କନ୍ଧମାଳ ଘଟଣାରେ ଏସ୍‌ଓପି ପାଳନ କରି ନାହାନ୍ତି ସୁରକ୍ଷାକର୍ମୀ: ଜାତୀୟ ଜନଜାତି କମିଶନ ଅଧ୍ୟକ୍ଷ

କନ୍ଧମାଳ: ମାଓ ଅପରେସନ୍ ବେଳେ ସୁରକ୍ଷାକର୍ମୀମାନେ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର (ଏସ୍‌ଓପି)କୁ ଆଦୌ ପାଳନ କରି ନ ଥିବାରୁ କନ୍ଧମାଳରେ ୫ ନିରୀହ ଆଦିବାସୀଙ୍କ ମୃତ୍ୟୁ ଘଟିଲା ବୋଲି ଆଜି ଜାତୀୟ ଅନୁସୂଚିତ ଜନଜାତି କମିଶନ୍ ଅଧ୍ୟକ୍ଷ ରାମେଶ୍ୱର ଓରାଓଁ କହିଛନ୍ତି। ବାଲିଗୁଡ଼ାରେ ମୃତକଙ୍କ ପରିବାରକୁ ଭେଟିବା ପରେ ସେ ଏ କଥା କହିଥିଲେ। ଓରାଓଁ କହିଥିଲେ,“କନ୍ଧମାଳରେ ମାଓ ଅପରେସନ୍ ବେଳେ ସୁରକ୍ଷାକର୍ମୀମାନେ ଏସ୍‌ଓପି ପାଳନ କରି ନ ଥିଲେ। ମାଓବାଦୀମାନେ ଗାଡ଼ିରେ ଯାଉଥିବା ନେଇ କୌଣସି […]

oraon

Rakesh Mallick
  • Published: Wednesday, 13 July 2016
  • , Updated: 13 July 2016, 04:13 PM IST

କନ୍ଧମାଳ: ମାଓ ଅପରେସନ୍ ବେଳେ ସୁରକ୍ଷାକର୍ମୀମାନେ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର (ଏସ୍‌ଓପି)କୁ ଆଦୌ ପାଳନ କରି ନ ଥିବାରୁ କନ୍ଧମାଳରେ ୫ ନିରୀହ ଆଦିବାସୀଙ୍କ ମୃତ୍ୟୁ ଘଟିଲା ବୋଲି ଆଜି ଜାତୀୟ ଅନୁସୂଚିତ ଜନଜାତି କମିଶନ୍ ଅଧ୍ୟକ୍ଷ ରାମେଶ୍ୱର ଓରାଓଁ କହିଛନ୍ତି। ବାଲିଗୁଡ଼ାରେ ମୃତକଙ୍କ ପରିବାରକୁ ଭେଟିବା ପରେ ସେ ଏ କଥା କହିଥିଲେ।

ଓରାଓଁ କହିଥିଲେ,“କନ୍ଧମାଳରେ ମାଓ ଅପରେସନ୍ ବେଳେ ସୁରକ୍ଷାକର୍ମୀମାନେ ଏସ୍‌ଓପି ପାଳନ କରି ନ ଥିଲେ। ମାଓବାଦୀମାନେ ଗାଡ଼ିରେ ଯାଉଥିବା ନେଇ କୌଣସି ଗୁଇନ୍ଦା ସୂଚନା ନ ଥିଲା। ଉକ୍ତ ଗାଡ଼ିରେ ସାଧାରଣ ଲୋକେ ଯାତ୍ରା କରୁଥିଲେ। ତେଣୁ ସୁରକ୍ଷାକର୍ମୀମାନେ ଚିନ୍ତା କରିବାର ଥିଲା ଯେ ଗୁଇନ୍ଦା ସୂଚନା ମିଳିଛି ମାଓବାଦୀମାନେ ପାଦରେ ଚାଲି ଚାଲି ଯାଉଛନ୍ତି, କିନ୍ତୁ ଏଠାରେ ତ ଏକ ଗାଡ଼ି ଯାଉଛି। ତା’ହେଲେ ସେମାନେ ଗାଡ଼ି ଉପରକୁ କିଭଳି ଗୁଳି ଚଳାଇଲେ? ସେମାନେ ଏହା ବି ବୁଝିବାର ଆବଶ୍ୟକତା ଥିଲା ଯେ ମାଓବାଦୀମାନେ ଗାଡ଼ିରେ ଯିବା ଆସିବା କରନ୍ତି ନାହିଁ।”

