରିକେଡ ଭାଙ୍ଗି ବିଜେଡି କର୍ମୀଙ୍କୁ ଭିତରକୁ ପ୍ରବେଶ କରାଇବା ଓ ପ୍ରମୋଦ ମଲ୍ଲିଙ୍କ ବିଜେପି ରୂପକୁ ନେଇ ଦୁଇଦଳ ମୁହାଁମୁହିଁ ହୋଇଛନ୍ତି।

ରମାକାନ୍ତ ଭୋଇ ନାମକ ଜଣେ ବିଜେପି କର୍ମୀ ଦେବାଶିଷଙ୍କ ନାଁରେ ତିର୍ତ୍ତୋଲ ଥାନାରେ ଏତଲା ଦେଇଛନ୍ତି। ସେହିପରି ପ୍ରମୋଦ ମଲ୍ଲିକଙ୍କୁ ଆକ୍ରମଣ ଓ ଗାଡି ଭଙ୍ଗା ଘଟଣାରେ ତାଙ୍କ ସୁରକ୍ଷା କର୍ମୀ ଏତଲା ଦାୟର କରିଛନ୍ତି।

ବରିଷ୍ଠ ବିଜେପି ନେତା ସଜ୍ଜନ ଶର୍ମା ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ଜଣେ ଦାୟିତ୍ୱବାନ ମନ୍ତ୍ରୀ ଏବଂ ଜଣେ ବିଧାୟକ ବାରିକେଡ ଭାଙ୍ଗୁଛନ୍ତି, ଦଳର ଲୋକେ ଥାନା ଭଙ୍ଗାରୁଜା କରୁଛନ୍ତି। ଦେବାଶିଷ ସାମନ୍ତରାୟ ଆତଙ୍କ ରାଜ ଚଲାଇଛନ୍ତି। ଏବେ ମୁଖ୍ୟମନ୍ତ୍ରୀ କାହିଁକି ଚୁପ ହୋଇ ବସିଛନ୍ତି। ଏପରି ଘଟଣାରେ ପଦକ୍ଷେପ କାହିଁକି ନେଉ ନାହାନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ଏହାସହ ପ୍ରଧାନମନ୍ତ୍ରୀଙ୍କ ସଭା ଭଣ୍ଡୁର କରିବାକୁ କିଏ କିଏ ଯୋଜନା କରୁଥିଲେ ତାହାର ତଦନ୍ତ କରାନ୍ତୁ ବୋଲି ସେ ଦାବି କରିଛନ୍ତି।

ଏହାସହ ଜାତୀୟ ହେଲଥ୍ ମିଶନ ଗାଡିରେ ବିଜେଡି ପତାକା ଲଗାଯାଇ କର୍ମୀଙ୍କୁ ଅଣା ଯାଇଥିଲା ବୋଲି ସେ ଅଭିଯୋଗ କରିଛନ୍ତି।

ନିଆଳି ବିଧାୟକ ପ୍ରମୋଦ ମଲ୍ଲିକ ଅଭିଯୋଗ କରିଛନ୍ତି, ଗତ ୭ ତାରିଖରେ ବିଜେପି ଟୋପି ଓ ଉତ୍ତରୀୟ ପିନ୍ଧି ଥିବା କିଛି ଲୋକ ତାଙ୍କ ଗାଡି ଅଟକାଇବା ସହ ମାଡ ମାରିଥିଲେ। ଏପରି କି ତାଙ୍କୁ ବିଜେପି ଟୋପି ପିନ୍ଧାଇ କାନ୍ଧରେ ବିଜେପି ଉତ୍ତରୀୟ ପକାଇ କିଛି ବାଟ ଚଲାଇ ଚଲାଇ ନେବା ସହ ନରେନ୍ଦ୍ର ମୋଦି ଓ ଧର୍ମେନ୍ଦ୍ର ପ୍ରଧାନ ଜିନ୍ଦାବାଦ ପକାଇବାକୁ ବାଧ୍ୟ କରିଥିଲେ ବୋଲି ଅଭିଯୋଗ କରିଛନ୍ତି।

