ପୋଲାଭରମ୍‌ ପ୍ରସଙ୍ଗ: ରାଜ୍ୟ ସରକାର ଜନଶୁଣାଣି କରିବେ ନାହିଁ

ଭୁବନେଶ୍ୱର: ଆନ୍ଧ୍ରପ୍ରଦେଶ ଦ୍ୱାରା ନିର୍ମାଣାଧୀନ ପୋଲାଭରମ୍‌ ପ୍ରକଳ୍ପ ନେଇ ଓଡ଼ିଶାରେ ରାଜ୍ୟ ସରକାର ଜନଶୁଣାଣି କରିବେ ନାହିଁ। ସୁପ୍ରିମକୋର୍ଟଙ୍କ ଅନୁମତି ପରେ ହିଁ ଏ ନେଇ କୌଣସି ନିଷ୍ପତ୍ତି ନିଆଯିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ଚିଠି କରାଯାଇ ଆନ୍ଧ୍ରକୁ ଜଣାଇ ଦିଆଯାଇଛି। ପୋଲାଭରମ୍‌ ପ୍ରକଳ୍ପ ଦ୍ୱାରା କ୍ଷତିଗ୍ରସ୍ତ ହେବାକୁ ଥିବା ଓଡ଼ିଶା ଓ ଛତିଶଗଡ଼ ସହ ମିଶି ଜନଶୁଣାଣି କରିବାକୁ ଆନ୍ଧ୍ରପ୍ରଦେଶକୁ କେନ୍ଦ୍ର ସରକାର କହିଥିଲେ। ଏ ନେଇ ଆନ୍ଧ୍ରପ୍ରଦେଶ ପକ୍ଷରୁ ଓଡ଼ିଶାର ମତାମତ ମଗାଯାଇଥିଲା। […]

polavaram

Rakesh Mallick
  • Published: Sunday, 27 March 2016
  • , Updated: 28 March 2016, 05:49 AM IST

ଭୁବନେଶ୍ୱର: ଆନ୍ଧ୍ରପ୍ରଦେଶ ଦ୍ୱାରା ନିର୍ମାଣାଧୀନ ପୋଲାଭରମ୍‌ ପ୍ରକଳ୍ପ ନେଇ ଓଡ଼ିଶାରେ ରାଜ୍ୟ ସରକାର ଜନଶୁଣାଣି କରିବେ ନାହିଁ। ସୁପ୍ରିମକୋର୍ଟଙ୍କ ଅନୁମତି ପରେ ହିଁ ଏ ନେଇ କୌଣସି ନିଷ୍ପତ୍ତି ନିଆଯିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ଚିଠି କରାଯାଇ ଆନ୍ଧ୍ରକୁ ଜଣାଇ ଦିଆଯାଇଛି।

ପୋଲାଭରମ୍‌ ପ୍ରକଳ୍ପ ଦ୍ୱାରା କ୍ଷତିଗ୍ରସ୍ତ ହେବାକୁ ଥିବା ଓଡ଼ିଶା ଓ ଛତିଶଗଡ଼ ସହ ମିଶି ଜନଶୁଣାଣି କରିବାକୁ ଆନ୍ଧ୍ରପ୍ରଦେଶକୁ କେନ୍ଦ୍ର ସରକାର କହିଥିଲେ। ଏ ନେଇ ଆନ୍ଧ୍ରପ୍ରଦେଶ ପକ୍ଷରୁ ଓଡ଼ିଶାର ମତାମତ ମଗାଯାଇଥିଲା। ତେବେ ରାଜ୍ୟ ସରକାର ଜନଶୁଣାଣି କରିବେ ନାହିଁ ବୋଲି ଆନ୍ଧ୍ରପ୍ରଦେଶ ଜଳସମ୍ପଦ ବିଭାଗର ପ୍ରମୁଖ ସଚିବଙ୍କୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସଦସ୍ୟ ସଚିବ ଚିଠି ଲେଖି ଜଣାଇଛନ୍ତି।

ଜନଶୁଣାଣି ହୋଇ ନ ଥିବାରୁ ନ୍ୟାସନାଲ ଏନଭାର୍ନମେଣ୍ଟ ଆପିଲେଟ୍‌ ଅଥରିଟି (ଏନ୍‌ଇଏଏ) ପ୍ରକଳ୍ପର ପରିବେଶ ମଞ୍ଜୁରୀ ରଦ୍ଦ କରିଥିଲେ। ତେବେ ଆନ୍ଧ୍ରପ୍ରଦେଶ ହାଇକୋର୍ଟ ଏନ୍‌ଇଏଏର ନିର୍ଦ୍ଦେଶକୁ ବାତିଲ କରିଛନ୍ତି। ଏଭଳି ସ୍ଥିତିରେ ଜନଶୁଣାଣି କରିବା ଠିକ୍‌ ହେବ ନାହିଁ ବୋଲି ଓଡ଼ିଶା ସରକାର ଚିଠିରେ ଉଲ୍ଲେଖ କରିଛନ୍ତି। ସେହିପରି ପୋଲାଭରମ୍‌ ମାମଲା ସୁପ୍ରିମକୋର୍ଟରେ ବିଚାରାଧୀନ ରହିଛି। ମାମଲାରେ କୋର୍ଟଙ୍କ ରାୟ ଆସିବା ପରେ ରାଜ୍ୟ ସରକାର ନିଷ୍ପତ୍ତି ନେବେ ବୋଲି ରାଜ୍ୟ ସରକାର କହିଛନ୍ତି।

ଆଇନ୍‌ ଅନୁସାରେ ପ୍ରକଳ୍ପକୁ ପରିବେଶ ମଞ୍ଜୁରୀ ମିଳିବା ପୂର୍ବରୁ ପ୍ରଭାବିତ ଅଞ୍ଚଳରେ ଜନଶୁଣାଣି କରାଯିବା ବାଧ୍ୟତାମୂଳକ। ତେବେ ପୋଲାଭରମ୍‌ ଦ୍ୱାରା ଓଡ଼ିଶା ଓ ଛତିଶଗଡ଼ ପ୍ରଭାବିତ ହେଉଥିବା ବେଳେ ଏହି ଦୁଇ ରାଜ୍ୟରେ ଜନଶୁଣାଣି ହୋଇନାହିଁ। ସେପଟେ ପ୍ରକଳ୍ପ ଉପରେ ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟର କଟକଣା ରହିଛି। ଏହାସତ୍ତ୍ୱେ କେନ୍ଦ୍ର ସରକାର ପ୍ରକଳ୍ପ ଲାଗି ଅର୍ଥ ମଞ୍ଜୁରୀ କରିଥିବାରୁ ଏହାକୁ ଓଡ଼ିଶା ଓ ଛତିଶଗଡ଼ ବିରୋଧ କରୁଛନ୍ତି। ବିଜେଡି ସାଂସଦମାନେ ମଧ୍ୟ ପାର୍ଲାମେଣ୍ଟରେ ଏହି ପ୍ରସଙ୍ଗ ଉଠାଇଥିଲେ। ପୋଲାଭରମ୍‌ ପ୍ରକଳ୍ପ ଦ୍ୱାରା ମାଲକାନଗିରି ଜିଲ୍ଲାର ୨୧ଟି ପଞ୍ଚାୟତର ଶତାଧିକ ଗାଁ ଜଳମଗ୍ନ ହେବାର ଆଶଙ୍କା ରହିଛି।

Related story