ପ୍ରତି ମାସରେ ଜିଲ୍ଲା ଗସ୍ତ କରିବାକୁ ବରିଷ୍ଠ ପୋଲିସ୍ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ବରିଷ୍ଠ ଆଇଏଏସ୍ ଅଫିସରଙ୍କ ଭଳି ବରିଷ୍ଠ ଆଇପିଏସ୍ ଅଫିସରମାନେ ଜିଲ୍ଲା ଗସ୍ତରେ ଯିବେ। ନିୟମିତ ଭାବେ ପ୍ରତି ମାସର ପ୍ରଥମ ସପ୍ତାହରେ ସେମାନେ ଜିଲ୍ଲା ଗସ୍ତରେ ଯିବେ। ସେମାନେ ଜିଲ୍ଲାର ବିଭିନ୍ନ ପୋଲିସ୍ ଥାନାକୁ ଯାଇ ସମୀକ୍ଷା କରିବେ। ପୋଲିସ କର୍ମଚାରୀଙ୍କ କାର୍ଯ୍ୟ ଦକ୍ଷତା ସମୀକ୍ଷା କରିବେ। ଏହା ସହିତ କିଛି ଅଭିଯୋଗକାରୀମାନଙ୍କୁ ମଧ୍ୟ ସେମାନେ ଭେଟିବେ। ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନିର୍ଦ୍ଦେଶ ଦେଇଛନ୍ତି। ବରିଷ୍ଠ ପୋଲିସ୍ ଅଧିକାରୀମାନଙ୍କର ୫୯ତମ ସମ୍ମିଳନୀର ଉଦଯାପନୀ […]

cm

Rakesh Mallick
  • Published: Friday, 08 January 2016
  • , Updated: 08 January 2016, 11:45 AM IST

ଭୁବନେଶ୍ୱର: ବରିଷ୍ଠ ଆଇଏଏସ୍ ଅଫିସରଙ୍କ ଭଳି ବରିଷ୍ଠ ଆଇପିଏସ୍ ଅଫିସରମାନେ ଜିଲ୍ଲା ଗସ୍ତରେ ଯିବେ। ନିୟମିତ ଭାବେ ପ୍ରତି ମାସର ପ୍ରଥମ ସପ୍ତାହରେ ସେମାନେ ଜିଲ୍ଲା ଗସ୍ତରେ ଯିବେ। ସେମାନେ ଜିଲ୍ଲାର ବିଭିନ୍ନ ପୋଲିସ୍ ଥାନାକୁ ଯାଇ ସମୀକ୍ଷା କରିବେ। ପୋଲିସ କର୍ମଚାରୀଙ୍କ କାର୍ଯ୍ୟ ଦକ୍ଷତା ସମୀକ୍ଷା କରିବେ। ଏହା ସହିତ କିଛି ଅଭିଯୋଗକାରୀମାନଙ୍କୁ ମଧ୍ୟ ସେମାନେ ଭେଟିବେ। ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନିର୍ଦ୍ଦେଶ ଦେଇଛନ୍ତି। ବରିଷ୍ଠ ପୋଲିସ୍ ଅଧିକାରୀମାନଙ୍କର ୫୯ତମ ସମ୍ମିଳନୀର ଉଦଯାପନୀ ଉତ୍ସବରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଏହି ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସେ ନିଜେ ବରିଷ୍ଠ ପୋଲିସ୍ ଅଫିସରଙ୍କ ଜିଲ୍ଲା ଗସ୍ତର ସମୀକ୍ଷା କରିବେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ, ଆଗାମୀ ଦିନରେ ପୋଲିସକୁ ସହରାଞ୍ଚଳ ଆତଙ୍କବାଦ, ପ୍ରମୁଖ ପ୍ରତିଷ୍ଠାନଗୁଡ଼ିକ ଉପରେ ଆକ୍ରମଣ ଓ ଉପକୂଳରେ ଅନୁପ୍ରବେଶ ଉପରେ ଅଧିକ ଧ୍ୟାନ ଦେବାକୁ ପଡ଼ିବ। ଏଭଳି ସ୍ଥିତିଗୁଡ଼ିକର ମୁକାବିଲା ପାଇଁ ପୋଲିସକୁ ପ୍ରସ୍ତୁତ ରହିବାକୁ ହେବ।

ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ରାଜ୍ୟରେ ମାଓବାଦୀଙ୍କ ସ୍ଥିତି ନେଇ ଚିନ୍ତା ପ୍ରକଟ କରିଥିଲେ। ସେ କହିଥିଲେ, ମାଓବାଦୀ ପ୍ରସଙ୍ଗ ଏବେବି ସରକାରଙ୍କର ଏକ ମୁଖ୍ୟ ଚିନ୍ତାର କାରଣ। ପଡ଼ୋଶୀ ରାଜ୍ୟଗୁଡ଼ିକୁ ଲାଗି ରହିଥିବା ଅଞ୍ଚଳରେ ମାଓବାଦୀଙ୍କ କାର୍ଯ୍ୟକଳାପକୁ ସରକାର ସକ୍ଷମ ହୋଇଛନ୍ତି। ତେବେ ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ ଓ ବୌଦ୍ଧ ଜିଲ୍ଲାରେ ଏବେ ମାଓବାଦୀଙ୍କ କାର୍ଯ୍ୟକଳାପ ଦେଖିବାକୁ ମିଳିଛି। ଏହା ଏକ ସମାସ୍ୟା। ଏହାକୁ ଆମକୁ ପ୍ରଭାବଶାଳୀ ଭାବେ ପରିଚାଳନା କରିବାକୁ ହେବ। ସଂପୃକ୍ତି ଜିଲ୍ଲାର ଏସପି ଓ ବରିଷ୍ଠ ପୋଲିସ୍ ଅଫିସର ଯୋଜନାବଦ୍ଧ ଭାବେ ଏହାର ମୁକାବିଲା କରନ୍ତୁ। ମାଓବାଦୀଙ୍କୁ ମାତ୍ ଦେବାରେ ରାଜ୍ୟ ପୋଲିସ୍ ସଫଳ ନ ହେବାର କିଛି କାରଣ ନାହିଁ।

ମାଓବାଦୀ ସମସ୍ୟା ସହିତ ସଂଗଠିତ ଅପରାଧର ମୁକାବିଲା କରିବାକୁ ମୁଖ୍ୟମନ୍ତ୍ରୀ ପୋଲିସ୍ ଅଧିକାରୀମାନଙ୍କୁ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି, କୌଣସି ପରିସ୍ଥିତିରେ ବି ସଂଗଠିତ ଅପରାଧକୁ ବରଦାସ୍ତ କରାଯିବ ନାହିଁ। ଏ ନେଇ ମୁଁ ନିୟମିତ ଭାବେ ସମୀକ୍ଷା କରୁଛି। ଏହାକୁ ରୋକିବାରେ ଆମେ କିଛି ପରିମାଣରେ ସଫଳ ହୋଇଛେ। କିନ୍ତୁ ଏନେଇ ଆଗକୁ ବହୁତ କିଛି କରିବାକୁ ପଡ଼ିବ।

ରାଜ୍ୟରେ ମହିଳା ଓ ଶିଶୁଙ୍କ ପ୍ରତି ହେଉଥିବା ଅପରାଧକୁ ନେଇ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ସମ୍ମିଳନୀରେ କହିଥିଲେ, ରାଜ୍ୟରେ ମହିଳା ଓ ଶିଶୁଙ୍କ ଉପରେ ହେଉଥିବା ଅପରାଧ ରୋକିବାକୁ ଅନେକ ପଦକ୍ଷେପ ନିଆଯାଇଛି। ମହିଳା ଓ ଶିଶୁଙ୍କ ଉପରେ ହେଉଥିବା ଅପରାଧିକ ମାମଲାଗୁଡ଼ିକର ତଦନ୍ତ ପ୍ରକ୍ରିୟାଗୁଡ଼ିକୁ ଏସପିମାନେ ବ୍ୟକ୍ତି ଭାବେ ସମୀକ୍ଷା କରନ୍ତୁ। ମହିଳା ଓ ଶିଶୁ ଡେସ୍କ, ଇଣ୍ଟିଗ୍ରେଟେଡ୍ ଆଣ୍ଟି-ହ୍ୟୁମାନ ଟ୍ରାଫିକିଂ ୟୁନିଟ୍ସ ଓ ମହିଳା ସେଲଗୁଡ଼ିକ ବେଶ୍ ଭଲ ପଦକ୍ଷେପ। ଏଗୁଡ଼ିକୁ ସଂପୂର୍ଣ୍ଣ ଭାବେ କାର୍ଯ୍ୟକାରୀ କରାଯିବା ଉଚିତ୍।

ସେହିପରି ନିୟମିତ ପ୍ରଶିକ୍ଷଣ ଓ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ମାଧ୍ୟମରେ ପୋଲିସ୍ ଅଧିକାରୀମାନଙ୍କ ତଦନ୍ତ ଦକ୍ଷତାକୁ ବଢ଼ାଯିବା ଦରକାର ବୋଲି ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ।

ତା’ସହିତ ମୁଖ୍ୟମନ୍ତ୍ରୀ କହିଥିଲେ, ଏହି ଦୁଇ ଦିନିଆ ବରିଷ୍ଠ ପୋଲିସ୍ ଅଧିକାରୀ ସମ୍ମିଳନୀରୁ ଯେଉଁ ସବୁ ନିର୍ଯ୍ୟାସ ବାହାରିଛି ତାହା ନିଶ୍ଚିତ ଭାବେ ରାଜ୍ୟର ପୋଲିସ୍ ବ୍ୟବସ୍ଥାରେ ଉନ୍ନତି ଆଣିବାରେ ସାହାଯ୍ୟ କରିବ।

ଗତକାଲି କଟକରେ ଏହି ବରିଷ୍ଠ ପୋଲିସ୍ ଅଧିକାରୀଙ୍କ ସମ୍ମିଳନୀ ଉଦଘାଟିତ ହୋଇଥିଲା।

Related story