କଟକରେ ସାହାରା ଇଣ୍ଡିଆ ମୁଖ୍ୟ ସୁବ୍ରତ ରାୟଙ୍କ କାର୍ଯ୍ୟକ୍ରମ ବନ୍ଦ କଲା ପୋଲିସ୍

କଟକ/ଭୁବନେଶ୍ୱର: କଟକରେ ଆଜି ହେବାକୁ ଥିବା ସାହାରା ଇଣ୍ଡିଆର ମୁଖ୍ୟ ସୁବ୍ରତ ରାୟଙ୍କ କାର୍ଯ୍ୟକ୍ରମକୁ ବନ୍ଦ କରି ଦେଇଛି କମିଶନରେଟ୍ ପୋଲିସ୍। ଆଇନଶୃଙ୍ଖଳ ପରିସ୍ଥିତି ଉପୁଜିବାର ଆଶଙ୍କା ଦେଖାଇ ପୋଲିସ୍ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। କଟକ ଇଣ୍ଡୋର ଷ୍ଟାଡିୟମରେ ଏହି କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ସରିଥିବା ବେଳେ ଆଜି ସକାଳେ ସେଠାରେ ପୋଲିସ୍ ପକ୍ଷରୁ ୧୪୪ ଧାରା ଜାରି କରାଯାଇଥିଲା। କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥିବା ଏଜେଣ୍ଟ ଓ କର୍ମକର୍ତ୍ତାଙ୍କୁ ସ୍ଥାନ ଛାଡ଼ି ଚାଲି ଯିବାକୁ ନିର୍ଦ୍ଦେଶ […]

sahara

Rakesh Mallick
  • Published: Sunday, 29 May 2016
  • , Updated: 29 May 2016, 10:33 AM IST

କଟକ/ଭୁବନେଶ୍ୱର: କଟକରେ ଆଜି ହେବାକୁ ଥିବା ସାହାରା ଇଣ୍ଡିଆର ମୁଖ୍ୟ ସୁବ୍ରତ ରାୟଙ୍କ କାର୍ଯ୍ୟକ୍ରମକୁ ବନ୍ଦ କରି ଦେଇଛି କମିଶନରେଟ୍ ପୋଲିସ୍। ଆଇନଶୃଙ୍ଖଳ ପରିସ୍ଥିତି ଉପୁଜିବାର ଆଶଙ୍କା ଦେଖାଇ ପୋଲିସ୍ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। କଟକ ଇଣ୍ଡୋର ଷ୍ଟାଡିୟମରେ ଏହି କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ସରିଥିବା ବେଳେ ଆଜି ସକାଳେ ସେଠାରେ ପୋଲିସ୍ ପକ୍ଷରୁ ୧୪୪ ଧାରା ଜାରି କରାଯାଇଥିଲା। କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥିବା ଏଜେଣ୍ଟ ଓ କର୍ମକର୍ତ୍ତାଙ୍କୁ ସ୍ଥାନ ଛାଡ଼ି ଚାଲି ଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। କଟକରେ ସଭା ନ କରିବାକୁ ସୁବ୍ରତଙ୍କୁ ନୋଟିସ୍ ଜାରି କରାଯିବା ସହିତ କଟକରେ ପ୍ରବେଶ ଉପରେ ମଧ୍ୟ କଟକଣା ଜାରି କରାଯାଇଥିଲା।

ସାହାରା ଓ ଅନ୍ୟ ଚିଟ୍‌ଫଣ୍ଡ୍‌ ସଂସ୍ଥା ଦ୍ୱାରା କ୍ଷତିଗ୍ରସ୍ତ ଲୋକେ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜାଇବା ଆଶଙ୍କା ଥିବାରୁ ଏଭଳି ପଦକ୍ଷେପ ନିଆଗଲା ବୋଲି କମିଶନରେଟ୍ ପୋଲିସ୍ ପକ୍ଷରୁ କୁହାଯାଇଛି।

ପୋଲିସ୍‌ କମିଶନର ଯୋଗେଶ ବାହାଦୂର ଖୁରାନିଆ କହିଛନ୍ତି,“ଆମକୁ ଗୁଇନ୍ଦା ରିପୋର୍ଟ ମିଳିଥିଲା ଯେ କିଛି ଚିଟ୍‌ଫଣ୍ଡ୍ କ୍ଷତିଗ୍ରସ୍ତ ସୁବ୍ରତ ରାୟଙ୍କ ସଭାକୁ ପ୍ରତିରୋଧ କରିବାକୁ ପ୍ରସ୍ତୁତ ହୋଇଛନ୍ତି। ସେମାନେ ସଭାସ୍ଥଳରେ ଆଇନଶୃଙ୍ଖଳ ପରିସ୍ଥିତି ଉପୁଜାଇବା ନେଇ ଆମ ପାଖରେ ଖବର ଥିଲା। ସେହି ଅନୁସାରେ କଟକ ଡିସିପି ସଭାସ୍ଥଳରେ ୧୪୪ ଧାରା ଜାରି କରିଛନ୍ତି। ସମାବେଶ ସ୍ଥଳ ଛାଡ଼ି ଯିବା ପାଇଁ ଲୋକଙ୍କୁ କୁହାଯାଇଛି। ଏହା ସହିତ ସୁବ୍ରତ ରାୟ କଟକରେ ପ୍ରବେଶ କରି ପାରିବେ ନାହିଁ ବୋଲି ନିର୍ଦ୍ଦେଶ ଜାରି କରାଯାଇଛି।”

ସେ କହିଛନ୍ତି,“ସୁବ୍ରତ ରାୟଙ୍କୁ ତାଙ୍କ ପାରୋଲ ସର୍ତ୍ତ ମଗାଯାଇଥିଲା। ପାରୋଲ ସର୍ତ୍ତ ଅନୁଯାୟୀ ସେ ଦେଶର ଯେକୌଣସି ସ୍ଥାନକୁ ଯାଇ ପାରିବେ। ସେଥିରେ କିଛି ବାରଣ ନାହିଁ। ତେବେ ସେ ସଭା କରିପାରିବେ କି ନାହିଁ ସେ ନେଇ ସର୍ତ୍ତରେ କିଛି ଉଲ୍ଲେଖ ନାହିଁ। ସ୍ଥାନୀୟ ସ୍ଥିତିକୁ ଦେଖି ଆମେ ତାଙ୍କୁ ସମାବେଶ ବନ୍ଦ କରିଛୁ।”

ସୁବ୍ରତ ରାୟ କଡ଼ା ସୁରକ୍ଷା ମଧ୍ୟରେ ଭୁବନେଶ୍ୱରର ଏକ ହୋଟେଲ୍‌ରେ ଅଛନ୍ତି। ଗତକାଲି ସେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଉଚ୍ଛ୍ୱସିତ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ମା’ଙ୍କ ମୃତ୍ୟୁ ଯୋଗୁଁ ସୁବ୍ରତ ଏବେ ପାରୋଲରେ ଅଛନ୍ତି।

Related story