ରାଜ୍ୟରେ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ସରକାରଙ୍କୁ ଦାୟୀ କଲେ ବିରୋଧୀ ଦଳ ନେତା

ଭୁବନେଶ୍ୱର: ଯଦି ରାଜ୍ୟ ପୋଲିସ୍ ଅବଦୁର ରେହମାନ ସଂପର୍କରେ ଜାଣିଥିଲା ତା’ହେଲେ ତା’ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିଲା କାହିଁକି? ସରକାରୀ ଦଳ ସହିତ ତା’ର ସଂପର୍କ ଥିବାରୁ ପୋଲିସ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଛଘୁଞ୍ଚା ଦେଉଥିଲା କି? ଏହାର ତଦନ୍ତ ହେବା ଆବଶ୍ୟକ।  ଗୁରୁବାର ବିରୋଧୀ ଦଳ ନେତା ନରସିଂହ ମିଶ୍ର ଏ କଥା କହିଛନ୍ତି। ଗିରଫ ସନ୍ଦିଗ୍ଧ ଆତଙ୍କବାଦୀ ଅବଦୁର ରେହମାନ ସଂପର୍କରେ ରାଜ୍ୟ ପୋଲିସ୍ ପାଖରେ ପୂର୍ବରୁ ସୂଚନା ଥିଲା […]

narsingha

Rakesh Mallick
  • Published: Thursday, 24 December 2015
  • , Updated: 24 December 2015, 11:20 AM IST

ଭୁବନେଶ୍ୱର: ଯଦି ରାଜ୍ୟ ପୋଲିସ୍ ଅବଦୁର ରେହମାନ ସଂପର୍କରେ ଜାଣିଥିଲା ତା’ହେଲେ ତା’ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିଲା କାହିଁକି? ସରକାରୀ ଦଳ ସହିତ ତା’ର ସଂପର୍କ ଥିବାରୁ ପୋଲିସ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଛଘୁଞ୍ଚା ଦେଉଥିଲା କି? ଏହାର ତଦନ୍ତ ହେବା ଆବଶ୍ୟକ।  ଗୁରୁବାର ବିରୋଧୀ ଦଳ ନେତା ନରସିଂହ ମିଶ୍ର ଏ କଥା କହିଛନ୍ତି। ଗିରଫ ସନ୍ଦିଗ୍ଧ ଆତଙ୍କବାଦୀ ଅବଦୁର ରେହମାନ ସଂପର୍କରେ ରାଜ୍ୟ ପୋଲିସ୍ ପାଖରେ ପୂର୍ବରୁ ସୂଚନା ଥିଲା ବୋଲି ରାଜ୍ୟ ପୋଲିସ୍ ମହାନିର୍ଦ୍ଦେଶକ କେ.ବି ସିଂହ ଗତକାଲି ଦେଇଥିବା ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି ସେ ଏହି କଥା କହିଛନ୍ତି।

ନରସିଂହ ମିଶ୍ର କହିଛନ୍ତି, ରାଜ୍ୟର ଦୁର୍ଭାଗ୍ୟ ଯେ ରାଜ୍ୟରେ ଆତଙ୍କବାଦୀ ସଂଗଠନ ତା’ର ଚେର ବିସ୍ତାର କରି ସାରିଥିଲା। ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ତଥା କଂଗ୍ରେସ ପାଖରେ ଥିବା କିଛି ତଥ୍ୟରୁ ଏହା ଜଣାପଡୁଛି। ରାଜ୍ୟରେ ଆତଙ୍କବାଦୀ ସଂଗଠନ ତା’ର ଚେର ବିସ୍ତାର କରିବାରେ ସରକାରୀ ଦଳର ସାହାଯ୍ୟ ଓ ସହଯୋଗ ମଧ୍ୟ ଥିଲା।  ଗିରଫ ଅବଦୁର ରେହମାନ ବିଭିନ୍ନ ମନ୍ତ୍ରୀମାନଙ୍କ ପାଖକୁ ଅବାଧରେ ଯିବା ଓ ସଚ୍ଚିବାଳୟ ଯାଇ ଅଫିସରଙ୍କ ସହିତ ଆଲୋଚନା କରୁଥିଲା। ଏଥିରୁ ରାଜ୍ୟରେ ଆତଙ୍କବାଦର ଚେର କେତେ ଦୂର ଲମ୍ବିଛି ତାହା ଅନୁମାନ କରାଯାଇ ପାରେ।

