ତାରାଙ୍କ କ୍ୱାର୍ଟର୍ସରୁ ଅପରାଧ ସାମ୍ରାଜ୍ୟ ଚଲାଉଥିଲେ ରମେଶ!

ଭୁବନେଶ୍ୱର: ବେଆଇନ ଅସ୍ତ୍ରଶସ୍ତ୍ର ରଖିବା ଓ ଅପରାଧୀଙ୍କୁ ଆଶ୍ରୟ ଦେବା ଅଭିଯୋଗରେ ଗିରଫ ସାନଖେମୁଣ୍ଡିର ପୂର୍ବତନ ବିଧାୟକଙ୍କୁ ଛାଡ଼ିବା ଦାବିରେ ଗତ ଶୁକ୍ରବାର ଦକ୍ଷିଣାଞ୍ଚଳ ଆଇଜିଙ୍କ କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସ ପକ୍ଷରୁ ଆୟୋଜିତ ବିକ୍ଷୋଭରେ ନେତୃତ୍ୱ ନେଇଥିବା ତାରା ପ୍ରସାଦ ବାହିନୀପତି ଏବେ ନିଜେ ଅଡୁଆରେ ପଡ଼ିଯାଇଛନ୍ତି। ତାରାଙ୍କ ଭୁବନେଶ୍ୱର ସ୍ଥିତ ବିଧାୟକ କ୍ୱାର୍ଟର୍ସରେ ରମେଶ ଓ ତାଙ୍କର ସହଯୋଗୀମାନେ ରହୁଥିଲେ ଏବଂ ସେଠାରୁ ସେମାନଙ୍କ ଅପରାଧିକ ସାମ୍ରାଜ୍ୟ ପରିଚାଳନା କରୁଥିଲେ ବୋଲି ଜଣାପଡ଼ିବା ପରେ ସେ […]

tara

Rakesh Mallick
  • Published: Tuesday, 15 March 2016
  • , Updated: 15 March 2016, 05:02 PM IST

ଭୁବନେଶ୍ୱର: ବେଆଇନ ଅସ୍ତ୍ରଶସ୍ତ୍ର ରଖିବା ଓ ଅପରାଧୀଙ୍କୁ ଆଶ୍ରୟ ଦେବା ଅଭିଯୋଗରେ ଗିରଫ ସାନଖେମୁଣ୍ଡିର ପୂର୍ବତନ ବିଧାୟକଙ୍କୁ ଛାଡ଼ିବା ଦାବିରେ ଗତ ଶୁକ୍ରବାର ଦକ୍ଷିଣାଞ୍ଚଳ ଆଇଜିଙ୍କ କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସ ପକ୍ଷରୁ ଆୟୋଜିତ ବିକ୍ଷୋଭରେ ନେତୃତ୍ୱ ନେଇଥିବା ତାରା ପ୍ରସାଦ ବାହିନୀପତି ଏବେ ନିଜେ ଅଡୁଆରେ ପଡ଼ିଯାଇଛନ୍ତି। ତାରାଙ୍କ ଭୁବନେଶ୍ୱର ସ୍ଥିତ ବିଧାୟକ କ୍ୱାର୍ଟର୍ସରେ ରମେଶ ଓ ତାଙ୍କର ସହଯୋଗୀମାନେ ରହୁଥିଲେ ଏବଂ ସେଠାରୁ ସେମାନଙ୍କ ଅପରାଧିକ ସାମ୍ରାଜ୍ୟ ପରିଚାଳନା କରୁଥିଲେ ବୋଲି ଜଣାପଡ଼ିବା ପରେ ସେ ଏଭଳି ଏକ ଅପ୍ରୀତିକର ସ୍ଥିତିରେ ପଡ଼ିଯାଇଛନ୍ତି। ଏନେଇ ପୋଲିସ୍‌କୁ ପ୍ରମାଣ ବି ମିଳିଛି।

