ଭୁବନେଶ୍ୱର: ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂହ ଆସନ୍ତାକାଲି ଓଡ଼ିଶା ଆସି ରାଜ୍ୟ ବିଜେପି ପାଇଁ ନିର୍ବାଚନ ପ୍ରଚାର କରିବେ। ମହାନଦୀ ପ୍ରସଙ୍ଗକୁ ନେଇ ଓଡ଼ିଶାର ବାରମ୍ବାର ଦାବି ସତ୍ତ୍ୱେ ରମଣ କିଛି ପଦକ୍ଷେପ ନେଇ ନ ଥିବା ଓ ଓଡ଼ିଶାବାସୀଙ୍କ ସ୍ୱାର୍ଥକୁ ଜଳାଞ୍ଜଳି ଦେଇଥିବା ଅଭିଯୋଗରେ ବିଜେଡି ତାଙ୍କୁ ବିରୋଧ କରିବାକୁ ଘୋଷଣା କରିଛି। ଆସନ୍ତାକାଲି ସକାଳ ସାଢେ ୧୦ଟାରୁ ରମଣ ସିଂହ ଓଡ଼ିଶା ଆସି ଯିବା ପର୍ଯ୍ୟନ୍ତ ବିଜେଡି ସମ୍ବଲପୁର ଓ କଟକରେ ମହାନଦୀରେ ଜଳ ସତ୍ୟାଗ୍ରହ କରିବାକୁ ଘୋଷଣା କରିଛି। ଏହାସହ ସନ୍ଧ୍ୟାରେ ଜଳ ଆଳତୀ କରାଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି। ଏନେଇ ଆଜି ଅପରାହ୍ନରେ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ଶଶିଭୂଷଣ ବେହେରା ସୂଚନା ଦେଇଛନ୍ତି।
ଶଶିଭୂଷଣ କହିଛନ୍ତି,“ପଞ୍ଚାୟତ ନିର୍ବାଚନ ପ୍ରଚାର ପାଇଁ ତାରକା ପ୍ରଚାରକ ଭାବେ ରାଜ୍ୟ ବିଜେପି ପକ୍ଷରୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରଣ ସିଂହଙ୍କୁ ଆମନ୍ତ୍ରଣ କରାଯାଇଛି। ସେ ପ୍ରଚାରକୁ ଆସିବାରେ କିଛି ଅସୁବିଧା ନାହିଁ। ମାତ୍ର ରମଣ ସିଂହ ମହାନଦୀ ପ୍ରସଙ୍ଗରେ ୪ କୋଟି ଓଡ଼ିଆଙ୍କ ସ୍ୱାର୍ଥକୁ ଜଳଞ୍ଜଳି ଦେଇଛନ୍ତି। ତାଙ୍କୁ ପ୍ରଚାରକୁ ଆଣି ଓଡ଼ିଶାବାସୀଙ୍କ କଟା ଘା’ରେ ଚୂନ ଦେବା ପରି କାର୍ଯ୍ୟକ୍ରମକୁ ବିଜେପି ଆପଣେଇଛି। ସାରା ରାଜ୍ୟରେ ଲୋକେ ନିଜ ମନର କ୍ଷୋଭକୁ ବିକ୍ଷୋଭ ମାଧ୍ୟମରେ ପ୍ରକାଶ କରିବା ଆରମ୍ଭ କରିଛନ୍ତି।”
ସେ ଆହୁରି କହିଛନ୍ତି,“ଆସନ୍ତାକାଲି ରମଣ ସିଂହ ଓଡ଼ିଶାକୁ ନିର୍ବାଚନ ପ୍ରଚାର କରିବାକୁ ଆସିବା ପରଠାରୁ ଯିବା ପର୍ଯ୍ୟନ୍ତ ବିଜେଡିର ଯୁବ, ମହିଳା, ଛାତ୍ର ଓ କୃଷକ ସଂଗଠନ ସହ ଅନ୍ୟମାନେ ବିଭିନ୍ନ ଢଙ୍ଗରେ ବିକ୍ଷୋଭ କରିବେ। ଓଡ଼ିଶାର ଜନଜୀବନକୁ କ୍ଷତି ପହଞ୍ଚାଉ ଥିବା ରମଣ ସିଂହଙ୍କୁ ବିଜେପି ନିଜ ପ୍ରଚାର ପାଇଁ ଆଣିବା ଓଡ଼ିଶାବାସୀଙ୍କ ମନରେ ଆଘାତ ଦେଇଛି। ମହାନଦୀ ଉପରମୁଣ୍ଡରେ ନିର୍ମାଣ ହେଉଥିବା