ପ୍ରମୋଦ ମଲ୍ଲିକଙ୍କୁ ଚଲାଇ ଚଲାଇ ନିଆଯାଉଥିବା ଭିଡିଓ ପଦାକୁ ଆସିବା ପରେ ବିଜେପି ନେତା ସଜ୍ଜନ ଶର୍ମା କହିଛନ୍ତି, ପ୍ରକୃତ ଘଟଣା କ’ଣ ପ୍ରମୋଦଙ୍କୁ ପଚାରନ୍ତୁ, ସେ ଠିକରେ କହିପାରିବେ। ଉକ୍ତ ଅଞ୍ଚଳରେ ବିଜେଡିର ଅଖଣ୍ଡ ପ୍ରଭାବ ରହିଛି। ସେଠାରେ ତାଙ୍କୁ କେହି ଧମକାଇ ପାରିବେ ନାହିଁ। ସେ ନିଜ ଇଚ୍ଛାରେ ମୋଦିଙ୍କୁ ଖୁସି କରିବାକୁ ଏପରି କରିଥାଇ ପାରନ୍ତି। ତାଙ୍କୁ କେହି ଜୋରଜବରଦସ୍ଥ କରିନାହାନ୍ତି ବୋଲି ସେ କହିଛନ୍ତି।

ବିଜେଡି ମୁଖପାତ୍ର ପ୍ରତାପ ଦେବ ବିଜେପି ଉପରେ ଗୁଣ୍ଡାଗିରି କରିବା ଅଭିଯୋଗ ଲଗାଇଛନ୍ତି। ଆଇଓସିଏଲ ଉଦଘାଟନ ଆଳରେ ବିଜେପି କର୍ମକର୍ତ୍ତାମାନେ ଯାହା କରିଛନ୍ତି ଅତ୍ୟନ୍ତ ନିନ୍ଦନୀୟ। ଠେଙ୍ଗା ଧରି ଜଣେ ବିଧାୟକଙ୍କୁ ଯେପରି ତାଙ୍କ ଦଳର ଟୋପି ଓ ଉତ୍ତରୀୟ ପିନ୍ଧାଇ ଚଲାଇ ଚଲାଇ ନିଆଗଲା ଏହା ରୁଗଣ ମାନସିକତାର ପରିଚୟ। ଏଥିପାଇଁ ବିଜେପିକୁ କ୍ଷମା ପ୍ରାର୍ଥନା କରିବା ଉଚିତ। ଯଦି ରାଜ୍ୟରେ କ୍ଷମତାକୁ ଆସିବାକୁ ଚାହୁଁଛନ୍ତି ତେବେ ଏଭଳି ଆଚରଣରୁ ଦୂରେଇ ରହି ଲୋକଙ୍କ ମନ କିଣିବା ଉଚିତ ବୋଲି ସେ ପରାମର୍ଶ ଦେଇଛନ୍ତି। ଆଗ ପ୍ରମୋଦ ମଲ୍ଲିକଙ୍କୁ ନିର୍ଯାତନା ଦେବାର ଉତ୍ତର ରଖନ୍ତୁ ତା’ପରେ ଅଭିଯୋଗ ଆଣନ୍ତୁ ବୋଲି ସେ କହିଛନ୍ତି।

ସେହିପରି ସ୍ୱାସ୍ଥ୍ୟ ମିଶନ ଗାଡିରେ ବିଜେଡି କର୍ମୀଙ୍କୁ ଅଣାଯିବା ଉପରେ ପ୍ରତାପ ଦେବ କହିଛନ୍ତି, କୌଣସି ବଡ଼ କାର୍ଯ୍ୟକ୍ରମ ହେଲେ ସବୁ ବିଭାଗ ପକ୍ଷରୁ ଶୃଙ୍ଖଳା ପାଇଁ ବ୍ୟବସ୍ଥା କରାଯାଇଥାଏ। ଅଘଟଣା ଏଡାଇବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗାଡି ଯାଇଥିଲା। ତେବେ ଏଥିରେ ବିଜେଡି କର୍ମୀଙ୍କୁ ସଭାସ୍ଥଳକୁ ଅଣାଯିବା ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ବୋଲି ସେ କହିଛନ୍ତି।

ବିଜେଡି ମୁଖପାତ୍ର ସମୀଦ ଦାସ କହିଛନ୍ତି, ବିଜେପି ଯେଉଁ ବିବାଦ କଥା ଉଠାଉଛି ଆଇଓସିଏଲ ଗାଡିରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଫଟୋ ଲଗାଇ ନିଜେ ଏହାକୁ ଆରମ୍ଭ କରିଥିଲା। ପ୍ରଧାନମନ୍ତ୍ରୀ କାର୍ଯ୍ୟକ୍ରମକୁ ପ୍ରଶଂସା କରି ଯାଇଛନ୍ତି। ଏବେ ଦଳ ପକ୍ଷରୁ ଏପରି ଅଭିଯୋଗ ଅଣାଯିବା କିଛି ମାନେ ରଖେନାହିଁ। ଆଇନ ତା’ ବାଟରେ ଯାଉଛି। ତିର୍ତ୍ତୋଲ ଥାନାରେ ଭଙ୍ଗାରୁଜା ଘଟଣାରେ ଯିଏ ସମ୍ପୃକ୍ତ ତାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।

Related story