ସେ କହିଥିଲେ,“ସେଦିନ ଅପରେସନ୍‌ରେ ସାମିଲ୍ ସୁରକ୍ଷାକର୍ମୀମାନଙ୍କୁ ଗୁଳି ଚଳାଇବା ପାଇଁ କେହି ଉସୁକାଇ ନ ଥିଲେ। ସେମାନଙ୍କ ଉପରକୁ ଗୁଳି ବି ଚଲା ଯାଇ ନ ଥିଲା କି ଆକ୍ରମଣ କରାଯାଇ ନ ଥିଲା।  ତଥାପି ସୁରକ୍ଷାକର୍ମୀମାନେ ଏକ ତରଫା ଭାବେ ଗୁଳି ଚଳାଇଥିଲେ। ସେଥିପାଇଁ ମୁଁ ଭାବୁଛି ସୁରକ୍ଷାକର୍ମୀମାନଙ୍କ ମାନସିକ ସ୍ଥିତି ପରୀକ୍ଷା କରାଯିବା ଦରକାର।”

ଜାତୀୟ ଜନଜାତି କମିଶନ ଅଧ୍ୟକ୍ଷ କହିଥିଲେ,“ଏ ଘଟଣାରେ ଦୋଷୀମାନଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ ନିଶ୍ଚିତ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”

ଓରାଓଁ କହିଥିଲେ,“କନ୍ଧମାଳରେ ଘଟି ଯାଇଥିବା ଏହି ଦୁର୍ଭାଗ୍ୟଜନକ ଘଟଣାକୁ ସମସ୍ତେ ଗ୍ରହଣ କରୁଛନ୍ତି। ଜିଲ୍ଲା ପ୍ରଶାସନ, ପୋଲିସ୍ ଓ ରାଜ୍ୟ ପ୍ରଶାସନ ମଧ୍ୟ ଏହାକୁ ଗ୍ରହଣ କରିଛନ୍ତି। ଏ ଘଟଣା ଘଟିବାର ନ ଥିଲା ବୋଲି ସେମାନେ କହୁଛନ୍ତି। ମୃତ ଲୋକମାନେ ନିରୀହ ଆଦିବାସୀ ଥିଲେ ବୋଲି ସେମାନେ ମାନୁଛନ୍ତି। ତେଣୁ ଏଥିରେ କୌଣସି ଦ୍ୱନ୍ଦ୍ୱ ନାହିଁ। ତେବେ ଆଗକୁ ଯେପରି ଏଭଳି ଘଟଣାର ପୁନରାବୃତ୍ତି ନ ହୁଏ ସେଥିପାଇଁ କି ପଦକ୍ଷେପ ନିଆଯିବା ଆବଶ୍ୟକ ସେ ନେଇ ଆମେ ଆଲୋଚନା କରୁଛୁ। ଆଜି ଅପରାହ୍ନରେ ରାଜ୍ୟର ମୁଖ୍ୟ ଶାସନ ସଚିବ, ଗୃହ ସଚିବ ଓ ପୋଲିସ୍ ଡିଜିଙ୍କ ସହିତ ବୈଠକ ଅଛି। ସେଥିରେ ଭବିଷ୍ୟତରେ ଯେଭଳି ଏଭଳି ଘଟଣା ପୁଣି ନ ଘଟେ ସେଥିପାଇଁ ପଦକ୍ଷେପ ନେବାକୁ କମିଶନ ସେମାନଙ୍କୁ ପରାମର୍ଶ ଦେବେ।”

କନ୍ଧମାଳ ଘଟଣାରେ ରାଜ୍ୟ ସରକାର ଏସ୍‌ଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏ ନେଇ ଓରାଓଁ କହିଥିଲେ,“ନିରୀହ ଲୋକଙ୍କୁ ହତ୍ୟା କରାଯାଇଛି ବୋଲି ସରକାର ମାନୁଛନ୍ତି। ତଥାପି ସରକାର ପୃଥକ ଭାବେ ତଦନ୍ତ କରାଇପାରିବେ। ତେବେ ଏହି ତଦନ୍ତ ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ହେବା ଉଚିତ୍।”