ସମସ୍ତ ପ୍ରକଳ୍ପ ବନ୍ଦ ପାଇଁ ଓଡ଼ିଶା ସରକାର ବିଭିନ୍ନ ସ୍ତରରେ ଦାବି କରି ଆସିଛି। ରମଣ ସିଂହ ଗୋଟିଏ ବି ପ୍ରକଳ୍ପ କାମ ବନ୍ଦ ନ କରି ରାଜ୍ୟ ବିଜେପି ପାଇଁ ପ୍ରଚାର କରିବାକୁ ଆସିବାକୁ ଆସୁଛନ୍ତି। ଓଡ଼ିଶାର ସ୍ୱାର୍ଥ ବିରୋଧରେ ଷଡ଼ଯନ୍ତ୍ର କରିଥିବା ଜଣେ ବ୍ୟକ୍ତିଙ୍କୁ ରାଜ୍ୟ ବିଜେପି ପ୍ରଚାର ପାଇଁ ଡାକି ନିଜ ମାଆ ଓ ମାଟିକୁ ଅସମ୍ମାନ କରିଛି। ରମଣ ସିଂହଙ୍କର ଓଡ଼ିଶା ଆସି ବିଜେପି ପାଇଁ ଭୋଟ ମାଗିବାର ନୈତିକ ଅଧିକାର ନାହିଁ। ଏହାର ଜବାବ ଓଡ଼ିଶାବାସୀ ଦେବେ।”
ରମଣ ସିଂହଙ୍କୁ ସିପିଏମ୍ର ବିରୋଧ
ରମଣ ସିଂହଙ୍କୁ ପ୍ରଚାର ପାଇଁ ଓଡ଼ିଶା ଡକାଯିବାକୁ ସିପିଏମ୍ ମଧ୍ୟ ବିରୋଧ କରିଛି। ରମଣ ସିଂହଙ୍କୁ ବଏକଟ କରିବାକୁ ଦଳର ରାଜ୍ୟ ସମ୍ପାଦନା ମଣ୍ଡଳୀ ସଭ୍ୟ ଜନାର୍ଦ୍ଦନ ପତି ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି,“ମହାନଦୀର ଜଳ ସମସ୍ୟା କ୍ରମେ ଉତ୍କଟ ହେଉଛି। ଛତିଶଗଡ଼ର ବିଜେପି ସରକାର ଓଡ଼ିଶାକୁ ପାଣି ଛାଡୁ ନାହାନ୍ତି। ମୁଖ୍ୟଯନ୍ତ୍ରୀ ମଧ୍ୟ ଓଡ଼ିଶାକୁ ଜଳ ପ୍ରବାହ କମିଥିବା ନେଇ ଚିଠି ଦେଇଛନ୍ତି। ରାଜ୍ୟବାସୀଙ୍କୁ ଅଭାବନୀୟ ପରିସ୍ଥିତିରେ ପକାଉଥିବା ରମଣ ସିଂହଙ୍କୁ ଆମନ୍ତ୍ରଣ କରିବା ଏକ ଆତ୍ମଘାତୀ ପଦକ୍ଷେପ।”
ଝାରସୁଗୁଡାର କଣ୍ଢେଇପାଲି, ବଲାଙ୍ଗିରର ବୁର୍ଡା ଓ ସୁନ୍ଦରଗଡ଼ର ସବ୍ଡେଗାରେ ରମଣ ସିଂହ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି। ରମଣଙ୍କ ସଭାକୁ ନ ଯିବା ପାଇଁ ବିଜେଡି ନେତା ପ୍ରଶାନ୍ତ ନନ୍ଦ ସବ୍ଡେଗାରେ ଲୋକଙ୍କୁ ପ୍ରବର୍ତ୍ତାଉଛନ୍ତି।
ରମଣଙ୍କୁ ବିରୋଧ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି କଂଗ୍ରେସ କହିଛି। ଝାରସୁଗୁଡା ବିଧାୟକ ନବ ଦାଶ କହିଛନ୍ତି,“ମହାନଦୀ ପାଣି ରୋକିବାକୁ ସେ ପ୍ରୟାସ କରୁଛନ୍ତି। ସେ ଲଖନପୁର ଅଞ୍ଚଳକୁ ପ୍ରଚାର କରିବାକୁ ଆସିବେ। ଜନସାଧାରଣ ଏହାର କଡା ଜବାବ ଦେବେ। ଗଣତାନ୍ତ୍ରିକ ଉପାୟରେ ଆନ୍ଦୋଳନ ଓ ବିକ୍ଷୋଭ କରାଯିବାକୁ ନିଷ୍ପତ୍ତି ନିଆଯାଇଛି।”
ଅନ୍ୟପକ୍ଷରେ ଏହା ଏକ ଗ୍ୟାମ୍ବଲ ବୋଲି ବିଜେପି କହିଛି।