ଗତକାଲି କମିଶନରେଟ୍ ପୋଲିସ୍‌ ଦ୍ୱାରା ଗିରଫ ହୋଇଥିବା ୪ ଜଣ ଡକାୟତଙ୍କ ମଧ୍ୟରୁ ଦୁଇ ଜଣ ହେଉଛନ୍ତି ରମେଶଙ୍କ ସହଯୋଗୀ। ସେମାନେ ହେଲେ ସନ୍ତୋଷ ବେହେରା ଓ ମନୋଜ ଖଟୁଆ। ସେମାନଙ୍କଠାରୁ ଯେଉଁ ପରିଚୟପତ୍ର ମିଳିଛି ସେଥିରେ ବିଧାନସଭାରେ କଂଗ୍ରେସର ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତିଙ୍କ ଭୁବନେଶ୍ୱରର ୟୁନିଟ୍‌ ୪ ସ୍ଥିତ ବିଧାୟକ କ୍ୱାର୍ଟର୍ସ ନମ୍ବର ୧୪/୩ ଠିକଣା ଭାବେ ଉଲ୍ଲେଖ ରହିଛି।

ରମେଶ ତାଙ୍କ କ୍ୱାର୍ଟର୍ସରେ ରହୁଥିଲେ ବୋଲି ତାରା ବି ସ୍ୱୀକାର କରିଛନ୍ତି। ଏପରିକି ସେ ରମେଶଙ୍କୁ ସେଠାରେ ରହିବାକୁ ଅନୁମତି ଦେଇଥିବା କଥା ମଧ୍ୟ କହିଛନ୍ତି। ତେବେ ରମେଶଙ୍କ ରହଣିକାଳରେ ସେ ଆଦୌ ଉକ୍ତ କ୍ୱାର୍ଟର୍ସକୁ ଯାଇନଥିବା କହିଛନ୍ତି।

ତାରା ବାହିନୀପତି କହିଛନ୍ତି,“ଉକ୍ତ କ୍ୱାର୍ଟର୍ସର କାଗଜପତ୍ର ମୋ ନାଁରେ ଅଛି। ତେବେ ମୁଁ ରମେଶଙ୍କୁ ସେଠାରେ ରହିବାକୁ ଅନୁମତି ଦେଇଥିଲି। କାରଣ ବିଧାୟକ ଥିବା ସମୟରେ ସେ ସେଠାରେ ୫ ବର୍ଷ ଧରି ରହିଥିଲେ। କିନ୍ତୁ ମୁଁ କେବେବି ସେ ଘରକୁ ଯାଇ ନାହିଁ। ସେଠାରେ କ’ଣ ହେଉଥିଲା, ତାହା ମୋତେ ଜଣାନାହିଁ।”

ତାଙ୍କର ଏହି ସ୍ପଷ୍ଟୀକରଣ ସତ୍ତ୍ୱେ ଅନେକ ପ୍ରଶ୍ନ ଉଙ୍କି ମାରୁଛି। ରମେଶଙ୍କ ସହିତ ତାରାଙ୍କର କୌଣସି ବ୍ୟବସାୟିକ ସଂପର୍କି ଥିଲା କି ନାହିଁ ତାହା ବଡ଼ ପ୍ରଶ୍ନ ଭାବେ ଉଭା ହୋଇଛି।

ଜଣେ ବାହାର ବ୍ୟକ୍ତିଙ୍କୁ ତାରା ବାହିନୀପତି ସରକାରୀ ବାସଭବନରେ ରହିବାକୁ ଅନୁମତି ଦେବା କଥାକୁ ବିଜେଡି ସମାଲୋଚନା କରିଛି। ସରକାରୀ ଦଳର ମୁଖ୍ୟ ସଚେତକ ଅନନ୍ତ ଦାସ କହିଛନ୍ତି,“ଯାହାଙ୍କ ନାଁରେ ଏହି କ୍ୱାର୍ଟର୍ସ ଆଲର୍ଟମେଣ୍ଟ୍ ହୋଇଛି, ଯଦି ତାଙ୍କ ଜ୍ଞାତ ସାରରେ ଏପରି କାର୍ଯ୍ୟ କରାଯାଉଥିବ ତେବେ ଏହା ଏକ ଅକ୍ଷମଣୀୟ ଅପରାଧ। ଯଦି ବିଧାୟକଙ୍କ ଜ୍ଞାତ ସାରରେ ଅପରାଧୀଙ୍କ ଆଇଡି କାର୍ଡରେ ଠିକଣା ଦିଆଯାଇଥିବ, ତେବେ ଏହା ଆହୁରି ବହୁତ ବଡ ଅପରାଧ। ଏଥିପାଇଁ ସମ୍ପୃକ୍ତ ବିଧାୟକ ଦାୟୀ ରହିବେ।’

Related story