କନ୍ଧମାଳରେ ପୋଲିସ୍‌ ଗୁଳିରେ ପ୍ରାଣ ହରାଇଥିବା ବ୍ୟକ୍ତିମାନଙ୍କ ପରିବାର ଲୋକଙ୍କୁ ଗତକାଲି ସରକାରଙ୍କ ପକ୍ଷରୁ ୭ ଲକ୍ଷ ଟଙ୍କା ଲେଖାଏଁର ସହାୟତା ରାଶି ଯୋଗାଇ ଦିଆଯାଇଛି। ତେବେ ସେମାନଙ୍କୁ ସର୍ବନିମ୍ନ ସାଢ଼େ ଆଠ ଲକ୍ଷ ଟଙ୍କା ଦେବାକୁ ସେ ରାଜ୍ୟ ସରକାରଙ୍କୁ କହିବେ ବୋଲି ଜାତୀୟ ଜନଜାତି କମିଶନ ଅଧ୍ୟକ୍ଷ କହିଛନ୍ତି।

ସେ କହିଥିଲେ,“କନ୍ଧମାଳ ଘଟଣା ଆଦିବାସୀଙ୍କ ଉପରେ ନିଷ୍ଠୁର ଆଚରଣ ବୋଲି ମୁଁ ରାଜ୍ୟ ସରକାରଙ୍କୁ କହିବି। ଏ ଭଳି ମାମଲାରେ କ୍ଷତିଗ୍ରସ୍ତଙ୍କୁ ସର୍ବନିମ୍ନ ସାଢ଼େ ଆଠ ଲକ୍ଷ ଟଙ୍କା ଦେବାକୁ କେନ୍ଦ୍ର ସରକାରଙ୍କ ଗାଇଡ୍ ଲାଇନ୍ ରହିଛି। ତେଣୁ କନ୍ଧମାଳ କ୍ଷତିଗ୍ରସ୍ତକୁ ସରକାର ସର୍ବନିମ୍ନ ସାଢ଼େ ଆଠ ଲକ୍ଷ ଟଙ୍କାର ସହାୟତା ରାଶି ଯୋଗାଇ ଦେବାକୁ ମୁଁ କହିବି।”

ଜାତୀୟ ଜନଜାତି କମିଶନ ଅଧ୍ୟକ୍ଷ  ଆଜି ଗୁମୁଡୁମାହା ଗାଁକୁ ଯାଇ ମୃତକଙ୍କ ପରିବାର ଲୋକଙ୍କୁ ଭେଟିବାର କାର୍ଯ୍ୟକ୍ରମ ଥିଲା। ତେବେ ସୁରକ୍ଷା ଦୃଷ୍ଟିକୋଣରୁ ସେ ସେଠାକୁ ଯାଇ ନ ଥିଲେ। ସେ ବାଲିଗୁଡ଼ାରେ ମୃତାହତଙ୍କ ପରିବାର ଲୋକଙ୍କୁ ଭେଟି ପ୍ରାୟ ୩ ଘଣ୍ଟା ଧରି ଆଲୋଚନା କରିଥିଲେ। ସେ ଘଟଣା ଦିନ ଅଟୋ ଚଳାଉଥିବା ଡ୍ରାଇଭରଙ୍କ ସହିତ ବି ଆଲୋଚନା କରିଥିଲେ। ପରେ ଅଧ୍ୟକ୍ଷ ଡକ୍ଟର ଓରାଓଁ ଦକ୍ଷିଣାଞ୍ଚଳ ଆରଡିସି, ଦକ୍ଷିଣାଞ୍ଚଳ ଆଇଜି ଓ ଜିଲ୍ଲାପାଳଙ୍କ ସହିତ ଘଟଣା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ।

ଓରାଓଁ କହିଥିଲେ,“ଗୁମୁଡୁମାହା ଏକ ଦୁର୍ଗମ ଅଞ୍ଚଳ ହୋଇଥିବାରୁ ପ୍ରଶାସନର ପରାମର୍ଶ ଅନୁଯାୟୀ ସୁରକ୍ଷା ଦୃଷ୍ଟି କୋଣରୁ ମୁଁ ସେଠାକୁ ଗଲି ନାହିଁ। ବର୍ତ୍ତମାନ ସେଠାକୁ ଯିବା ଠିକ୍ ହେବ ନାହିଁ ବୋଲି ପ୍ରଶାସନ ମୋତେ ପରାମର୍ଶ ଦେଇଥିଲା। ପରେ କେବେ ଆସିଲେ ସେଠାକୁ ମୁଁ ଯିବି।”

Related story