ବିରୋଧୀ ଦଳ ନେତା ଆଶଙ୍କା କରିଛନ୍ତି ଯେ ରାଜ୍ୟରେ ଆତଙ୍କବାଦୀ କାର୍ଯ୍ୟକଳାପ ନେଇ ଆହୁରି ଅନେକ ଲୋକ ଜଡ଼ିତ ଥିଲେ। ଆତଙ୍କବାଦର ବିସ୍ତାର କରିବା ଦିଗରେ ହେଉଥିବା ଷଡ଼ଯନ୍ତ୍ରରେ ଆହୁରି ଅନେକ ଲୋକ ସଂପୃକ୍ତ ଥିବେ। ଅତଏବ ସେମାନଙ୍କୁ ଖୋଜି ବାହାର କରାଯିବାର ଆବଶ୍ୟକତା ରହିଛି।

ବିଜେପିର ବରିଷ୍ଠ ନେତା ପ୍ରତାପ ଷଡ଼ଙ୍ଗୀ କହିଛନ୍ତି ଯେ ଅବଦୁର ରେହମାନ ସଚ୍ଚିବାଳୟକୁ ବହୁବାର ଯାଇଥିଲା। ଜଣେ ଦି ଜଣ ବିଜେଡି ବିଧାୟକଙ୍କ ସହିତ ତାଙ୍କ ସଂପର୍କ ଥିଲା। ସେମାନଙ୍କ ସହଯୋଗରେ ସେ ବାରମ୍ବାର ସଚ୍ଚିବାଳୟ ଯାଉଥିଲା। ଆଉ ଏହା ସଚ୍ଚିବାଳୟର ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅଲ୍ କଏଦା ଭଳି ଆତଙ୍କବାଦୀ ସଂଗଠନରେ ଜଣେ ସଦସ୍ୟ ରାଜ୍ୟରେ ରହିବା ଓ ବର୍ଷ ବର୍ଷ ଧରି ପିଲାମାନଙ୍କୁ ଆତଙ୍କବାଦର ଶିକ୍ଷା ଦେଉଥିଲା। କିନ୍ତୁ ଏନେଇ ସୂଚନା ଥିବା ସତ୍ତ୍ୱେ ପୋଲିସ୍ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିଲା। ଓଲଟି ତା’  ପାଇଁ ପାସପୋର୍ଟର ବ୍ୟବସ୍ଥା କରାଯାଇଥିଲା। ତେଣୁ ଏଥିରୁ ପୋଲିସ୍ ଏହି ମାମଲାକୁ କେତେ ଗମ୍ଭୀରତାର ସହିତ ନେଇଥିଲା ତାହା ଅନୁମାନ କରାଯାଇପାରେ।  ପୋଲିସ୍ କାହା କଥାରେ ପଡ଼ି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିଲା ତାହାର ତଦନ୍ତ କରାଯିବା ଆବଶ୍ୟକ।

ଅନ୍ୟପକ୍ଷରେ ବିଜେଡି ମୁଖପାତ୍ର ଅମର ଶତପଥୀ କହିଛନ୍ତି ଯେ ଅବଦୁର ରେହମାନ ଉପରେ ରାଜ୍ୟ ପୋଲିସ୍ ନଜର ରଖିଥିଲା। ତା’ବିରୁଦ୍ଧରେ ଆସିଥିବା ଅଭିଯୋଗଗୁଡ଼ିକ ସଂପର୍କରେ ଆବଶ୍ୟକ ତଥ୍ୟ ମିଳିବା ପରେ ତାକୁ ଗିରଫ କରାଗଲା। ଏକ୍ଷେତ୍ରରେ ରାଜ୍ୟ ପୋଲିସ୍ ଆଦୌ ବିଫଳ ହୋଇ ନାହିଁ।

ସେହିପରି ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ଦେବୀ ମିଶ୍ର କହିଛନ୍ତି ଯେ ବିଜେଡିର କୌଣସି ଆତଙ୍କବାଦୀ ସଂଗଠନ ସହିତ ସଂପର୍କ ନାହିଁ। ଅବଦୁର ରେହମାନ ଗଣଶିକ୍ଷା ବିଭାଗକୁ ଆସିଥିବା ନେଇ ଅଭିଯୋଗ ହୋଇଛି। ଏନେଇ ତଦନ୍ତ କରାଗଲେ ପ୍ରକୃତ କଥା ଜଣାପଡ଼ିବ। ସେ କେଉଁ କାମରେ ଆସିଥିଲା ଓ କାହା ପାଖକୁ ଆସିଥିଲା ତାହା ସବୁ ତଦନ୍ତରୁ ଜଣାପଡ଼ିବ।

Related story